Advertisment

ସମ୍ମାନର ଲଢ଼େଇରେ ଶ୍ରୀଲଙ୍କାକୁ ହରାଇଲା ବାଂଲାଦେଶ

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଚରିଥ ଅସଲଙ୍କାଙ୍କ ୧୦୮ ରନ ବଳରେ ୪୯.୩ ଓଭର ବଳରେ ସମସ୍ତ ୱିକେଟ ହରାଇ ୨୭୯ ରନ କରିଥିଲା।

author-image
Hemant Lenka
Shakib Al Hasan

Shakib Al Hasan

ସେମି ଫାଇନାଲ ଦୌଡ଼ରୁ ବାଦ ପଡ଼ିଥିବା ବାଂଲାଦେଶ ଆଜି ସମ୍ମାନଜନକ ଲଢ଼େଇରେ ଶ୍ରୀଲଙ୍କାକୁ ମାତ ଦେଇଛି। ଦିଲ୍ଲୀରେ ଖେଳା ଯାଉଥିବା ଏହି ହାଇଭୋଲଟେଜ ଲଢ଼େଇରେ ବେଶ ଡ୍ରାମା ଦେଖିବାକୁ ମିଳିଥିଲା।

Advertisment

ଆଞ୍ଜେଲୋ ମାଥ୍ୟୁସଙ୍କ ଐତିହାସିକ ଟାଇମଡ ଆଉଟ ଠାରୁ ଆରମ୍ଭ କରି ବଲ ବଦଳାଇବାକୁ ନେଇ ଅମ୍ପାୟାରଙ୍କ ସହ ଶ୍ରୀଲଙ୍କା ଖେଳାଳିଙ୍କ ବାକଯୁଦ୍ଧ ମଧ୍ୟ ଆଜି ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମ ମୁକ ସାକ୍ଷୀ ବନିଛି। ଶେଷରେ ବାଂଲା ଟାଇଗର ୩ ୱିକେଟରେ ୫୩ ବଲ ପୂର୍ବରୁ ଶ୍ରୀଲଙ୍କାକୁ ହରାଇଛି। ଏଥିସହ ସେମିରେ ପ୍ରବେଶ ପାଇଁ ଶ୍ରୀଲଙ୍କା ପାଖରେ ଥିବା ଆଉଟ ସାଇଡ ସୁଯୋଗରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଶ୍ରୀଲଙ୍କା ଚରିଥ ଅସଲଙ୍କାଙ୍କ ୧୦୮ ରନ ବଳରେ ୪୯.୩ ଓଭର ବଳରେ ସମସ୍ତ ୱିକେଟ ହରାଇ ୨୭୯ ରନ କରିଥିଲା। ଏହାର ଜବାବରେ ବାଂଲାଦେଶ ଅଧିନାୟକ ସାକିବ ଅଲ ହାସନଙ୍କ ୮୨ ଓ ନଜମୁଲ ହୁସେନ ସାଣ୍ଟୋଙ୍କ ୯୦ ରନ ବଳରେ ୭ ୱିକେଟ ହରାଇ ବିଜୟ ହାସଲ କରି ନେଇଛି। ଦମଦାର ୮୨ ରନ ସହ ବୋଲିଂରେ ୨ ୱିକେଟ ହାସଲ କରିଥିବା ସାକିବ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି।

Advertisment

୨୮୦ ରନର ଟାର୍ଗେଟ ପାଇଥିବା ବାଂଲାଦେଶ ୧୭ ରନରେ ଓପନର ତାଞ୍ଜିଦ ହାସନ ଓ ୪୧ ରନରେ ଲିଟନ ଦାସଙ୍କ ୱିକେଟ ହରାଇଥିଲା। ଉଭୟଙ୍କ ୱିକେଟ ଦିଲସାନ ମଧୁଶଙ୍କା ନେଇଥିଲେ। ଏହାପରେ କିନ୍ତୁ ସାକିବ ଓ ସାଣ୍ଟୋ ସ୍ଥିତି ସମ୍ଭାଳିଥିଲେ। ଉଭୟ ଦମଦାର ଢଙ୍ଗରେ ବ୍ୟାଟିଂ କରିବା ସହ ଶ୍ରୀଲଙ୍କା ବୋଲରମାନଙ୍କୁ କୌଣସି ବିପର୍ଯ୍ୟୟ ଘଟାଇବାକୁ ଦେଇ ନଥିଲେ। କାକର ଯୋଗୁ ଅମ୍ପାୟାର ବଲ ପରିବର୍ତ୍ତନ କରିଥିଲେ ହେଁ ଏଥିରେ ଶ୍ରୀଲଙ୍କାର ଖେଳାଳିମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏହାକୁ ନେଇ ବେଶ କିଛି ସମୟ କଥା କଟାକଟି ଦେଖିବାକୁ ମିଳିଥିଲା।

ଅମ୍ପାୟାରଙ୍କ ନିଷ୍ପତ୍ତିରେ ବଲ ପରିବର୍ତ୍ତନ ହୋଇଥିଲେ ହେଁ ସାକିବ କିମ୍ବା ସାଣ୍ଟୋଙ୍କ ରନ ସଂଗ୍ରହ ଉପରେ ଏହାର କୌଣସି ପ୍ରଭାବ ପଡ଼ି ନଥିଲା। ଉଭୟ ଦ୍ରୁତ ଗତିରେ ରନ ସଂଗ୍ରହ କରିବା ସହ ନିଜ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। ଏଥିସହ ତୃତୀୟ ୱିକେଟ ପାଇଁ ୧୬୯ ରନ ଯୋଡ଼ି ଶ୍ରୀଲଙ୍କା ହାତରୁ ମ୍ୟାଚ୍‌ ଛଡ଼ାଇ ଆଣିଥିଲେ। ଲାଗୁଥିଲା ସାକିବ ଓ ସାଣ୍ଟୋ ଶତକ ହାସଲ କରିବେ।

କିନ୍ତୁ ବ୍ୟାଟିଂରେ ଟାଇମଡ ଆଉଟ ହୋଇଥିବା ମାଥ୍ୟୁସ ଏହା କରାଇ ଦେଇ ନଥିଲେ। ସେ ମାତ୍ର ୧ ରନ ଭିତରେ ଉଭୟଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପ୍ରଥମେ ମାଥ୍ୟୁସ ୮୨ ରନ କରିଥିବା ସାକିବଙ୍କୁ ଅସଲଙ୍କାଙ୍କ ହାତରେ କ୍ୟାଚ ଆଉଟ କରାଇ ଥିଲେ। ଏହାପରେ ସେ ସାଣ୍ଟୋଙ୍କୁ କ୍ଲିନବୋଲ୍ଡ କରି ଦେଇଥିଲେ।

ଲଗାତର ଦୁଇଟି ୱିକେଟ ଦଖଲ କରି ଶ୍ରୀଲଙ୍କା କମବ୍ୟାକ କରିବାକୁ ଚେଷ୍ଟା କରିଥିଲା। କିନ୍ତୁ ମହମ୍ମଦୁଲ୍ଲା ରିୟାଦ ୨୨, ମୁସଫିକର ରହିମ ୧୦, ମେହିଦୀ ହାସନ ମିରାଜ ୩, ତୋହିଦ ହୃଦୟ ୭ ବଲରେ ଅପରାଜିତ ୧୫ ଓ ତାଞ୍ଜିମ ହାସନ ସାକିବ ଅପରାଜି ୫ ରନ କରି ଶ୍ରୀଲଙ୍କାକୁ ମ୍ୟାଚ୍‌ରେ ଫେରିବାର କୌଣସି ସୁଯୋଗ ଦେଇ ନଥିଲେ।

ଶେଷରେ ମାଥ୍ୟୁସଙ୍କ ବଲରେ ବାଂଲାଦେଶ ଲେଗ ବାଇରେ ୪ ରନ ହାସଲ କରି ବିଶ୍ୱକପରେ ନିଜର ଦ୍ୱିତୀୟ ବିଜୟ ହାସଲ କରିଥିଲା। ଏହି ପରାଜୟ ସହ ଶ୍ରୀଲଙ୍କାର ସେମି ଫାଇନାଲ ଖେଳିବାର ଶେଷ ସୁଯୋଗ ମଧ୍ୟ ଶେଷ ହୋଇଛି।

ଶ୍ରୀଲଙ୍କା ପକ୍ଷରୁ ମଧୁଶଙ୍କା ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ତିକଶାନା ଓ ମାଥ୍ୟୁସଙ୍କୁ ଦୁଇଟି ଲେଖାଏ ସଫଳତା ମିଳିଛି।

ICC ICC Men’s Cricket World Cup 2023 ICC World Cup 2023 ICC World Cup ICCC World Cup