/odisha-reporter/media/media_files/2026/01/13/bangladesh-2026-01-13-17-08-52.jpg)
ବାଂଲାଦେଶ କ୍ରିକେଟ ଟିମ
ଟି-୨୦ ବିଶ୍ୱକପ(T20 World Cup) ୨୦୨୬ ପାଇଁ ଭାରତ ଗସ୍ତ ନ କରିବା ଜିଦରେ ଅଟଳ ରହିଛି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି। ଆଇସିସି ପକ୍ଷରୁ ବାଂଲାଦେଶ କ୍ରିକେଟ ବୋର୍ଡକୁ ବାରମ୍ବାର ଏ ସମ୍ପର୍କରେ ପୁନଃ ବିଚାର କରିବାକୁ କୁହାଯାଉଛି। ତଥାପି ବିସିବି ନିଜ ଜିଦରେ ଅଟଳ ରହିଛି।
ମଙ୍ଗଳବାର ମଧ୍ୟାହ୍ନରେ ବିସିବି ଓ ଆଇସିସି ମଧ୍ୟରେ ବାଂଲାଦେଶ ଜାତୀୟ ପୁରୁଷ କ୍ରିକେଟ ଟିମର ବିଶ୍ୱକପ ଅଂଶଗ୍ରହଣ ପ୍ରସଙ୍ଗରେ ବୈଠକ ହୋଇଥିଲା। ଭିଡିଓ କନଫରେନ୍ସିଂରେ ଅନୁଷ୍ଠିତ ଏହି ବୈଠକରେ ବିସିବି ସଭାପତି ମହମ୍ମଦ ଅମିନୁଲ ଇସଲାମ, ଉପ ସଭାପତି ମହମ୍ମଦ ଶକାୱତ ହୁସେନ, ଫାରୁକି ଅହମଦ, କ୍ରିକେଟ ଅପରେସନ କମିଟିର ଡିରେକ୍ଟର ଓ ଚେୟାରମ୍ୟାନ ନଜମୁଲ ଆବେଦିନ ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଜାମ ଉଦ୍ଦିନ ଚୌଧୁରୀ ଯୋଗ ଦେଇଥିଲେ।
ଆଲୋଚନା ବେଳେ ବିସିବି ଟି-୨୦ ବିଶ୍ୱକପ ପାଇଁ ଭାରତ ନ ଆସିବା ନିଷ୍ପତ୍ତିରେ ଅଟଳ ରହିଥିଲା। ସୁରକ୍ଷା ଆଳ ଦେଖାଇ ବିସିବି ନିଜ ମତ ଉପସ୍ଥାପନ କରିଥିଲା। ଖେଳାଳିଙ୍କ ସୁରକ୍ଷା ଦୃଷ୍ଟିରୁ ବାଂଲାଦେଶ ଟିମର ବିଶ୍ୱକପ ମ୍ୟାଚଗୁଡ଼ିକ ଭାରତ ବାହାରକୁ ସ୍ଥାନାନ୍ତର କରିବାକୁ ବିସିବି ଅଧିକାରୀମାନେ ଆଇସିସିକୁ ଅନୁରୋଧ କରିଛନ୍ତି।
ତେବେ ଆଇସିସି ସେମାନଙ୍କୁ କହିଛି ଯେ ବିଶ୍ୱକପର ସେଡ୍ୟୁଲ ଓ ଅନ୍ୟାନ୍ୟ ବ୍ୟବସ୍ଥା ପୂର୍ବରୁ ହିଁ ଚୂଡ଼ାନ୍ତ ହୋଇ ସାରିଛି। ଏଥିରେ ପରବର୍ତ୍ତନ କରିବା ଆଦୌ ସହଜ ନୁହେଁ। ତେଣୁ ବିସିବି ନିଜର ଆଭିମୁଖ୍ୟକୁ ଆଉ ଥରେ ବିଚାର କରୁ ବୋଲି ଆଇସିସି କହିଛି।
ଆଇସିସିର ଏପରି ଅନୁରୋଧକୁ ମଧ୍ୟ ବାଂଲାଦେଶ କ୍ରିକେଟ ବୋର୍ଡ ଗ୍ରହଣ କରିନାହିଁ। ନିଜର ଖେଳାଳି, ଅଧିକାରୀ, ସପୋର୍ଟ ଷ୍ଟାଫ ଓ ଫ୍ୟାନ୍ସମାନଙ୍କ ସୁରକ୍ଷା ସବୁବେଳେ ବିସିବି ପାଇଁ ସର୍ବୋପରି। ତେଣୁ କୌଣସି ବି ପରିସ୍ଥିତିରେ ଏଥିରେ ବୁଝାମଣା କରାଯାଇ ପାରିବ ନାହିଁ ବୋଲି ବିସିବି ପକ୍ଷରୁ ଆଇସିସିକୁ ଜଣାଇ ଦିଆଯାଇଛି।
ଆଜି ବୈଠକରେ କୌଣସି ନିଷ୍କର୍ସ ବାହାରି ପାରିନି ସତ, କିନ୍ତୁ ଉଭୟ ବିସିବି ଓ ଆଇସିସି ଆଗକୁ ଏ ପ୍ରସଙ୍ଗରେ ଆଲୋଚନା କରିବେ ଓ ବିବାଦର ସମାଧାନ କରିବେ ବୋଲି ରାଜି ହୋଇଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
