Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ବାଂଲାଦେଶର ଐତିହାସିକ ଟେଷ୍ଟ ବିଜୟ

ନଜମୁଲ ହୁସେନ ସାଣ୍ଟୋ ପ୍ରଥମଥର ପାଇଁ ଟେଷ୍ଟରେ ବାଂଲାଦେଶର କମାଣ ସମ୍ଭାଳୁଥିଲେ। ପ୍ରଥମ ମ୍ୟାଚ୍‌ରେ ହିଁ ବାଂଲାଦେଶ  ୧୫୦ ରନରେ ମ୍ୟାଚ ଜିତିଛି।

author-image
Hemant Lenka
NZ

NZ

ଘରୋଇ ମାଟିରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ଇତିହାସ ରଚିଛି ବାଂଲାଦେଶ। ବାମହାତୀ ସ୍ପିନର ତାଇଜୁଲ ଇସଲାମଙ୍କ ୧୦ ୱିକେଟ ସଫଳତା ବଳରେ ବାଂଲାଦେଶ ପ୍ରତିପକ୍ଷ ନ୍ୟୁଜିଲ୍ୟାଣ୍ଡକୁ ଧୂଳି ଚଟାଛି। ଘରୋଇ ମାଟିରେ ବାଂଲାଦେଶ ପ୍ରଥମଥର ପାଇଁ କୌଣସି ଟେଷ୍ଟ ମ୍ୟାଚ୍‌ରେ ନ୍ୟୁଜିଲ୍ୟାଣ୍ଡକୁ ହରାଇ ନୂଆ ରେକର୍ଡ କରିଛି।

Advertisment

ନଜମୁଲ ହୁସେନ ସାଣ୍ଟୋ ପ୍ରଥମଥର ପାଇଁ ଟେଷ୍ଟରେ ବାଂଲାଦେଶର କମାଣ ସମ୍ଭାଳୁଥିଲେ। ପ୍ରଥମ ମ୍ୟାଚ୍‌ରେ ହିଁ ବାଂଲାଦେଶ  ୧୫୦ ରନରେ ମ୍ୟାଚ ଜିତିଛି। ଦୁଇଟି ଇନିଂସରେ ୧୦ ୱିକେଟ ଦଖଲ କରିଥିବା ଇସଲାମଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ମିଳିଛି। 

ଏହି ବିଜୟ ସହ ଦୁଇ ଟିକିଆ ଟେଷ୍ଟ ସିରିଜରେ ବାଂଲାଦେଶ ୧-୦ରେ ଆଗୁଆ ହୋଇଯାଇଛି। ବାଂଲାଦେଶର ସିଲହଟରେ ଖେଳା ଯାଉଥିବା ମ୍ୟାଚ୍‌ରେ ଟସ୍‌ ଜିତି ସାଣ୍ଟୋ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଇନିଂସରେ ଦଳ ମହମ୍ମଦୁଲ ହାସନ ଜୟଙ୍କ ୮୬ ରନ ବଳରେ ସମସ୍ତ ୱିକେଟ ହରାଇ ୩୧୦ ରନ କରିଥିଲା।

Advertisment

ନ୍ୟୁଜିଲ୍ୟାଣ୍ଡ ଏହାର କଡ଼ା ଜବାବ ଦେଇଥିଲା। ଅଭିଜ୍ଞ କେନ ୱିଲିୟସମନଙ୍କ ୧୦୪ ରନ ବଳରେ କ୍ୱିୱି ଟିମ ପ୍ରଥମ ଇନିଂସରେ ୩୧୭ ରନ କରି ନେଇଥିଲେ। ଦଳକୁ ୭ ରନର ଲିଡ ମିଳିଥିଲା। ପ୍ରଥମ ଇନିଂସରେ ଇସଲାମ ୪ ୱିକେଟ ଦଖଲ କରିଥିଲେ।

ବାଂଲାଦେଶ ପାଇଁ ଦ୍ୱିତୀୟ ଇନିଂସରେ ଅଧିନାୟକ ସାଣ୍ଟୋ ଜବରଦସ୍ତ ବ୍ୟାଟିଂ କରିଥିଲେ। ତାଙ୍କୁ ଅଭିଜ୍ଞ ମୁସଫିକର ରହିମ ଓ ମେହିଦୀ ହାସନ ମିରାଜ ସାଥ ଦେଇଥିଲେ। ସାଣ୍ଟୋଙ୍କ ୧୦୫, ରହିମଙ୍କ ୬୭ ଓ ମିରାଜଙ୍କ ୫୦ ରନ ବଳରେ ବାଂଲାଦେଶ ତା’ର ଦ୍ୱିତୀୟ ଇନିଂସରେ ୩୩୮ ରନ କରିଥିଲା।

ଫଳରେ ନ୍ୟୁଜିଲ୍ୟାଣ୍ଡକୁ ପ୍ରଥମ ଟେଷ୍ଟ ଜିତିବା ପାଇଁ ୩୩୨ ରନର ଟାର୍ଗେଟ ମିଳିଥିଲା। ୪ର୍ଥ ଦିନରେ କ୍ୱିୱି ଟିମକୁ ଏହି ଟାର୍ଗେଟ ମିଳିଥିବା ବେଳେ ଦଳ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଟମ ଲାଥମ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ୱିଲିୟମସନ ୧୧, ଡେଭନ କନୱେ ୨୨, ହେନରୀ ନିକୋଲ୍ସ ୨, ଟମ ବ୍ଲଣ୍ଡେଲ ୬, ଗ୍ଲେନ ଫିଲିପ୍ସ ୧୨ ଓ କାୟେଲ ଜାମିସନ କେବଳ ୯ ରନ କରିଥିଲେ। ୪ର୍ଥ ଦିନ ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡ ୭ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା। ବାଂଲାଦେଶର ସ୍ପିନ ଆଟାକ ସବୁ କିଛି ଓଲଟ ପାଲଟ କରି ଦେଇଥିଲେ।

୪ର୍ଥ ଦିନର ଅପରାଜିତ ବ୍ୟାଟର ଡାରେଲ ମିଚେଲ(୫୮) ଆଜି କିଛି ସମୟ ପାଇଁ ଲଢ଼େଇ କରିଥିଲେ। ତାଙ୍କୁ ଈଶ ଶୋଢ଼ି(୯୧ ବଲରେ ୨୨) କିଛି ସମୟ ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୧୩୨ ଥିବା ବେଳେ ମିଚେଲ ୫୮ ରନ କରି ନୟିମ ହାସନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ଅଧିନାୟକ ଟିମ ସାଉଦି ୨୪ ବଲରେ ୩୪ ରନ କରିଥିଲେ।

ଶେଷରେ ଶୋଢ଼ିଙ୍କୁ ଆଉଟ କରି ଇସଲାମ ନ୍ୟୁଜିଲ୍ୟାଣ୍ଡ ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ନ୍ୟୁଜିଲ୍ୟାଣ୍ଡ ୧୮୧ ରନରେ ଅଲଆଉଟ ହୋଇଯିବାରୁ ବାଂଲାଦେଶ ପ୍ରଥମ ଟେଷ୍ଟକୁ ୧୫୦ ରନରେ ଜିତି ନେଇଛି।

ଦ୍ୱିତୀୟ ଇନିଂସରେ ଇସଲାମ ୬ଟି ୱିକେଟ ନେଇଥିବା ବେଳେ ଶୋରିଫୁଲ ଇସଲାମ ଓ ମିରାଜ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। ସେହିପରି ନୟିମ ହାସନ ୨ଟି ୱିକେଟ ନେଇଛନ୍ତି।

Bangladesh ICC Newzealand Test Cricket