/odisha-reporter/media/media_files/2026/02/19/bangladesh-2026-02-19-13-58-31.jpg)
ବାଂଲାଦେଶ କ୍ରିକେଟ ଟିମ
ମଙ୍ଗଳବାର ତାରିକ ରହମନଙ୍କ ବିଏନପି ବାଂଲାଦେଶରେ ନୂଆ ସରକାର ଗଠନ କରିଛି। ତାରିକଙ୍କ ସରକାରର ନୂଆ ଯୁବ ଓ କ୍ରୀଡ଼ା ରାଷ୍ଟ୍ରମନ୍ତ୍ରୀ ଅମିନୁଲ ହକ ଭାରତ ସହ ବିଗିଡ଼ିଥିବା କ୍ରିକେଟ(Bangladesh Cricket) ସମ୍ପର୍କକୁ ପୁନଃ ସ୍ଥାପନ କରିବାକୁ ବାଂଲାଦେଶ ଚାହୁଁଥିବା ସଙ୍କେତ ଦେଇଛନ୍ତି।
ଆଇସିସି ଟି-୨୦ ପୁରୁଷ ବିଶ୍ୱକପ ୨୦୨୬କୁ ନେଇ ଦେଖା ଯାଇଥିବା ବିବାଦ ପରେ ଭାରତ ଓ ବାଂଲାଦେଶ କ୍ରିକେଟ ସମ୍ପର୍କ ବିଗିଡ଼ି ଯାଇଛି। ହେଲେ ବାଂଲାଦେଶରେ ତାରିକ ସରକାର ଆସିବା ମାତ୍ରେ ପୁଣି ଥରେ ଭାରତ ସହ କ୍ରିକେଟ ସମ୍ପର୍କ ଆରମ୍ଭ କରିବାକୁ ଉଦ୍ୟମ ଆରମ୍ଭ କରିଛି ଢାକା।
ବାଂଲାଦେଶର ନୂଆ କ୍ରୀଡ଼ା ମନ୍ତ୍ରୀ ଅମିନୁଲ ହକ ପୁନଃ ଆରମ୍ଭର ସଙ୍କେତ ଦେବା ସହ ସେ ଭାରତର ଡେପୁଟି ହାଇକମିଶନରଙ୍କ ସହ ଏ ପ୍ରସଙ୍ଗରେ କଥାବାର୍ତ୍ତା କରିଥିବା ସୂଚନା ଦେଇଛନ୍ତି। ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ଦ୍ୱାରା ଦୁଇ ଦେଶ ମଧ୍ୟରେ ଥିବା ମତପାର୍ଥକ୍ୟକୁ ଦୂର କରିବା ପାଇଁ ସେ ଇଚ୍ଛୁକ ଥିବା ମଧ୍ୟ ମତ ରଖିଛନ୍ତି।
ଏହାବାଦ ଅମିନୁଲ ହକ ବିବାଦ ସମୟରେ ପୂରା ପ୍ରସଙ୍ଗ ଦାୟିତ୍ୱରେ ଥିବା ବାଂଲାଦେଶ କ୍ରିକେଟ ବୋର୍ଡ ଅଧିକାରୀଙ୍କୁ ସମାଲୋଚନା କରି ସେମାନଙ୍କ ଭୂମିକା ଉପରେ ପ୍ରଶ୍ନ ଉଠାଇଛନ୍ତି। ଶେଖ ହସିନା ସରକାର ଭୁଶୁଡ଼ିବା ପରେ ମହମ୍ମଦ ୟୁନୁସଙ୍କ ଅନ୍ତରୀଣ ସରକାର ବାଂଲାଦେଶରେ କାର୍ଯ୍ୟକ୍ଷମ ହୋଇଥିଲା। ଏହି ସମୟରେ ଭାରତ-ବାଂଲାଦେଶ ସମ୍ପର୍କରେ ତିକ୍ତତା ଦେଖାଯାଇଥିଲା। ଦୁଇ ଦେଶ ମଧ୍ୟରେ କ୍ରିକେଟ ସମ୍ପର୍କ ମଧ୍ୟ ବିଗିଡ଼ି ଯାଇଥିଲା।
କ୍ରିକେଟକୁ ନେଇ ବିବାଦ ୨୦୨୫ ଡିସେମ୍ବର ମାସରୁ ଆରମ୍ଭ ହୋଇଥିଲା। ଆଇପିଏଲ ମିନି ଅକ୍ସନ ବେଳେ ମୁସ୍ତାଫିଜୁର ରହମନଙ୍କୁ କେକେଆର କିଣିଥିଲେ ହେଁ ବିବାଦ ଯୋଗୁ ତାଙ୍କୁ ରିଲିଜ କରି ଦେଇଥିଲା। ଏହାକୁ ବାଂଲାଦେଶ ସହଜରେ ଗ୍ରହଣ କରି ନଥିଲା ଓ ୟୁନୁସଙ୍କ ଅନ୍ତରୀଣ ସରକାର ୨୦୨୬ ଟି-୨୦ ବିଶ୍ୱକପ ଭାରତରେ ଖେଳବ ନାହିଁ ବୋଲି କହିଥିଲା।
ଆଇସିସି ଏଥିରେ ହସ୍ତକ୍ଷେପ କରିଥିଲେ ହେଁ ବାଂଲାଦେଶ କ୍ରିକେଟ ବୋର୍ଡ କିମ୍ବା ୟୁନୁସ ସରକାର କିଛି ବି ଶୁଣି ନଥିଲେ। ଶେଷରେ ଆଇସିସି ବାଧ୍ୟ ହୋଇ ବାଂଲାଦେଶ କ୍ରିକେଟ ଟିମକୁ ବିଶ୍ୱକପରୁ ବାଦ ଦେଇଥିଲା। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡ ଚଳିତ ବିଶ୍ୱକପ ଖେଳିଛି। ବାଂଲାଦେଶ ଜିଦ କରି ବିଶ୍ୱକପରୁ ଓହରି ଯାଇଥିଲେ ହେଁ ଆଇସିସି କୌଣସି ଜୋରିମାନା ଲାଗୁ କରିନାହିଁ। ସେହିପରି ବାଂଲାଦେଶକୁ ଭବିଷ୍ୟତରେ ଗୋଟିଏ ଆଇସିସି ଇଭେଣ୍ଟ ଆୟୋଜନ କରିବାକୁ ଅଧିକାର ମିଳିବ ବୋଲି ଆଇସିସି ପ୍ରତିଶ୍ରୁତି ଦେଇଛି।
ଏସବୁ ଭିତରେ ବାଂଲାଦେଶ ନୂଆ କ୍ରୀଡ଼ା ମନ୍ତ୍ରୀ ଭାରତ ସହ କ୍ରିକେଟ ସମ୍ପର୍କ ଆରମ୍ଭ କରିବା କଥା କହିଛନ୍ତି। ଏଥିସହ ଶେଖ ହସିନାଙ୍କ ଶାସନ ସମୟରେ ଆବାମୀ ଲିଗର ସାଂସଦ ଭାବେ କାର୍ଯ୍ୟ କରୁଥିବା ପୂର୍ବତନ କ୍ରିକେଟର ଶାକିବ ଅଲ ହାସନ ଓ ମଶର୍ଫି ବିନ ମୋର୍ତାଜାଙ୍କ ନାଁରେ ଥିବା ମାମଲାର ସମାଧାନ ସପକ୍ଷରେ ମଧ୍ୟ ଅମିନୁଲ ହକ ମତ ରଖିଛନ୍ତି। ମାମଲା ସାମାଧାନ ହେଲେ ସେମାନେ ବାଂଲାଦେଶକୁ ଫେରିବେ ଓ କ୍ରିକେଟ ଆଗକୁ ଯାଇ ପାରିବ ବୋଲି ସେ ଆଶା କରିଛନ୍ତି।
୨୦୨୪ ଅଗଷ୍ଟ ମାସରେ ୟୁନୁସ ଶପଥ ନେବା କ୍ଷଣି ଶାକିବ ବାଂଲାଦେଶ ଆସି ନାହାନ୍ତି ଓ ମୋର୍ତାଜାଙ୍କୁ ମଧ୍ୟ ସର୍ବସାଧାରଣରେ ଦେଖିବାକୁ ମିଳିଛି। ସେମାନଙ୍କ ବିରୋଧରେ ୟୁନୁସ ସରକାର ଏକାଧିକ ମାମଲା ଦାଏର କରିଛନ୍ତି। ଏହି ଦୁଇ କ୍ରିକେଟର ହସିନାଙ୍କ ଶାସନ ସମୟରେ ସାଂସଦ ଭାବେ କାର୍ଯ୍ୟ କରୁଥିବାରୁ ସେମାନଙ୍କ ବିରୋଧରେ ଏପରି ମାମଲା ହୋଇଥିଲା।
ଅମିନୁଲ ହକ କହିଛନ୍ତି, “ମୁଁ ଦାୟିତ୍ୱ ନେବା କ୍ଷଣୀ ତୁରନ୍ତ ଭାରତର ଡେପୁଟି ହାଇ କମିଶନରଙ୍କୁ ଭେଟିଥିଲି। ବନ୍ଧୁତ୍ୱପୂର୍ଣ୍ଣ ଆଲୋଚନା ଦ୍ୱାରା ବିବାଦର ସମାଧାନ ଉପରେ ଆମେ ଗୁରୁତ୍ୱ ଦେଇଛୁ।
ଆମେ ପଡ଼ୋଶୀ ଦେଶଗୁଡ଼ିକ ସହ ଭଲ ସମ୍ପର୍କ ଚାହୁଁଛୁ। କ୍ରୀଡ଼ାକୁ ନେଇ ଜାରି ରହିଥିବା ବିବାଦର ସମାଧାନ କୂଟନୀତିକ ଆଲୋଚନା ଦ୍ୱାରା ସମାଧାନ କରିବା ମୁଡରେ ରହିଛୁ। ଆଇସିସିର ନିୟମ ଦ୍ୱାରା ଆବଶ୍ୟକ ପଦକ୍ଷେପ ନେଇ ବିବାଦର ସମାଧାନ ହେବ।”
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
