Advertisment

Bangladesh: ବାଂଲାଦେଶକୁ ଆର୍ଥିକ ଝଟକା, ଖେଳାଳି ହରାଇବେ ପ୍ରାୟୋଜକ!

ବିସିସିଆଇ ନିର୍ଦ୍ଦେଶ ପରେ ଆଇପିଏଲ ପ୍ରାଞ୍ଚାଇଜ କେକେଆର ମୁସ୍ତାଫିଜୁରଙ୍କୁ ରିଲିଜ କରି ଦେଇଥିଲା। ଏହାକୁ ବିସିବି ବିରୋଧ କରିବା ସହ ଟି-୨୦ ବିଶ୍ୱକପ ଖେଳିବାକୁ ବାଂଲାଦେଶ କ୍ରିକେଟ ଟିମ ଭାରତ ଆସିବ ନାହିଁ ବୋଲି କହିଛି।

author-image
Hemant Lenka
Liton-Das

ବାଂଲାଦେଶ ଟି-୨୦ ଅଧିନାୟକ ଲିଟନ ଦାସ

ବିସିସିଆଇ ଓ ଭାରତ ସହ ପଙ୍ଗା ନେବା ବାଂଲାଦେଶ(Bangaldesh) କ୍ରିକେଟ ବୋର୍ଡକୁ ମହଙ୍ଗା ପଡ଼ିବାକୁ ଯାଉଛି। ବୋର୍ଡକୁ ଲାଗିଛି ଆର୍ଥିକ ଝଟକା। ବାଂଲାଦେଶ କ୍ରିକେଟରମାନେ ହରାଇ ପାରନ୍ତି ପ୍ରାୟୋଜକ। ଭାରତୀୟ କ୍ରୀଡ଼ା ସାମଗ୍ରୀ ତିଆରି କରୁଥିବା କମ୍ପାନୀ ଏସ୍‌ଜି ବାଂଲାଦେଶ କ୍ରିକେଟରଙ୍କ ପ୍ରାୟୋଜକ ସାଜିବା ମୁଡରେ ନାହିଁ। ଏଥିପାଇଁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜର ଓ ଖେଳାଳିମାନଙ୍କ ପାଇଁ ନୂଆ ପ୍ରାୟୋଜକ ଖୋଜିବା ଆରମ୍ଭ କରିଥିବା ଜଣାପଡ଼ିଛି।

Advertisment

ବାଂଲାଦେଶ କ୍ରିକେଟ ବୋର୍ଡ ଓ ବିସିସିଆଇ ମଧ୍ୟରେ ତିକ୍ତତା ଚରମ ସୀମାରେ ପହଞ୍ଚିଥିବାରୁ ଏସ୍‌ଜି ପ୍ରାୟୋଜକ ଦାୟିତ୍ୱରୁ ଓହରିବାକୁ ନିଷ୍ପତ୍ତି ନେଇଛି। ବାଂଲାଦେଶରେ ହିନ୍ଦୁଙ୍କୁ ହତ୍ୟା କରାଯାଉଥିବାରୁ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହାକୁ ଦୃଷ୍ଟିରେ ରଖି ବିସିସିଆଇ ଆଇପିଏଲ କଣ୍ଟ୍ରାକ୍ଟ ହାସଲ କରିଥିବା ବାଂଲାଦେଶର ଦ୍ରୁତ ବୋଲର ମୁସ୍ତାଫିଜୁର ରହମାନଙ୍କୁ ବହିଷ୍କାର କରିବାକୁ ନିର୍ଦ୍ଦେଶ ଦେଇଥିଲା।

ବିସିସିଆଇ ନିର୍ଦ୍ଦେଶ ପରେ ଆଇପିଏଲ ପ୍ରାଞ୍ଚାଇଜ କେକେଆର ମୁସ୍ତାଫିଜୁରଙ୍କୁ ରିଲିଜ କରି ଦେଇଥିଲା। ଏହାକୁ ବିସିବି ବିରୋଧ କରିବା ସହ ଟି-୨୦ ବିଶ୍ୱକପ ଖେଳିବାକୁ ବାଂଲାଦେଶ କ୍ରିକେଟ ଟିମ ଭାରତ ଆସିବ ନାହିଁ ବୋଲି କହିଛି। ଏହାକୁ ନେଇ ଦୁଇ ପଡ଼ୋଶୀ ଦେଶର କ୍ରିକେଟ ବୋର୍ଡ ମୁହାଁମୁହିଁ ହୋଇଛନ୍ତି। 

Advertisment

ଏସବୁ ଭିତରେ ଭାରତୀୟ ସ୍ପୋର୍ଟ ମ୍ୟାନୁଫାକଚର ଏସ୍‌ଜି ବାଂଲାଦେଶ ଖେଳାଳିଙ୍କ ପ୍ରାୟୋଜକ ଦାୟିତ୍ୱରୁ ଓହରି ଯିବାକୁ ନିଷ୍ପତ୍ତି ନେଇଛି। ଏସ୍‌ଜି ବର୍ତ୍ତମାନ ବାଂଲାଦେଶର ଟପ କ୍ରିକେଟର ଲିଟନ ଦାସ, ୟାସିର ରାବି ଓ ମୋମିନୁଲ ହକଙ୍କ ପ୍ରାୟୋଜକ ଭାବେ କାର୍ଯ୍ୟ କରୁଛି। କିନ୍ତୁ କମ୍ପାନୀ ଏହି ଖେଳାଳିମାନଙ୍କ ପ୍ରାୟୋଜକ ସାଜିବାକୁ ମନା କରି ଦେଇଛି।

ଯଦିଓ ଖେଳାଳିମାନଙ୍କୁ ଏସ୍‌ଜିର ନିଷ୍ପତ୍ତି ସମ୍ପର୍କରେ ବିଧିବଦ୍ଧ ଭାବେ ଅବଗତ କରାଯାଇ ନାହିଁ, କିନ୍ତୁ ସେମାନଙ୍କ ଏଜେଣ୍ଟ ପାଖରେ ଏହି ଖବର ପହଞ୍ଚି ଯାଇଛି। ଖେଳାଳିମାନଙ୍କ ପ୍ରାୟୋଜକ ସାଜିବା ପାଇଁ ଏସ୍‌ଜି କରିଥିବା କଣ୍ଟ୍ରାକ୍ଟ ବା ଚୁକ୍ତିକୁ ଆଉ ରିନ୍ୟୁ କରିବା ମୁଡରେ ନାହିଁ। 

ଏସ୍‌ଜିର ବୟକଟ ପଦକ୍ଷେପ ବାଂଲାଦେଶ କ୍ରୀଡ଼ା ଜଗତକୁ ନିଶ୍ଚିତ ପ୍ରଭାବିତ କରିବ। କାରଣ ଅନ୍ୟ କିଛି ସଂସ୍ଥା ମଧ୍ୟ ଏସ୍‌ଜି ଭଳି ପଦକ୍ଷେପ ନେବାକୁ ଆଶଙ୍କା ରହିଛି। 
ଖେଳାଳିଙ୍କ ପ୍ରାୟୋଜକ ଦାୟିତ୍ୱରେ ଥିବା ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ମୁଁ ଭାବୁଛି ଅନ୍ୟ କିଛି ସଂସ୍ଥା ମଧ୍ୟ ଆମ କ୍ରିକେଟରମାନଙ୍କ ପ୍ରାୟୋଜକ ସାଜିବାକୁ ମନା କରି ଦେଇପାରନ୍ତି।” 

ବାଂଲାଦେଶର ବିଶ୍ୱକପ ମ୍ୟାଚ୍‌ଗୁଡ଼ିକ ଭାରତ ବଦଳରେ ଶ୍ରୀଲଙ୍କାରେ ଆୟୋଜନ କରିବାକୁ ବିସିବି ପକ୍ଷରୁ ଆଇସିସିକୁ ନିବେଦନ କରାଯାଇଛି। କିନ୍ତୁ ଆଇସିସି ଏଥିରେ ଏଯାଏ ସହମତି ପ୍ରକାଶ କରି ନାହିଁ। ତଥାପି ଆଇସିସି ମ୍ୟାଚ୍‌ ଭାରତକୁ ସ୍ଥାନାନ୍ତର କରିବା ପାଇଁ ରାଜି ହୋଇପାରେ ବୋଲି ବିସିବି ଆଶା ରଖିଛି। 

Bangaldesh