/odisha-reporter/media/media_files/2026/01/22/bcb-2026-01-22-17-25-13.jpg)
ବାଂଲାଦେଶ କ୍ରିକେଟ ଟିମ
ଭାରତ ଓ ଶ୍ରୀଲଙ୍କାରେ ଆୟୋଜିତ ୨୦୨୬ ଟି-୨୦ ବିଶ୍ୱକପ(T20 World Cup)ରୁ ବାଦ ପଡ଼ିଛି ବାଂଲାଦେଶ। ଭାରତରେ ନିଜର ମ୍ୟାଚ୍ ନ ଖେଳିବା ଜିଦରେ ବାଂଲାଦେଶ ଅଟଳ ରହିଥିବାରୁ ଆଇସିସି ପକ୍ଷରୁ ଦଳକୁ ବିଶ୍ୱକପରୁ ବାଦ ଦିଆଯାଇଛି। ଏ ସମ୍ପର୍କରେ ଆଇସିସି ଆସନ୍ତାକାଲି ବିଧିବଦ୍ଧ ଭାବେ ଘୋଷଣା କରିବ।
ବାଂଲାଦେଶ ବିଶ୍ୱକପରୁ ବିଦା ହୋଇଥିବାରୁ ଏବେ ସ୍କଟଲ୍ୟାଣ୍ଡକୁ ଆଇସିସି ଟୁର୍ଣ୍ଣାମେଣ୍ଟରେ ସାମିଲ କରିବ। ବାଂଲାଦେଶ ସ୍ଥାନ ନେବ ସ୍କଟଲ୍ୟାଣ୍ଡ। ବାଂଲାଦେଶ ଯେଉଁ ସବୁ ସ୍ଥାନରେ ମ୍ୟାଚ୍ ଖେଳିବାର ଥିଲା, ସେଠାରେ ସ୍କଟଲ୍ୟାଣ୍ଡ ମ୍ୟାଚ୍ ଖେଳିବ।
ସୁରକ୍ଷାର ଆଳ ଦେଖାଇ ଭାରତ ବାହାରକୁ ନିଜର ଗ୍ରୁପ ମ୍ୟାଚଗୁଡ଼ିକ ସ୍ଥାନାନ୍ତର କରିବାକୁ ଆଇସିସିକୁ ଅନୁରୋଧ କରିଥିଲା। ପ୍ରଥମେ ଆଇସିସି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବିକୁ ଭାରତରେ ମ୍ୟାଚ୍ ଖେଳିବା ପାଇଁ ବୁଝାଇଥିଲା। ତଥାପି ବିସିବି ନିଜ ଅନ୍ତରୀଣ ସରକାରଙ୍କ ରାଜନୀତିକ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଭାରତରେ ମ୍ୟାଚ୍ ନ ଖେଳିବା ଜିଦରେ ଅଟଳ ରହିଥିଲା।
ଏସବୁ ଭିତରେ ବୁଧବାର(ଜାନୁଆରୀ ୨୧) ଆଇସିସିର ବଡ଼ ବୈଠକ ବସିଥିଲା। ଏହି ବୈଠକରେ ବାଂଲାଦେଶର ମ୍ୟାଚ୍ ସ୍ଥାନାନ୍ତର ଅନୁରୋଧକୁ ଆଇସିସି ଭୋଟିଂ ଦ୍ୱାରା ଖାରଜ କରିଥିଲା। ମ୍ୟାଚ୍ ସ୍ଥାନାନ୍ତର ସପକ୍ଷରେ ବିସିବି ଓ ପାକିସ୍ତାନ କ୍ରିକେଟ ବୋର୍ଡ ଭୋଟିଂ କରିଥିଲେ। ବାକି ୧୪ ରାଷ୍ଟ୍ର ବାଂଲାଦେଶ ବିଶ୍ୱକପ ମ୍ୟାଚ୍ ଭାରତରେ ଖେଳିବା ଉଚିତ ବୋଲି କହିଥିଲେ। ଏହାପରେ ଆଇସିସି ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ବାଂଲାଦେଶକୁ ୨୪ ଘଣ୍ଟାର ସମୟ ଦେଇଥିଲା।
ଏହାକୁ ନେଇ ଆଜି ବିସିବି ଅଧିକାରୀ, ଜାତୀୟ ଟିମର କ୍ରିକେଟର ଓ ଅନ୍ତରୀଣ ସରକାର ପରାମର୍ଶଦାତା ଆସିଫ ନଜରୁଲ ବୈଠକ କରିଥିଲେ। ବୈଠକରେ ବାଂଲାଦେଶ ନିଜ ପୁରୁଣା ଜିଦରେ ଅଟଳ ରହିଥିବା କହିଛି। ଭାରତରେ ବାଂଲାଦେଶ ଟି-୨୦ ବିଶ୍ୱକପ ଖେଳିବ ନାହିଁ ଓ ଆଇସିସିର ମ୍ୟାଚ୍ ସ୍ଥାନାନ୍ତର ନିଷ୍ପତ୍ତିକୁ ବିସିବି ଅପେକ୍ଷା କରିଥିବା ବୈଠକ ପରେ ନଜରୁଲ ସୂଚନା ଦେଇଛନ୍ତି। ଭରତରେ ବାଂଲାଦେଶ ଖେଳିବାକ ରାଜି ନଥିବାରୁ ଆଇସିସି ଏହି ଦେଶର ଦଳକୁ ବିଶ୍ୱକପରୁ ବାଦ ଦେବ ବୋଲି ଜଣାପଡ଼ିଛି।
ବାଂଲାଦେଶ କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ କହିଛନ୍ତି ଯେ “ଆଇସିସି ବାଂଲାଦେଶ ସହ ନିରପେକ୍ଷ ଭାବେ ବ୍ୟବହାର କରିନାହିଁ। ଆମକୁ ଆଇସିସି ନ୍ୟାୟ ଦେଇନି। ଆମେ କୌଣସି ବି ପରିସ୍ଥିତିରେ ମୁଣ୍ତ ନୁଆଁଇବୁ ନାହିଁ। ବାଂଲାଦେଶ ବିଶ୍ୱକପ ନ ଖେଳିଲେ, ଏହାର ଅର୍ଥ କ’ଣ ସେକଥା ସମସ୍ତେ ବୁଝନ୍ତୁ। କୌଣସି ବି ପରିସ୍ଥିତିରେ ଆମେ ଆମ ଦେଶର ଖେଳାଳିଙ୍କ ସୁରକ୍ଷାରେ ବୁଝାମଣା କରିପାରିବୁ ନାହିଁ। ବାଂଲାଦେଶ ଟି-୨୦ ବିଶ୍ୱକପକୁ ବୟକଟ କରିବ। ଆମ ଖେଳାଳିମାନେ ପରିଶ୍ରମ କରି ବିଶ୍ୱକପ ଖେଳିବାକୁ ଯୋଗ୍ୟତା ଅର୍ଜନ କରିଥିଲେ। ହେଲେ ସେମାନଙ୍କ ସୁରକ୍ଷାକୁ ଆଇସିସି ଗୁରୁତ୍ୱ ଦେଉନାହିଁ।”
ବାଂଲାଦେଶ କ୍ରିକେଟ ବୋର୍ଡ ଉପ ସଭାପତି ଅନିମୁଲ ଇସଲାମ ବୁଲବୁଲ କହିଛନ୍ତି ଯେ ସେମାନେ ଆଇସିସିର ନିଜ ନିଷ୍ପତ୍ତି ପୁନର୍ବିଚାରକୁ ଅପେକ୍ଷା କରିଛନ୍ତ। କିନ୍ତୁ ଆଇସିସି ନିଜ ନିଷ୍ପତ୍ତି ବଦଳାଇବା ସମ୍ଭାବନା କ୍ଷୀଣ।
ସେ କହିଛନ୍ତି, “ଆମେ ଆଇସିସିକୁ ଜାନୁଆରୀ ୪ରେ ଯୋଗାଯୋଗ କରିଥିଲୁ ଓ ବିକଳ୍ପ ଭେନ୍ୟୁ ସମ୍ପର୍କରେ ଜଣାଇଥିଲୁ। ଆମେ ସୁରକ୍ଷା ସମ୍ପର୍କିତ ଚିନ୍ତା କଥା ଜଣାଇବା ସହ ୧୯୯୬ ଓ ୨୦୦୩ରେ କ’ଣ ଘଟିଥିଲା, ସେକଥା କହିଥିଲୁ। ଶ୍ରୀଲଙ୍କା ହାଇବ୍ରିଡ ମଡେଲର ଅଂଶବିଶେଷ। ଆମେ ସେଠାରେ ଖେଳିବାକୁ ନିଜର ଇଚ୍ଛା ପ୍ରକାଶ କରିଥିଲୁ।
ଆମେ ଆଇସିସିର ବିଭିନ୍ନ ଫୋରମରେ କେମିତି ନିଜକୁ ଉପସ୍ଥାପନ କରୁବୁ, ସେକଥା ଦେଖୁଛୁ। ଆମ ଭଳି ଗୋଟିଏ ଦେଶ ଯଦି ବାହାରି ଯାଉଛି, ତା’ହେଲେ ସେମାନେ ଗୋଟିଏ ବଡ଼ କ୍ରିକେଟକୁ ଭଲ ପାଉଥିବା ଦେଶକୁ ହରାଇବେ। ଏଭଳି ଗୋଟିଏ ଦେଶର ଅନୁପସ୍ଥିତି ନିଶ୍ଚିତ ଭାବେ ଆୟୋଜକଙ୍କ ବିଫଳତା।
ଆମେ ଆଶା ଛାଡ଼ିବୁ ନାହିଁ। ଆମେ ଉଦ୍ୟମ ଜାରି ରଖିବୁ। ଆମେ ବିଶ୍ୱକପ ଖେଳିବାକୁ ଚାହୁଁଛୁ। କିନ୍ତୁ ଆମେ ବିଶ୍ୱକପ ଭାରତରେ ଖେଳିବୁ ନାହିଁ। ଆମେ ଲଢ଼େଇ କରିବୁ। ଆଇସିସି ବୋର୍ଡ ବୈଠକରେ ନକିତ କରିବା ଭଲି ନିଷ୍ପତ୍ତି ନିଆଯାଇଥିଲା। ମୁସ୍ତାଫିଜୁର ରହମାନଙ୍କ ପ୍ରସଙ୍ଗରେ ଏହା ସୀମିତ ନଥିଲେ। ସେମାନେ(ଭାରତ) ସେହି ପ୍ରସଙ୍ଗରେ ଏକାକୀ ସବୁ ନିଷ୍ପତ୍ତି ନେଇଥିଲେ।”
ଟି-୨୦ ବିଶ୍ୱକପ ଆସନ୍ତା ଫେବୃଆରୀ ୭ରୁ ଆରମ୍ଭ ହେବ। ମାର୍ଚ୍ଚ ୮ ଯାଏ ଚାଲିବାକୁ ଥିବା ବିଶ୍ୱକପର ଆୟୋଜନ ଭାରତ ଓ ଶ୍ରୀଲଙ୍କା କରୁଛନ୍ତି। ନଭେମ୍ବର ମାସରେ ଆଇସିସି ଜାରି କରିଥିବା ମ୍ୟାଚ୍ ସୂଚୀ ଅନୁସାରେ ବାଂଲାଦେଶ ତା’ର ଗ୍ରୁପ ପର୍ଯ୍ୟାୟ ମ୍ୟାଚଗୁଡ଼ିକ କୋଲକାତା ଓ ମୁମ୍ବାଇରେ ଖେଳିବାକୁ ଧାର୍ଯ୍ୟ ହୋଇଥିଲା।
କିନ୍ତୁ ଭାରତ ସହ ରାଜନୀତିକ ବିବାଦ କାରଣରୁ ବାଂଲାଦେଶ କ୍ରିକେଟ ବୋର୍ଡ ନିଜ ସରକାରଙ୍କ କଥାରେ ପରିଚାଳିତ ହୋଇ ଭାରତକୁ ଟିମ ପଠାଇବ ନାହିଁ ବୋଲି କହିଥିଲା। ଏଥିସହ ଭାରତ ବାହାରକୁ ନିଜର ମ୍ୟାଚ୍କୁ ସ୍ଥାନାନ୍ତର କରିବାକୁ କହିଥିଲା। ହେଲେ ଆଇସିସି ଆଜି ବିଧିବଦ୍ଧ ଭାବେ ବାଂଲାଦେଶର ସବୁ ଅନୁରୋଧକୁ ଅଗ୍ରାହ୍ୟ କରି ଦେଇଛି।
ବାଂଲାଦେଶ ବିଶ୍ୱକପ ନ ଖେଳିଲେ ଗ୍ରୁପ ସିରେ ନୂଆଦଳ ଭାବେ ସ୍କଟଲ୍ୟାଣ୍ଡକୁ ସାମିଲ କରାଯିବ। ଏହି ଗ୍ରୁପରେ ପୂର୍ବରୁ ୱେଷ୍ଟଇଣ୍ଡିଜ, ଇଟାଲୀ, ଇଂଲଣ୍ଡ ଓ ନେପାଳ ରହିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
