ବାଂଲାଦେଶ କ୍ରିକେଟ ଫ୍ୟାନ୍ସ
ବାଂଲାଦେଶର କ୍ରୀଡ଼ା ପରାମର୍ଶଦାତା ଆସିଫ ନଜରୁଲ ଆଜି ସିଧାସଳଖ ଆଇସିସିକୁ କଡ଼ା ଚେତାବନୀ ଦେଇଛନ୍ତି। ଟି-୨୦ ବିଶ୍ୱକପ ଭେନ୍ୟୁକୁ ନେଇ ଲାଗି ରହିଥିବା ବିବାଦରେ ବାଂଲାଦେଶ କେବେ ହେଲେ ଅନୁଚିତ ସର୍ତ୍ତ କିମ୍ବା ବାହ୍ୟ ଚାପ ଆଗରେ ମୁଣ୍ଡ ନୁଆଁବ ନାହିଁ ବୋଲି ସେ କହିଛନ୍ତି।
ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଟି-୨୦ ବିଶ୍ୱକପ ମ୍ୟାଚ୍(T20 World Cup)ର ଆୟୋଜନ କରୁଛନ୍ତି। ଏହା ଫେବୃଆରୀ ୭ରୁ ମାର୍ଚ୍ଚ ୮ ଯାଏ ଚାଲିବ। କିନ୍ତୁ ବାଂଲାଦେଶ ତା’ର ଗ୍ରୁପ ମ୍ୟାଚ ଗୁଡ଼ିକ ସୁରକ୍ଷାର ଆଳ ଦେଖାଇ ଭାରତରେ ଖେଳିବ ନାହିଁ ବୋଲି ମନାକରି ଚାଲିଛି। ଆଇସିସି ନଭେମ୍ବର ମାସରେ ଜାରି କରିଥିବା ସୂଚୀ ଅନୁସାରେ ବାଂଲାଦେଶ ତା’ର ମ୍ୟାଚଗୁଡ଼ିକ କୋଲକାତାର ଇଡେନ ଗାର୍ଡେନ୍ସ ଓ ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳିବାକୁ ଧାର୍ଯ୍ୟ ହୋଇଛି। ହେଲେ ବିସିସିଆଇ ସହ ବିବାଦ କାରଣରୁ ବାଂଲାଦେଶ କ୍ରିକେଟ ବୋର୍ଡର ଭାରତରେ ମ୍ୟାଚ୍ ଖେଳିବାକୁ ମନା କରୁଛି।
ଏ ପ୍ରସଙ୍ଗରେ ଆଇସିସି ବାଂଲାଦେଶକୁ କଡ଼ା ଚେତାବାନୀ ଦେବା ସହ ଜାନୁଆରୀ ୨୧ ସୁଦ୍ଧା ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ କହିଛି। ଯଦି ବାଂଲାଦେଶ ଭାରତରେ ଖେଳିବାକୁ ରାଜି ହେବ ନାହିଁ, ତା’ହେଲେ ବିଶ୍ୱକପରେ ଆଉ ଗୋଟିଏ ନୂଆ ଦଳକୁ ସାମିଲ କରାଯିବ ବୋଲି ମଧ୍ୟ ଆଇସିସି କହିଛି।
ଏ ସମ୍ପର୍କରେ ନଜରୁଲ କହିଛନ୍ତି, “ଆମ ବଦଳରେ ସ୍କଟଲ୍ୟାଣ୍ଡ ବିଶ୍ୱକପରେ ସାମିଲ ହେବା କଥା ଆମେ ଶୁଣି ନାହୁଁ। ଯଦି ଆଇସିସି ଚାପ ସୃଷ୍ଟି କରିବ କିମ୍ବା ବିସିସିଆଇ ଆଗରେ ମୁଣ୍ଡ ନୁଆଁ ଅନୁଚିତ ସର୍ତ୍ତ ଲାଗୁ କରିବ, ତା’ହେଲେ ଆମେ କୌଣସି ସର୍ତ୍ତକୁ ମାନିବୁ ନାହିଁ। ଆମେ କେବେ ବି ଚାପ ଆଗରେ ମୁଣ୍ଡ ନୁଆଁଇବୁ ନାହିଁ।”
ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବିର କହିବା କଥା ଯେ କୌଣସି ରାଜନୀତିକ ବିବାଦ କାରଣରୁ ନୁହେଁ, ବରଂ ଖେଳାଳିଙ୍କ ସୁରକ୍ଷାକୁ ଦୃଷ୍ଟିରୁ ଭାରତରେ ନ ଖେଳିବା ନିଷ୍ପତ୍ତି ହୋଇଛି। ବାଂଲାଦେଶ କ୍ରିକେଟ ଟିମ ମ୍ୟାଚ ଖେଳିବାକୁ ଭାରତ ଗସ୍ତ କରୁ ବୋଲି ବିସିବି ଚାହୁଁନାହିଁ। ଏଥିପାଇଁ ବୋର୍ଡ ବାଂଲାଦେଶର ମ୍ୟାଚ୍ଗୁଡ଼ିକ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରୁ କିମ୍ବା ଦଳକୁ ଏମିତି ଏକ ଗ୍ରୁପରେ ରଖୁ, ଯାହା ଦ୍ୱାରା ମ୍ୟାଚଗୁଡ଼ିକ ଭାରତ ବାହାରେ ହିଁ ଅନୁଷ୍ଠିତ ହେବ।
ତେବେ ଆଇସିସି ଶେଷ ମୁହୂର୍ତ୍ତରେ ବିସିବି ମ୍ୟାଚ୍ ସ୍ଥାନାନ୍ତର ପାଇଁ ଦେଇଥିବା ପ୍ରସ୍ତାବ ଗ୍ରହଣୀୟ ନୁହେଁ ବୋଲି କହିଛି। ମ୍ୟାଚ ଆରମ୍ଭକୁ ବହୁତ କମ ଦିନ ଥିବାରୁ ଏପରି ସ୍ଥିତିରେ ନୂଆ ଷ୍ଟାଡିୟମରେ ବାଂଲାଦେଶର ମ୍ୟାଚ୍ଗୁଡ଼ିକ ଆୟୋଜନ କରିବା ଅସମ୍ଭ ବୋଲି ଆଇସିସି ମତ ରଖିଛି। ଏଥିପାଇଁ ଆଇସିସିର ପ୍ରତିନିଧିମାନେ ବାଂଲାଦେଶ ଗସ୍ତ କରି ବିସିବି ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ।
ତଥାପି ବାଂଲାଦେଶ ଏଯାଏ ନିଜ ଜିଦରେ ଅଟଳ ରହିଛି। ଯଦି ବାଂଲାଦେଶ ନିଜ ଜିଦରେ ଅଟଳ ରହିବ, ତା’ହେଲେ ଆଇସିସି ବିକଳ୍ପ ବ୍ୟବସ୍ଥା କରିବ। ବାଂଲାଦେଶ ବଦଳରେ ସ୍କଟଲ୍ୟାଣ୍ଡକୁ ବିଶ୍ୱକପରେ ସାମିଲ କରି ଟୁର୍ଣ୍ଣାମେଣ୍ଟକୁ ଧାର୍ଯ୍ୟ ସୂଚୀ ଅନୁସାରେ ଆୟୋଜନ କରିବାକୁ ଆଇସିସି ଚିନ୍ତା କରୁଥିବା ରିପୋର୍ଟ ପ୍ରକାଶ ପାଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/01/20/bangladesh-2026-01-20-17-49-13.jpg)