Advertisment

Ranji Trophy: ବାରବାଟୀରେ ମାଟି କାମୁଡ଼ିଲା ଓଡ଼ିଶା: ୭ ୱିକେଟରେ ବରୋଦା ଠାରୁ ହାରିଲା

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଓଡ଼ିଶା ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ତଥାକଥିତ ଷ୍ଟାର ବ୍ୟାଟର ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

author-image
Hemant Lenka
Ranji Match

ମ୍ୟାଚ୍‌ ବେଳର ଦୃଶ୍ୟ

ରଣଜୀ ଟ୍ରଫି(Ranji Trophy)ରେ ଓଡ଼ିଶା ଟିମର ନୈରାଶ୍ୟଜନକ ପ୍ରଦର୍ଶନ। ୨୦୨୫-୨୬ ରଣଜୀ ସିଜିନର ପ୍ରଥମ ମ୍ୟାଚ୍‌ରେ ଦଳ ମାଟି କାମୁଡ଼ିଛି। ଘରୋଇ ବାରବାଟୀ ଷ୍ଟାଡିୟମରେ ପ୍ରଥମ ମ୍ୟାଚ୍‌ ଦଳ ଖେଳୁଥିଲେ ହେଁ ଅତ୍ୟନ୍ତ ଲଜ୍ଜାଜନକ ଭାବେ ପରାସ୍ତ ହୋଇଛି। ଭ୍ରମଣକାରୀ ବରୋଦା ଦମଦାର ପ୍ରଦର୍ଶନ କରି ଓଡ଼ିଶାକୁ ୭ ୱିକେଟରେ ହରାଇ ଦେଇଛି। ଓଡ଼ିଶା ପରାଜୟରୁ ଚଳିତ ସିଜିନର ଆରମ୍ଭ କରି କ୍ରିକେଟ(Cricket) ପ୍ରେମୀଙ୍କୁ ନିରାଶ କରିଛି।

Advertisment

ଟସ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଓଡ଼ିଶା ପ୍ରଥମ ଇନିଂସରେ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ଦଳର ଦୁଇ ତଥାକଥିତ ଷ୍ଟାର ବ୍ୟାଟର ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। କିନ୍ତୁ ରାଜେଶ ଧୂପର ସର୍ବାଧିକ ୯୪ ଓ ଅଧିନାୟକ ଶୁଭ୍ରାଂଶୁ ସେନାପତି ୭୯ ରନର ଇନିଂସ ଖେଳିଥିଲେ। ଏଥିଯୋଗୁ ଓଡ଼ିଶା ପ୍ରଥମ ଇନିଂସରେ ୨୭୪ ରନ କରିପାରିଥିଲା। 

ବରୋଦା ପକ୍ଷରୁ ଅଧିନାୟକ ଅତୀତ ସେଠ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ରଶିକ ସଲାମ ୩ଟି ଓ ଭାର୍ଗବ ଭଟ୍ଟ ଗୋଟିଏ ୱିକେଟ ନେଇଥିଲେ। ବରୋଦା ଭଲ ବୋଲିଂ କରିଥିବାରୁ ଲାଗୁଥିବା ଓଡ଼ିଶାର ବୋଲରମାନେ ଘରୋଇ ପରିବେଶରେ ଏହା ଠାରୁ ଅଧିକ ଦମଦାର ପ୍ରଦର୍ଶନ କରିବେ।

Advertisment

ହେଲେ ବ୍ୟାଟରଙ୍କ ଭଳି ବୋଲର ମଧ୍ୟ ସମସ୍ତଙ୍କୁ ନିରାଶ କରିଥିଲେ। ଏପରି ସ୍ଥିତି ହୋଇଥିଲା ଯେ ପ୍ରଥମ ଇନିଂସରେ ବରୋଦାର ସମସ୍ତ ୧୦ ୱିକେଟ ନେବାକୁ ଓଡ଼ିଶାର ବୋଲର ସକ୍ଷମ ହୋଇ ନଥିଲେ।

ଶିବାଲିକ ଶର୍ମାଙ୍କ ୧୨୪, ସୁକିରତ ପାଣ୍ଡେଙ୍କ ୭୧, ମିତେଶ ପଟେଲଙ୍କ ଅପରାଜିତ ୧୦୦ ଓ ସଲାମଙ୍କ ଅପରାଜିତ ୪୫ ରନ ବଳରେ ବରୋଦା ୭ ୱିକେଟ ହରାଇ ୪୧୩ ରନ କରିବା ପରେ ପ୍ରଥମ ପାଳି ଘୋଷଣା କରିଥିଲା। ଏଥିସହ ଓଡ଼ିଶାର ପ୍ରଥମ ଇନିଂସ ସ୍କୋର ଠାରୁ ୧୪୨ ରନର ଲିଡ ହାସଲ କରିନେଇଥିଲା। 

ଓଡ଼ିଶା ପକ୍ଷରୁ ସୁମିତ ଶର୍ମା ୩, ଡେବ୍ୟୁଟାଣ୍ଟ ବାଦଲ ବିଶ୍ୱାଳ ୨ଟି, ଗୋବିନ୍ଦ ପୋଦ୍ଦାର ଗୋଟିଏ ଓ ଆଉ ଗୋଟିଏ ୱିକେଟ ରନ ଆଉଟରୁ ମିଳିଥିଲା। 

୧୪୨ ରନ ପଛରେ ଥିବା ଓଡ଼ିଶା ପ୍ରଥମ ଇନିଂସ ଭଳି ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। ପୁଣି ଦୁଇ ଷ୍ଟାର ବ୍ୟାଟର ସନ୍ଦୀପ ପଟ୍ଟନାୟକ ଓ ଗୋବିନ୍ଦ ପୋଦ୍ଦାର ଯଥାକ୍ରମେ ୧୭ ଓ ୬ ରନ କରିଥିଲେ। ଶୁଭ୍ରାଂଶୁ ସେନାପତି ଗୋଟିଏ ପଟେ ଲଢ଼େଇ କରି ପ୍ରଥମେ ଓଡ଼ିଶାର ଇନିଂସ ପରାଜୟକୁ ଏଡ଼ାଇଥିଲେ।

କିନ୍ତୁ ସେ ୫୯ ରନ କରିବାକୁ ହିଁ ସକ୍ଷମ ହୋଇଥିଲେ। ପ୍ରଥମ ଇନିଂସରେ ୯୪ ରନର ଇନିଂସ ଖେଳିଥିବା ରାଜେଶ ଧୂପର ଦ୍ୱିତୀୟ ପାଳିରେ କେବଳ ୩ ରନ କରିପାରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଗୌରବ ଚୌଧୁରୀ ୨୮ ଓ ରାଜେଶ ମହାନ୍ତି ୨୫ ରନ କରିବାରୁ ଓଡ଼ିଶା ଦ୍ୱିତୀୟ ଇନିଂସରେ ୧୭୪ ରନ କରିବାକୁ ସକ୍ଷମ ହୋଇଥିଲା। ଓଡ଼ିଶା ୧୭୪ ରନରେ ଅଲଆଉଟ ହୋଇଯିବାରୁ ବରୋଦାକୁ ମ୍ୟାଚ ଜିତିବା ପାଇଁ ମାତ୍ର ୩୩ ରନର ଟାର୍ଗେଟ ମିଳିଥିଲା। 

ଏହି ଟାର୍ଗେଟକୁ ହାସଲ କରିବା ପାଇଁ ବରୋଦା କେବଳ ୭.୪ ବଲର ଆବଶ୍ୟକ କରିଥିଲା। ଦଳ ୩ ୱିକେଟ ହରାଇ ବେଶ ଷ୍ଟାଇଲରେ ଚୌକା ମାରି ମ୍ୟାଚ୍‌ ଶେଷ କରିଥିଲେ।

ଦ୍ୱିତୀୟ ଇନିଂସରେ ବରୋଦା ହରାଇଥିବା ୩ଟି ୱିକେଟ ମଧ୍ୟରୁ ବାଦଲଙ୍କୁ ୨ଟି ଓ ଗୋବିନ୍ଦଙ୍କୁ ଗୋଟିଏ ସଫଳତା ମିଳିଛି। ପ୍ରଥମ ଇନିଂସରେ ୧୨୪ ରନର ଇନିଂସ ଖେଳିଥିବା ଶିବାଲିକ ଶର୍ମା ଦ୍ୱିତୀୟ ପାଳିରେ ଏକାକୀ ଅପରାଜିତ ୩୨ ରନ କରିଛନ୍ତି। ଏଥିପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ମିଳିଛି। 

ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ପରାସ୍ତ ହୋଇଥିବା ବେଳେ ଦଳର ଦ୍ୱିତୀୟ ମ୍ୟାଚ୍‌ ଅକ୍ଟୋବର ୨୫ରୁ ଆରମ୍ଭ ହେବ। ଦ୍ୱିତୀୟ ମ୍ୟାଚରେ ଓଡ଼ିଶାର ମୁକାବିଲା ଶକ୍ତିଶାଳୀ ଉତ୍ତର ପ୍ରଦେଶ ସହ ହେବ। ଉତ୍ତର ପ୍ରଦେଶରେ ରିଙ୍କୁ ସିଂହଙ୍କ ଭଳି ଷ୍ଟାର ଖେଳାଳି ରହିଛନ୍ତି। ପ୍ରଥମ ମ୍ୟାଚ୍‌ରେ ରିଙ୍କୁ ଶତକ ମାରି ସାରିଛନ୍ତି। ତେଣୁ ଓଡ଼ିଶା ପାଇଁ ଏହି ମ୍ୟାଚ ଆଦୌ ସହଜ ହେବ ନାହିଁ। ଉତ୍ତର ପ୍ରଦେଶର ଗ୍ରୀନ ପାର୍କ ଷ୍ଟାଡିୟମରେ ଓଡ଼ିଶା(Odisha) ଏହି ମ୍ୟାଚ୍‌ ଖେଳିବ। 

Odisha Cricket Ranji Trophy