/odisha-reporter/media/media_files/2026/01/15/nazmul-islam-2026-01-15-17-09-32.jpg)
ନଜମୁଲ ଇସଲାମ
ଖେଳାଳିଙ୍କ ଜିଦ ଆଗରେ ମୁଣ୍ଡ ନୁଆଁଛି ବାଂଲାଦେଶ କ୍ରିକେଟ ବୋର୍ଡ ବା ବିସିବି। ନିଜ ଦେଶର ଖେଳାଳିଙ୍କ ପ୍ରତି ଆପତ୍ତିଜନକ ବୟାନ ଦେବା ବିସିବି ନିର୍ଦ୍ଦେଶକ ଏମ ନଜମୁଲ ଇସଲାମଙ୍କୁ ମହଙ୍ଗା ପଡ଼ିଛି। ଏଥିପାଇଁ ତାଙ୍କୁ ଆଜି ବିସିବି ନିର୍ଦ୍ଦେଶ ପଦରୁ ବହିଷ୍କାର କରିଛି। ଏଥିସହ ଅର୍ଥ କମିଟି ଅଧ୍ୟକ୍ଷ ସମେତ ସମସ୍ତ ପଦରୁ ମୁକ୍ତ କରିଛି। ବାଂଲାଦେଶ କ୍ରିକେଟରଙ୍କ ଦାବି ପରେ ବିସିବି ଏପରି ପଦକ୍ଷେପ ନେଇଥିବା ଜଣାପଡ଼ିଛି।
ନଜମୁଲଙ୍କ ବୟାନ ଯୋଗୁ ବାଂଲାଦେଶ କ୍ରିକେଟର ଅଚଳାବସ୍ଥା(Bangladesh cricket controversy) ଦେଖା ଯାଇଥିଲା। ଏଥିପାଇଁ ଗୁରୁବାର ବିସିବି ଜରୁରୀ ବୈଠକ ଡାକିଥିଲା। ଅନଲାଇନରେ ଅନୁଷ୍ଠିତ ଜରୁରୀ ବୈଠକ ପରେ ନଜମୁଲଙ୍କୁ ନିର୍ଦ୍ଦେଶକ ପଦରୁ ବହିଷ୍କାର କରିଛି ବିସିବି।
ନଜମୁଲଙ୍କ ବିବାଦ ବୟାନ ପରେ କ୍ରିକେଟରମାନେ ବୟକଟର ଆହ୍ୱାନ ଦେଇଥିଲେ। ଏଥିଯୋଗୁ ବାଂଲାଦେଶରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ପ୍ରଭାବିତ ହୋଇଥିଲା। ଆଜି ବିପିଏଲରେ ଖେଳା ଯିବାକୁ ଥିବା ପ୍ରଥମ ମ୍ୟାଚକୁ ଖେଳାଳିଙ୍କ ଅସହଯୋଗୁ ବାତିଲ କରାଯାଇଥିଲା।
ସ୍ଥାନୀୟ ସମୟ ଦିନ ୧ଟାରେ ମ୍ୟାଚ୍ ଖେଳା ଯିବାକୁ ଥିବା ବେଳେ ଦୁଇ ଦଳ ଖେଳାଳି ଶେର-ଇ-ବାଂଲା ନ୍ୟାଶନାଲ କ୍ରିକେଟ ଷ୍ଟାଡିୟମକୁ ଆସି ନଥିଲେ। ଏଥିଯୋଗୁ ମ୍ୟାଚ ବାତିଲ ହୋଇଥିଲା। ଖେଳାଳିମାନେ ନଜମୁଲଙ୍କ ଇସ୍ତଫା ଜିଦରେ ଅଟଳ ରହିଥିଲେ। ଖେଳାଳିଙ୍କ ଜିଦ ଯୋଗୁ ବିସିବି ନଜମୁଲଙ୍କୁ ବହିଷ୍କାର କରିଛି।
ନିକଟରେ ଦେଶର କ୍ରିକେଟରଙ୍କ ବିରୋଧରେ ଆପତ୍ତିଜନକ ବୟାନ ଦେଇଥିଲେ ନଜମୁଲ। ବିଶ୍ୱକପ ଖେଳିବା ପାଇଁ ବାଂଲାଦେଶ କ୍ରିକେଟ ଟିମ ଭାରତ ଗସ୍ତ କରିବ ନାହିଁ ଓ ଏହା ଦ୍ୱାରା ଖେଳାଳିଙ୍କୁ ମିଳୁବାକୁ ଥିବା ପ୍ରାପ୍ୟ ବାଂଲାଦେଶ ଦେବ ନାହିଁ ବୋଲି ଅତ୍ୟନ୍ତ ବିବାଦୀୟ ଢଙ୍ଗରେ କହିଥିଲେ।
ସେ କହିଥିଲେ ଯେ “ଖେଳାଳିମାନଙ୍କୁ କୌଣସି ପ୍ରକାରର ବିଶ୍ୱକପ ପାଇଁ କ୍ଷତିପୂରଣ ମିଳିବ ନାହିଁ। କାରଣ ସେମାନେ ବିସିବିର ବିଶ୍ୱକପ ବୟକଟ ନିଷ୍ପତ୍ତିକୁ ସଂପୂର୍ଣ୍ଣ ଭାବେ ଠିକ ବୋଲି କହିନାହାନ୍ତି। ଆମେ ବିଶ୍ୱକପରେ ଭାଗ ନ ନେଲେ ବାଂଲାଦେଶ କ୍ରିକେଟ ବୋର୍ଡକୁ କୌଣସି କ୍ଷତି ସହିବାକୁ ପଡ଼ିବ ନାହିଁ। କ୍ଷତି ଖେଳାଳିଙ୍କୁ ହେବ। ୨୦୨୭ ଯାଏ ଆମ ଆୟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ୨୦୨୨ ଆଇସିସିର ଅର୍ଥନୀତିକ ବୈଠକରେ ବାଂଲାଦେଶ କ୍ରିକେଟ ବୋର୍ଡକୁ ମିଳିଥବାକୁ ଥିବା ଆର୍ଥିକ ସହାୟତା ଧାର୍ଯ୍ୟ ହୋଇ ସାରିଛି।
ଭବିଷ୍ୟତରେ ହେବାକୁ ଥିବା ବିଶ୍ୱକପ, ଦ୍ୱିପାକ୍ଷିକ ସିରିଜି କିମ୍ବା ଅନ୍ତର୍ଜାତୀୟ ସିରିଜ ପ୍ରାସଙ୍ଗିକ ହୋଇପାରେ। ହେଲେ ଏହି ବିଶ୍ୱକପ ଆମ ପାଇଁ ମୂଲ୍ୟ ବହନ କରେ ନାହିଁ।”
ନଜମୁଲ ବାଂଲାଦେଶ କ୍ରିକେଟ ବୋର୍ଡ ଖେଳାଳିଙ୍କୁ କ୍ଷତିପୂରଣ ଦାବି ବିଚାର ପ୍ରଶ୍ନକୁ ମଧ୍ୟ ଖାରଜ କରିଥିଲେ। ସେ କହିଥିଲେ, “ଆମେ କ୍ଷତିପୂରଣ କାହିଁକି ଦେବୁ? ଯଦି ସେମାନେ କେଉଁଠି କି ଯିବା ପରେ ସେଠାରେ କିଛି ନ କରିପାରିଲେ ଆମେ କ’ଣ ସେମାନଙ୍କ ପଛରେ ଖର୍ଚ୍ଚ କରିଥିବା କୋଟି କୋଟି ଟଙ୍କା ଫେରାଇବାକୁ କହୁଛୁ? କ’ଣ ଆମକୁ ମାଗିବା ଦରକାର? ବୋର୍ଡ ବିନା ଖେଳାଳି ନିଜର ପରିବାର ଚଳାଇ ପାରିବେ ନାହିଁ।”
ବାଂଲାଦେଶ କ୍ରିକେଟ ବୋର୍ଡ ବିଶ୍ୱକପ ଖେଳିବା ପାଇଁ ଭାରତ ଆସିବାକୁ ମନା କରିଥିଲେ ହେଁ ଏହା ଉପରେ ବିଚାର କରିବାକୁ ପୂର୍ବତନ ଅଧିନାୟକ ତାମିମ ଇକବାଲ ପ୍ରସ୍ତାବ ଦେଇଥିଲେ। ତାଙ୍କୁ ମଧ୍ୟ ନଜମୁଲ ଭାରତୀୟ ଏଜେଣ୍ଟ କହି ସମାଲୋଚନା କରିଥିଲେ। ଏଥିପାଇଁ ଖେଳାଳିଙ୍କ କଲ୍ୟାଣ ପାଇଁ ଗଠନ ଆସୋସିଏସନ ପକ୍ଷରୁ ନଜମୁଲଙ୍କ ଇସ୍ତଫା ଦାବି କରିଥିଲା।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
