ନୂଆଦିଲ୍ଲୀ: ଅକ୍ଟୋବର ମାସରେ ହେବାକୁ ଥିବା ଟି-୨୦ ବିଶ୍ୱକପ୍ ପାଇଁ ଶେଷରେ ଭାରତୀୟ ଟିମ ଘୋଷଣା କରାଯାଇଛି। ଚେତନ ଶର୍ମାଙ୍କ ଅଧ୍ୟକ୍ଷତା ବିସିସିଆଇର ଚୟନ କମିଟି ଏକାଧିକ ବୈଠକ କରିବା ପରେ ଆଜି ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଉଭୟ ଅଭିଜ୍ଞ ଓ ଯୁବ ପ୍ରତିଭା ଭାରତୀୟ ସ୍କ୍ୱାଡରେ ସୁଯୋଗ ପାଇଛନ୍ତି। ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଟି-୨୦ ବିଶ୍ୱକପରେ ଦଳର ମେଣ୍ଟର ଭୂମିକାରେ ରହିବେ। ଅର୍ଥାତ ତାଙ୍କ ନିର୍ଦ୍ଦେଶରେ ଦଳ ବିଶ୍ୱକପ ଖେଳିବ।
ଅକ୍ଟୋବର ୧୭ ତାରିଖରୁ ଓମାନ ଓ ୟୁଏଇରେ ଟି-୨୦ ବିଶ୍ୱକପ୍ ଆରମ୍ଭ ହେବ। ଏଥିପାଇଁ ସେପ୍ଟେମ୍ବର ୮ ଅର୍ଥାତ ଆଜି ଭାରତୀୟ ଦଳର ଚୟନ କରାଯାଇଛି।
ଘୋଷଣା ମୁତାବକ, ଟି-୨୦ ବିଶ୍ୱକପ୍ ପାଇଁ ମୁଖ୍ୟ ସ୍କ୍ୱାଡରେ ୧୫ ଜଣ ଖେଳାଳି ରହିଛନ୍ତି। କରୋନା ପିରିୟଡ ଚାଲୁଥିବାରୁ ଆଇସିସିର ନିମୟ ମୁତାବକ ଆଉ ୩ ଜଣଙ୍କୁ ରିଜର୍ଭ ଖେଳାଳି ଭାବେ ବିଶ୍ୱକପ ଦଳ ସହ ୟୁଏଇ ପଠାଯିବ। ବିରାଟ କୋହଲି, ରୋହିତ ଶର୍ମା, କେଏଲ ରାହୁଲ, ଈଶାନ୍ କିଶନ ଓ ସୂର୍ଯ୍ୟ କୁମାର ଯାଦବ ବ୍ୟାଟସମ୍ୟାନ ଭାବେ ନିଜର ସ୍ଥାନ ପକ୍କା କରିଛନ୍ତି। ଅଲରାଉଣ୍ଡର ଭୂମିକାରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ରବୀନ୍ଦ୍ର ଜାଡେଜା ରହିଛନ୍ତି।
ୱିକେଟ କପିର ଭାବେ ଋଷଭ ପନ୍ତଙ୍କୁ ସୁଯୋଗ ମିଳିଛି। କିନ୍ତୁ କେଏଲ ରାହୁଲ ମଧ୍ୟ ଟି-୨୦ ବିଶ୍ୱକପରେ ୱିକେଟ କିପିଂ ଦାୟିତ୍ୱ ସମ୍ପାଦନ କରିପାରନ୍ତି। ସ୍ପିନର ଭାବେ ରବି ଅଶ୍ୱିନ, ରାହୁଲ ଚହର, ଅକ୍ସର ପଟେଲ ଓ ବରୁଣ ଚକ୍ରବର୍ତ୍ତୀ ରହିଛନ୍ତି। ଦ୍ରୁତ ବୋଲିଂ ବାହିନୀରେ ଯଶପ୍ରୀତ ବୁମ୍ରା, ଭୁବନେଶ୍ୱର କୁମାର ଓ ମହମ୍ମଦ ଶାମି ରହିଛନ୍ତି।
ଆହତ ସମସ୍ୟା ଦେଇ ଗତି କରୁଥିବା ଶ୍ରେୟସ ଆୟରଙ୍କୁ ଷ୍ଟାଣ୍ଡବାଏରେ ରଖାଯାଇଛି। ତାଙ୍କ ସହ ଶାର୍ଦ୍ଦୁଲ ଠାକୁର ଓ ଦୀପକ ଚହର ରହିଛନ୍ତି।
ତେବେ ସ୍କ୍ୱାଡରୁ ଭେଟେରାନ୍ ବ୍ୟାଟ୍ସମ୍ୟାନ୍ ଶିଖର ଧୱନଙ୍କୁ ବାଦ୍ ଦିଆଯାଇଛି। ମଙ୍ଗଳବାର ଶିଖରଙ୍କ ବିବାହ ବିଚ୍ଛେଦ ଘଟିଥିବା ବେଳେ ଏବେ ସେ ଟି-୨୦ ବିଶ୍ୱକପ ସ୍କ୍ୱାଡରୁ ବାଦ ପଡ଼ିଛନ୍ତି। ୟୁଜବେନ୍ଦର ଚହଲ କିମ୍ବା କୁଲଦୀପ ଯାଦବଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସୁଯୋଗ ମିଳିନି। ପୃଥ୍ୱୀ ଶ’ଙ୍କୁ ମଧ୍ୟ ଚୟନ କରାଯାଇ ନାହିଁ। ବିରାଟ କୋହଲି ଅଧିନାୟକ ଓ ରୋହିତ ଶର୍ମା ଉପଅଧିନାୟକ ଭାବେ ବିଶ୍ୱକପରେ ଦଳର କମାଣ ସମ୍ଭାଳିବେ।
TEAM - Virat Kohli (Capt), Rohit Sharma (vc), KL Rahul, Suryakumar Yadav, Rishabh Pant (wk), Ishan Kishan (wk), Hardik Pandya, Ravindra Jadeja, Rahul Chahar, Ravichandran Ashwin, Axar Patel, Varun Chakravarthy, Jasprit Bumrah, Bhuvneshwar Kumar, Mohd Shami.#TeamIndia
— BCCI (@BCCI) September 8, 2021
ଟି-୨୦ ବିଶ୍ୱକପରେ ଟିମ୍ ଇଣ୍ଡିଆ ତା’ର ଅଭିଯାନ ପାକିସ୍ତାନ ବିପକ୍ଷ ମ୍ୟାଚରୁ ଆରମ୍ଭ କରିବ। ଏହି ହାଇଭୋଲଟେଜ୍ ମୁକାବିଲା ଅକ୍ଟୋବର ୨୪ ତାରିଖରେ ଦୁବାଇରେ ଖେଳାଯିବ। ଏଥିପାଇଁ ପାକିସ୍ତାନ ୬ ତାରିଖରେ ନିଜର ଟିମ ଘୋଷଣା କରି ସାରିଛି। ଉଭୟ ଭାରତ ଓ ପାକିସ୍ତାନ ଗ୍ରୁପ୍-୨ରେ ସ୍ଥାନ ପାଇଛନ୍ତି। ଅକ୍ଟୋବର ୩୧ ତାରିଖରେ ଭାରତ ତା’ର ପରବର୍ତ୍ତୀ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଦୁବାଇରେ ଭେଟିବ।
ଏହା ପରେ ନଭେମ୍ବର ୩ ତାରିଖରେ ଆଫଗାନିସ୍ତାନ ବିପକ୍ଷ ମ୍ୟାଚ୍ ଖେଳିବ। ସେହିପରି ଭାରତ ତା’ର ଚତୁର୍ଥ ମ୍ୟାଚ୍ ନଭେମ୍ବର ୫ ତାରିଖରେ ଗ୍ରୁପ୍-ବି’ର ଶୀର୍ଷ ଟିମ୍ ଏବଂ ନଭେମ୍ବର ୮ ତାରିଖରେ ଗ୍ରୁପ୍-ଏ’ର ରନର୍ସଅପ୍ ଟିମ୍ ବିପକ୍ଷରେ ଖେଳିବ। ଭାରତ ଦୁବାଇରେ ୪ଟି ଓ ଆବୁଧାବିରେ ଗୋଟିଏ ମ୍ୟାଚ୍ ଖେଳିବ।
ଅନ୍ୟପକ୍ଷରେ ଅକ୍ଟୋବର ୧୭ ତାରିଖରୁ ଓମାନରେ ପ୍ରଥମ ରାଉଣ୍ଡ ସହ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହେବ। ପ୍ରଥମ ଦିବସରେ ଆୟୋଜକ ଓମାନ୍ ଓ ପାପୁଆ ନ୍ୟୁ ଗିନି ଏବଂ ବାଂଲାଦେଶ ଓ ସ୍କଟଲ୍ୟାଣ୍ଡ ମଧ୍ୟ ମ୍ୟାଚ୍ ଖେଳାଯିବ। ପ୍ରଥମ ରାଉଣ୍ଡ ଗ୍ରୁପ୍-ଏ’ରେ ଶ୍ରୀଲଙ୍କା, ଆୟର୍ଲ୍ୟାଣ୍ଡ, ନେଦରଲ୍ୟାଣ୍ଡ ଓ ନାମ୍ବିଆ ଟିମ୍ ରହିଥିବା ବେଳେ ଗ୍ରୁପ୍-ବି’ରେ ବାଂଲାଦେଶ, ସ୍କଟଲ୍ୟାଣ୍ଡ, ପାପୁଆ ନ୍ୟୁ ଗିନି ଓ ଓମାନ୍ ଟିମ୍ ସ୍ଥାନ ପାଇଛନ୍ତି। ଉଭୟ ଗ୍ରୁପର ଦୁଇ ଶୀର୍ଷ ଟିମ୍ ସୁପର୍-୧୨ ଷ୍ଟେଜକୁ କ୍ୱାଲିଫାଏ କରିବେ। ସୁପର୍-୧୨ ଅକ୍ଟୋବର ୨୩ ତାରିଖରୁ ଆରମ୍ଭ ହେବ।
ସ୍କ୍ୱାଡ୍: ରୋହିତ୍ ଶର୍ମା, ଲୋକେଶ ରାହୁଲ, ବିରାଟ୍ କୋହଲି (କ୍ୟାପଟେନ୍), ସୂର୍ଯ୍ୟକୁମାର ଯାଦବ, ଋଷଭ ପନ୍ତ, ହାର୍ଦ୍ଦିକ ପାଣ୍ଡ୍ୟା, ରବୀନ୍ଦ୍ର ଜାଡେଜା, ଯଶପ୍ରୀତ ବୁମ୍ରା, ମହମ୍ମଦ ଶାମି, ଭୁବନେଶ୍ୱର କୁମାର, ଈଶାନ କିଷନ, ରାହୁଲ ଚହର, ଅକ୍ସର ପଟେଲ ରବି ଅଶ୍ୱିନ ଓ ବରୁନ୍ ଚକ୍ରବର୍ତ୍ତୀ।