Team-India
ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (ବିସିସିଆଇ) ପକ୍ଷରୁ ଗୁରୁବାର ଜାରି ହୋଇଛି ବାର୍ଷିକ କେନ୍ଦ୍ରୀୟ ଚୁକ୍ତିର ତାଲିକା। କେନ୍ଦ୍ରୀୟ ଚୁକ୍ତିରେ ୪ଟି କ୍ୟାଟେଗୋରୀ ରହିଛି। ଗ୍ରେଡ୍ ଏ+ରେ ସ୍ଥାନ ପାଇଥିବା ଖେଳାଳିଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ସେହିପରି ଗ୍ରେଡ୍-ଏ ଖେଳାଳିଙ୍କୁ ୫ କୋଟି, ଗ୍ରେଡ୍-ବି ଖେଳାଳିଙ୍କୁ ୩ କୋଟି ଏବଂ ଗ୍ରେଡ୍-ସି ଖେଳାଳିଙ୍କୁ ୧ କୋଟି ଟଙ୍କା ମିଳିବ।
ଏହି ଚୁକ୍ତି ଅକ୍ଟୋବର, ୨୦୨୦ରୁ ସେପ୍ଟେମ୍ବର ୨୦୨୧ ପର୍ଯ୍ୟନ୍ତ ଜାରି ରହିବ। ଚଳିତ ବାର୍ଷିକ ଚୁକ୍ତିରେ ଅନେକ ଅଦଳ ବଦଳ ଦେଖିବାକୁ ମିଳିଛି। ପୂର୍ବବର୍ଷ ବି-ଗ୍ରେଡ୍ରେ ଥିବା ଅନେକ ଖେଳାଳି ଏ ଗ୍ରେଡ୍କୁ ଉଠିଛନ୍ତି। ସେହିପରି ଏ-ଗ୍ରେଡ୍ରେ ଥିବା ଖେଳାଳି ବି-ଗ୍ରେଡ୍ ଓ ସି ଗ୍ରେଡ୍କୁ ଖସିଛନ୍ତି।
ଜାତୀୟ ଦଳରେ ସ୍ଥାନ ପାଇବାକୁ ସଂଘର୍ଷ କରିଥିବା ମନୀଷ ପାଣ୍ଡେଙ୍କୁ ବିସିସିଆଇ ତା’ ବାର୍ଷିକ ଚୁକ୍ତିରୁ ବାଦ୍ ଦେଇଛି। କେଦାର ଯାଦବ ମଧ୍ୟ ବିସିସିଆଇ ଚୁକ୍ତିରୁ ବାଦ ପଡ଼ିଛନ୍ତି। ନିକଟରେ ଭାରତ ପାଇଁ ୩ଟି ଯାକ ଫର୍ମାଟରେ ଡେବ୍ୟୁ କରିଥିବା ଯୁବ ବୋଲର ଟି ନଟରାଜନ ଚୁକ୍ତିରେ ସ୍ଥାନ ପାଇନାହାନ୍ତି।
ମୋଟ ୨୮ ଜଣ ଖେଳାଳି ଚୁକ୍ତିର ୪ଟି ଗ୍ରେଡ୍ରେ ରହିଛନ୍ତି। ଆଉଟ ଅଫ ଫର୍ମ କୁଲଦୀପ ଯାଦବ ଗତବର୍ଷ ଗ୍ରେଡ ଏ(୫ କୋଟି) ତାଲିକାରେ ଥିବା ବେଳେ ଏଥର ଗ୍ରେଡ ସି’(୧ କୋଟି)କୁ ଖସି ଆସିଛନ୍ତି। ସେହିପରି ୟୁଜଭେନ୍ଦର ଚହଲ ଗ୍ରେଡ୍ ବି’ରୁ ଗ୍ରେଡ ସି’କୁ ଖସିଛନ୍ତି।
ଆହତ ସମସ୍ୟାରୁ ନିକଟରେ ମୁକୁଳିଥିବା ଭୁବନେଶ୍ୱର କୁମାର ଏ ଗ୍ରେଡରୁ ଖସି ବି’ ଗ୍ରେଡ୍ରେ ସ୍ଥାନ ପାଇଛନ୍ତି। ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଗତବର୍ଷ ବି’ ଗ୍ରେଡ୍ରେ ଥିବା ବେଳେ ଏଥର ଏ’ ଗ୍ରେଡ୍କୁ ପ୍ରମୋସନ ପାଇଛନ୍ତି। ଶାର୍ଦ୍ଦୁଲ ଠାକୁର ସି’ ଗ୍ରେଡ୍ରୁ ବି’ ଗ୍ରେଡକୁ ଉଠିଛନ୍ତି।
ପୂର୍ବଭଳି ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି, ସୀମିତ ଓଭର ଉପ ଅଧିନାୟକ ରୋହିତ ଶର୍ମା ଓ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ବିସିସିଆଇ ବାର୍ଷିକ ଚୁକ୍ତିର ଗ୍ରେଡ୍ ଏ+ କ୍ୟାଟାଗୋରୀରେ ରହିଛନ୍ତି। ଅର୍ଥାତ ଏମାନଙ୍କୁ ବାର୍ଷିକ ୭ କୋଟି ଟଙ୍କା ମିଳିବ। ନୂଆ ମୁହଁ ଭାବେ ଶୁବମନ ଗିଲ୍, ଅକ୍ଷର ପଟେଲ ଓ ମହମ୍ମଦ ସିରାଜ ବିସିସିଆଇ ଚୁକ୍ତିରେ ସ୍ଥାନ ପାଇଛନ୍ତି। ସେମାନଙ୍କୁ ସି’ ଗ୍ରେଡ୍ରେ ରଖାଯାଇଛି। ଏହି ୩ ଖେଳାଳି ବାର୍ଷିକ ୧ କୋଟି ଟଙ୍କା ଲେଖାଏ ପାଇବେ।
ପୂର୍ବବର୍ଷ ଭଳି ଚଳିତ ବର୍ଷ ଆକର୍ଷଣୀୟ ପ୍ରଦର୍ଶନ କରିଥିବା ମୟଙ୍କ ଅଗ୍ରୱାଲଙ୍କୁ ଗ୍ରେଡ୍-ବି'ରେ ରଖାଯାଇଛି ଓ ସେ ବାର୍ଷିକ ୩ କୋଟି ପାଟିବେ। ସେହିପରି ଗ୍ରେଡ୍-ସି'ରେ ଥିବା ଦୀପକ ଚହର, ଶ୍ରେୟସ ଆୟର, ୱାଶିଂଟନ ସୁନ୍ଦର ଓ ନବଦୀପ ସାଇନି ୧ କୋଟି ଟଙ୍କା ଲେଖାଏ ପାଇବେ। ପାଇବେ।
ଗ୍ରେଡ୍-ଏ+:ବିରାଟ୍ କୋହଲି, ରୋହିତ୍ ଶର୍ମା, ଯଶପ୍ରୀତ ବୁମ୍ରା।
ଗ୍ରେଡ୍-ଏ:ରବିଚନ୍ଦ୍ରନ୍ ଅଶ୍ୱିନ୍, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଚେତେଶ୍ୱର ପୂଜାରା, ଅଜିଙ୍କ୍ୟ ରାହଣେ, ଲୋକେଶ ରାହୁଲ୍, ଶିଖର ଧୱନ୍, ମହମ୍ମଦ ଶାମି, ଈଶାନ୍ତ ଶର୍ମା, ଋଷଭ ପନ୍ତ।
ଗ୍ରେଡ୍-ବି:ଋଦ୍ଧିମାନ ସାହା, ଉମେଶ ଯାଦବ, ଶାର୍ଦ୍ଦୁଲ ଠାକୁର, ଭୁବନେଶ୍ୱର କୁମାର, ମୟଙ୍କ ଅଗ୍ରୱାଲ୍।
ଗ୍ରେଡ୍-ସି:ନଭଦୀପ ସାଇନି, ଦୀପକ ଚହର୍, ଶୁବମନ ଗିଲ୍, ହନୁମା ବିହାରୀ,ଶ୍ରେୟସ ଆୟର୍, ୱାଶିଂଟନ୍ ସୁନ୍ଦର, ୟୁଜଭେନ୍ଦର ଚହଲ୍, କୁଲଦୀପ ଯାଦବ, ମହମ୍ମ ସିରାଜ ଓ ଅକ୍ଷର ପଟେଲ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Team-India.jpg)