ଭାରତୀୟ ଟିମ
ଭାରତ ତା’ର ଟି-୨୦ ବିଶ୍ୱକପ(T20 World Cup) ଅଭିଯାନ ବିଜୟରୁ ଆରମ୍ଭ କରିଛି। ଫେବୃଆରୀ ୭ରେ ଦଳ ଆମେରିକାକୁ ପରାସ୍ତ କରିଥିଲା। ଯଦିଓ ଦଳର ପ୍ରଦର୍ଶନ ଆମେରିକା ବିପକ୍ଷ ମ୍ୟାଚ୍ରେ ଦମଦାର ନଥିଲା ତଥାପି ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ଚମକ ଦେଖିବାକୁ ମିଳିଥିଲା। ଭାରତୀୟ ଟିମ ମଧ୍ୟ ପ୍ରଥମ ମ୍ୟାଚ୍ରେ ଠିକ ଠାକ ବୋଲିଂ କରିଥିଲେ।
ଭାରତୀୟ ଟିମ ବିଶ୍ୱକପର ପ୍ରଥମ ମ୍ୟାଚ୍ ଜିତିଥିଲେ ହେଁ ଏବେ ଖେଳାଳିମାନଙ୍କୁ ବ୍ୟକ୍ତିଗତ ସ୍ତରରେ ଲାଗିଛି ବଡ଼ ଝଟକା। ଟି-୨୦ ବିଶ୍ୱକପ ସ୍କ୍ୱାଡରେ ଥିବା ଖେଳାଳିମାନଙ୍କ ପାଇଁ ବିସିସିଆଇ ପକ୍ଷରୁ ଜାରି ହୋଇଛି ନୂଆ ନିର୍ଦ୍ଦେଶନାମା।
ଟି-୨୦ ବିଶ୍ୱକପ ସମୟରେ କୌଣସି ଖେଳାଳି ସେମାନଙ୍କ ପରିବାର ଲୋକଙ୍କ ସହ ରହିପାରିବେ ନାହିଁ ବୋଲି ବିସିସିଆଇ କହିଛି। ବିସିସିଆଇର ଏପରି ନିର୍ଦ୍ଦେଶ ପରେ ଭାରତୀୟ ଟିମ ମ୍ୟାନେଜମେଣ୍ଟ ନିର୍ଦ୍ଦେଶନାମାର କାରଣ ଓ ଏହା ଉପରେ ସ୍ପଷ୍ଟତା ପାଇଁ ବିସିସିଆଇର ବରିଷ୍ଠ ଅଧିକାରୀଙ୍କ ସହ ଯୋଗାଯୋଗ କରିଥିଲେ। କିନ୍ତୁ ସେମାନଙ୍କ ସବୁ ପ୍ରଶ୍ନକୁ ଅଗ୍ରାହ୍ୟ କରି ଦିଆଯାଇଥିବା ଜଣାପଡ଼ିଛି।
ବିସିସିଆଇର ଗୋଟିଏ ସୂତ୍ରରେ କୁହାଯାଇଛି ଯେ “ଭାରତୀୟ ଟିମ ମ୍ୟାନେଜମେଣ୍ଟ ବିସିସିଆଇ ନିକଟରେ ପହଞ୍ଚି କ’ଣ ଖେଳାଳିମାନଙ୍କ ସହ ସେମାନଙ୍କ ପତ୍ନୀ କିମ୍ବା ଭାବୀ ପତ୍ନୀମାନେ ଯାତ୍ରା କରିପାରିବେ ବୋଲି ପଚାରିଥିଲା। ଏହି ପ୍ରଶ୍ନ ପରେ ବୋର୍ଡ ସ୍ପଷ୍ଟ କରିଛି ଯେ ଖେଳାଳିମାନଙ୍କ ସହ ସେମାନଙ୍କ ପରିବାରର କୌଣସି ସଦସ୍ୟ ରହିପାରିବେ ନାହିଁ। ସେମାନେ ପରିବାର ଲୋକଙ୍କ ପାଇଁ ଚାହିଁଲେ ସ୍ୱତନ୍ତ୍ର ବ୍ୟବସ୍ଥା କରିପାରିବେ।”
ଟୁର୍ଣ୍ଣାମେଣ୍ଟ ସମୟରେ ଖେଳାଳିଙ୍କ ପରିବାର ସଦସ୍ୟଙ୍କ ଉପରେ କଟକଣା ଲଗାଇବା କୌଣସି ନୂଆ କଥା ନୁହେଁ। ଅଷ୍ଟ୍ରେଲିଆ ବିପକ୍ଷ ବର୍ଡର-ଗାଭାସ୍କର ଟ୍ରଫିରେ ବଡ଼ ସିରିଜ ପରାଜୟ ପରେ ବିସିସିଆଇ ଖେଳାଳିଙ୍କ ପରିବାର ସହ ଜଡ଼ିତ ଗାଇଡାଲଇନରେ ଏକାଧିକ ପରିବର୍ତ୍ତନ କରିଥିଲା।
ସଂଶୋଧିତ ଗାଇଡଲାଇନ ଅନୁସାରେ ବିଦେଶ ଗସ୍ତ ୪୫ରୁ ଅଧିକ ଦିନ ହେଲେ ଖେଳାଳିମାନେ ସର୍ବାଧିକ ୧୪ ଦିନ ପାଇଁ ସେମାନଙ୍କ ପତ୍ନୀ କିମ୍ବା ପରିବାର ଲୋକଙ୍କ ସହ ରହିପାରିବେ। କରୋନା ମହାମାରୀ ବେଳେ ଖେଳାଳିଙ୍କ ପରିବାର ସଦସ୍ୟଙ୍କୁ ପୂରା ଟୁର ସମୟରେ ରହିବାକୁ ଅନୁମତି ମିଳୁଥିଲା। କିନ୍ତୁ ଅଷ୍ଟ୍ରେଲିଆରେ ଭାରତର ବଡ଼ ପରାଜୟ ଯୋଗୁ ଏହି ନିୟମରେ ବିସିସିଆଇ ସଂଶୋଧନ କରିଥିଲା।
ଖେଳାଳିଙ୍କ ପରିବାର ଲୋକଙ୍କ ଉପରେ କଟକଣା ଲାଗିଥିଲେ ହେଁ ବିସିସିଆଇ ଆଉ ଗୋଟିଏ ବଡ଼ ପଦକ୍ଷେପ ନେଇଛି। ଖେଳାଳିଙ୍କ ସବୁ ପ୍ରକାରର ସ୍ୱାଧୀନତା ପାଇଁ ବିସିସିଆଇ ପୂରା ଟୁର୍ଣ୍ଣାମେଣ୍ଟରେ ସେମାନଙ୍କ ପାଇଁ ଘରୋଇ ଚାର୍ଟର ବିମାନର ବ୍ୟବସ୍ଥା କରିଛି।
ସେହିପରି ଖେଳାଳିମାନେ ସେମାନଙ୍କ ନିଜସ୍ୱ ରୋଷେୟା ମଧ୍ୟ ରଖିପାରିବେ। ହେଲେ ସେମାନଙ୍କୁ ଖେଳାଳିମାନେ ନିଜ ହୋଟେଲରେ ରଖିପାରିବେ ନାହିଁ। ଖେଳାଳିମାନେ ରହୁଥିବା ହୋଟେଲ ପାଖରେ ସେମାନଙ୍କ ପାଇଁ ବୁକିଂ ହେବ। ସେଠାରୁ ଖାଦ୍ୟ ରୋଷେଇ ହୋଇ ଖେଳାଳିଙ୍କ ପାଖରେ ପହଞ୍ଚିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/02/10/team-india-2026-02-10-14-28-25.jpg)