Advertisment

Asia Cup: ଏସିସି ବୈଠକରେ ହଟହଟା ହେଲେ ମୋହଶିନ ନକଭୀ, ଆଇସିସିରେ ଅଭିଯୋଗ କରିବ ବିସିସିଆଇ

ନକଭୀ ଏସିସିର ଅଧ୍ୟକ୍ଷ ହୋଇଥିଲେ ହେଁ ବୈଠକରେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ତାଙ୍କ ଧଜିଆ ଉଡ଼ାଇଛନ୍ତି। ତାଙ୍କୁ ମନଇଚ୍ଛା ସମାଲୋଚନା କରିବା ସହ ଭାରତ ଜିତିଥିବା ଏସିଆ କପ ଟ୍ରଫି ହସ୍ତାନ୍ତର କରିବାକୁ ଚେତାବନୀ ଦେଇଛନ୍ତି।

Pakistan

ମୋହଶିନ ନକଭୀ

Advertisment

ଚୋର ମୁହଁ ଟାଣ। ଏହାକୁ ପ୍ରମାଣିତ କରିଛନ୍ତି ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ମୋହଶିନ ନକଭୀ। ଏସିଆ କପ ଟ୍ରଫିକୁ ନିଜ ସମ୍ପତ୍ତି ଭଳି ବ୍ୟବହାର କରୁଥିବା ନକଭୀଙ୍କୁ ଆଜି ସର୍ବସମ୍ମୁଖରେ ଘାଣ୍ଟିଛି ବିସିସିଆଇ। ଆଜି ଅନୁଷ୍ଠିତ ଏସିଆନ କ୍ରିକେଟ କାଉନସିଲ ବୈଠକରେ ବିସିସିଆଇର ପ୍ରଶ୍ନବାଣରେ ଘାଇଲା ହୋଇଛନ୍ତି ନକଭୀ।

Advertisment

ତଥାପି ଏସିଆ କପ(Asia Cup) ଜିତି ଥିବା ଭାରତକୁ ଟ୍ରଫି ହସ୍ତାନ୍ତର ନ କରିବା ଜିଦରେ ସେ ଅଟଳ ରହିଛନ୍ତି। ନକଭୀ ଏସିସିର ଅଧ୍ୟକ୍ଷ ହୋଇଥିଲେ ହେଁ ବୈଠକରେ ବିସିସିଆଇ ଉପ ସଭାପତି ରାଜୀବ ଶୁକ୍ଳା ତାଙ୍କ ଧଜିଆ ଉଡ଼ାଇଛନ୍ତି। ତାଙ୍କୁ ମନଇଚ୍ଛା ସମାଲୋଚନା କରିବା ସହ ଭାରତ ଜିତିଥିବା ଏସିଆ କପ ଟ୍ରଫି ହସ୍ତାନ୍ତର କରିବାକୁ ଚେତାବନୀ ଦେଇଛନ୍ତି। ଏପରି କି ନକଭୀଙ୍କୁ କ୍ରିକେଟର ସବୁ ସଂସ୍ଥାରୁ ହଟାଇବା ପାଇଁ ବିସିସିଆଇ ପକ୍ଷରୁ ଆଇସିସିକୁ କୁହାଯିବ ବୋଲି ନିଷ୍ପତ୍ତି ହୋଇଛି।

ରବିବାର ଅନୁଷ୍ଠିତ ଏସିଆ କପ ଫାଇନାଲରେ ଭାରତ ୫ ୱିକେଟରେ ପାକିସ୍ତାନ(Pakistan)କୁ ହରାଇଥିଲା। ପାକିସ୍ତାନ ସହ ତିକ୍ତତା ଲାଗି ରହିଥିବାରୁ ନକଭୀଙ୍କ ଠାରୁ ଭାରତୀୟ ଟିମ ବିଜୟ ଟ୍ରଫି କିମ୍ବା ମେଡାଲ ଗ୍ରହଣ କରିବାକୁ ମନା କରିଦେଇଥିଲା। ଷ୍ଟେଜ ଉପରେ ହଟହଟା ହେବା ପରେ ନକଭୀ ଏସିଆ କପ ଟ୍ରଫିକୁ ନିଜ ସମ୍ପତ୍ତି ଭଳି ସିଧା ଧରି ହୋଟେଲ ରୁମକୁ ଚାଲି ଯାଇଥିଲେ। 

Advertisment

ଏହି ପ୍ରସଙ୍ଗକୁ ଆଜି ଏସିସି ବୈଠକ ବେଳେ ରାଜୀବ ଶୁକ୍ଳା ବିସିସିଆଇ ପକ୍ଷରୁ ଉଠାଇଥିଲେ। ନକଭୀଙ୍କୁ ସାଂଘାତିକ ପ୍ରଶ୍ନ କରିବା ସହ ବିଜୟୀ ଭାରତକୁ କାହିଁକି ଟ୍ରଫି ଦିଆଗଲା ନାହିଁ ବୋଲି ତାଙ୍କୁ ଜେରା କରିଥିଲେ। ଶୁକ୍ଳା ସମସ୍ତଙ୍କୁ ମନେ ପକାଇ ଦେଇଥିଲେ ଯେ ଟ୍ରଫି ହେଉଛି ଏସିସିର ସମ୍ପତ୍ତି। ଏହା ନକଭୀଙ୍କ ବ୍ୟକ୍ତିଗତ ସମ୍ପତ୍ତି ନୁହେଁ।

ବ୍ୟକ୍ତିଗତ ସମ୍ପତ୍ତି ଭଳି ସେ ଟ୍ରଫିକୁ କାହିଁକି ହୋଟେଲ ରୁମକୁ ନେଇ ଗଲେ? ଏବେ ଭାରତକୁ ଉପଯୁକ୍ତ ଢଙ୍ଗରେ ବିଜୟୀ ଟ୍ରଫି ଦିଆଯାଉ। ଏସିସି ଅଫିସରୁ ଭାରତ ଟ୍ରଫି ନେବ। ଏସିସିର ସଦସ୍ୟ ରାଷ୍ଟ୍ରମାନେ ତୁରନ୍ତ ଏହାର ବିଚାର କରନ୍ତୁ ବୋଲି ରାଜୀବ ରୋକଠୋକ ଶୁଣାଇ ଦେଇଛନ୍ତି।

ଏହାକୁ ନେଇ ରାଜୀବ ଶୁକ୍ଳା ଓ ନକଭୀଙ୍କ ମଧ୍ୟରେ ବେଶ ଯୁକ୍ତିତର୍କ ହୋଇଥିଲା। ଟ୍ରଫି ଗ୍ରହଣ କରିବାକୁ ଭାରତୀୟ ଟିମ ମନା କରିବାରୁ ସେ ସର୍ବସମ୍ମୁଖରେ ଜୋକରଙ୍କ ଭଳି ଛିଡ଼ା ହେବାକୁ ବାଧ୍ୟ ହୋଇଥିଲେ ବୋଲି ନକଭୀ କହିଛନ୍ତି। ଭାରତୀୟ ଟିମ ଟ୍ରଫି ତାଙ୍କ ଠାରୁ ଗ୍ରହଣ କରିବ ନାହିଁ ବୋଲି ପୂର୍ବରୁ ଲିଖିତ ଭାବେ ଦେଇ ନଥିବା ଅଭିଯୋଗ କରିଛନ୍ତି ନକଭୀ।

ତଥାପି ବିସିସିଆଇ ପ୍ରତିନିଧିମାନେ ପ୍ରଶ୍ନ କରିବାରୁ ନକଭୀ ପ୍ରସଙ୍ଗ ବଦଳାଇ ଏହା ପରେ ଆଲୋଚନା ହେବ ବୋଲି କହିଥିଲେ।

ଭାରତକୁ ଶୁଭେଚ୍ଛା ଜଣାଇବାକୁ ରାଜି ହେଲନି ନକଭୀ 

ବୈଠକ ବେଳେ ଏସିସି ଅଧ୍ୟକ୍ଷ ଭାବେ ନକଭୀ ଏସିଆ କପ ଜିତିଥିବା ଭାରତକୁ ଶୁଭେଚ୍ଛା ଜଣାଇବାକୁ ମନା କରି ଦେଇଥିଲେ। ଏହାକୁ ନେଇ ବିସିସିଆଇ ଆପତ୍ତି ଉଠାଇଥିଲା। ଶେଷରେ ବିସିସିଆଇ ପ୍ରତିନିଧି ଆଶିଷ ଶେଲାର ତାଙ୍କୁ ଶୁଭେଚ୍ଛା ଜଣାଇବାକୁ ବାଧ୍ୟ କରାଇ ଦେଇଥିଲେ। ବିସିସିଆଇ ବୈଠକରେ ଟ୍ରଫି ବିବାଦ ପ୍ରସଙ୍ଗ ଉଠାଇ ଚାଲିଥିଲା।

ଟ୍ରଫି ହସ୍ତାନ୍ତର କରିବାର ଆବଶ୍ୟକତା ରହିଛି ଓ ଏହାକୁ ବିସିସିଆଇ ପକ୍ଷରୁ ଏସିସି ଅଫିସରୁ ଗ୍ରହଣ କରିବାର ପ୍ରସ୍ତାବ ମଧ୍ୟ ଦିଆଯାଇଛି। ତଥାପି ନକଭୀ କିଛି ବି ଶୁଣି ନାହାନ୍ତି। ଏ ପ୍ରସଙ୍ଗରେ ଆଲୋଚନାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ନକଭୀ ଟ୍ରଫି ହସ୍ତାନ୍ତର କରିବା ମୁଡରେ ନଥିବାରୁ ବିସିସିଆଇ କ୍ଷୁବ୍ଧ ହୋଇଛି। ଟ୍ରଫି ଭାରତ ଜିତି ଥିବାରୁ ଏହା ଉପରେ କୌଣସି ଆଲୋଚନାର ଆବଶ୍ୟକ ନଥିବା ବିସିସିଆଇ କହିଛି। ସେହିପରି ବିସିସିଆଇ ବିଧିବଦ୍ଧ ଭାବେ ଆଇସିସି ନିକଟରେ ଅଭିଯୋଗ କରିବ ବୋଲି କହିଛି। 

Pakistan Asia Cup
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe