Advertisment

ପାକିସ୍ତାନକୁ ଏକଘରକିଆ କରିବା ଯୋଜନାରେ ବିସିସିଆଇ

ପାକିସ୍ତାନ ସହ ଭାରତ ସରକାର କୂଟନୀତିକ ସମ୍ପର୍କଚ୍ଛିନ୍ନ କରିଥିବାରୁ ଏବେ ବିସିସିଆଇ ମଧ୍ୟ କ୍ରିକେଟ କ୍ଷେତ୍ରରେ ପାକିସ୍ତାନକୁ ଏକଘରକିଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି।

author-image
Hemant Lenka
BCCI

BCCI

ନିକଟରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଦୀର୍ଘ ସମୟଧରି ଦୁଇ ଦେଶ ମଧ୍ୟରେ ଥିବା କ୍ରିକେଟ ସମ୍ପର୍କରେ ପଡ଼ିବା ସ୍ପଷ୍ଟ ହୋଇଛି। ଦୀର୍ଘ ବର୍ଷ ହେଲାଣି ଭାରତ ଓ ପାକିସ୍ତାନ ମଧ୍ୟରେ ଦୁଇ ପାକ୍ଷିକ ସିରିଜ ହେଉନାହିଁ। ଦୁଇ ଦେଶ କେବଳ ଏସିଆ କିମ୍ବା ଆଇସିସି ତରଫରୁ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ପରସ୍ପରକୁ ଭେଟୁଛନ୍ତି। କିନ୍ତୁ ପହଲଗାମ ନରସଂହାର ଓ ଭାରତର ଅପରେସନ୍ଦ ସିନ୍ଦୂର ପରେ ପାକିସ୍ତାନ ସହ ସୃଷ୍ଟି ହୋଇଥିବା ବିବାଦ ଏବେ ବହୁ ରାଷ୍ଟ୍ରୀୟ ଟୁର୍ଣ୍ଣାମେଣ୍ଟ ଉପରେ ମଧ୍ୟ ପଡ଼ିବାର ଆଶଙ୍କା ପ୍ରକାଶ ପାଇଛି।

Advertisment

ପାକିସ୍ତାନ ସହ ଭାରତ ସରକାର କୂଟନୀତିକ ସମ୍ପର୍କଚ୍ଛିନ୍ନ କରିଥିବାରୁ ଏବେ ବିସିସିଆଇ ମଧ୍ୟ କ୍ରିକେଟ କ୍ଷେତ୍ରରେ ପାକିସ୍ତାନକୁ ଏକଘରକିଆ କରିବାକୁ ଯୋଜନା ପ୍ରସ୍ତୁତ କରିଛି। ବର୍ତ୍ତମାନ ପାକିସ୍ତାନର ଜଣେ ମନ୍ତ୍ରୀ ଏସିଆନ କ୍ରିକେଟ କାଉନସିଲ ବା ଏସିସିର ନେତୃତ୍ୱ ନେଉଛନ୍ତି। ଏସିଆ ମହାଦେଶର କ୍ରିକେଟ ବ୍ୟାପାର କଥା ଏସିସି ବୁଝିଥାଏ। ଯେହେତୁ ଏସିସିର ମୁଖିଆ ଏବେ ପାକିସ୍ତାନର ମନ୍ତ୍ରୀ ରହିଛନ୍ତି, ତେଣୁ ବିସିସିଆଇ ବଡ଼ ପଦକ୍ଷେପ ନେବାକୁ ଚିନ୍ତା କରୁଛି।

ଭାରତୀୟ କ୍ରିକେଟ ଟିମ ୨୦୨୫ ଏସିଆ କପରେ ଭାଗ ନେବ ନାହିଁ ବୋଲି ବିସିସିଆଇ ଏବେ ଠାରୁ ଏସିସିକୁ ଜଣାଇ ଦେବାକୁ ଚିଠି ଲେଖିବ ବୋଲି ଖବର ମିଳିଛି। ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ ଏସିଆ କପରେ ଭାଗ ନେବେ ନାହିଁ ବୋଲି କୁହାଯାଉଛି। ଏପରି କରି ପାକିସ୍ତାନକୁ କ୍ରିକେଟ ଦୁନିଆରେ ମଧ୍ୟ ଭାରତ ଏକଘରକିଆ କରିବାକୁ ଚାହୁଁଛି।

Advertisment

ଏସିଆ କପ ୨୦୨୫କୁ ଆୟୋଜନ କରିବାର ଅଧିକାର ଭାରତକୁ ମିଳିଛି। ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାର ଥିଲା। ଭାରତ ଓ ପାକିସ୍ତାନ ମ୍ୟାଚ୍‌ର ଗୁରୁତ୍ୱ ମଧ୍ୟ ଯଥେଷ୍ଟ ଅଧିକ। କିନ୍ତୁ ବର୍ତ୍ତମାନର ସ୍ଥିତିରେ ବିସିସିଆଇ ନିଜର ଏସିଆ କପ ଆୟୋଜନ ଯୋଜନାରେ ପରବର୍ତ୍ତନ କରିବା ମୁଡରେ ରହିଛି।

ଯଦି ବିସିସିଆଇ ପକ୍ଷରୁ ଏସିଆ କପକୁ ବୟକଟ କରାଯାଏ, ତା’ହେଲେ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଉପରେ କଳାବାଦଲ ଘୋଟାଇ ଆସିବ। ସେହିପରି ଏସିସିର ଆର୍ଥିକ ବ୍ୟବସ୍ଥା ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ। ଏପରି ସ୍ଥିତିରେ ଏହା ଏସିସି ମୁଖିଆ ମୋହସିନ ନକଭୀଙ୍କୁ ବ୍ୟକ୍ତିଗତ ଭାବେ ଝଟକା ସଦୃଶ ହେବ।

ପ୍ରଥମେ ଏସିସିର ମୁଖ୍ୟ ଜୟ ଶାହ ଥିଲେ। ସେ ଆଇସିସି ଅଧ୍ୟକ୍ଷ ହୋଇଯିବାରୁ ପାକିସ୍ତାନ କ୍ରିକେଟ ବୋର୍ଡ ବା ପିସିବି ଅଧ୍ୟକ୍ଷ ଭାବେ କାମ କରୁଥିବା ନକଭୀ ଏସିସି କମାଣ ସମ୍ଭାଳିଛନ୍ତି। ହେଲେ ଭାରତ ଏସିଆ କପରୁ ଓହରିବାକୁ ଯୋଜନା କରୁଥିବା ଖବର ନକଭୀଙ୍କ ଚିନ୍ତା ବଢ଼ାଇ ଦେଇଛି।

ବିସିସିଆଇର ଜଣେ ଅଧିକାରୀ କହିଛନ୍ତି, “ଏସିସି ଦ୍ୱାରା ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମ ଆଦୌ ଖେଳିପାରିବ ନାହିଁ। କାରଣ ଏସିସିର ମୁଖିଆ ହେଉଛନ୍ତି ପାକିସ୍ତାନର ଜଣେ ମନ୍ତ୍ରୀ। ଏହା ଦେଶର ଭାବନା ସହ ଜଡ଼ିତବ। ଆଗାମୀ ମହିଳା ଇମର୍ଜିଂ ଟିମର ଏସିଆ କପରେ ଆମେ ଭାଗ ନେବୁ ନାହିଁ ବୋଲି ଏସିସିକୁ ଜଣାଇ ଦେଇଛୁ। ସେହିପରି ଏସିସିର ଆଗାମୀ ଟୁର୍ଣ୍ଣାମେଣ୍ଟଗୁଡ଼ିକରେ ଆମର ଯୋଗଦାନ ଉପରେ ରୋକ ଲଗାଇଛୁ। ଆମେ ଭାରତ ସରକାରଙ୍କ ସହ ନିୟମିତ ଯୋଗାଯୋଗରେ ରହିଛୁ।”

ଏସିଆ କପ ପାଇଁ ଅଧିକାଂଶ ପ୍ରାୟୋଜକ ଭାରତରୁ ମିଳିଥାଏ। ଏବେ ଭାରତରେ ପାକିସ୍ତାନ ବିରୋଧୀ ଭାବନା ଜାରି ରହିଛି। ଏପରି ସ୍ଥିତିରେ ବିସିସିଆଇ ନିଜର ଏସିଆ କପ ଆୟୋଜନ ନିଷ୍ପତ୍ତି ଆଗକୁ ନେବା ଆଦୌ ଶୁଭଙ୍କର ନୁହେଁ। ଖାସ ଏହି କାରଣରୁ ବିସିସିଆଇ ଏସିଆ କପରୁ ଓହରି ଯିବାକୁ ଚାହୁଁଥିବା ଜଣାପଡ଼ିଛି।

୨୦୨୪ରେ ସୋନି ଫିକଚର୍ସ ନେଟୱର୍କସ ଇଣ୍ଡିଆ ୧୭୦ ମିଲିୟନ ଡଲାର ଦେଇ ଏସିଆ କପର ପ୍ରସାରଣ ଅଧିକାର ହାସଲ କରିଛି। କିନ୍ତୁ ଚଳିତ ବର୍ଷ ଯଦି ଏସିଆ କପ ଆୟୋଜନ ନ ହେବ, ତା’ହେଲେ ଏହି ଡିଲ ଉପରେ ପୁଣି ବିଚାର କରାଯାଇ ହିସାବପତ୍ର କରାଯିବ।

୨୦୨୩ରେ ଏସିଆ କପ ହାଇବ୍ରିଡ ମଡେଲରେ ହୋଇଥିଲା। ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ଶ୍ରୀଲଙ୍କାରେ ଖେଳିଥିଲା। ୨୦୨୩ ଏସିଆ କପରେ ଭାରତ ଚାମ୍ପିୟନ ହୋଇଥିବା ବେଳେ ପାକିସ୍ତାନ ଫାଇନାଲକୁ ଯୋଗ୍ୟତା ଅର୍ଜନ କରିପାରି ନଥିଲା।

Bcci Asia Cup BCCI Vs PCB