Advertisment

କାହିଁକି କାହାକୁ ଉପ ଅଧିନାୟକ କଲା ନାହିଁ ବିସିସିଆଇ?

ବାଂଲାଦେଶ ବିପକ୍ଷ ଟେଷ୍ଟ ପାଇଁ ବିସିସିଆଇ କାହାକୁ ଉପ ଅଧିନାୟକ ଭାବେ ଚୟନ ନ କରିବା ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।

Jasprit Bumrah

Jasprit Bumrah

Advertisment

ବାଂଲାଦେଶ ବିପକ୍ଷ ୨ଟିକିଆ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ପାଇଁ ୧୬ ଜଣିଆ ଭାରତୀୟ ସ୍କ୍ୱାଡ ଘୋଷଣା ହୋଇଛି। ସେପ୍ଟେମ୍ବର ୧୯ରୁ ଭାରତୀୟ ଟିମ ଘରୋଇ ପରିବେଶରେ ଏହି ସିରିଜ ଖେଳିବ।

Advertisment

ଟିମର ଷ୍ଟାର ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରାଙ୍କୁ ଏହି ସିରିଜରେ ବିଶ୍ରାମ ମିଳିବ ବୋଲି କୁହାଯାଉଥିଲେ ହେଁ ବିସିସିଆଇ ତାଙ୍କୁ ସ୍କ୍ୱାଡରେ ସାମିଲ କରିଛି। ସେହିପରି ୱିକେଟ କିପର ଋଷଭ ପନ୍ତ ମଧ୍ୟ ପ୍ରାୟ ୨୦ ମାସ ପରେ ନାଲି ବଲ କ୍ରିକେଟକୁ ଫେରିଛନ୍ତି।

କିଛି ବଡ଼ ନାଁ ସ୍କ୍ୱାଡରେ ରହିଥିବା ବେଳେ କିଛି ଚର୍ଚ୍ଚିତ ଖେଳାଳି ମଧ୍ୟ ବାଦ ପଡ଼ିଛନ୍ତି। ତେବେ ବାଂଲାଦେଶ ବିପକ୍ଷ ଟେଷ୍ଟ ପାଇଁ ବିସିସିଆଇ କାହାକୁ ଉପ ଅଧିନାୟକ ଭାବେ ଚୟନ ନ କରିବା ସବୁ ଠାରୁ ଚର୍ଚ୍ଚାର ବିଷୟ ପାଲଟିଛି।

Advertisment

ଭାରତ ଶେଷଥର ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଖେଳୁଥିବା ବେଳେ ଯଶପ୍ରୀତ ବୁମ୍ରା ଉପ ଅଧିନାୟକ ଦାୟିତ୍ୱରେ ଥିଲେ। କିନ୍ତୁ ବାଂଲାଦେଶ ବିପକ୍ଷ ଟେଷ୍ଟ ସ୍କ୍ୱାଡରେ ବୁମ୍ରା ସାମିଲ ହୋଇଥିଲ ହେଁ ତାଙ୍କୁ ଉପ ଅଧିନାୟକ ନ କରାଯିବା ଫ୍ୟାନ୍ସଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କ’ଣ ପାଇଁ ବୁମ୍ରାଙ୍କୁ ଉପ ଅଧିନାୟକ କରାଗଲା ନାହିଁ ବୋଲି ମଧ୍ୟ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି।

ବୁମ୍ରାଙ୍କ ବ୍ୟତୀତ ନେତୃତ୍ୱ ନେବାର କଳା ଥିବା ଋଷଭ ପନ୍ତ ଓ କେଏଲ ରାହୁଲ ମଧ୍ୟ ସ୍କ୍ୱାଡରେ ରହିଛନ୍ତି। ରାହୁଲ ଓ ପନ୍ତଙ୍କୁ ଭାରତର ଭବିଷ୍ୟତ କ୍ୟାପ୍ଟେନ ଭାବେ ମଧ୍ୟ ବିବେଚନା କରାଯାଉଛି। କିନ୍ତୁ ଏମାନଙ୍କ ମଧ୍ୟରୁ କାହାକୁ ମଧ୍ୟ ବିଧିବଦ୍ଧ ଭାବେ ବାଂଲାଦେଶ ବିପକ୍ଷ ମ୍ୟାଚ୍‌ ପାଇଁ ଉପ ଅଧିନାୟକ କରାଯାଇ ନାହିଁ।

ବୋର୍ଡ ପକ୍ଷରୁ ମଧ୍ୟ ଉପ ଅଧିନାୟକ ପଦକୁ ଖାଲି ରଖାଯିବା ସମ୍ପର୍କରେ କିଛି ବି କୁହାଯାଇ ନାହିଁ। ବାଂଲାଦେଶ ମ୍ୟାଚ୍‌ ପୂର୍ବରୁ ଅଧିନାୟକ ରୋହିତ ଶର୍ମା ଓ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସାମ୍ବାଦିକ ସମ୍ମିଳନୀ କରିବେ। ସମ୍ଭବତଃ ଏହି ସମୟରେ ଉପ ଅଧିନାୟକ ପଦ ସମ୍ପର୍କରେ ସେମାନେ ଉତ୍ତର ରଖି ପାରନ୍ତି।

ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ପାଇଁ ଭାରତୀୟ ସ୍କ୍ୱାଡ

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଘରୋଇ ସିରିଜରେ ଅନୁପସ୍ଥିତ ଥିବା ବିରାଟ କୋହଲି ଏବେ ଫେରିଛନ୍ତି। ସେ ନିଜର ଦ୍ୱିତୀୟ ସନ୍ତାନର ଜନ୍ମ ପାଇଁ ଛୁଟି ନେଇଥିଲେ। ବିଶ୍ୱକପ ପରେ ଆହତ ହୋଇଥିବା ମହମ୍ମଦ ଶାମି ଫେରିବାକୁ ସଂଘର୍ଷ କରୁଥିବା ବେଳେ ତାଙ୍କୁ ସୁଯୋଗ ମିଳିନାହିଁ। ତାଙ୍କ ବଦଳରେ ଅନକ୍ୟାପଡ ବାମ ହାତୀ ଉତ୍ତର ପ୍ରଦେଶର ଦ୍ରୁତ ବୋଲର ୟାଶ ଦୟାଲଙ୍କୁ ପ୍ରଥମଥର ପାଇଁ ଟେଷ୍ଟ ଲାଇନ ଅପରେ ସାମିଲ କରାଯାଇଛି।

୨୦୨୨ ଡିସେମ୍ବର ୨୨ରୁ ୨୫ ଯାଏ ପନ୍ତ ମୀରପୁରରେ ବାଂଲାଦେଶ ବିପକ୍ଷରେ ନିଜର ଶେଷ ଟେଷ୍ଟ ମ୍ୟାଚ୍‌ ଖେଳିଥିଲେ। ଏହାପରେ ଡିସେମ୍ବର ୩୦ରେ ସେ ଭୟଙ୍କର କାର ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଚଳିତ ବର୍ଷ ସେ ପ୍ରଫେସନାଲ କ୍ରିକେଟକୁ ଫେରିବା ସହ ଦଲିପ ଟ୍ରଫିରେ ମଧ୍ୟ ଠିକଠାକ ପ୍ରଦର୍ଶନ କରିଥିଲେ। ତେଣୁ ତାଙ୍କୁ ୨୦ ମାସ ପରେ ଭାରତୀୟ ଟେଷ୍ଟ ଟିମରେ ସୁଯୋଗ ମିଳିଛି।

ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ପରେ ଆହତ ହୋଇଥିବା କେଏଲ ରାହୁଲ ମଧ୍ୟ ଟେଷ୍ଟ ସ୍କ୍ୱାଡକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ସେ ଦଲିପ ଟ୍ରଫରେ ଯଥାକ୍ରମେ ୩୭ ଓ ୫୭ ରନର ଇନିଂସ ଖେଳିଥିଲେ।

ୱିକେଟ କିପର ଧ୍ରୁବ ଜୁରେଲ ଇଂଲଣ୍ଡ ବିପକ୍ଷ ରାଞ୍ଚି ଟେଷ୍ଟରେ ମ୍ୟାଚ୍‌ ବିଜୟୀ ୯୦ ଓ ଅପରାଜିତ ୩୯ କରିଥିଲେ। ତେଣୁ ସେ ନିଜ ସ୍ଥାନ ବଜାୟୀ ରଖିଛନ୍ତି। ବେଙ୍ଗଲର ଦ୍ରୁତ ବୋଲର ଆକାଶ ଦୀପ ରାଞ୍ଚି ଟେଷ୍ଟରେ ଡେବ୍ୟୁ କରି ୩ଟି ୱିକେଟ ନେଇଥିଲେ। ଦଲିପ ଟ୍ରଫିରେ ମଧ୍ୟ ସେ ଇଣ୍ଡିଆ ଏ ପାଇଁ ୯ ୱିକେଟ ଦଖଲ କରିଛନ୍ତି। ଏହି ପ୍ରଦର୍ଶନ ଯୋଗୁ ସେ ମଧ୍ୟ ୧୬ ଜଣିଆ ସ୍କ୍ୱାଡରେ ସୁଯୋଗ ପାଇଛନ୍ତି।

ଭାରତୀୟ ସ୍କ୍ୱାଡ : ରୋହିତ ଶର୍ମା(ଅଧିନାୟକ), ଯଶସ୍ୱୀ ଜୈସୱାଲ, ଶୁବମନ ଗିଲ, ବିରାଟ କୋହଲି, କେଏଲ୍ ରହୁଲ, ସର୍ଫରାଜ ଖାନ, ଋଷଭ ପନ୍ତ (ୱିକେଟ କିପର), ଧ୍ରୁବ ଜୁରେଲ (ୱିକେଟ କିପର), ରବିଚନ୍ଦ୍ର ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ଆକାଶ ଦୀପ, ଯଶପ୍ରୀତ ବୁମ୍ରା ଓ ୟଶ ଦୟାଲ।

Test Cricket Bcci Jasprit Bumrah Test Match
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe