Advertisment

କର୍କଟ ସହ ଲଢ଼ୁଛନ୍ତି ଭାରତର ପୂର୍ବତନ କ୍ରିକେଟ, ବିସିସିଆଇ କଲା ବଡ଼ ଘୋଷଣା

ଅଂଶୁମାନ ସମସ୍ୟାରେ ପଡ଼ିଥିବା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ କପିଲ ଦେବ।

author-image
Hemant Lenka
Anshuman Gaekwad

Anshuman Gaekwad

ପୂର୍ବତନ ଭାରତୀୟ କ୍ରିକେଟର ତଥା ଟିମ୍ ଇଣ୍ଡିଆର କୋଚ୍ ଭାବେ କାମ କରି ସାରିଥିବା ଅଂଶୁମାନ ଗାଏକ୍ୱାଡ ଏବେ ରକ୍ତ କର୍କଟ ସହ ଲଢ଼େଇ କରୁଛନ୍ତି। ଲଣ୍ଡନରେ ସେ ଚିକିତ୍ସିତ ହେଉଥିବା ବେଳେ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଛନ୍ତି।

Advertisment

ଅଂଶୁମାନ ସମସ୍ୟାରେ ପଡ଼ିଥିବା ଜାଣିବା ପରେ ତାଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ କପିଲ ଦେବ। ସେ ତାଙ୍କ ପେନସନ ବାବଦ ଅର୍ଥ ଅଂଶୁମାନଙ୍କୁ ଦେବେ ବୋଲି ଘୋଷଣା କରିଛନ୍ତି। ଏଥିସହ ବିସିସିଆଇକୁ ମଧ୍ୟ ପୂର୍ବତନ କ୍ରିକେଟରଙ୍କ ପାଇଁ ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିବାକୁ କହିଛନ୍ତି।

କପିଲ ଦେବଙ୍କ ବ୍ୟତୀତ ମୋହିନ୍ଦର ଅମରନାଥ, ସନ୍ଦୀପ ପାଟିଲ, ମଦନ ଲାଲ, ରବି ଶାସ୍ତ୍ରୀ, ଦିଲୀପ ଭେଙ୍ଗସରକାର ଓ କିର୍ତ୍ତୀ ଆଜାଦ ମଧ୍ୟ ସେମାନଙ୍କ ସାଥୀ ଖେଳାଳିଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଥିଲେ।

Advertisment

ଏବେ ବିସିସିଆଇ ମଧ୍ୟ ଅଂଶୁମାନଙ୍କୁ ସାହାଯ୍ୟ କରିବ ବୋଲି ଘୋଷଣା କରିଛି। ତାଙ୍କ ଚିକିତ୍ସା ପାଇଁ ବିସିସିଆଇ ୧ କୋଟି ଦେବ। ବିସିସିଆଇ ସମ୍ପାଦକ ଜୟ ଶାହ ବ୍ୟକ୍ତିଗତ ଭାବେ ଅଂଶୁମାନଙ୍କ ପରିବାର ଲୋକଙ୍କ ସହ କଥା ହୋଇଥିଲେ। ଏହାପରେ ସେ ତୁରନ୍ତ ୧ କୋଟି ଟଙ୍କାର ଅନୁଦାନ ଘୋଷଣା କରିଛନ୍ତି।

ଗୋଟିଏ ପ୍ରେସ ବିବୃତିରେ ବିସିସିଆଇ ପ୍ରତିଶ୍ରୁତି ଦେଇଛି ଯେ ଏଭଳି ଏକ ମୁହୁର୍ତ୍ତରେ ସଂସ୍ଥା ଅଂଶୁମାନଙ୍କ ପରିବାର ଲୋକଙ୍କ ସହ ରହିଛି। ଅଂଶୁମାନ ଏହି ସମସ୍ୟାରୁ ଯଥାଶୀଘ୍ର ମୁକୁଳିବେ ବୋଲି ବିସିସିଆଇ ଆଶା ରଖିଛି।

୬୭ ବର୍ଷୀୟ ଅଂଶୁମାନ ୧୯୭୪ ମସିହା ଡିସେମ୍ବର ୨୭ରେ କୋଲକାତାରେ ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟେଷ୍ଟରେ ଡେବ୍ୟୁ କରିଥିଲେ। ଡେବ୍ୟୁ ମ୍ୟାଚ୍‌ର ପ୍ରଥମ ଇନିଂସରେ ସେ ୩୬ ଓ ୪ ରନ କରିଥିଲେ।

ସେ ଭାରତ ପାଇଁ ୪୦ଟି ଟେଷ୍ଟ ମ୍ୟାଚ୍‌ ଖେଳି ୩୦.୦୭ ହାରରେ ୧୯୮୫ ରନ କରିଛନ୍ତି। ଏହା ମଧ୍ୟରେ ୨ଟି ଶତକ ଓ ୧୦ଟି ଅର୍ଦ୍ଧଶତକ ରହିଛି। ଏହା ବ୍ୟତୀତ ଅଂଶୁମାନ ଭାରତ ପାଇଁ ୧୫ଟି ଦିନିକିଆ ଖେଳି ୨୬୯ ରନ କରିଛନ୍ତି। ଏଥିରେ ମାତ୍ର ଗୋଟିଏ ଅର୍ଦ୍ଧଶତକ ରହିଛି।

କ୍ରିକେଟରୁ ଅବସର ନେବା ପରେ ଅଂଶୁମାନ ଜାତୀୟ ଟିମର କୋଚ୍‌ ହୋଇଥିଲେ। ୧୯୯୭ରୁ ୧୯୯୯ ଯାଏ ସେ ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ ପ୍ରଶିକ୍ଷକ ଥିଲେ। ଅଂଶୁମାନ ଗୁଜୁରାଟ ଷ୍ଟେଟ ଫର୍ଟିଲାଇଜର୍ସ ଓ କେମିକାଲ୍ସ ଲିମିଟେଡ (ଜିଏସଏଫସି) ରେ ମଧ୍ୟ କାର୍ଯ୍ୟ କରିଥିଲେ। ଜୁନ୍ ୨୦୧୮ରେ ବିସିସିଆଇ ତାଙ୍କୁ ଲାଇଫ ଟାଇମ ଆଚିଭମେଣ୍ଟ ଆୱାର୍ଡରେ ସମ୍ମାନିତ କରିଥିଲା ।

Bcci Kapil Dev Anshuman Gaekwad