ବିଶ୍ୱ କ୍ରିକେଟରେ ଆଫଗାନିସ୍ତାନର ଉତ୍‌ଥାନ ପଛରେ ଭାରତ

୨୦୨୪ରେ ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସେମିରେ ପ୍ରବେଶ କରି ନୂଆ ଅଧ୍ୟାୟ ସୃଷ୍ଟି କରିଛି। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଦଳ କମାଲ କରିଥିଲା।

ଟିମ ଆଫଗାନିସ୍ତାନ

  • Published: Tuesday, 25 June 2024
  • , Updated: 25 June 2024, 04:36 PM IST

ମାତ୍ର କିଛି ବର୍ଷ ମଧ୍ୟରେ ଆଫଗାନିସ୍ତାନ ବିଶ୍ୱ କ୍ରିକେଟରେ ତା’ର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଦଳର ପ୍ରଦର୍ଶନ ପୂରା ବିଶ୍ୱରେ ସମସ୍ତଙ୍କୁ ପ୍ରଭାବିତ କରିଛି। ୨୦୧୭ରେ ଆଫଗାନିସ୍ତାନ ଆଇସିସିର ପୂର୍ଣ୍ଣକାଳୀନ ସଦସ୍ୟ ରାଷ୍ଟ୍ର ହୋଇଥିଲା।

୨୦୨୪ରେ ଆଫଗାନିସ୍ତାନ ଟି-୨୦ ବିଶ୍ୱକପର ସେମିରେ ପ୍ରବେଶ କରି ନୂଆ ଅଧ୍ୟାୟ ସୃଷ୍ଟି କରିଛି। ୨୦୨୩ ଦିନିକିଆ ବିଶ୍ୱକପରେ ମଧ୍ୟ ଦଳ କମାଲ କରିଥିଲା।

ଚଳିତ ଟି-୨୦ ବିଶ୍ୱକପରେ ଦଳ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦଳକୁ ପରାସ୍ତ କରିଛି। ଶେଷ ସୁପର ୮ ମ୍ୟାଚ୍‌ରେ ଆଜି ଆଫଗାନିସ୍ତାନ ୮ ରନରେ ବାଂଲାଦେଶକୁ ହରାଇ ଦେଇଛି। ଏହି ବିଜୟ ପରେ ବିଶ୍ୱକପ ଇତିହାସର ସେମି ଫାଇନାଲରେ ଦଳ ପ୍ରଥମଥର ପ୍ରବେଶ କରିବାର ସୁଯୋଗ ପାଇଛି।

ସବୁବେଳେ ବଡ଼ବଡ଼ ଆଇସିସି ଇଭେଣ୍ଟରେ ଅଣ୍ଡରଡଗ୍ସର ଆଖ୍ୟା ପାଉଥିବା ଆଫଗାନିସ୍ତାନ ଏଥର ଆଖିଲାଖିଯିବା ଭଳି ଖେଳ ପ୍ରଦର୍ଶନ କରିଛି। ଖେଳାଳିମାନଙ୍କ ପ୍ରଦର୍ଶନ ଓ କଠିନ ପରିଶ୍ରମ ଯୋଗୁ ଆଫଗାନ କ୍ରିକେଟ ସଫଳତାର ଶୀର୍ଷରେ ପହଞ୍ଚିଛି। ତେବେ ବିଶ୍ୱ କ୍ରିକେଟରେ ଆଫଗାନିସ୍ତାନର ଏପରି ଉତ୍‌ଥାନ ପଛରେ ଭାରତ ଓ ବିସିସିଆଇ ପ୍ରମୁଖ ଭୂମିକା ଗ୍ରହଣ କରିଛି।

ଭାରତର ଲୁକାୟତ ସମର୍ଥନକୁ ଆଫଗାନିସ୍ତାନର କ୍ରିକେଟରମାନେ ମଧ୍ୟ ଅନେକଥର ଖୋଲାଖୋଲି ଭାବେ ସମସ୍ତଙ୍କୁ ଅବଗତ କରାଇବାର ନିଜର ରହିଛି। ଅନେକ ଭାରତୀୟ ମଧ୍ୟ ଆଫଗାନିସ୍ତାନକୁ ନିଜର ବି’ ଟିମ ବୋଲି କହିବାକୁ ମଧ୍ୟ ପଛାନ୍ତି ନାହିଁ।

ଆଫଗାନିସ୍ତାନର ଉତ୍‌ଥାନ ପଛରେ ଭାରତର ଭୂମିକା କ’ଣ ରହିଛି? 

ଭାରତରେ ହୋମ ଗ୍ରାଉଣ୍ତ: ୨୦୧୫ରେ ଗ୍ରେଟର ନୋଏଡାରେ ଥିବା ସହିଦ ବିଜୟ ସିଂହ ପଥିକ ସ୍ପୋର୍ଟ କମ୍ପ୍ଲେକ୍ସ ପ୍ରଥମେ ଆଫଗାନ ଟିମର ଅସ୍ଥାୟୀ ହୋମ ଗ୍ରାଉଣ୍ଡ ପାଲଟିଥିଲା। ବିସିସିଆଇ ଏହା ଆଫଗାନିସ୍ତାନକୁ ଯୋଗାଇ ଦେଇଥିଲା।

ଏପରି ପଦକ୍ଷେପ ପରେ ଆଫଗାନିସ୍ତାନ ତା’ର ବେସ୍‌କୁ ଶାରଜାରୁ ନୋଏଡାକୁ ସ୍ଥାନନ୍ତର କରିଥିଲା। ୨୦୧୭ରେ ଦଳ ଆୟର୍ଲ୍ୟାଣ୍ଡ ବିପକ୍ଷରେ ଏଠାରେ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳିଥିଲା। କେବଳ ଗ୍ରେଟର ନୋଏଡା ନୁହେଁ, ଆଫଗାନିସ୍ତାନ ଡେରାଡୁନରେ ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ ମଧ୍ୟ ଆୟୋଜନ କରିଥିଲା।

ଭାରତୀୟ କୋଚ: ବିସିସିଆଇ ଆଫଗାନିସ୍ତାନକୁ କେବଳ ଭିତ୍ତିଭୂମି ଯୋଗା ଦେଇ ନଥିଲା, ବରଂ ଅନ୍ୟାନ୍ୟ ସୁବିଧା ଓ କୋଚିଂ ସେବା ମଧ୍ୟ ପ୍ରଦାନ କରିଥିଲା। ଟିମ ଇଣ୍ଡିଆର ପୂର୍ବତନ ଖେଳାଳି ଲାଲଚାନ୍ଦ ରାଜପୁ, ମନୋଜ ପ୍ରଭାକର ଓ ଅଜୟ ଜାଡେଜା ମଧ୍ୟ ଆଫଗାନିସ୍ତାନ ଟିମର କୋଚିଂ ଟିମରେ ରହିଥିଲେ। ଏପରି କି ଜାଡେଜା ନିକଟରେ ଶେଷ ହୋଇଥିବା ୨୦୨୩ ଦିନିକିଆ ବିଶ୍ୱକପରେ ଆଫଗାନିସ୍ତାନ ଟିମର ମାର୍ଗଦର୍ଶକ ଭାବେ କାର୍ଯ୍ୟ କରିଥିଲେ।

ବିସିସିଆଇ ବିଶ୍ୱର ସବୁଠାରୁ ଶକ୍ତିଶାଳୀ କ୍ରିକେଟ ସଂସ୍ଥା। ଏଥିରେ କାହାର ସନ୍ଦେହ ନାହିଁ। ଆଫଗାନିସ୍ତାନ ତା’ର ପ୍ରଥମ ଟେଷ୍ଟ ମ୍ୟାଚ୍‌ ବେଙ୍ଗାଲୁରୁରେ ଖେଳିଥିଲା। ଏଥିପାଇଁ ବିସିସିଆଇ ତତ୍କାଳୀନ ଆଫଗାନ ରାଷ୍ଟ୍ରପତି ଅଶର୍ଫ ଘନିଙ୍କୁ ନିମନ୍ତ୍ରଣ କରିଥିଲା।

ଆଇପିଏଲର ଭୂମିକା: ଆଫଗାନିସ୍ତାନ ଖେଳାଳିଙ୍କ ସଫଳତା ପଛରେ ଆଇପିଏଲର ବଳିଷ୍ଠ ଭୂମିକା ରହିଛି। ଅନେକ ଆଫଗାନ ଖେଳାଳି ଆଇପିଏଲ ଖେଳି କେବଳ ଟଙ୍କା ପାଉ ନାହାନ୍ତି, ବରଂ ସେମାନଙ୍କ ଖେଳରେ ଉନ୍ନତି ଆସୁଛି।

ଏହା ଦେଖି ଆଫଗାନିସ୍ତାନର ଅନେକ ଯୁବକ କ୍ରିକେଟ ପ୍ରତି ଆକୃଷ୍ଟ ହେଉଛନ୍ତି। ଆଇପିଏଲରେ ଦିନକୁ ଦିନ ଆଫଗାନିସ୍ତାନ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେମାନଙ୍କୁ ମଧ୍ୟ ବିଭିନ୍ନ ପ୍ରାଞ୍ଚାଇଜ ଗୁରୁତ୍ୱ ଦେଉଛନ୍ତି। ତେଣୁ ଦେଶରେ ନୂଆନୂଆ ପ୍ରତିଭା ସାମ୍ନାକୁ ଆସୁଛନ୍ତି। 

Related story