Advertisment

ବାଜବଲ୍‌କୁ ଦଳି ଦେଲା ରୋହିତ ସେନା: ଷ୍ଟୋକ୍ସ-ମ୍ୟାକକୁଲମ ଯୋଡ଼ିର ପ୍ରଥମ ସିରିଜ ପରାଜୟ

ଷ୍ଟୋକ୍ସ ୨୦୨୨ ମସିହା ଏପ୍ରିଲ ୨୮ରେ ଇଂଲଣ୍ଡ ଟିମର ଅଧିନାୟକ ହୋଇଥିଲେ। ୨୦୨୨ ମସିହା ମେ’ ୧୨ରେ ମ୍ୟାକକୁଲମଙ୍କୁ ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ମିଳିଥିଲା।

author-image
Hemant Lenka
England

England

ଭାରତରେ ମାଟି କାମୁଡ଼ିଛି ବାଜ୍‌ବଲ କ୍ରିକେଟ। ଦୀର୍ଘ ୨ ବର୍ଷ ଧରି ଇଂଲଣ୍ଡ ଜାରି ରଖିଥିବା ବାଜବଲ କ୍ରିକେଟ ଶେଷରେ ଝୁଣ୍ଟିଛି। ଇଂଲଣ୍ଡ ଟିମର ମୁଖ୍ୟ କୋଚ୍‌ ବ୍ରେଣ୍ଡନ ମ୍ୟାକକୁଲମଙ୍କ ଡାକ ନାଁ ଅନୁସାରେ ବାଜ୍‌ବଲ ପରିଚୟ ହାସଲ କରିଥିଲା ଇଂଲିଶ ଦଳ।

Advertisment

୨୦୨୨ରୁ ଦଳ ଆକ୍ରମଣାତ୍ମକ ଟେଷ୍ଟ କ୍ରିକେଟ ଖେଳିବା ସହ କୌଣସି ଟେଷ୍ଟ ସିରିଜ ହାରି ନଥିଲା। ‌ଅଧିନାୟକ ବେନ ଷ୍ଟୋକ୍ସ ଓ ମ୍ୟାକକୁଲମ ଯୋଡ଼ି ୨୦୨୨ରୁ ଇଂଲଣ୍ଡର କମାଣ ସମ୍ଭାଳି ଆସୁଛନ୍ତି।

୨୦୨୨ରୁ ୨୦୨୪ ଫେବୃଆରୀ ୨୬ ମଧ୍ୟରେ ଏହି ଯୋଡ଼ି ୪ଟି ଟେଷ୍ଟ ସିରିଜ ଜିତିଥିବା ବେଳେ ୩ଟି ଡ୍ର ରହିଥିଲା। କିନ୍ତୁ ଏହି ବାଜ୍‌ବଲ୍‌ ଯୋଡ଼ିକୁ ଭାରତରେ ବଡ଼ ଝଟକା ଲାଗିଛି। ପ୍ରଥମଥର ପାଇଁ ଭାରତ ଏହି ବାଜବଲ ଯୋଡ଼ିକୁ ଟେଷ୍ଟ ସିରିଜରେ ହରାଇଛି।

Advertisment

ରାଞ୍ଚିରେ ଖେଳା ଯାଇଥିବା ୫ଟିକିଆ ସିରିଜ୍‌ର ୪ର୍ଥ ମ୍ୟାଚ୍‌କୁ ଟିମ ଇଣ୍ଡିଆ ୫ ୱିକେଟରେ ଜିତି ନେଇଛି। ଏହି ବିଜୟ ସହ ଗୋଟିଏ ମ୍ୟାଚ୍‌ ପୂର୍ବରୁ ରୋହିତ ଶର୍ମା ଆଣ୍ଡ କୋ ଇଂଲଣ୍ଡ ବିପକ୍ଷ ସିରିଜ୍‌କୁ ୩-୧ରେ କବଜା କରି ନେଇଛି। ଏବେ ସିରିଜର ଶେଷ ମ୍ୟାଚ୍‌ ଧର୍ମଶାଲାରେ ଖେଳାଯିବ।

ଷ୍ଟୋକ୍ସ ୨୦୨୨ ମସିହା ଏପ୍ରିଲ ୨୮ରେ ଇଂଲଣ୍ଡ ଟିମର ଅଧିନାୟକ ହୋଇଥିଲେ। ୨୦୨୨ ମସିହା ମେ’ ୧୨ରେ ମ୍ୟାକକୁଲମଙ୍କୁ ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ ଦାୟିତ୍ୱ ମିଳିଥିଲା। ବୋଥାମ-ରିଚାର୍ଡ ଟ୍ରଫିରେ ୱେଷ୍ଟଇଣ୍ଡିଜ ଠାରୁ ଇଂଲଣ୍ଡ ୦-୧ରେ ପରାସ୍ତ ହେବା ପରେ ଦଳର ନବକଳେବର ହୋଇଥିଲା।

କମାଣ ବଦଳିବା ପରେ ଇଂଲଣ୍ଡ ଟିମ ତୁରନ୍ତ ସଫଳତା ପାଇଥିଲା। ଟେଷ୍ଟ କ୍ରିକେଟରେ ଆଟାକିଂ ଖେଳ ପ୍ରଦର୍ଶନ କରି ଇଂଲଣ୍ଡ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ବିଜେତା ନ୍ୟୁଜିଲ୍ୟାଣ୍ଡକୁ ହରାଇଥିଲା। ଷ୍ଟୋକ୍ସ ଓ ମ୍ୟାକକୁଲମଙ୍କ ଯୋଡ଼ି ଆକ୍ରମଣାତ୍ମକ ଖେଳ ପ୍ରଦର୍ଶନ କରୁଥିବାରୁ ଏହା ବାଜବଲ ଭାବେ ପରିଚୟ ହାସଲ କରିଥିଲା।

୨୦୨୨ରେ ନ୍ୟୁଜିଲ୍ୟାଣ୍ଡକୁ ଦଳ ୩-୦ରେ ହରାଇଥିଲା। ସେହିବର୍ଷ ପଟୌଦି ଟ୍ରଫି ୨-୨ରେ ଡ୍ର ରହିଥିଲା। ଏହାପରେ ଇଂଲଣ୍ଡ ୨-୧ରେ ଦକ୍ଷିଣ ଆଫ୍ରିକାକୁ ହରାଇଥିଲା।

ପାକିସ୍ତାନକୁ ତା’ରି ମାଟିରେ ଇଂଲଣ୍ଡ ୩-୦ରେ ହରାଇ ସମସ୍ତଙ୍କୁ ଚକିତ କରିଥିଲା। ୨୦୨୩ରେ ଦଳ ନ୍ୟୁଜିଲ୍ୟାଣ୍ଡ ଗସ୍ତ କରିଥିଲା। ସେଠାରେ ଟେଷ୍ଟ ସିରିଜ ୧-୧ରେ ଡ୍ର ରହିଥିଲା। ଆୟର୍ଲ୍ୟାଣ୍ଡ ସହ ଏକମାତ୍ର ଟେଷ୍ଟ ମ୍ୟାଚ୍‌ ମଧ୍ୟ ଷ୍ଟୋକ୍ସ ଓ ମ୍ୟାକକୁଲମ ଯୋଡ଼ି ଜିତିଥିଲେ।

୨୦୨୩ ଆଶେସ ସିରିଜ ଇଂଲଣ୍ଡରେ ହୋଇଥିଲା। ଏହି ଟୁର୍ଣ୍ଣାମେଣ୍ଟରେ ଇଂଲଣ୍ଡ ଅଲ୍ଟ୍ରା ଏଗ୍ରେସିଭ ଖେଳ ପ୍ରଦର୍ଶନ କରିଥିଲା। ଶେଷରେ ଆଶେସ ସିରିଜ୍‌ ୨-୨ରେ ଡ୍ର ରହିଥିଲା।

ଏହାର ଅର୍ଥ ଭାରତ ଆସିବା ପୂର୍ବରୁ ଷ୍ଟୋକ୍ସ ଓ ମ୍ୟାକକୁଲମ ଯୋଡ଼ି କୌଣସି ଟେଷ୍ଟ ସିରିଜ ହାରି ନଥିଲେ। ଭାରତ ବିପକ୍ଷ ପ୍ରଥମ ଟେଷ୍ଟକୁ ମଧ୍ୟ ଇଂଲଣ୍ଡ ଜିତି ନେଇଥିଲା।

ହେଲେ ଏହା ପରେ ଭାରତ ମାଟିରେ ଇଂଲଣ୍ଡ ଟିମକୁ ଚ୍ୟାଲେଞ୍ଜର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଦ୍ୱିତୀୟ ଓ ତୃତୀୟ ଟେଷ୍ଟ ଭଳି ଭାରତ ୪ର୍ଥ ଟେଷ୍ଟକୁ ଜିତି ସିରିଜ କବଜା କରିନେଇଛି।

India Vs England Ben Stokes Test Cricket Test Match