/odisha-reporter/media/media_files/2025/11/21/starc-2025-11-21-16-04-45.jpg)
୭ ୱିକେଟ ନେଇଥିବା ଷ୍ଟାର୍କ
ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ଆଜି ଠାରୁ ଆରମ୍ଭ ହୋଇଛି ଆଶେସ ଟେଷ୍ଟ(Test Cricket) ସିରିଜ। ପ୍ରଥମ ମ୍ୟାଚ୍ର ପ୍ରଥମ ଦିନରେ ଦେଖିବାକୁ ମିଳିଛି ରୋମାଞ୍ଚ। ପର୍ଥରେ ହୋଇଛି ୱିକେଟ ବର୍ଷା। ଆଶେସ ଟେଷ୍ଟ ସିରିଜର ୧୦୦ ବର୍ଷର ଇତିହାସରେ ପ୍ରଥମଥର ପାଇଁ ପ୍ରଥମ ଦିନରେ ଝଡ଼ିଛି ୧୯ ୱିକେଟ। ସମସ୍ତ ୧୯ଟି ଯାକ ୱିକେଟ ନେଇଛନ୍ତି ଦୁଇ ଦଳର ଦ୍ରୁତ ବୋଲର। ପର୍ଥକୁ ଦ୍ରୁତ ବୋଲରଙ୍କ ସ୍ୱର୍ଗ କୁହାଯାଏ। ଆଉ ଏହାକୁ ଆସି ମିଚେଷ୍ଟ ଷ୍ଟାର୍କଙ୍କ ଠାରୁ ଆରମ୍ଭ କରି ବେନ ଷ୍ଟୋକ୍ସଙ୍କ ଯାଏ ପ୍ରମାଣିତ କରି ଦେଖାଇଛନ୍ତି।
ଏହାପୂର୍ବରୁ କୌଣସି ଆଶେସ ଟେଷ୍ଟର ଗୋଟିଏ ଦିନରେ ସର୍ବାଧିକ ୧୭ଟି ୱିକେଟ ଯିବାର ନଜର ରହିଥିଲା। ୨୦୦୧ ଟ୍ରେଣ୍ଟ ବ୍ରିଜ ଟେଷ୍ଟ(Test Match)ର ଗୋଟିଏ ଦିନରେ ଇଂଲଣ୍ଡ ୧୦ ଓ ଅଷ୍ଟ୍ରେଲିଆ ୭ ୱିକେଟ ହରାଇଥିଲା। ସେହିପରି ୨୦୦୫ ଲର୍ଡସରେ ଅଷ୍ଟ୍ରେଲିଆ ୧୦ ଓ ଇଂଲଣ୍ଡର ୭ ୱିକେଟ ଝଡ଼ିଥିଲା। କିନ୍ତୁ ଆଜି ଅର୍ଥାତ ୨୦୨୫ ଆଶେସ ଟେଷ୍ଟର ପ୍ରଥମ ଦିନରେ ଇଂଲଣ୍ଡ ୧୦ଟି ଓ ଅଷ୍ଟ୍ରେଲିଆ ୯ଟି ୱିକେଟ ହରାଇଛନ୍ତି।
ପର୍ଥ କଥା ବିଚାରକୁ ନେଲେ ପ୍ରଥମଥର ପାଇଁ ଏଠାରେ ଖେଳା ଯାଉଥିବା କୌଣସି ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ୧୯ଟି ୱିକେଟ ଝଡ଼ିଛି। ଏହାପୂର୍ବରୁ ୨୦୨୪ ଭାରତ ଓ ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟର ପ୍ରଥମ ଦିନରେ ୧୭ଟି ଯାଇଥିଲା। ଆଜି କିନ୍ତୁ ଟେଷ୍ଟ କ୍ରିକେଟରେ ପର୍ଥ ନୂଆ ଅଧ୍ୟାୟ ଯୋଡ଼ିଛି।
ମାସ ମାସ ଧରି ଯେଉଁ ଟେଷ୍ଟ କ୍ରିକେଟକୁ ଲୋକମାନେ ଅପେକ୍ଷା କରି ରୁହନ୍ତି ଆଜି ସେମିତି କିଛି ଘଟିଛି। ଯଦି ଆପଣ କ୍ରିକେଟ ପ୍ରେମୀ, ତା’ହେଲେ ନିଶ୍ଚିତ ଆଜିର ମ୍ୟାଚ୍ ଆପଣଙ୍କୁ ଏହାର ପ୍ରେମରେ ଆହୁରି ବାନ୍ଧିବାକୁ ସକ୍ଷମ ହେବ। ପର୍ଥର ପରମ୍ପରା ହେଉଛି ଦ୍ରୁତ ବୋଲରଙ୍କ ଫାଇଦା ଦେବା। ଆଜି ଏହା ପୁଣି ପ୍ରମାଣିତ ହୋଇଛି।
ଦିନକରେ ୧୯ ୱିକେଟ ଯାଇଛି ଓ ଦ୍ରୁତ ବୋଲରମାନେ ଏହାକୁ ଦଖଲ କରିଛନ୍ତି। ମ୍ୟାଚ୍ର ପ୍ରଥମ ଭାଗ ମିଚେଲ ଷ୍ଟାର୍କଙ୍କ ନାଁରେ ରହିଥିବା ବେଳେ ଦ୍ୱିତୀୟ ଭାଗରେ କମାଲ କରିଛନ୍ତି ଇଂଲିଶ ଅଧିନାୟକ ବେନ ଷ୍ଟୋକ୍ସ।
ପାଟ କମିନ୍ସ ଓ ଜୋଶ ହାଜେଲଉଡଙ୍କ ଅନୁପସ୍ଥିତିରେ ଅଷ୍ଟ୍ରେଲିଆର ଦ୍ରୁତ ବୋଲିଂ ମଙ୍ଗ ଷ୍ଟାର୍କଙ୍କ ଉପରେ ରହିଥିଲା। ଆଉ ସେ ଏକାକୀ ୭ ୱିକେଟ ନେଇ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଇଂଲଣ୍ଡକୁ ୧୭୨ ରନରେ ଅଟକାଇ ଦେଇଛନ୍ତି। ଷ୍ଟାର୍କଙ୍କ ବ୍ୟତୀତ ଡେବ୍ୟୁଟାଣ୍ଟ ବ୍ରେଣ୍ଡନ ଡୋଗେଟ୍ଟ ୨ଟି ଓ କାମେରନ ଗ୍ରୀନ ଗୋଟିଏ ସଫଳତା ପାଇଛନ୍ତି।
ଏହାପରେ ଅଷ୍ଟ୍ରେଲିଆ ମଧ୍ୟ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଘରୋଇ ପରିବେଶରେ ଦଳ ପ୍ରଥମ ଇନିଂସରେ ୯ ୱିକେଟ ହରାଇ ୧୨୩ ରନ କରିଛି। ଏବେ ବି ଅଷ୍ଟ୍ରେଲିଆ ଭ୍ରମଣକାରୀ ଇଂଲଣ୍ଡର ପ୍ରଥମ ଇନିଂସ ସ୍କୋର ଠାରୁ ୪୯ ରନ ପଛରେ ରହିଛି। ପ୍ରଥମ ଦିନର ଖେଳ ଶେଷ ହେବା ବେଳକୁ ଡେବ୍ୟୁଟାଣ୍ଟ ବ୍ରେଣ୍ଡନ ଡୋଗେଟ୍ଟ(୦) ଓ ନାଥନ ଲାୟନ(୩) କ୍ରିଜରେ ରହିଛନ୍ତି। ଇଂଲଣ୍ଡ ପକ୍ଷରୁ ବେନ ଷ୍ଟୋକ୍ସ ୫ ୱିକେଟ ନେଇଥିବା ବେଳେ ଜୋଫ୍ରା ଆର୍ଚର ଓ ବ୍ରାୟଣ୍ଡନ କାର୍ସେ ୨ଟି ଲେଖାଏ ସଫଳତା ପାଇଛନ୍ତି।
କମିନ୍ସଙ୍କ ଅନୁପସ୍ଥିତିରେ ଷ୍ଟିଭ ସ୍ମିଥ ଅଷ୍ଟ୍ରେଲିଆର କମାଣ ସମ୍ଭାଳିଥିଲେ ହେଁ ଦଳକୁ ବିପର୍ଯ୍ୟୟରୁ ରକ୍ଷା କରିପାରି ନାହାନ୍ତି। ସ୍ମିଥ କେବଳ ୧୭ ରନ କରିପାରିଛନ୍ତି। ଇଂଲଣ୍ଡର ବ୍ୟାଟିଂ ବେଳେ ହ୍ୟାରୀ ବ୍ରୁକ, ଓଲି ପପ ଓ ଜେମି ସ୍ମିଥଙ୍କୁ ଛାଡ଼ି ବାକି ସମସ୍ତେ ଷ୍ଟାର୍କଙ୍କ ଆଗରେ ଆତ୍ମସମର୍ପଣ କରିଥିଲେ। ବ୍ରୁକ ୫୨ ରନର ଇନିଂସ ଖେଳିଥିବା ବେଳେ ପପ ୪୬ ଓ ସ୍ମିଥ ଦ୍ରୁତ ୩୩ ରନ କରିବାରୁ ଇଂଲଣ୍ଡ ପ୍ରଥମ ଇନିଂସରେ ୧୭୨ ରନ କରିବାକୁ ସକ୍ଷମ ହୋଇଥିଲା। ସେହିପରି ଅଷ୍ଟ୍ରେଲିଆ ପାଇଁ ଆଲେକ୍ସ କେରୀ ସର୍ବାଧିକ ୨୬ ରନ କରିଥିବା ବେଳେ ଗ୍ରୀନ ୨୪ ଓ ଟ୍ରାଭିସ ହେଡ୍ ୨୧ ରନ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
