Advertisment

ଭାରତ ବିପକ୍ଷ ଶେଷ ଟେଷ୍ଟରୁ ବେନ ଷ୍ଟୋକ୍ସଙ୍କ ସମେତ ୪ ଖେଳାଳି ଆଉଟ୍‌

ଅର୍ଶଦୀପ ସିଂହ ଆସନ୍ତାକାଲି ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି।

author-image
Hemant Lenka
Ben stokes

Ben stokes

ଆସନ୍ତାକାଲି ଠାରୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ୫ ଟିକିଆ ଟେଷ୍ଟ ସିରିଜର ଶେଷ ମ୍ୟାଚ୍‌ ଆରମ୍ଭ ହେବ। ଲଣ୍ଡନର ଦ ଓଭାଲରେ ମ୍ୟାଚ୍‌ ଖେଳା ଯିବ। ଏହି ମ୍ୟାଚ ପୂର୍ବରୁ ଇଂଲଣ୍ତକୁ ଲାଗିଛି ବଡ଼ ଝଟକା। ଦଳର ଅଧିନାୟକ ବେନ ଷ୍ଟୋକ୍ସ ଆହତ ସମସ୍ୟା କାରଣରୁ ୫ମ ଟେଷ୍ଟରୁ ବାଦ ପଡ଼ିଛନ୍ତି। ଭାରତ ବିପକ୍ଷ ୪ର୍ଥ ଟେଷ୍ଟ ସମୟରେ ଷ୍ଟୋକ୍ସ କାନ୍ଧ ଜନିତ ସମସ୍ୟାରେ ପଡ଼ିଥିଲେ।

Advertisment

ଏବେ ସେ ୫ମ ଟେଷ୍ଟର ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିଛନ୍ତି। ୪ର୍ଥ ଟେଷ୍ଟର ପ୍ରଥମ ଇନିଂସରେ ଷ୍ଟୋକ୍ସ ଶତକ ମାରିବା ସହ ୫ ୱିକେଟ ଦଖଲ କରିଥିଲେ। ମ୍ୟାଚ ଡ୍ରରେ ଶେଷ ହୋଇଥିଲେ ହେଁ ଷ୍ଟୋକ୍ସ ତୃତୀୟ ଟେଷ୍ଟ ଭଳି ୪ର୍ଥ ଟେଷ୍ଟରେ ମ୍ୟାନ ଅଫ ଦି ମ୍ୟାଚ୍‌ ପୁରସ୍କାର ଜିତିଥିଲେ। ହେଲେ ଆହତ ସମସ୍ୟା ତାଙ୍କୁ ବେଞ୍ଚରେ ବସିବାକୁ ବାଧ୍ୟ କରିଛି। 

ଷ୍ଟୋକ୍ସ ବାଦ ପଡ଼ିଥିବାରୁ ୫ମ ଟେଷ୍ଟରେ ଇଂଲଣ୍ଡର କମାଣ ଓଲି ପୋପ ସମ୍ଭାଳିବେ। ଷ୍ଟୋକ୍ସଙ୍କ ବ୍ୟତୀତ ମାଞ୍ଚେଷ୍ଟର ଟେଷ୍ଟରେ ଖେଳୁଥିବା ଆଉ ୩ ଇଂଲଣ୍ଡ ଖେଳାଳି ମଧ୍ୟ ୫ମ ମ୍ୟାଚ ଖେଳିବେ ନାହିଁ। ଆଜି ଇଂଲଣ୍ଡ ଘୋଷଣା କରିଥିବା ଚୂଡ଼ାନ୍ତ ଏକାଦଶରୁ ଦ୍ରୁତ ବୋଲର ଜୋଫ୍ରା ଆର୍ଚର, ବ୍ରାଏଡନ କାର୍ସ ଓ ସ୍ପିନର ଲିଆମ ଡାୱସନ ବାଦ ପଡ଼ିଛନ୍ତି।

Advertisment

ଏମାନଙ୍କ ବଦଳରେ ଗସ ଅଟକିନସନ, ଜାମି ଓଭରଟନ ଓ ଜୋଶ ଟଙ୍ଗ ଚୂଡ଼ାନ୍ତ ଏକାଦଶରେ ସୁଯୋଗ ପାଇଛନ୍ତି। ସେହିପରି ବେନ ଷ୍ଟୋକ୍ସଙ୍କ ବଦଳରେ ଅଲରାଉଣ୍ଡର ଭାବେ ଯୁବ ତାରକା ଜ୍ୟାକବ ବେଥେଲଙ୍କୁ ସୁଯୋଗ ମିଳିଛି। ତାଙ୍କ ନାଁ ଷ୍ଟୋକ୍ସ ଭଳି ୬ନଂ ସ୍ଥାନରେ ରହିଛି। ବେଥେଲ ବାମହାତୀ ସ୍ପିନ ବୋଲିଂ କରିବା ସହ ବ୍ୟାଟିଂ କରିବେ। ତାଙ୍କୁ ବ୍ୟାଟିଂ ଅଲରାଉଣ୍ଡର ଭାବେ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇଛି।

ଚୂଡ଼ାନ୍ତ ଏକଦଶରେ ୪ ପରିବର୍ତ୍ତନ ସହ ଇଂଲଣ୍ଡ ଦ ଓଭାଲ ମୈଦାନରେ ଓହ୍ଲାଇବାକୁ ଯାଉଥିବା ବେଳେ ଭାରତ ଉପରେ ମଧ୍ୟ ସମସ୍ତଙ୍କ ନଜର ରହିଛି। ଋଷଭ ପନ୍ତ ଆହତ ହୋଇଥିବା ବେଳେ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଖେଳିବା ଏକପ୍ରକାରର ନିଶ୍ଚିତ।

କିନ୍ତୁ ଯଶପ୍ରୀତ ବୁମ୍ରା କାଲି ଖେଳିବେ କି ନାହିଁ, ସେକଥା ସ୍ପଷ୍ଟ ହୋଇନି। ସେହିପରି ଅର୍ଶଦୀପ ସିଂହ ଆସନ୍ତାକାଲି ଡେବ୍ୟୁ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏବେ ଇଂଲଣ୍ଡ ସିରିଜରେ ୨-୧ରେ ଆଗୁଆ ରହିଛି। ତେଣୁ ଭାରତ ୫ମ ଟେଷ୍ଟକୁ ଜିତି ସିରିଜ ବରାବର କରିବା ଲକ୍ଷ୍ୟରେ ରହିଛି।

ଇଂଲଣ୍ଡ ଏକାଦଶ: ଜ୍ୟାକ କ୍ରଉଲୀ, ବେନ ଡକେଟ, ଓଲି ପୋପ(ଅଧିନାୟକ), ଜୋ ରୁଟ, ହ୍ୟାରୀ ବ୍ରୁକ, ଜ୍ୟାକବ ବେଥେଲ, ଜାମି ସ୍ମିଥ, କ୍ରିସ ୱକ୍ସ, ଗସ ଅଟକିନସନ, ଜାମି ଓଭରଟନ ଓ ଜୋଶ ଟଙ୍ଗ।

Ben Stokes India Vs England Test