/odisha-reporter/media/media_files/2025/12/29/bhutan-2025-12-29-15-58-00.jpg)
ସ୍ପିନ ବୋଲର୍ ସୋନମ
କ୍ରିକେଟ ଦୁନିଆରେ ନୂଆ କୀର୍ତ୍ତିମାନ ହାସଲ କରିଛନ୍ତି ଭୁଟନାର ବାମହାତୀ ସ୍ପିନର ସୋନମ ୟେଶେ। ଟି-୨୦ ମ୍ୟାଚ୍ରେ ସୋନମ ନୂଆ ଇତିହାସ ସୃଷ୍ଟି କରିଛନ୍ତି। ସେ ବିଶ୍ୱର ପ୍ରଥମ ବୋଲର ଭାବେ ଟି-୨୦ ମ୍ୟାଚ୍ରେ ଏକାକୀ ୮ ୱିକେଟ ନେଇଛନ୍ତି।
୨୨ ବର୍ଷୀୟ ସୋନମ ମିଆଁମାର ବିପକ୍ଷ ଗେଲେଫୁ ଠାରେ ଖେଳା ଯାଉଥିବା ଟି-୨୦ରେ ଏପରି ସଫଳତା ପାଇଛନ୍ତି। ମ୍ୟାଚ୍ରେ ସୋନମ ୟେଶେ ୪ ଓଭର ବୋଲିଂ କରି ୭ ରନ ଦେବା ସହ ୮ ୱିକେଟ ଦଖଲ କରିଛନ୍ତି। ଏଥିଯୋଗୁ ମିଆଁମାର ଟିମ ଭୁଟାନ(Bhutan) ଦେଇଥିବା ୧୩୦ ରନର ପିଛା କରୁଥିବା ବେଳେ ମାତ୍ର ୪୫ ରନରେ ଅଲଆଉଟ ହୋଇ ଯାଇଛି।
ସୋନମ ୟେଶେ ୨୦୨୨ ଜୁଲାଇ ମାସରେ ମାଲେସିୟା ବିପକ୍ଷ ଟି-୨୦ରେ ଡେବ୍ୟୁ କରିଥିଲେ। ପ୍ରଥମ ମ୍ୟାଚ୍ରେ ହିଁ ସେ ୧୬ ରନ ଦେଇ ୩ ୱିକେଟ ନେଇଥିଲେ। ଏଯାଏ ସେ ୩୪ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚ୍ରେ ମୋଟ ୩୭ଟି ୱିକେଟ ନେଇଛନ୍ତି। ଏସବୁ ଭିତରେ ତାଙ୍କର ରେକର୍ଡ ବ୍ରେକିଂ ସ୍ପେଲ ଦେଖିବାକୁ ମିଳିଛି।
ସୋନମଙ୍କ ପୂର୍ବରୁ କୌଣସି ଟି-୨୦ରେ ଏପରି ଘାତକ ବୋଲିଂ କେବେ ହେଲେ ଦେଖିବାକୁ ମିଳି ନଥିଲା। ଏହାପୂର୍ବରୁ ଟି-୨୦ ମ୍ୟାଚ୍ରେ ଜଣେ ବୋଲର ସର୍ବାଧିକ ୭ଟି ୱିକେଟ ନେବାର ରେକର୍ଡ କରି ପାରିଥିଲେ। ୨୦୨୩ରେ ମାଲେସିୟାର ସାୟାଜରୁଲ ଇଦ୍ରୁସ ଚାଇନା ବିପକ୍ଷ ମ୍ୟାଚ୍ରେ ୮ ରନ ଦେଇ ୭ଟି ୱିକେଟ ଓ ୨୦୨୪ରେ ବାହାରିନ ପାଇଁ ଅଲୀ ଦାଉଦ ବୁଟାନ ବିପକ୍ଷ ମ୍ୟାଚ୍ରେ ୧୯ ରନ ଦେଇ ୭ଟି ସଫଳତା ପାଇଥିଲେ।
ଅନ୍ତର୍ଜାତୀୟ ଟି-୨୦ ବ୍ୟତୀତ ଘରୋଇ ଟି-୨୦ ଲିଗରେ ୨ଥର ୭ ୱିକେଟ ସଫଳତା ଦେଖିବାକୁ ମିଳିଥିଲା। ୨୦୧୯ରେ କୋଲିନ ଆକେରମନ ବର୍ମିଂହାମ ବିପକ୍ଷରେ ୧୮ ରନ ଦେଇ ୭ ୱିକେଟ ଓ ୨୦୨୫ରେ ତସ୍କିନ ଅହମଦ ଢାକା କ୍ୟାପିଟାଲ୍ସ ପାଇଁ ୧୯ ରନ ଦେଇ ୭ ୱିକେଟ ପାଇଥିଲେ।
ଟି-୨୦(T20 Match)ରେ ୭ ୱିକେଟ ସଫଳତା ରେକର୍ଡ ଇଣ୍ଡୋନେସିଆର ରୋହମାଲିଆଙ୍କ ନାଁରେ ରହିଛି। ସେ ମଙ୍ଗୋଲିଆ ବିପକ୍ଷ ୨୦୨୪ ଟି-୨୦ରେ କୌଣସି ରନ ନ ଦେଇ ୭ଟି ୱିକେଟ ନେଇଥଲେ। ଏହା ଅନ୍ତର୍ଜାତୀୟ ଟି-୨୦ ଓ ଘରୋଇ ଟି-୨୦ ମ୍ୟାଚ୍ରେ ଏଯାଏ ସର୍ବକାଳୀନ ରେକର୍ଡ ହୋଇ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
