Bhuvneshwar-Kumar
ନୂଆଦିଲ୍ଲୀ: ଭାରତର ଅଭିଜ୍ଞ ପେସ୍ ବୋଲର ଭୁବନେଶ୍ୱର କୁମାରଙ୍କୁ ଇଂଲଣ୍ଡ ବିପକ୍ଷ ସୀମିତ ଓଭର ସିରିଜରେ ଦମଦାର ପ୍ରଦର୍ଶନ ପାଇଁ ମିଳିଛି ବଡ଼ ପୁରସ୍କାର। ଭୁବନେଶ୍ୱରଙ୍କୁ ଆଇସିସି ମାସର ସର୍ବଶ୍ରେଷ୍ଠ ଖେଳାଳି ବିବେଚିତ କରିଛି। ଭୁବନେଶ୍ୱର ତିନିମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜରେ ୪.୬୫ ଇକୋନମୀ ରେଟରେ ୬ ୱିକେଟ ଏବଂ ପାଞ୍ଚମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜରେ ୬.୩୮ ଇକୋନମୀରେ ୪ ୱିକେଟ ନେଇଥିଲେ। ଏହା ପୂର୍ବରୁ ପ୍ରଥମ ଦୁଇ ମାସରେ ଯଥାକ୍ରମେ ଜାନୁଆରୀ ଓ ଫେବୃଆରୀରେ ଋଷଭ ପନ୍ତ ଓ ରବିଚନ୍ଦ୍ରନ୍ ଅଶ୍ୱିନ୍ ଏହି ପୁରସ୍କାର ଜିତିଥିଲେ।
ଲମ୍ବା ଏବଂ ଯନ୍ତ୍ରଣାଦାୟକ ବ୍ରେକ୍ ପରେ ଭାରତ ପକ୍ଷରୁ ଖେଳିବା ନେଇ ଭୁବନେଶ୍ୱର ବହୁତ ଖୁସି ଥିବା ଆଇସିସି ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି। ଏହା ଲମ୍ବା ସମୟ ଭିତରେ ଭୁବି ନିଜର ଫିଟନେସ୍ ଓ ଟେକନିକ୍ ଉପରେ ବହୁତ କାମ କରିଛନ୍ତି। ଭାରତ ପକ୍ଷରୁ ପୁଣିଥରେ ୱିକେଟ୍ ନେଇ ଭୁବି ଆତ୍ମସନ୍ତୋଷ ଲାଭ କରିଛନ୍ତି।
ଭୁବି କହିଛନ୍ତି, ଏହି ଯାତ୍ରା ଆରମ୍ଭରେ ମୋତେ ସାଥ୍ ଦେଇଥିବା ସମସ୍ତ ବ୍ୟକ୍ତିଙ୍କୁ ଧନ୍ୟବାଦ ଜଣାଉଛି। ମୋ ପରିବାର, ସାଙ୍ଗସାଥୀ ଓ ସାଥୀ ଖେଳାଳିଙ୍କୁ ମଧ୍ୟ କୃତଜ୍ଞତା। ଆଇସିସି ଭୋଟିଂ ଏକାଡେମୀ ଓ ମୋତେ ମାର୍ଚ୍ଚ ମାସର ସର୍ବଶ୍ରେଷ୍ଠ ଖେଳାଳି ଚୟନ ପାଇଁ ସବୁ ପ୍ରଶଂସକକୁ ବିଶେଷକରି ଧନ୍ୟବାଦ ଜଣାଉଛି।
ଭୁବନେଶ୍ୱରଙ୍କ ବ୍ୟତୀତ ଆଫଗାନିସ୍ତାନର ରଶିଦ୍ ଖାନ୍ ଓ ଜିମ୍ବାୱେର ସିନ୍ ୱିଲିୟମ୍ସ ମଧ୍ୟ ଆଇସିସିର ଏହି ପୁରସ୍କାର ଦୌଡ଼ରେ ଥିଲେ। ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଓ ଆଇସିସି ଭୋଟିଂ ଏକାଡେମୀର ସଦସ୍ୟ ଭିଭିଏସ୍ ଲକ୍ଷ୍ମଣ କହିଛନ୍ତି, ଆହତ କାରଣରୁ ଭୁବି ପ୍ରାୟ ଦେଢ଼ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟ ଖେଳିପାରିନଥିଲେ। ସେ ଦମଦାର ପ୍ରତ୍ୟାବର୍ତ୍ତନ କରି ପାୱାରପ୍ଲେ ଓ ଡେଥ୍ ଓଭରରେ ଇଂଲଣ୍ଡ ବ୍ୟାଟ୍ସମ୍ୟାନଙ୍କ ଆଗରେ ଭଲ ପ୍ରଦର୍ଶନ କରି ଭାରତ ବିଜୟରେ ନିର୍ଣ୍ଣାୟକ ଭୂମିକା ବହନ କରିଥିଲେ।
ଭାରତ ବିପକ୍ଷ ଚାରୋଟି ଦିନିକିଆରେ ଗୋଟିଏ ଶତକ ଓ ଦୁଇଟି ଅର୍ଦ୍ଧଶତକ ମାରିଥିବା ମହିଳା ବ୍ୟାଟ୍ସୱିମେନ୍ ଲିଜେଲ୍ ଲି’ ସର୍ବଶ୍ରେଷ୍ଠ ମହିଳା ଖେଳାଳି ବିବେଚିତ ହୋଇଛନ୍ତି। ଏହି ଦୌଡ଼ରେ ଭାରତର ପୁନମ ରାଉତ ଓ ରାଜେଶ୍ୱରୀ ଗାଏକ୍ୱାଡ୍ ମଧ୍ୟ ଥିଲେ।
ସୂଚନାଯୋଗ୍ୟ, ପ୍ରତିମାସରେ ତିନି ପ୍ରମୁଖ ଦାବିଦାରଙ୍କର ଚୟନ ସେମାନଙ୍କର ପ୍ରଦର୍ଶନ ଆଧାରରେ କରାଯାଇଏ। ଏହା ପରେ ଆଇସିସିର ସ୍ୱତନ୍ତ୍ର ଭୋଟିଂ ଏକାଡେମୀ ଓ ସାରା ଦୁନିଆର ପ୍ରଶଂସକ ମତଦାନ କରନ୍ତି। ଆଇସିସି ଭୋଟିଂ ଏକାଡେମୀରେ ସିନିୟର ସାମ୍ବାଦିକ, ପୂର୍ବତନ ଖେଳାଳି ଓ ପ୍ରସାରକ ଓ ଆଇସିସି ହଲ୍ ଅଫ୍ ଫେମର କିଛି ସଦସ୍ୟ ସାମିଲୋ ଅଛନ୍ତି। ଭାରତ ପକ୍ଷରୁ ଭିଭିଏସ୍ ଲକ୍ଷ୍ମଣ ଓ ସାମ୍ବାଦିକ ମୋନା ପାର୍ଥସାରଥୀ ଏହି ଏକାଡେମୀର ସଦସ୍ୟ ଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploads/2021/04/Bhuvneshwar-Kumar.jpg)