ଭାରତ ବିପକ୍ଷ ଲଢ଼େଇ ପୂର୍ବରୁ ପାକିସ୍ତାନକୁ ବଡ଼ ଝଟକା, ଦୁବାଇ ଗଲେନି ଏହି ଷ୍ଟାର ଖେଳାଳି

ମହା ମୁକାବିଲା ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର ବ୍ୟାଟର ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି।

Pakistan

ଟିମ ପାକିସ୍ତାନ

Hemant Lenka
  • Published: Thursday, 20 February 2025
  • , Updated: 20 February 2025, 04:54 PM IST

ଭାରତ ବିପକ୍ଷ ଚାମ୍ପିୟନ୍ସ ଟ୍ରଫି ମ୍ୟାଚ୍‌ ପୂର୍ବରୁ ଆୟୋଜକ ପାକିସ୍ତାନକୁ ବଡ଼ ଝଟକା ଲାଗିଛି। ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫିର ଆୟୋଜନ କରୁଥିବା ବେଳେ ଭାରତ ତା’ର ମ୍ୟାଚ୍‌ ଗୁଡ଼ିକ ଦୁବାଇରେ ଖେଳିବ। ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ଖେଳିବା ପାଇଁ ପାକିସ୍ତାନ ଟିମ ଆଜି ଠାରୁ ଦୁବାଇ ଗସ୍ତ କରିଛି। ଆସନ୍ତା ୨୩ ତାରିଖରେ ଭାରତ ଓ ପାକିସ୍ତାନ ଦୁବାଇ ଷ୍ଟାଡିୟମରେ ମୁହାଁମୁହିଁ ହେବେ।

କିନ୍ତୁ ଏହି ମହା ମୁକାବିଲା ପୂର୍ବରୁ ପାକିସ୍ତାନକୁ ଲାଗିଛି ବଡ଼ ଝଟକା। ଦଳର ଷ୍ଟାର ବ୍ୟାଟର ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଚାମ୍ପିୟନ୍ସ ଟ୍ରଫିର ପ୍ରଥମ ମ୍ୟାଚରେ ପାକିସ୍ତାନର ମୁକାବିଲା ନ୍ୟୁଜିଲ୍ୟାଣ୍ଡ ସହ ହୋଇଥିଲା। କିନ୍ତୁ ଏହି ମ୍ୟାଚରେ ପାକିସ୍ତାନ ୬୦ ରନରେ ହାରିଛି। ତେଣୁ ଭାରତ ବିପକ୍ଷ ମ୍ୟାଚ୍‌ ପାକିସ୍ତାନ ପାଇଁ କର ବା ମର ସ୍ଥିତି ସୃଷ୍ଟି କରିଛି। ଏପରି ସ୍ଥିତିରେ ଦଳର ଷ୍ଟାର ବ୍ୟାଟର ଫଖର ଜମାନ ଆହତ ସମସ୍ୟା ଯୋଗୁ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏଥିପାଇଁ ସେ ପାକିସ୍ତାନ ଟିମ ସହ ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ଦୁବାଇ ଗସ୍ତ କରି ନାହାନ୍ତି।

କରାଚି ନ୍ୟାଶନାଲ ଷ୍ଟାଡିୟମରେ ଜମାନ ଗତକାଲି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ଫିଲ୍ଡିଂ କରିଥିଲେ। ପ୍ରଥମ ଓଭରରେ ହିଁ ସେ ଗୋଟିଏ ବଲକୁ ଅଟକାଇବା ବେଳେ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଥିଲେ। ତାଙ୍କୁ ତୁରନ୍ତ ମେଡିକାଲ ସୁବିଧା ଯୋଗାଇ ଦିଆଯାଇଥିଲା। ଆହତ ସମସ୍ୟା ଯୋଗୁ ସେ ପଡ଼ିଆ ଛାଡ଼ିଥିଲେ। ଜମାନ ସାଧାରଣତଃ ଓପନ କରନ୍ତି। କିନ୍ତୁ ଆହତ ସମସ୍ୟା ଯୋଗୁ ସେ ୪ନଂରେ ବ୍ୟାଟିଂ କରିବାକୁ ଆସିଥିଲେ।

ସେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ୪୧ ବଲର ସାମ୍ନା କରି କେବଳ ୨୪ ରନ କରିପାରିଥିଲେ। ଆହତ ସମସ୍ୟା ଯୋଗୁ ସେ ଠିକ ଭାବେ ରନ ମଧ୍ୟ ନେଇ ପାରୁ ନଥିବା ଦେଖାଯାଇଥିଲା। ମ୍ୟାଚ୍‌ ପରେ ତାଙ୍କ ଆହତ ସମସ୍ୟା ଗୁରୁତର ଥିବାରୁ ସେ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିଛନ୍ତି। ଏକଥାକୁ ନିଜେ ଜମାନ ଓ ପାକିସ୍ତାନ କ୍ରିକେଟ ବୋର୍ଡ ନିଶ୍ଚିତ କରିଛି।

ଫଖର ଜମାନଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା

ଆହତ ସମସ୍ୟା ଯୋଗୁ ଫଖର ଜମାନ ଚାମ୍ପିୟନ୍ସ ଟ୍ରଫିରୁ ବାଦ ପଡ଼ିବାରୁ ତାଙ୍କ ବଦଳ ଖେଳାଳିଙ୍କ ନାଁ ଘୋଷଣା କରିଛି। ପାକିସ୍ତାନର ଚାମ୍ପିୟନ୍ସ ଟ୍ରଫି ସ୍କ୍ୱାଡରେ ଅନ୍ୟତମ ଓପନର ଇମାମ ଉଲ ହକଙ୍କୁ ସ୍ଥାନ ଦିଆଯାଇଛି। ଇମାନ ଏଯାଏ ୭୨ଟି ଦିନିକିଆରେ ୪୮.୨୭ ହାରରେ ୩୧୩୮ ରନ କରିଛନ୍ତି। ଏହା ମଧ୍ୟରେ ୯ଟି ଶତକ ଓ ୨୦ଟି ଅର୍ଦ୍ଧଶତକ ରହିଛି। ସେ ଶେଷଥର ପାଇଁ ୨୦୨୩ରେ ପାକିସ୍ତାନ ପାଇଁ ଦିନିକିଆ ମ୍ୟାଚ୍‌ ଖେଳିଥିଲେ।

ଭାରତ ମାଟିରେ ଅନୁଷ୍ଠିତ ବିଶ୍ୱକପରେ ତାଙ୍କୁ ଦେଖିବାକୁ ମିଳିଥିଲା। ତେବେ ଜମାନ ବାଦ ପଡ଼ିବା ପାକିସ୍ତାନ ପାଇଁ ଶୁଭସଙ୍କେତ ନୁହେଁ। କାରଣ ଜମାନ ଜଣେ ବିସ୍ଫୋରକ ବ୍ୟାଟର। ୨୦୧୭ରେ ପାକିସ୍ତାନ ଚାମ୍ପିୟନ୍ସ ଟ୍ରଫି ପ୍ରଥମଥର ପାଇଁ ଜିତିଥିଲେ। ଫାଇନାଲରେ ଦଳ ଚୀରପ୍ରତିଦ୍ୱନ୍ଦ୍ୱୀ ଭାରତକୁ ହରାଇଥିଲା। ଏହି ମ୍ୟାଚ୍‌ରେ ଫଖର ବିସ୍ଫୋରକ ଶତକୀୟ ଇନିଂସ ଖେଳିଥିଲେ। ଏବେ ଭାରତ ବିପକ୍ଷ ମ୍ୟାଚ୍‌ରୁ ସେ ବାଦ ପଡ଼ିବା ନିଶ୍ଚିତ ଭାବେ ପାକିସ୍ତାନର ଚିନ୍ତାକୁ ବଢ଼ାଇ ଦେଇଛି।

ପାକିସ୍ତାନର ସଂଶୋଧିତ ସ୍କ୍ୱାଡ: ମହମ୍ମଦ ରିଜୱାନ(ଅଧିନାୟକ), ବାବର ଆଜମ, ଇମାମ ଉଲ ହକ, କମରାନ ଗୁଲାମ, ସୌଦ ସକୀଲ, ତାୟାବ ତାହିର, ଫହୀମ ଅଶର୍ଫ, କୁଶଦିଲ ଶାହ, ସଲମାନ ଅଲୀ ଆଘା, ଉସମାନ ଖାନ, ଅବରାର ଅହମଦ, ହ୍ୟାରିଶ ରୌଫ, ମହମ୍ମଦ ହସନୈନ, ନସୀମ ଶାହ, ଶାହୀନ ଶାହ ଆଫ୍ରିଦି।

Related story