Advertisment

ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସ୍ମିଥ ଓ ଜ୍ୟାକ ଫ୍ରେଜର ମ୍ୟାଗର୍କ ନାହାନ୍ତି

ଜ୍ୟାକ ଫ୍ରେଜର ଏବେ ଆଇପିଏଲରେ ଦମଦାର ବ୍ୟାଟିଂ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଫ୍ରେଜର ୧୫ ବଲରେ ୫୦ ରନ କରି ଚଳିତ ଆଇପିଏଲରେ ରେକର୍ଡ କରିଛନ୍ତି।

author-image
Hemant Lenka
AUS

AUS

ଜୁନ ୨ରୁ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ ପାଇଁ ଟିମ ଅଷ୍ଟ୍ରେଲିଆ ତା’ର ୧୫ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ତେବେ ସ୍କ୍ୱାଡରୁ ଆଶ୍ଚର୍ଯ୍ୟଜନକ ଭାବେ ଭେଟରାନ ବ୍ୟାଟର୍‌ ଷ୍ଟିଭ ସ୍ମିଥ, ଯୁବ ବିସ୍ଫୋରକ ବ୍ୟାଟର ଜ୍ୟାକ ଫ୍ରେଜର ମ୍ୟାଗର୍କ ଓ ଇନଫର୍ମ ଜେସନ ବେହେର୍ନଡ୍ରଫ ନାହାନ୍ତି। ସେହିପରି ଅଲରାଉଣ୍ଡର ମ୍ୟାଟ ଶର୍ଟଙ୍କୁ ମଧ୍ୟ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯାଇ ନାହିଁ।

Advertisment

ଜ୍ୟାକ ଫ୍ରେଜର ଏବେ ଆଇପିଏଲରେ ଦମଦାର ବ୍ୟାଟିଂ କରୁଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳୁଥିବା ଫ୍ରେଜର ୧୫ ବଲରେ ୫୦ ରନ କରି ଚଳିତ ଆଇପିଏଲରେ ରେକର୍ଡ କରିଛନ୍ତି। ଭେଟରାନ ଡାଭିଡ ୱାର୍ଣ୍ଣରଙ୍କ ବଦଳରେ ଦିଲ୍ଲୀ ତାଙ୍କ ଉପରେ ଅଧିକ ଭରସା ଦେଖାଉଛି। 

ତାଙ୍କ ଫର୍ମକୁ ଦୃଷ୍ଟିରେ ରଖି ସେ ଅଷ୍ଟ୍ରେଲିଆର ବିଶ୍ୱକପ ସ୍କ୍ୱାଡରେ ସାମିଲ ହେବେ ବୋଲି ଆଶା କରାଯାଉଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ ଏହି ଯୁବ ବ୍ୟାଟରଙ୍କୁ ବିଶ୍ୱକପ ପାଇଁ ଚୟନ କରିନାହିଁ।

Advertisment

ସେହିପରି ୨୦୨୨ ଟି-୨୦ ବିଶ୍ୱକପ ପରେ ଅଷ୍ଟ୍ରେଲିଆ ପାଇଁ ସମାନ ଫର୍ମାଟରେ ଗୋଟିଏ ହେଲେ ବି ମ୍ୟାଚ୍‌ ଖେଳି ନଥିବା ବାମହାତୀ ସ୍ପିନର ଅଷ୍ଟନ ଅଗରଙ୍କୁ ୧୫ ଜଣିଆ ସ୍କ୍ୱାଡରେ ସାମିଲ କରାଯିବା କ୍ରିକେଟ ପଣ୍ଡିତଙ୍କୁ ବିସ୍ମୟ କରିଛି। ଅଲରାଉଣ୍ଡର ଭାବେ ସ୍କ୍ୱାଡରେ ମାର୍କସ ଷ୍ଟୋଇନିସ, ଟିମ ଡାଭିଡ, କାମେରନ ଗ୍ରୀନ ଓ ଗ୍ଲେନ ମ୍ୟାକ୍ସୱେଲ ସ୍କ୍ୱାଡରେ ରହିଛନ୍ତି।

ଆଇପିଏଲରେ ରନ ପାଇଁ ସଂଘର୍ଷ କରୁଥିବା ଡାଭିଡ ୱାର୍ଣ୍ଣର ମଧ୍ୟ ଟି-୨୦ ବିଶ୍ୱକପ ଖେଳିବେ। ମିଚେଲ ମାର୍ଶଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଟ୍ରଫି ପାଇଁ ଟକ୍କର କରିବ।

ଅଷ୍ଟ୍ରେଲିଆ ସ୍କ୍ୱାଡ: ମିଚେଲ ମାର୍ଶ(ଅଧିନାୟକ), ଅଷ୍ଟନ ଅଗର, ପାଟ କମିନ୍ସ, ଟିମ ଡାଭିଡ, ନାଥନ ଏଲିସ, କାମେରନ ଗ୍ରୀନ, ଜୋଶ ହେଜେଲଉଡ, ଟ୍ରାଭିସ ହେଡ, ଜୋଶ ଇଙ୍ଗଲିସ, ଗ୍ଲେନ ମ୍ୟାକ୍ସୱେଲ, ମିଚେଲ ଷ୍ଟାର୍କ, ମାର୍କସ ଷ୍ଟୋଇନିସ, ମାଥ୍ୟୁ ୱେଡ, ଡାଭିଡ ୱାର୍ଣ୍ଣର ଓ ଆଡାମ ଜାମ୍ପା।

T20 Match T20 World Cup T20 Cricket Australia