Advertisment

ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଲଢ଼େଇ ପୂର୍ବରୁ ଭାରତ ପାଇଁ ଆସିଲା ପୁଣି ଗୋଟିଏ ଖରାପ ଖବର

ଟିମ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନଜର ଆସି ନ ପାରନ୍ତି।

Team India

Team India

Advertisment

ଚାମ୍ପିୟନ୍ସ ଟ୍ରଫି ସେମି ଫାଇନାଲରେ ନିଜର ସ୍ଥାନ ସୁରକ୍ଷିତ କରି ନେଇଥିବା ଭାରତ ଶେଷ ଗ୍ରୁପ ପର୍ଯ୍ୟାୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡକୁ ଭେଟିବ। ନ୍ୟୁଜିଲ୍ୟାଣ୍ଡ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ସେମିରେ ପ୍ରବେଶ କରି ସାରିଛି। ରବିବାର ଟେବୁଲ ଟପ୍ପର ପାଇଁ ଦୁଇ ଦେଶ ମଧ୍ୟରେ ଲଢ଼େଇ ହେବ। କିନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଭାରତ ପାଇଁ ଆସିଛି ଖରାପ ଖବର।

Advertisment

ଟିମ ଇଣ୍ଡିଆର ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ଶାମି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ନଜର ଆସି ନ ପାରନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ ବେଳେ ଶାମିଙ୍କ ପେଣ୍ଡାରେ ସମସ୍ୟା ଦେଖିବାକୁ ମିଳିଥିଲା। ଏଥିପାଇଁ ସେ କିଛି ସମୟ ବାହାରେ ମଧ୍ୟ ବିଶ୍ରାମ ନେଇଥିଲେ। ପରବର୍ତ୍ତୀ ଅବସ୍ଥାରେ ସେ ବୋଲିଂ କରିଥିଲେ ହେଁ ପାକିସ୍ତାନ ବିପକ୍ଷରେ କୌଣସି ପ୍ରକାରର ୱିକେଟ ପାଇ ନଥିଲେ।

ଗୋଟିଏ ପଟେ ଶାମି ଆହତ ହୋଇଥିବା ବେଳେ ଅନ୍ୟପଟେ ନ୍ୟୁଜିଲ୍ୟାଣ୍ଡ ଟିମରେ ୫ ଜଣ ବାମହାତୀ ବ୍ୟାଟର ରହିଛନ୍ତି। ତେଣୁ ଆସନ୍ତାକାଲି ମ୍ୟାଚ୍‌ରେ ବାମହାତୀ ଦ୍ରୁତ ବୋଲର ଅର୍ଶଦୀପ ସିଂହ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇ ପାରନ୍ତି। ଶୁକ୍ରବାର ଦୁବାଇ ଷ୍ଟାଡିୟମରେ ହୋଇଥିବା ଅଭ୍ୟାସ ସେସନ୍ସରୁ ଏହାର ସଙ୍କେତ ମିଳିଛି। ଅଭ୍ୟାସ ସେସନ୍ସରେ ଶାମିଙ୍କ ଅପେକ୍ଷା ଅର୍ଶଦୀପ ଅଧିକ ଝାଳ ବୁହାଇଛନ୍ତି।

Advertisment

ବୋଲିଂ କୋଚ୍‌ ମର୍ଣ୍ଣି ମୋର୍କେଲଙ୍କ ତତ୍ତ୍ୱାବଧାନରେ ଅର୍ଶଦୀପ ଢେର ସମୟ ଧରି ଅଭ୍ୟାସ କରିଥିଲେ। ଅର୍ଶଦୀପ ପୂରା ରନଅପରେ ୧୩ ଓଭର ବୋଲିଂ କରିଥିବା ବେଳେ ଶାମି କେବଳ ୬ରୁ ୭ ଓଭର ପକାଇଥିଲେ। ସେହିପରି ଶାମି ଜୋରରେ ମଧ୍ୟ ଦୌଡ଼ୁ ନଥିବା ଦେଖିବାକୁ ମିଳିଛି। ଯଦି ଶାମି କାଲିର ମ୍ୟାଚ୍‌ ନ ଖେଳନ୍ତି, ତା’ହେଲେ ଭାରତ ପାଇଁ ଏହା ଝଟକା ସଦୃଶ ହେବ।

ପୂର୍ବରୁ ଯଶପ୍ରୀତ ବୁମ୍ରାଙ୍କୁ ହରାଇ ସାରିଥିବା ଭାରତ ଏବେ ଶାମିଙ୍କ ଉପରେ ପୂରା ନିର୍ଭରଶୀଳ ରହିଛି। ସେହିପରି ଶାମି ଶେଷଥର ପାଇଁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଖେଳିବା ବେଳେ ୭ ୱିକେଟ ଦଖଲ କରିଥିଲେ। ୨୦୨୩ ମସିହା ଦିନିକିଆ ବିଶ୍ୱକପ ସେମି ଫାଇନାଲରେ ଶାମିଙ୍କୁ ଏପରି ସଫଳତା ମିଳିଥିଲା। 

ପାକିସ୍ତାନ ବିପକ୍ଷରେ ଭାରତ ଫେବୃଆରୀ ୨୩ରେ ମ୍ୟାଚ୍‌ ଖେଳିଥିଲା। ଏହି ମ୍ୟାଚ୍‌ରେ ଶାମି ବ୍ୟକ୍ତିଗତ ଭାବେ ୩ ଓଭର ବୋଲିଂ କରିବା ପରେ ପଡ଼ିଆ ବାହାରକୁ ଚାଲି ଯାଇଥିଲେ। ଡ୍ରେସିଂ ରୁମରେ ଫିଜିଓ ତାଙ୍କର ଡାହାଣ ଗୋଡ଼ର ପେଣ୍ଡାରେ ମସାଜ କରିଥିଲେ। ଏହାର କିଛି ସମୟ ପରେ ଶାମି ପଡ଼ିଆକୁ ଆସିଥିଲେ। ଶାମି ଦୀର୍ଘ ୧୪ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଫେରିଛନ୍ତି।

ଏବେ ଆହତ ସମସ୍ୟା ପୁଣି ସମସ୍ତଙ୍କ ଚିନ୍ତା ବଢ଼ାଇଛି। ତେଣୁ ତାଙ୍କୁ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ରେ ବିଶ୍ରାମ ଦେଇ ଭାରତୀୟ ଟିମ ସେମି ଫାଇନାଲ ପାଇଁ ଫିଟ ରଖିବାକୁ ଯୋଜନା କରୁଛି। ଶୁକ୍ରବାର ଅଭ୍ୟାସ ସେସନ୍ସରୁ ଏହାର ସଙ୍କେତ ମଧ୍ୟ ମିଳିଛି।

ଅନ୍ୟପକ୍ଷରେ ଟିମ ଇଣ୍ଡିଆର ନିୟମିତ ଅଧିନାୟକ ରୋହିତ ଶର୍ମା ମଧ୍ୟ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚ୍‌ ପାଇଁ ୧୦୦% ଫିଟ ନଥିବା ଜଣାପଡ଼ିଛି। ତେଣୁ ଟିମ ମ୍ୟାନେଜମେଣ୍ଟ ତାଙ୍କୁ ଗ୍ରୁପ ଏର ଶେଷ ମ୍ୟାଚ୍‌ରେ ବିଶ୍ରାମ ଦେବାକୁ ବିଚାର କରୁଛି। ଭାରତ ଯେହେତୁ ସେମିରେ ସ୍ଥାନ ସୁରକ୍ଷିତ କରି ନେଇଛି, ସେଥିପାଇଁ ମ୍ୟାନେଜମେଣ୍ଟ ରୋହିତଙ୍କୁ ବିଶ୍ରାମ ଦେବା ସପକ୍ଷରେ ରହିଥିବା ରିପୋର୍ଟ ପ୍ରକାଶ ପାଇଛି।

ଯଦି ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ମ୍ୟାଚରେ ରୋହିତ ଶର୍ମାଙ୍କୁ ବିଶ୍ରାମ ମିଳିବ, ତା’ହେଲେ ଉପ ଅଧିନାୟକ ଶୁବମନ ଗିଲ ନେତୃତ୍ୱ ନେବେ। ରୋହିତ ମାଂସପେଶୀ ଜନିତ ସମସ୍ୟାରେ ପଡ଼ିଛନ୍ତି। ପାକିସ୍ତାନ ବିପକ୍ଷ ମ୍ୟାଚ୍‌ରେ ସେ ମାଂସପେଶୀ ସମସ୍ୟାରେ ପଡ଼ିଥିଲେ। ଏଥିଯୋଗୁ ତାଙ୍କୁ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା ଓ ଗିଲ କିଛି ସମୟ ପାଇଁ ପାକିସ୍ତାନ ବିପକ୍ଷରେ ଦଳର ନେତୃତ୍ୱ ନେଇଥିଲେ। ଅବଶ୍ୟ ହିଟମ୍ୟାନ ପରବର୍ତ୍ତୀ ଅବସ୍ଥାରେ ରନ ଚେଜ ବେଳେ ବ୍ୟାଟିଂ କରିବାକୁ ଆସିଥିଲେ।

ଏବେ ବି ସେ ସଂପୂର୍ଣ୍ଣ ଭାବେ ଆହତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି। ଏଥିପାଇଁ ସେ ଦୁବାଇରେ ଭାରତ କରୁଥିବା ଅଭ୍ୟାସ ସେସନ୍ସରେ ମଧ୍ୟ ବ୍ୟାଟ ଚଳାଇ ନାହାନ୍ତି। ତାଙ୍କୁ ଭାରତର ଷ୍ଟ୍ରେନ୍ଥ ଓ କଣ୍ଡିସନିଂ କୋଚ ଏବଂ ଫିଜିଓଥେରାପିଷ୍ଟଙ୍କ ସହ ଦେଖିବାକୁ ମିଳିଥିଲା। ଏଥିରୁ ସ୍ପଷ୍ଟ ହେଉଛି ଯେ ରୋହିତ ମାଂସପେଶୀ ଜନିତ ସମସ୍ୟାରୁ ମୁକୁଳି ପାରି ନାହାନ୍ତି।

Indian Cricket Team India Team India Champions Trophy
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe