Advertisment

ଭାରତ ନ ଆସିଲେ ବି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜନ କରିବ ପାକିସ୍ତାନ

ଗୋଟିଏ ପଟେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଅନ୍ୟପଟେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ବିବାଦର ନୂଆ କେନ୍ଦ୍ରବିନ୍ଦୁ ପାଲଟିଛି।

author-image
Hemant Lenka
India

India

ଭାରତକୁ ପରୋକ୍ଷରେ ନାଲି ଆଖି ଦେଖାଇଛି ପାକିସ୍ତାନ। ଭାରତୀୟ ଟିମ ଯଦି ଠିକଣା ସମୟରେ ପାକିସ୍ତାନ ଆସି ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ନ ଖେଳିବ, ତା’ହେଲେ ମଧ୍ୟ ଟୁର୍ଣ୍ଣାମେଣ୍ଟ ବନ୍ଦ ହେବନାହିଁ। ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଧାର୍ଯ୍ୟ ସୂଚୀ ଅନୁସାରେ ଅନୁଷ୍ଠିତ ହେବ ବୋଲି ଆଜି ପାକିସ୍ତାନ କ୍ରିକେଟ ବୋର୍ଡ କହିଛି। 

Advertisment

ଗୋଟିଏ ପଟେ ଚାମ୍ପିୟନ୍ସ ଟ୍ରଫିକୁ ନେଇ ଦୁଇ ଦେଶ ମଧ୍ୟରେ ତିକ୍ତତା ଚାଲିଥିବା ବେଳେ ଅନ୍ୟପଟେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ବିବାଦର ନୂଆ କେନ୍ଦ୍ରବିନ୍ଦୁ ପାଲଟିଛି। ଚାମ୍ପିୟନ୍ସ ଟ୍ରଫି ଖେଳିବାକୁ ଭାରତର ଜାତୀୟ କ୍ରିକେଟ ଟିମ ପାକିସ୍ତାନ ଯିବାକୁ ମନା କରିସାରିଛି। ଏହାକୁ ନେଇ ଟୁର୍ଣ୍ଣାମେଣ୍ଟର ଭବିଷ୍ୟତ ଉପରେ ପ୍ରଶ୍ନ ଉଠିଛି।

ଏସବୁ ଭିତରେ ପାକିସ୍ତାନରେ ଆଉ କିଛି ଦିନ ପରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆରମ୍ଭ ହେବ। ଏଥିରେ ଭାରତ ଯୋଗ ଦେବ କି ନାହିଁ, ସେକଥା ସ୍ପଷ୍ଟ ହୋଇନାହିଁ। ପାକିସ୍ତାନ ଯିବା ପୂର୍ବରୁ ଆବଶ୍ୟକ ସରକାରୀ ଅନୁମୋଦନ ଅପେକ୍ଷାପରେ ଭାରତୀୟ ଦୃଷ୍ଟିହୀନ କ୍ରିକେଟ ଟିମ ରହିଛି।

Advertisment

ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଖେଳିବା ପାଇଁ ଭାରତୀୟ ଟିମକୁ କ୍ରୀଡ଼ା ମନ୍ତ୍ରଣାଳୟ ଅନୁମତି ଦେଇ ସାରିଛି। କିନ୍ତୁ ଗସ୍ତ ପାଇଁ ଆବଶ୍ୟକ ଅନୁମତି ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଓ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ତର‍ଫରୁ ଦଳକୁ ମିଳିନାହିଁ।

ତେଣୁ ଭାରତୀୟ ଟିମ ପାକିସ୍ତାନ ଯିବ କି ନାହିଁ, ସେକଥା ଜଣାପଡ଼ିନାହିଁ। ଭାରତ ଯଦି ପାକିସ୍ତାନ ନ ଆସିବ, ତା’ହେଲେ ମଧ୍ୟ ଧାର୍ଯ୍ୟ ସୂଚୀ ଅନୁସାରେ ପାକିସ୍ତାନ କ୍ରିକେଟ ବୋର୍ଡ ନଭେମ୍ବର ୨୩ରୁ ଡିସେମ୍ବର ୩ ମଧ୍ୟରେ ଦୃଷ୍ଟିହୀନ ଟି-୨୦ ବିଶ୍ୱକପ ଆୟୋଜନ କରିବ।

ପିବିସିସି ଅଧ୍ୟକ୍ଷ ସୟିଦ ସୁଲତାନ ଶାହ କହିଛନ୍ତି, “ପାକିସ୍ତାନ ପକ୍ଷରୁ ଭାରତୀୟ ଟିମ ପାଇଁ ଭିସା ଜାରି କରାଯାଇ ସାରିଛି। କିନ୍ତୁ ଭାରତ ସରକାର ଗସ୍ତ ପାଇଁ ଅନୁମତି ଦେବାକୁ ମନା କରୁଛନ୍ତି। ଅନ୍ୟ ସମସ୍ତ ଟିମ ବିଶ୍ୱକପ ଖେଳିବାକୁ ପାକିସ୍ତାନ ଆସୁଛନ୍ତି। ଯଦି କୌଣସି ଗୋଟିଏ ଟିମ ନ ଆସିବ, ତା’ହେଲେ ଟୁର୍ଣ୍ଣାମେଣ୍ଟ ଉପରେ ଏହାର କୌଣସି ପ୍ରଭାବ ପଡ଼ିବ ନାହିଁ। ଭାରତ ନ ଆସିଲେ ବି ଧାର୍ଯ୍ୟ ସୂଚୀ ଅନୁସାରେ ପାକିସ୍ତାନ ଟି-୨୦ ବିଶ୍ୱକପ ଆୟୋଜନ କରିବ।”

ଭାରତୀୟ ଦୃଷ୍ଟିହୀନ କ୍ରିକେଟର ସଂଘର ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ଯାଦବଙ୍କ କହିବା କଥା ଯେ ସେମାନେ ଅନୁମତି ପାଇଁ ପ୍ରାୟ ୨ ସପ୍ତାହ ଧରି ଅପେକ୍ଷା କରି ରହିଛନ୍ତି।

ସେ କହିଛନ୍ତି ଯେ “ପ୍ରାୟ ୧୫ ଦିନ ହେଲାଣି ଆମେ ଅନୁମତି ଅପେକ୍ଷାରେ ରହିଛୁ। ଆମେ ସରକାରଙ୍କ ଠାରୁ ହଁ କିମ୍ବା ନା ଶୁଣିବାକୁ ଚାହୁଁଛୁ। ୨୦୧୪ରେ ଆମେ ଶେଷଥର ପାଇଁ ଦ୍ୱିପାକ୍ଷିକ ସିରିଜ ଖେଳିବାକୁ ପାକିସ୍ତାନ ଯାଇଥିଲୁ। ୨୦୧୮ରେ ପାକିସ୍ତାନ ଗସ୍ତ କରିବାକୁ ଭାରତ ସରକାର ଅନୁମତି ଦେଇ ନଥିଲେ।

ଗତବର୍ଷ ଭାରତରେ ଅନୁଷ୍ଠିତ ଟୁର୍ଣ୍ଣାମେଣ୍ଟକୁ ପାକିସ୍ତାନ ଆସି ନଥିଲା। ଏବେ ସରକାର ଆମକୁ ଯାହା କହିବେ, ସେହି ଅନୁସାରେ ଆମେ ପଦକ୍ଷେପ ଗ୍ରହଣ କରିବୁ। ଯଦି ସରକାର ହଁ କହିବେ, ତା’ହେଲେ ଆମେ ଯିବୁ। ସରକାର ଯଦି ନା କହିଲେ, ତା’ହେଲେ ଆମେ ଯିବୁ ନାହିଁ। ଆମେ ସରକାରଙ୍କ ଠାରୁ ସ୍ପଷ୍ଟତା ଚାହୁଁଛୁ।”

ଭାରତ ହେଉଛି ଦୃଷ୍ଟିହୀନ ଟି-୨୦ ବିଶ୍ୱକପର ଡିଫେଣ୍ଡିଂ ଚାମ୍ପିୟନ। ଭାରତୀୟ ଟିମ ଟି-୨୦ ବିଶ୍ୱକପର ସମସ୍ତ ୩ଟି ଯାକ ସଂସ୍କରଣରେ ଚାମ୍ପିୟନ ହୋଇଛି। ୨୦୧୨, ୨୦୧୭ ଓ ୨୦୨୨ରେ ଦଳ ବିଶ୍ୱକପ ଜିତିଥିଲା। ୨୦୨୨ ବିଶ୍ୱକପ ଫାଇନାଲରେ ଭାରତୀୟ ଟିମ ୧୨୦ ରନରେ ବାଂଲାଦେଶକୁ ହରାଇ ବେଙ୍ଗାଲୁରୁରେ ଚାମ୍ପିୟନ ହୋଇଥିଲା।

Pakistan T20 Cricket Blind World Cup