Advertisment

ବଦଳିଲେ କ୍ୟାପ୍ଟେନ, କିନ୍ତୁ ବଦଳିଲାନି ଭାଗ୍ୟ: ପୁଣି ନିରାଶ କଲେ ଭାରତୀୟ ବ୍ୟାଟର

ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବା ବେଳେ ଶେଷ ଭାଗରେ ଅଧିନାୟକ ବୁମ୍ରା ୨୨ ରନର ଇନିଂସ ଖେଳିବାରୁ ଦଳ ୧୮୫ କରିବାକୁ ସକ୍ଷମ ହୋଇଛି।

author-image
Hemant Lenka
India

India

ପ୍ରଥମେ ପର୍ଥରେ ବ୍ୟାଟର ନିରାଶ କଲେ। କିନ୍ତୁ ବୋଲରଙ୍କ ଦମରେ ଭାରତ ଚମତ୍କାର ଢଙ୍ଗରେ ମ୍ୟାଚ୍‌ ଜିତି ନେଲା। ଏହାପରେ ପିଙ୍କ ବଲ ଟେଷ୍ଟରେ ବ୍ୟାଟର ପୁଣି ହାତ ଟେକି ଦେଲେ। ଭାରତ ୧୦ ୱିକେଟରେ ହାରିଲା। ତୃତୀୟ ଟେଷ୍ଟରେ ମଧ୍ୟ ଭାରତ ହାରିବାର ଯଥେଷ୍ଟ ଆଶଙ୍କା ରହିଥିଲା। କିନ୍ତୁ ବର୍ଷା ଦଳକୁ ବଞ୍ଚାଇ ଦେଲା। ମ୍ୟାଚ୍‌ ଡ୍ରରେ ଶେଷ ହେଲା। ୪ର୍ଥ ଟେଷ୍ଟରେ ପୁଣି ସମାନ ଘଟଣା ଘଟିଲା। ବ୍ୟାଟରଙ୍କ ବିଫଳତା ଯୋଗୁ ଅଷ୍ଟ୍ରେଲିଆ ଡ୍ର ହେବାକୁ ଯାଉଥିବା ମ୍ୟାଚ୍‌କୁ କବଜା କରିଥିଲା। ଏହି ବିଜୟ ସହ କଙ୍ଗାରୁ ଟିମ ବର୍ଡର-ଗାଭାସ୍କର ଟ୍ରଫିରେ ୨-୧ରେ ଆଗୁଆ ହୋଇଗଲା।

Advertisment

୫ମ ତଥା ଶେଷ ଟେଷ୍ଟରେ ଭାରତୀୟ ଟିମ ନିଜର ନିୟମିତ ଅଧିନାୟକ ରୋହିତ ଶର୍ମାଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ ଦେଲା। ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିଲେ। କିନ୍ତୁ ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ବ୍ୟାଟରମାନେ ପୁଣି ନିରାଶ କରିଛନ୍ତି। ଭାରତୀୟ ଟିମ ପ୍ରଥମ ଇନିଂସରେ ମାତ୍ର ୧୮୫ ରନ କରି ଅଲଆଉଟ ହୋଇଯାଇଛି।

ଦଳ ପକ୍ଷରୁ ଋଷଭ ପନ୍ତ ସର୍ବାଧିକ ୪୦ ରନ କରିଥିବା ବେଳେ ଶେଷ ଭାଗରେ ଅଧିନାୟକ ବୁମ୍ରା ୨୨ ରନର ଇନିଂସ ଖେଳିବାରୁ ଦଳ ୧୮୫ କରିବାକୁ ସକ୍ଷମ ହୋଇଛି। ଅଧିନାୟକ ବଦଳିଥିଲେ ହେଁ ଭାରତୀୟ ଟିମର ଭାଗ୍ୟ ବଦଳି ନାହିଁ।

Advertisment

ରୋହିତ ଶର୍ମା ଖରାପ ଫର୍ମ ଦେଇ ଗତି କରୁଥିବାରୁ ଆଜି ସେ ନିଜ ଆଡ଼ୁ ଚୂଡ଼ାନ୍ତ ଏକାଦଶରୁ ଓହରି ଯାଇଥିଲେ। ତାଙ୍କ ବଦଳରେ ଶୁବମନ ଗିଲ ସୁଯୋଗ ପାଇଥିଲେ। କିନ୍ତୁ ସେ ବି ଆଜି କିଛି ଖାସ କରି ନାହାନ୍ତି। ବିରାଟ କୋହଲି ପୁଣିଥରେ ଫେଲ ମାରିଛନ୍ତି। କେଏଲ ରାହୁଲ କେବଳ ୪ ରନ କରିବାକୁ ସକ୍ଷମ ହୋଇଛନ୍ତି।

ଭାରତ ପ୍ରଥମ ଇନିଂସରେ ୧୮୫ ରନ କରିବା ପରେ ଅଷ୍ଟ୍ରେଲିଆ ଆଜି ପ୍ରଥମ ଦିନରେ ୩ ଓଭର ବ୍ୟାଟିଂ କରିଛି। ଏହି ୩ ଓଭର ବେଶ ନାଟକୀୟ ରହିଥିଲା। ସାମ କୋନଷ୍ଟାସ ଓ ଯଶପ୍ରୀତ ବୁମ୍ରାଙ୍କ ମଧ୍ୟରେ ବେଶ ଟକ୍କାରି ଟକ୍କରି ହୋଇଛି। ଦିବସର ଶେଷ ବଲରେ ବୁମ୍ରା ଓପନର ଉସମାନ ଖାୱାଜା(୨)ଙ୍କୁ ଆଉଟ କରି ଭାରତୀୟ କ୍ୟାମ୍ପରେ ଖୁସି ଭରି ଦେଇଛନ୍ତି। କୋନଷ୍ଟାସ ୭ ରନ କରି ଅପରାଜିତ ରହିଛନ୍ତି। ଅଷ୍ଟ୍ରେଲିଆ ଷ୍ଟମ୍ପ ଅପସାରଣ ବେଳକୁ ୧ ୱିକେଟ ହରାଇ ୯ ରନ କରିଛି।

ସିଡ୍‌ନୀର ଗ୍ରାସୀ ପିଚ୍‌ରେ ଟସ୍‌ ଜିତି ବୁମ୍ରା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ହେଲେ ଭାରତୀୟ ବ୍ୟାଟରମାନେ ଆଦୌ କମାଲ କରି ପାରି ନଥିଲେ। ରାହୁଲ(୪)ଙ୍କୁ ଆଉଟ କରି ମିଚେଲ ଷ୍ଟାର୍କ ଭାରତକୁ ପ୍ରଥମ ଝଟକା ଦେଇଥିଲେ। ଏହାପରେ ୧୦ ରନ କରିଥିବା ଯଶସ୍ୱୀ ଜୈସୱାଲଙ୍କୁ ସ୍କଟ ବୋଲାଣ୍ଡ ଆଉଟ କରିଥିଲେ। ବିରାଟ କୋହଲି ପ୍ରଥମ ବଲରେ ଆଉଟ ହେବାର ଆଶଙ୍କା ପ୍ରକାଶ ପାଇଥିଲା। ସ୍ଲିପରେ ଫିଲ୍ଡିଂ କରିଥିବା ଷ୍ଟିଭ ସ୍ମିଥ କ୍ୟାଚ୍‌ ଧରି ଅପିଲ ମଧ୍ୟ କରିଥିଲେ। ହେଲେ ତୃତୀୟ ଅମ୍ପାୟାରଙ୍କ ନିଷ୍ପତ୍ତି ଯୋଗୁ ସେ ବର୍ତ୍ତି ଯାଇଥିଲେ।

ଶୁବମନ ଗିଲଙ୍କୁ ସାଥୀ କରି ସେ ଲଞ୍ଚ ଯାଏ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। କିନ୍ତୁ ଲଞ୍ଚର ଶେଷ ବଲରେ ହିଁ ୨୦ ରନ କରିଥିବା ଗିଲଙ୍କୁ ନାଥନ ଲାୟନ ଆଉଟ କରି ଭାରତକୁ ତୃତୀୟ ଝଟକା ଦେଇଥିଲେ। ଲଞ୍ଚ ପରେ ବିରାଟ ୧୭ ରନ କରି ପୁଣିଥରେ ବୋଲାଣ୍ଡଙ୍କ ଶିକାର ବନିଥିଲେ। ତେବେ ଋଷଭ ପନ୍ତ ଓ ରବୀନ୍ଦ୍ର ଜାଡେଜା ଟି ଯାଏ ଆଉ କୌଣସି ବିପର୍ଯ୍ୟୟ ନ ଘଟାଇ ଦଳୀୟ ସ୍କୋରକୁ ୧୦୭ରେ ପହଞ୍ଚାଇ ଦେଇଥିଲେ।

ପନ୍ତ ଟି ପରେ ମଧ୍ୟ ଭଲ ଲୟରେ ଦେଖାଯାଉଥିଲେ। କିନ୍ତୁ ବୋଲାଣ୍ଡଙ୍କୁ ବଡ଼ ଶଟ ମାରିବାକୁ ଯାଇ ସେ ପାଟ କମିନ୍ସଙ୍କ ହାତରେ ଧରାପଡ଼ି ଯାଇଥିଲେ। ପରବର୍ତ୍ତୀ ବଲରେ ନୀତୀଶ କୁମାର ରେଡ୍ଡୀ ତାଙ୍କ ଶିକାର ବନିଥିଲେ। ଦଳୀୟ ସ୍କୋର ୧୩୪ ଥିବା ବେଳେ ରବୀନ୍ଦ୍ର ଜାଡଜା(୨୬) ଓ ୧୪୮ ରନ ଥିବା ବେଳେ ୱାଶିଂଟନ ସୁନ୍ଦର(୧୪) ପ୍ୟାଭିଲିୟନ ଫେରିଥିଲେ। ପ୍ରସିଦ୍ଧ କ୍ରିଷ୍ଣା ମଧ୍ୟ କେବଳ ୩ ରନ କରିବାକୁ ସକ୍ଷମ ହୋଇଥିଲେ।

୧୬୮ ରନରେ ଭାରତ ୯ମ ୱିକେଟ ହରାଇଥିଲା। ଏତିକି ବେଳେ ମହମ୍ମଦ ସିରାଜଙ୍କୁ ସାଥୀ କରି ବୁମ୍ରା ଦଳ ପାଇଁ କିଛି ରନ ସଂଗ୍ରହ କରିଥିଲେ। ଶେଷରେ ସେ ୨୨ ରନ କରି କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। ବୁମ୍ରା ଆଉଟ ହେବା ସହ ଭାରତର ପ୍ରଥମ ଇନିଂସ ୧୮୫ ରନରେ ଅଟକି ଯାଇଥିଲା।

ଅଷ୍ଟ୍ରେଲିଆ ପକ୍ଷରୁ ବୋଲାଣ୍ଡ ସର୍ବାଧିକ ୪ଟି ୱିକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ୩ଟି, ପାଟ କମିନ୍ସ ୨ଟି ଓ ନାଥନ ଲାୟନ ଗୋଟିଏ ୱିକେଟ ପାଇଛନ୍ତି।

Rohit Sharma Border Gavaskat Trophy New Year Test