/odisha-reporter/media/media_files/2025/11/14/bumrah-2025-11-14-17-15-59.jpg)
ୱିକେଟ ଦଖଲ ପରେ ବୁମ୍ରା
ବିଶ୍ୱ ଟେଷ୍ଟ(Test Cricket) ଚାମ୍ପିୟନ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଭାରତର ଦବଦବା। ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ସ୍ପିଡଷ୍ଟାର ଯଶପ୍ରୀତ ବୁମ୍ରା ନିଜର ଜଲୱା ଦେଖାଇଛନ୍ତି। ସେ ୫ ୱିକେଟ ଦଖଲ କରିବାରୁ ଅଷ୍ଟ୍ରେଲିଆକୁ ହରାଇ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ତାଜ ପିନ୍ଧିଥିବା ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ କେବଳ ୧୫୯ ରନରେ ଅଲଆଉଟ ହୋଇଯାଇଛି।
୨୦୦୮ ପରେ ଭାରତରେ ଖେଳା ଯାଉଥିବା ଟେଷ୍ଟର ପ୍ରଥମ ଦିନରେ କୌଣସି ବୋଲର ୫ ୱିକେଟ ଦଖଲ କରିବା ପ୍ରଥମ ଘଟଣା। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକାର ଡେଲ ଷ୍ଟେନ ଏପରି କୀର୍ତ୍ତିମାନ ହାସଲ କରିଥିଲେ। ଏବେ ୧୭ ବର୍ଷ ପରେ ବୁମ୍ରେ ସମାନ ଇତିହାସ ସୃଷ୍ଟି କରିଛନ୍ତି। ବୁମ୍ରାଙ୍କ ବ୍ୟତୀତ ମହମ୍ମଦ ସିରାଜ ଓ କୁଲଦୀପ ଯାଦବ ୨ଟି ଲେଖାଏ ଓ ଅକ୍ଷର ପଟେଲ ଗୋଟିଏ ସଫଳତା ପାଇଛନ୍ତି।
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୧୫୯ ରନରେ ଅଲଆଉଟ ହେବାରୁ ଭାରତ ତା’ର ଇନିଂସ ଆରମ୍ଭ କରିଛି। ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା ଭାରତ ଯଶସ୍ୱୀ ଜୈସୱାଲଙ୍କୁ ହରାଇ ୩୭ ରନ କରିଛନ୍ତି। ଜୈସୱାଲ ୧୨ ରନ କରି ମାର୍କୋ ୟାନସେନଙ୍କ ବଲରେ ଆଉଟ ହୋଇଛନ୍ତି। ଷ୍ଟମ୍ପ ଅପସରଣ ବେଳକୁ କେଏଲ ରାହୁଲ ୧୩ ଓ ପ୍ରମୋସନ ପାଇ ଉପରେ ବ୍ୟାଟିଂ କରୁଥିବା ୱାଶିଂଟନ ସୁନ୍ଦର ୬ ରନ କରି ଅପରାଜିତ ରହିଛନ୍ତି।
ଟସ୍ ଜିତି ପ୍ରଥମେ ବ୍ୟାଟଂ କରୁଥିବା ଦକ୍ଷିଣ ଆଫ୍ରିକା ପାଇଁ ଏଡେନ ମାର୍କରମ ଓ ରିକେଲଟନ ଦମଦାର ଆରମ୍ଭ କରିଥିଲେ। ଉଭୟ ପ୍ରଥମ ୱିକେଟ ପାଇଁ ୫୭ ରନ ମଧ୍ୟ ଯୋଡ଼ିଥିଲେ। ଏହାପରେ କିନ୍ତୁ ବୁମ୍ରା ବିପର୍ଯ୍ୟୟ ସୃଷ୍ଟି କରିଥିଲେ। ସେ ପ୍ରଥମେ ରିକେଲଟ(୨୩) ଓ ପରେ ମାର୍କରମ(୩୧)ଙ୍କୁ ପ୍ୟାଭିଲିନ ପଠାଇଥିଲେ।
କୁଲଦୀପ ଯାଦବଙ୍କ ବଲରେ ଆଉଟ ହୋଇଥିଲେ ଅଧିନାୟକ ତେମ୍ବା ବଭୂମା(୩) ଓ ୱିଆନ ମଡୁଲର(୨୪)। ଟୋନୀ ଡେ ଜୋରଜୀ କେବଳ ୨୪ ରନ କରିବାକୁ ସକ୍ଷମ ହୋଇଥିଲେ। ତାଙ୍କୁ ମଧ୍ୟ ବୁମ୍ରା ଆଉଟ କରିଥିଲେ।
ଟ୍ରିଷ୍ଟାନ ଷ୍ଟବ୍ସ ଗୋଟିଏ ପଟେ ରହିଥିଲେ ହେଁ ଅନ୍ୟପଟେ ତାଙ୍କୁ କେହି ବି ସାଥ ଦେଇ ନଥିଲେ। ମହମ୍ମଦ ସିରାଜ ଗୋଟିଏ ଓଭରରେ ପ୍ରଥମେ ଭେରୀୟେନେ(୧୫) ଓ ୟାନସେନ(୦)ଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକାର ଅଣ୍ଟା ଭାଙ୍ଗି ଦେଇଥିଲେ। କୋରବିନ ବଚ୍(୩) ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଥିଲେ। ଏହାପରେ ବୁମ୍ରା ପ୍ରଥମେ ୩ ରନ କରିଥିବା ହାରମେର ଓ ଶେଷରେ କେଶବ ମହାରାଜଙ୍କୁ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ। ବୁମ୍ରା(Jasprit Bumrah) ୧୪ ଓଭର ବୋଲିଂ କରି ୨୭ ରନ ଦେବା ସହ ୫ ୱିକେଟ ଦଖଲ କରିଛନ୍ତି। ଷ୍ଟବ୍ସ ଶେଷ ଯାଏ ୧୫ ରନ କରି ଅପରାଜିତ ରହିଥିଲେ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
