Advertisment

IPL Auction 2026: ରେକର୍ଡ ଦାମରେ ଗ୍ରୀନଙ୍କୁ କିଣିଲା କୋଲକାତା, ପୃଥ୍ୱୀ ଶ’ ଓ ସର୍ଫରାଜଙ୍କୁ କେହି କିଣିଲେନି

ପୃଥ୍ୱୀ ଶ’, ସର୍ଫରାଜ ଖାନ ଓ ଡେଭୋନ କନୱେଙ୍କ ଭଳି ଖେଳାଳିଙ୍କୁ କେହି ବି କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଡାଭିଡ ମିଲଙ୍କୁ ୨ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ।

author-image
Hemant Lenka
Green

କାମେରୁନ ଗ୍ରୀନ

ଆଇପିଏଲ ୨୦୨୬ ମିନି ଅକ୍ସନ(IPL Auction)ରେ ଅଷ୍ଟ୍ରେଲୀୟ ଅଲରାଉଣ୍ଡର କାମେରୁନ ଗ୍ରୀନଙ୍କ ଉପରେ ହୋଇଛି ଟଙ୍କା ବର୍ଷା। ଅକ୍ସନ ଯୁଦ୍ଧରେ ଶେଷରେ ବାଜି ମାରିଛି କୋଲକାତା ନାଇଟ ରାଇଡର୍ସ ବା କେକେଆର। ଗ୍ରୀନକୁ ରେକର୍ଡ ୨୫.୨୦ କୋଟି ଟଙ୍କାରେ କୋଲକାତା ନିଜ ସହ ସାମିଲ କରିଛି।

Advertisment

ଏଥିସହ ସେ ଆଇପିଏଲ ଇତିହାସର ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ କରିଛନ୍ତି। ସେହିପରି ମୋଟ ଉପରେ ସେ ଆଇପିଏଲ ଇତିହାସର ତୃତୀୟ ଦାମୀ ଖେଳାଳି ବନିଛନ୍ତି। ତାଙ୍କ ଉପରେ ଋଷଭ ପନ୍ତ(୨୭ କୋଟି) ଓ ଶ୍ରେୟସ ଆୟର(୨୫.୨୦ କୋଟି ରହିଛନ୍ତି। ଗ୍ରୀନଙ୍କ ପୂର୍ବରୁ ସବୁଠାରୁ ଦାମୀ ବିଦେଶୀ ଖେଳାଳି ହେବାର ରେକର୍ଡ ମିଚେଲ ଷ୍ଟାର୍କଙ୍କ ନାଁରେ ଥିଲା। ତାଙ୍କୁ କୋଲକାତା ୨୦୨୪ରେ ରେକର୍ଡ ୨୪.୭୫ କୋଟି ଟଙ୍କାରେ କିଣିଥିଲା। ଏବେ ଗ୍ରୀନ ତାଙ୍କୁ ଅତିକ୍ରମ କରି ଯାଇଛନ୍ତି।

ବେସ୍‌ ପ୍ରାଇସ ୨ କୋଟି ଟଙ୍କା କ୍ଲବରେ ଥିଲେ ଗ୍ରୀନ। ତାଙ୍କୁ(Cameron Green) ନେବା ପାଇଁ ମୁମ୍ବାଇ ବିଡ ଆରମ୍ଭ କରିଥିଲେ। ଏହାପରେ କିନ୍ତୁ ରାଜସ୍ଥାନ ରୟାଲ୍ସ ଓ କୋଲକାତା ମଧ୍ୟରେ ବିଡ ୱାର ଦେଖା ଯାଇଥିଲା। 

Advertisment

ତେବେ ୧୩.୪୦ କୋଟିରେ ବିଡ ପଞ୍ଚିବା ପରେ ରେସରୁ ଓହରି ଯାଇଥିଲା ରାଜସ୍ଥାନ। ଏହାପରେ କୋଲକାତା ଓ ଚେନ୍ନାଇ ମଧ୍ୟରେ ଲଢ଼େଇ ଦେଖିବାକୁ ମିଳିଥିଲା। କୋଲକାତା ୬୪ କୋଟି ଟଙ୍କା ଓ ଚେନ୍ନାଇ ୪୩ କୋଟି ଟଙ୍କା ସହ ମିନି ଅକ୍ସନକୁ ଆସିଥିବାରୁ ଦୁଇ ପ୍ରାଞ୍ଚାଇଜ ଗ୍ରୀନକୁ ନେବାକୁ ବେଶ ଆଗ୍ରହ ଦେଖାଇଥିଲେ।

କୋଲକାତା ୨୧.୨୦ କୋଟିର ବିଡ ଲଗାଇବା ପରେ ଚେନ୍ନାଇ କିଛି ସମୟ ଅପେକ୍ଷା କରି ପୁଣି ନିଲାମ ଡାକିଥିଲା। ଶେଷରେ ଗ୍ରୀନଙ୍କ ଦାମ ୨୨ କୋଟି ଛୁଇଁଥିଲା। ଏହାପରେ ମଧ୍ୟ ଚେନ୍ନାଇ ବିଡ ବନ୍ଦ କରି ନଥିଲା। କୋଲକାତା ମଧ୍ୟ ପଛରେ ପଡ଼ି ନଥିଲା। ଚେନ୍ନାଇ ୨୫.୨୦ କୋଟି ଯାଏ ଯାଇଥିଲା। ହଲେ ଶେଷରେ କୋଲକାତା ରେକର୍ଡ ୨୫.୨୦ କୋଟି ଟଙ୍କାରେ ଗ୍ରୀନକୁ କିଣିଛି।

୨୦୨୩ରେ ମୁମ୍ବାଇ ଗ୍ରୀନକୁ ୧୭.୫୦ କୋଟିରେ କିଣିଥିଲା। ଏହାପରେ ୨୦୨୪ରେ ସେ ବେଙ୍ଗାଲୁରୁକୁ ଟ୍ରେଡ ହୋଇ ସମାନ ଦାମରେ ଯାଇଥିଲେ। ଆହତ ସମସ୍ୟା ଯୋଗୁ ୨୦୨୫ରେ ଆଇପିଏ ଖେଳି ନଥିଲେ ଗ୍ରୀନ। ଏବେ କିନ୍ତୁ ମିନ ଅକ୍ସନରେ ସେ ରେକର୍ଡ ଦାମରେ ବିକ୍ରି ହୋଇଛନ୍ତି।  

ଆଇପିଏଲରେ ଗ୍ରୀନ ଏଯାଏ ୨୯ଟି ମ୍ୟାଚ୍‌ ଖେଳି ୭୦୭ ରନ କରିଛନ୍ତି। ସେହିପରି ସେ ୧୬ଟି ୱିକେଟ ମଧ୍ୟ ନେଇଛନ୍ତି। ତେଣୁ କୋଲକାତା ତାଙ୍କୁ ଏତେ ଟଙ୍କା ଦେଇ କିଣିଛି। 

ଅନ୍ୟପକ୍ଷରେ ପୃଥ୍ୱୀ ଶ’, ସର୍ଫରାଜ ଖାନ ଓ ଡେଭୋନ କନୱେଙ୍କ ଭଳି ଖେଳାଳିଙ୍କୁ କେହି ବି କିଣିବାକୁ ଆଗ୍ରହ ଦେଖାଇ ନାହାନ୍ତି। ଡାଭିଡ ମିଲଙ୍କୁ ୨ କୋଟି ଟଙ୍କାରେ କିଣିଛି ଦିଲ୍ଲୀ କ୍ୟାପିଟାଲ୍ସ। 

IPL Auction Cameron Green