Advertisment

ସାଂଘାତିକ କିଡ୍‌ନୀ ରୋଗରେ ପୀଡ଼ିତ ଅଲରାଉଣ୍ଡର କାମେରନ ଗ୍ରୀନ

ସେ ଏମିତି ଏକ ଷ୍ଟେଜରେ ଥିଲେ ଯେ ତାଙ୍କ ଆୟୁଷ ୧୨ ବର୍ଷରୁ ଅଧିକ ହେବନାହିଁ ବୋଲି ଡାକ୍ତରମାନେ କହିଥିଲେ।

author-image
Hemant Lenka
Green

Green

ପୂରା କ୍ରିକେଟ ଜଗତ ବିଶେଷ କରି ଅଷ୍ଟ୍ରେଲିଆ ଟିମ ବହୁତ ବଡ଼ ଓ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଦଳ ଷ୍ଟାର ଅଲରାଉଣ୍ଡର କାମେରନ୍ ଗ୍ରୀନ୍ ସାଂଘାତିକ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ତଥ୍ୟ ସାମ୍ନାକୁ ଆସିଛି।

Advertisment

ଜନ୍ମ ହେବା ଦିନ ଠାରୁ ତାଙ୍କର କିଡ୍‌ନୀରେ ସମସ୍ୟା ରହିଛି। ସେ ଏମିତି ଏକ ଷ୍ଟେଜରେ ଥିଲେ ଯେ ତାଙ୍କ ଆୟୁଷ ୧୨ ବର୍ଷରୁ ଅଧିକ ହେବନାହିଁ ବୋଲି ଡାକ୍ତରମାନେ କହିଥିଲେ। ଏବେ ସେ ଷ୍ଟେଜ ୨ କିଡ୍‌ନୀ ରୋଗରେ ରହିଛନ୍ତି। ତଥାପି ଦେଶ ପାଇଁ କ୍ରିକେଟ ଖେଳିବା ବନ୍ଦ କରି ନାହାନ୍ତି। 

ଗ୍ରୀନ ଯେଉଁ କିଡନୀ ରୋଗରେ ପୀଡ଼ିତ, ତା’ର କୌଣସି ଲକ୍ଷ୍ୟଣ ନଥାଏ। ଏହାକୁ କେବଳ ଅଲଟ୍ରାସାଉଣ୍ଡ ଦ୍ୱାରା ହିଁ ଡାକ୍ତରମାନେ ଠାବ କରିବେ। ଯଦି ଠିକଣା ସମୟରେ ଏହାକୁ ଠାବ କରା ଯାଇ ନ ପାରିବ, ତା’ହେଲେ ଏହା ଲୋକଙ୍କ ଜୀବନ ମଧ୍ୟ ନେଇପାରେ। ଷ୍ଟେଜ ୨ ଦୀର୍ଘକାଳୀନ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ନିଜେ ଗ୍ରୀନ ଏବେ ଏହାର ଖୁଲାସା କରିଛନ୍ତି।

Advertisment

୨୪ ବର୍ଷୀୟ ଗ୍ରୀନ ଅଷ୍ଟ୍ରେଲିଆ ପାଇଁ ସବୁ ପ୍ରକାରର କ୍ରିକେଟ ଫର୍ମାଟରେ ଖେଳିଛନ୍ତି। ଆଇପିଏଲରେ ମଧ୍ୟ ଗତଥର ସେ ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଖେଳିଥିଲେ। ୨୦୨୪ରେ ସେ ଆରସିବି ପାଇଁ ଖେଳିବେ। ୧୭.୫ କୋଟି ଟଙ୍କାରେ ଆରସିବି ତାଙ୍କୁ ମୁମ୍ବାଇରୁ ଟ୍ରେଡ ନିୟମ ଆଧାରରେ ନେଇଛି।

ଗ୍ରୀନ୍ କହିଛନ୍ତି, ସେ ଜନ୍ମ ହେବା ବେଳ ଠାରୁ ହିଁ ତାଙ୍କର କିଡ୍‌ନୀ ସମସ୍ୟା ରହିଥିଲା। ଗୋଟିଏ ସମୟରେ ତାଙ୍କର ଆୟୁ ମାତ୍ର ୧୨ ବର୍ଷ ରହିବ ବୋଲି ଡାକ୍ତରମାନେ କହିଥିଲେ। କିନ୍ତୁ ସେ କ୍ରିକେଟ୍ ଖେଳିବା ସହ ଏହି ସମସ୍ୟାର ମୁକାବିଲା କରିବାରେ ସକ୍ଷମ ହୋଇଛନ୍ତି। 

ପର୍ଥରେ '୭ କ୍ରିକେଟ୍'କୁ ଦେଇଥିବା ସାକ୍ଷାତକାରରେ ଗ୍ରୀନ କହିଛନ୍ତି ଯେ “ଯେତେବେଳେ ମୋର ଜନ୍ମ ହୋଇଥିଲା ସେତେବେଳେ ମୋର ବାପା ମା’ଙ୍କୁ କୁହାଯାଇଥିଲା ଯେ ମୋର ଗୁରୁତର କିଡନୀ ରୋଗ ଅଛି। କିନ୍ତୁ ମୁଁ କୌଣସି ଲକ୍ଷଣ ଅନୁଭବ କରିପାରି ନଥିଲି। କିନ୍ତୁ ନିକଟରେ ମୁଁ ଅଲଟ୍ରାସାଉଣ୍ଡରୁ ଏ ବାବଦରେ ସୂଚନା ପାଇଛି।

କ୍ରନିକ୍ କିଡନୀ ରୋଗ ହେଉଛି ମୂଳତଃ ଆପଣଙ୍କ କିଡନୀର ସୁସ୍ଥ କାର୍ଯ୍ୟର ଏକ ପ୍ରଗତିଶୀଳ ରୋଗ। ଦୁର୍ଭାଗ୍ୟବଶତ ମୋର କିଡନୀ ଅନ୍ୟମାନଙ୍କ କିଡନୀ ପରି ରକ୍ତକୁ ଫିଲ୍ଟର୍ କରେ ନାହିଁ। ଏହା ବର୍ତ୍ତମାନ ରକ୍ତକୁ ପ୍ରାୟ ୬୦% ଫିଲ୍ଟର୍ କରୁଛି। ଏହାକୁ କ୍ରନିକ କିଡ୍‌ନୀ ରୋଗର ଦ୍ୱିତୀୟ ପର୍ଯ୍ୟାୟ କୁହାଯାଏ।

ମୁଁ ନିଜକୁ ବହୁତ ଭାଗ୍ୟବାନ ମନେ କରେ ଯେ କ୍ରନିକ୍ କିଡନୀ ରୋଗ ଦ୍ୱାରା ମୁଁ ଶାରୀରିକ ଭାବରେ ପ୍ରଭାବିତ ହୋଇନାହିଁ। କ୍ରନିକ୍ କିଡ୍‌ନୀ ରୋଗର ପାଞ୍ଚଟି ପର୍ଯ୍ୟାୟ ଅଛି, ଯେଉଁଥିରେ ପ୍ରଥମ ପର୍ଯ୍ୟାୟ କମ୍ ଗୁରୁତର ଓ ଷ୍ଟେଜ ୫ରେ ପହଞ୍ଚି ଗଲେ ଟ୍ରାନ୍ସପ୍ଲାଣ୍ଟ କିମ୍ବା ଡାଏଲିସିସ୍ ଆବଶ୍ୟକ ପଡ଼ିଥାଏ।

ସୌଭାଗ୍ୟବଶତଃ ମୁଁ ଦ୍ୱିତୀୟ ପର୍ଯ୍ୟାୟରେ ପୀଡ଼ିତ। ଯଦି ଆପଣ କିଡନୀ ଗୁଡ଼ିକର ଯଥେଷ୍ଟ ଯତ୍ନ ନ ନିଅନ୍ତି ତେବେ ଏହା ଆଗକୁ ଭୟଙ୍କର ରୂପ ନେବ। କିଡନୀ ରୋଗ କେବେ ହେଲେ ଭଲ ହୋଇପାରିବ ନାହିଁ, କିନ୍ତୁ ଏହାର ବୃଦ୍ଧିକୁ ରୋକା ଯାଇପାରିବ। ତେଣୁ ଆପଣମାନେ ନିଜ କିଡ୍‌ନୀର ଯତ୍ନ ନିଅନ୍ତୁ।”

ଗ୍ରୀନଙ୍କ କହିବା କଥା ଯେ ଏହି ରୋଗରେ ତାଙ୍କର କୌଣସି ଅସୁବିଧା କରିନାହିଁ। ଅବଶ୍ୟ ଗତବର୍ଷ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦିନିକିଆ ମ୍ୟାଚ୍‌ରେ ଅଷ୍ଟ୍ରେଲିଆ ପାଇଁ ଖେଳୁଥିବା ବେଳେ ସେ ପାଞ୍ଚ ଓଭର ବୋଲିଂ କରିଥିଲେ। ୫୦ ଓଭର ଫିଲ୍ଡିଂ କରିବା ପରେ ଅପରାଜିତ ୮୯ ରନ୍ ସ୍କୋର କରିଥିଲେ। ତେବେ ବ୍ୟାଟିଂ କରିବା ବେଳେ ସେ ବାରମ୍ବାର କ୍ରାମ୍ପର ସମ୍ମୁଖୀନ ହୋଇଥିଲେ।

କ୍ରିକେଟ ଖେଳୁଥିଲେ ମଧ୍ୟ ଗ୍ରୀନ କମ ଲୁଣ ଓ ପ୍ରୋଟିନ ବ୍ୟବହାର କରନ୍ତି। ଏହା କ୍ରିକେଟ ଖେଳାଳିଙ୍କ ପାଇଁ ଆଦୌ ଭଲ ନୁହେଁ। ତଥାପି ନିଜର କିଡ୍‌ନୀ ରୋଗର ମୁକାବିଲା କରିବା ପାଇଁ ଗ୍ରୀନ କମ ପ୍ରୋଟିନ ନିଅନ୍ତି।

ଗ୍ରୀନଙ୍କ ମା’ ୧୯ ସପ୍ତାହର ଗର୍ଭବତୀ ଥିବା ବେଳେ ସ୍କାନ କରାଯାଇଥିଲା। ଏହି ସମୟରେ ଗ୍ରୀନ କିଡ୍‌ନୀ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଥିଲା। ତଥାପି ଗ୍ରୀନ ସବୁ ଘାତପ୍ରତିଘାତର ସମ୍ମୁଖୀନ ହୋଇ ଆଗକୁ ବଢ଼ି ଚାଲିଛନ୍ତି।

ଗ୍ରୀନ୍ ଅଷ୍ଟ୍ରେଲିଆ ପାଇଁ ଏଯାଏ ୨୪ଟି ଟେଷ୍ଟ, ୨୩ଟି ଦିନିକିଆ ଓ ୮ଟି ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ୧୦୭୫ ରନ୍ ସଂଗ୍ରହ କରି ଟେଷ୍ଟ କ୍ରିକେଟରେ ୩୦ ୱିକେଟ୍ ନେଇଛନ୍ତି। ଦିନିକିଆରେ ସେ ୧୬ ୱିକେଟ ସହ ୪୪୨ ରନ ଓ ଟି-୨୦ରେ ୫ ୱିକେଟ ସହ ୧୩୯ ରନ କରିଛନ୍ତି।

Cricket Australia Cameron Green