ଅଭିଷେକ ଶର୍ମା ଓ ସୂର୍ଯ୍ୟ କୁମାର
ପାରମ୍ପରିକ କ୍ରିକେଟ ପଣ୍ଡିତମାନେ ସବୁବେଳେ କୁହନ୍ତି କ୍ୟାଚ୍ ହିଁ ମ୍ୟାଚ ଜିତାଏ। କିନ୍ତୁ ପ୍ରକୃତରେ ଏହା ହୋଇଥାଏ? ଯଦି ଆପଣ ଆର ଶ୍ରୀଧର, ଆର ଅଶ୍ୱିନ ଓ ଏପରି କି ରବି ଶାସ୍ତ୍ରୀଙ୍କୁ ପଚାରିବେ, ତା’ହେଲେ ସେମାନେ ସିଧାସଳକ ଏହାକୁ ସମର୍ଥନ କରିବାକୁ ପଛ ଘୁଞ୍ଚା ଦେଇପାରନ୍ତି। ବିଶେଷ କରି ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଖେଳା ଯିବାକୁ ଥିବା ଟି-୨୦ ବିଶ୍ୱକପ(T20 World Cup) ସେମି ଫାଇନାଲ ପ୍ରସଙ୍ଗରେ ସେମାନେ ଏଥିରେ ଏକମତ ହୋଇ ନପାରନ୍ତି। କ୍ୟାଚ ଖସୁ କିନ୍ତୁ ଭାରତ ମ୍ୟାଚ୍ ଜିତୁ ବୋଲି ସେମାନେ ନିଶ୍ଚିତ କହିବେ। କାରଣ ପୂର୍ବରୁ ସେମାନେ ଏପରି ଏକ ସ୍ଥିତି ୱାଙ୍ଖଡେରେ ସାମ୍ନା କରି ସାରିଛନ୍ତି।
ଗୁରୁବାର ଭାରତ ଏହି ଷ୍ଟାଡିମୟରେ ଇଂଲଣ୍ଡର ମୁକାବିଲା କରିବ। ବାଜିରେ ଲାଗିବ ବିଶ୍ୱକପ ସେମି ଫାଇନାଲ। କିନ୍ତୁ ୨୦୧୬ରେ ଭାରତ ଏଠାରେ ଖେଳିଥିବା ସେମି ଫାଇନାଲରେ ପରାସ୍ତ ହୋଇଥିଲା। ସେହି ଜଖମ ଏବେ ବି ତାଜା ହୋଇ ରହିଛି।
ଶେଷଥର ପାଇଁ ଯେତେବେଳେ ୱାଙ୍ଖଡେରେ ଟି-୨୦ ବିଶ୍ୱକପ ସେମି ଫାଇନାଲ ଖେଳା ଯାଇଥିଲା ସେତେବେଳେ ଭାରତୀୟ ଖେଳାଳିଙ୍କ ପାଖକୁ ୱେଷ୍ଟଇଣ୍ଡିଜର ୫ କ୍ୟାଚ୍ ଆସିଥିଲା। କିନ୍ତୁ ଭାରତୀୟ ଖେଳାଳି ଧରିଥିବା ୫ କ୍ୟାଚ୍ରୁ କେବଳ ୨ଟି ହିଁ ସ୍କୋରବୋର୍ଡରେ ଗଣତି ହୋଇଥିଲା।
୨୦୧୬ ମାର୍ଚ୍ଚ ୩୧। ଆର ଅଶ୍ୱିନଙ୍କ ବଲରେ ଇଣ୍ଡିଜର ଲେଣ୍ଡଲ ସିମନ୍ସ ଶର୍ଟ ଥାର୍ଡରେ କ୍ୟାଚ ହୋଇଥିଲେ। ଏହା ଡାରେନ ସାମୀଙ୍କ ଟିମ ପାଇଁ ଶକ୍ତ ଝଟକା ଭାବେ ଦୃଶ୍ୟମାନ ହେବାକୁ ଯାଇଥିଲା। କିନ୍ତୁ ସେତେବେଳେ ପ୍ରଚଳିତ ନିୟମ ଅନୁସାରେ ଅନଫିଲ୍ଡ ଅମ୍ପାୟାର ନୋ ବଲ ଚେକ କରିଥିଲେ। ଆଉ ବଲଟି ନୋ ବଲ ହୋଇଥିବା ଥାର୍ଡ ଅମ୍ପାୟାର ଜାଣିବାକୁ ପାଇଥିଲେ। ଯଦି ସେହି ବଲରେ ସିମନ୍ସ କ୍ୟାଚ ନ ଦେଇଥାଆନ୍ତେ, ତା’ହେଲେ ତା’କୁ ଚେକ ମଧ୍ୟ କରାଯାଇ ନଥାଆନ୍ତା।
ଏହା ମୋ ଜୀବନର ସମ୍ଭବତଃ ସବୁଠାରୁ ଛୋଟ ନୋ-ବଲ ଥିଲା ବୋଲି ଅଶ୍ୱିନ ପରବର୍ତ୍ତୀ ଅବସ୍ଥାରେ କହିଥିଲେ। ମ୍ୟାଚ୍ର ୧୫ତମ ଓଭରରେ ମଧ୍ୟ ପୁଣି ଭାରତର ଭାଗ୍ୟ ବଦଳିବାର ସୁଯୋଗ ସୃଷ୍ଟି ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟା ବଲରେ ସିମନ୍ସ କଭର ଅଞ୍ଚଳରେ କ୍ୟାଚ ଦେଇଥିଲେ। ଅଶ୍ୱିନ ଏହାକୁ ଧରିଥିଲେ ହେଁ ଚେକ ବେଳେ ସେଇଟା ମଧ୍ୟ ନୋ-ବଲ ଥିଲା। ସିମନ୍ସ ସୁଯୋଗ ପାଇବା ସହ ଫ୍ରି-ହିଟରେ ଛକା ମାରିଥିଲେ।
ସମାନ କଥା ୧୮ତମ ଓଭରରେ ଘଟିଥିଲା। ଯଶପ୍ରୀତ ବୁମ୍ରାଙ୍କ ବଲରେ ରବୀନ୍ଦ୍ର ଜାଡେଜା ଲଙ୍ଗ ଅନରେ ଦମଦାର କ୍ୟାଚ୍ ଧରିଥିଲେ। କିନ୍ତୁ ଅମ୍ପାୟାର ଚେକ କରିବା ପରେ ଏହାକୁ ଛକା ଘୋଷଣା କରିଥିଲେ। ଜାଡେଜାଙ୍କ ଗୋଡ଼ ବାଉଣ୍ଡରୀରେ ଘଷି ହୋଇଯାଇଥିବା ଚେକିଂ ବେଳେ ସ୍ପଷ୍ଟ ହୋଇଥିଲା।
୩ଟି କ୍ୟାଚ୍ ୩ ଥର ବୃଥା। ଶେଷରେ ସିମନ୍ସ ମ୍ୟାଚ୍ ବିଜୟୀ ୮୨ ରନର ଇନିଂସ ଖେଳିଥିଲେ। ସେ ୭ଟି ଚୌକା ଓ ୫ଟି ଛକା ମାରି ମ୍ୟାଚକୁ ଭାରତ ହାତରୁ ନେଇ ଯାଇଥିଲେ। ଭାରତ ସେମି ଫାଇନାଲରୁ ବିଦାୟ ନେଇଥିଲା।
ସେହି ସମୟରେ ଫିଲ୍ଡିଂ କୋଚ ଥିବା ଆର ଶ୍ରୀଧର କହିଛନ୍ତି, “ସେଦିନ ରାତିର ହୃଦୟ ଭଙ୍ଗା ଘଟଣାକୁ ମୁଁ ଏଯାଏ ଭୁଲି ପାରିନାହିଁ। ଆମେ ଭାବିଥିଲୁ ଯେ ଆମ ପାଖରେ ଆବଶ୍ୟକ ରନ ରହିଛି। କିନ୍ତୁ ପଡ଼ିଆରେ ଯାହା ସବୁ ଘଟିଲା, ସେସବୁ ଆମକୁ ମହଙ୍ଗା ପଡ଼ିଲା। ଆମ ୧୯୨ ରନ କରିଥିଲୁ। କିନ୍ତୁ କାକର ଯୋଗୁ ଏହାକୁ ଡିଫେଣ୍ଡ କରିବା ସହଜ ହୋଇ ନଥିଲା। ସେହିପରି କ୍ୟାଚ ସହ ଘଟିଥିବା ଘଟଣା ଆମକୁ ପରାଜୟର ମୁହଁ ଦେଖିବାକୁ ବାଧ୍ୟ କରିଥିଲା।”
ସେଦିନ ରାତି ଭାରତୀୟ ଟିମର ଆଖି ଖୋଲିବା ପାଇଁ ଯଥେଷ୍ଟ ଥିଲା। ଭାରତର ବ୍ୟାଟିଂ ଭଲ ଥିଲା। କିନ୍ତୁ ଛକା ମାରିବାର ଶକ୍ତି ଦେଖିବାକୁ ମିଳି ନଥିଲା। ଭାରତ ମାତ୍ର ୩ଟି ଛକା ମାରିଥିବା ବେଳେ ସିମନ୍ସ ଓ ଆନ୍ଦ୍ରେ ରସେଲ ଇଣ୍ଡିଜ ପାଇଁ ୧୧ଟି ଛକା ହିଟ କରିଥିଲେ।
୨୦୧୬ରୁ ଇତି ମଧ୍ୟ ଅନେକ କିଛି ବଦଳି ଯାଇଛି। ଭାରତ ଚଳିତ ବିଶ୍ୱକପରେ ୭ଟି ମ୍ୟାଚ୍ ଖେଳି ୬୯ଟି ଛକା ମାରିଛି। ପ୍ରତି ୨ ଓଭରରେ ଦଳ ଗୋଟିଏ ଛକା ମାରିବାର କ୍ଷମତା ରଖିଛି। ସୂର୍ଯ୍ୟ କୁମାର ଯାଦବଙ୍କ ଦଳ ସେମି ଫାଇନାଲରେ ପ୍ରବେଶ କରିଥିବା ୪ ଟିମ ମଧ୍ୟରୁ ସର୍ବାଧିକ ଛକା ମାରିବା ରେକର୍ଡ ନିଜ ନାଁରେ କରିପାରିଛି। ତଥାପି ୱେଷ୍ଟଇଣ୍ଡିଜ ଟିମ ତୁଳନାରେ ଭାରତ ପଛରେ ରହିଛି। ଇଣ୍ଡିଜ ଟୁର୍ଣ୍ଣାମେଣ୍ଟରେ ୭୬ଟି ଛକା ମାରିଥିବା ବେଳେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି।
ଯଦିଓ ପାୱାର ହିଟିଂ ସମସ୍ୟା ଦୂର ହୋଇ ସାରିଛି, କିନ୍ତୁ ଫିଲ୍ଡିଂ ଏବେ ବି ଭାରତ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରୁଛି। ଇଣ୍ଡିଜ ବିପକ୍ଷ ଇଡେନ ମ୍ୟାଚରେ ଅଭିଷେକ ଶର୍ମା ଦୁଇଟି କ୍ୟାଚ୍ ଛାଡ଼ିଥିଲେ। ସେହିପରି କ୍ୟାଚ୍ ଧରିବା ଦକ୍ଷତାରେ ଭାରତ ଚଳିତ ବିଶ୍ୱକପରେ ଭାଗ ନେଇଥିବା ୨୦ ଦଳ ମଧ୍ୟରୁ ଭାରତ ୧୫ ନମ୍ବର ସ୍ଥାନରେ ଅଛି। ଏପରି କି ପ୍ରଥମଥର ବିଶ୍ୱକପ ଖେଳିଥିବା ଇଟାଲୀ ପଛରେ ଭାରତ ରହିଛି।
ସୁପର ୮କୁ ଯାଇଥିବା ୮ ଦଳ ମଧ୍ୟରେ ଭାରତର କ୍ୟାଚ ଦକ୍ଷତା ସବୁଠାରୁ ଖରାପ ରହିଥିଲା। ୭୧.୭% ସଫଳତାର ସହ ଭାରତ ୩୩ଟି କ୍ୟାଚ୍ ଧରିଛି ଓ ୧୩ଟି ଛାଡ଼ିଛି। ସେମି ଫାଇନାଲକୁ ଯାଇଥିବା ୪ ଦଳ ମଧ୍ୟରେ ଇଂଲଣ୍ଡର କ୍ୟାଚ ଦକ୍ଷତା ସବୁଠାରୁ ଭଲ ୮୭% ରହିଛି। ଏହି ଦଳକୁ ଭାରତ ଗୁରୁବାର ୱାଙ୍ଖଡେରେ ଭେଟିବ।
ଟି-୨୦ ବିଶ୍ୱକପରେ ଭାରତ ଓ ଇଂଲଣ୍ଡ ପରସ୍ପରକୁ ୬ଷ୍ଠ ଥର ଭେଟିବାକୁ ଯାଉଛନ୍ତି। ଭାରତ ୨୦୦୭ରେ ଜିତିଥିବା ବେଳେ ୨୦୦୯ରେ ବାଜି ମାରିଥିଲା ଇଂଲଣ୍ଡ। ୨୦୧୨ରେ ଭାରତ ପୁଣି ଜିତିଥିଲା। କିନ୍ତୁ ୨୦୨୨ରେ ଇଂଲଣ୍ଡ ୧୦ ୱିକେଟରେ ମ୍ୟାଚ୍କୁ ଜିତି ଫାଇନାଲକୁ ଯାଇଥିଲା। ୨୦୨୪ ସେମି ଫାଇନାଲରେ ଇଂଲଣ୍ଡକୁ ହରାଇ ଥିବା ଭାରତ ପରବର୍ତ୍ତୀ ସମୟରେ ଚାମ୍ପିୟନ ଆଖ୍ୟା ପାଇଥିଲା।
ଅର୍ଥାତ କ୍ରମାଗତ ୩ୟ ଥର ପାଇଁ ଟି-୨୦ ବିଶ୍ୱକପର ସେମିଫାଇନାଲରେ ମୁହାଁମୁହିଁ ହେବାକୁ ଯାଉଛନ୍ତି ଭାରତ-ଇଂଲଣ୍ଡ। ଟି-୨୦ ବିଶ୍ୱକପରେ ଉଭୟ ଦଳ ପରସ୍ପର ସହ ୫ଟି ମ୍ୟାଚ୍ ଖେଳିଥିବାବେଳେ ଭାରତ ୩ଟି ଓ ଇଂଲଣ୍ଡ ୨ଟି ମ୍ୟାଚରେ ଜିତିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/media_files/2026/03/04/sky-2026-03-04-18-33-16.jpg)