Advertisment

ରେକର୍ଡ ବ୍ରେକିଂ ଇନିଂସ ପରେ ନମ୍ବର ୧ ସ୍ଥାନକୁ ଫେରିଲେ ଆଟାପଟୁ

ବାମହାତୀ ଆଟାପଟୁଙ୍କ ଏହା ୯ମ ଦିନିକିଆ ଶତକ। ମହିଳା ଦିନିକିଆରେ ଚେଜ ସମୟରେ କେବେ ହେଲେ ଏତେ ବଡ଼ ଇନିଂସ କେହି ଖେଳି ନଥିଲେ।

author-image
Hemant Lenka
Chamari Athapaththu

Chamari Athapaththu

ଆଇସିସି ମହିଳା ଦିନିକିଆ ବ୍ୟାଟିଂ ରାଙ୍କିଙ୍ଗର ୧ନଂ ସ୍ଥାନକୁ ପୁଣିଥରେ ଦଖଲ କରିଛନ୍ତି ଶ୍ରୀଲଙ୍କାର ଅଧିନାୟକ ଚାମିରା ଆଟାପଟୁ। ଦକ୍ଷିଣ ଆଫ୍ରିକା ବିପକ୍ଷ ତୃତୀୟ ଦିନିକିଆରେ ସେ ରେକର୍ଡ ବ୍ରେକିଂ ଅପରାଜିତ ୧୯୫ ରନ ଇନିଂସ ଖେଳିବା ପରେ ତାଙ୍କୁ ଏପରି ସଫଳତା ମିଳିଛି। ଏହି ଇନିଂସ ଯୋଗୁ ଆଇସିସି ମହିଳା ଚାମ୍ପିୟନଶିପ ସିରିଜକୁ ମଧ୍ୟ ଶ୍ରୀଲଙ୍କା ୧-୧ ସ୍ଥିତିକୁ ନେଇ ଆସିଛି।

Advertisment

ବାମହାତୀ ଆଟାପଟୁଙ୍କ ଏହା ୯ମ ଦିନିକିଆ ଶତକ। ମହିଳା ଦିନିକିଆରେ ଚେଜ ସମୟରେ କେବେ ହେଲେ ଏତେ ବଡ଼ ଇନିଂସ କେହି ଖେଳି ନଥିଲେ। ହେଲେ ଆଟାପଟୁ ଏହା କରି ଦେଖାଇଛନ୍ତି। ଏହି ଇନିଂସ ପରେ ସେ ରାଙ୍କିଙ୍ଗର ପ୍ରଥମ ସ୍ଥାନରେ ଥିବା ଇଂଲିଶ ଟିମର ଅଲରାଉଣ୍ଡର ନାଟାଲିଆ ସ୍କିଭର ବ୍ରଣ୍ଟଙ୍କୁ ପଛକୁ ଠେଲି ଦେଇଛନ୍ତି।

ଏହାପୂର୍ବରୂ ଆଟାପଟୁ ୨୦୨୩ ଜୁଲାଇ ୩ରୁ ୧୨ ଯାଏ ଆଇସିସି ମହିଳା ଦିନିକିଆ ରାଙ୍କିଙ୍ଗର ୧ନଂ ସ୍ଥାନରେ ଥିଲେ। ଏହାପରେ ତାଙ୍କୁ ବେଥ ମୋନୀ ଓ ସ୍କିଭର ବ୍ରଣ୍ଟ ତଳକୁ ଠେଲି ଦେଇଥିଲେ। ଗତବର୍ଷ ଆଟାପଟୁ ଶ୍ରୀଲଙ୍କାର ପ୍ରଥମ ମହିଳା ଖେଳାଳି ଭାବେ ୧ନଂ ସ୍ଥାନ ହାସଲ କରିବାର କୀର୍ତ୍ତିମାନ ସୃଷ୍ଟି କରିଥିଲେ।

Advertisment

ଏହି ସିରିଜ ପରେ ଦକ୍ଷିଣ ଆଫ୍ରିକାର ଅଧିନାୟକ ଲାଉରା ୱଲଭାର୍ଡଟ ରାଙ୍କିଙ୍ଗର ଦୁଇଟି ସ୍ଥାନ ଉପରକୁ ଉଠି ତୃତୀୟରେ ପହଞ୍ଚିଛନ୍ତି। ସେ ତୃତୀୟ ଦିନିକିଆରେ ୧୮୪ ରନର ଅପରାଜିତ ଇନିଂସ ଖେଳିବାରୁ ଦକ୍ଷିଣ ୫ ୱିକେଟ ହରାଇ ବିଶାଳ ୩୦୧ ରନ କରିଥିଲା। ହେଲେ ଏହାକୁ କିନ୍ତୁ ଆଟାପଟୁଙ୍କ ଇନିଂସ ଫିକା କରି ଦେଇଛି।

ଦକ୍ଷିଣ ଆଫ୍ରିକା ଦେଇଥିବା ୩୦୨ ରନର ଟାର୍ଗେଟକୁ ଶ୍ରୀଲଙ୍କା ୪୪.୩ ଓଭର୍‌ରେ ମାତ୍ର ୪ ୱିକେଟ ହରାଇ ହାସଲ କରି ନେଇଛି। ଆଟାପଟୁଙ୍କ ବ୍ୟତୀତ ଏନ ଡି ସିଲଭା ଅପରାଜିତ ୫୦ ରନର ଇନିଂସ ଖେଳିଛନ୍ତି।

ୱେଇଣ୍ଡିଜର ଅଧିନାୟକ ହେଲୀ ମାଥ୍ୟୁସ ମଧ୍ୟ ରାଙ୍କିଙ୍ଗରେ ଉପରକୁ ଉଠିଛନ୍ତି। ସେ ୭ଟି ସ୍ଥାନ ଉପରକୁ ଉଠି ରାଙ୍କିଙ୍ଗର ୧୧ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି। ପାକିସ୍ତାନ ବିପକ୍ଷରେ ସେ ୧୪୦ ରନ ସହ ୩ଟି ୱିକେଟ ଦଖଲ କରିଥିଲେ। ବ୍ୟାଟିଂ ରାଙ୍କିଙ୍ଗର ୧୧ନଂରେ ଥିବା ମାଥ୍ୟୁସ ଅଲରାଉଣ୍ଡର ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି।

Cricket Sri Lanka ICC Chamari Athapaththu