/odisha-reporter/media/post_attachments/uploads/2021/10/Dhoni.jpg)
Dhoni
ମୁମ୍ବାଇ: ଭାରତୀୟ କ୍ରିକେଟର ପୂର୍ବତନ କୁଲ କ୍ୟାପଟେ ମହେନ୍ଦ୍ର ସିଂ ଧୋନି। ସେ ଗତ ବର୍ଷ ହିଁ ଅନ୍ତରାଷ୍ଟ୍ରୀୟ କ୍ରିକେଟ ମ୍ୟାଚ୍ରୁ ସନ୍ୟାସ ନେଇସାରିଛନ୍ତି। କିନ୍ତୁ ସେ ଚେନ୍ନାଇ ସୁପର କିଙ୍ଗସ ପାଇଁ ଆଇପିଏଲ୍ ମ୍ୟାଚ୍ ଖେଳୁଛନ୍ତି। କ୍ରିକେଟ ବ୍ୟତୀତ ଧୋନିଙ୍କ ବିଜ୍ଞାପନ ଦୁନିଆରେ ମଧ୍ୟ ବେଶ୍ ଦବ୍ଦବା ରହିଛି। ତାଙ୍କୁ ଭିନ୍ନ ଭିନ୍ନ ବିଜ୍ଞାପନରେ ଦେଖିବାକୁ ମିଳେ। ଏଥିରେ ଧୋନି ଜବରଦସ୍ତ ଅଭିନୟ କରିଥାନ୍ତି। ତେବେ କ୍ରିକେଟ ଏବଂ ବିଜ୍ଞପନ ପରେ ଏବେ ଧୋନି ବଲିଉଡରେ ଏଣ୍ଟ୍ରି କରିବେ କି? ସେ ବି-ଟାଉନରେ ବି ମାରିବେ କି ହେଲିକପ୍ଟ ସଟ୍? ବଡ ପରଦାରେ ଚୌକା ଛକା ମାରି ଦର୍ଶକଙ୍କୁ କରିବେ କି କ୍ଲିନ୍ ବୋଲ୍ଡ?
ନିକଟରେ ଏକ ସାକ୍ଷାତକାରେ ଧୋନିଙ୍କୁ ଏଭଳି ହିଁ କିଛି ପ୍ରଶ୍ନ ପଚରା ଯାଇଥିଲା। ବଲିଉଡରେ ସେ ଏଣ୍ଟ୍ରି କରିବେ କି ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ, ବଲିଉଡ ଯେତିକି ସରଳ ଦେଖାଯାଉଛି ସେତିକି ସରଳ ନୁହେଁ। ମୁଁ କେବଳ ବିଜ୍ଞାପନ କରି ଖୁସି ଅଛି। ଫିଲ୍ମ ଏକ କଠିନ ପେସା ଏବଂ ଏହାକୁ କରିବା ବେଶ୍ ମୁସ୍କିଲ୍।'
ଧୋନି ଆହୁରି କହିଛନ୍ତି, ଫିଲ୍ମ ଷ୍ଟାରମାନଙ୍କୁ ଏହା କରିବାକୁ ଦିଅନ୍ତୁ କାରଣ ସେମାନେ ପ୍ରକୃତରେ ଏଥିରେ ଭଲ। ମୁଁ କ୍ରିକେଟ୍ ସହିତ ଜଡିତ ରହିବି। ମୁଁ ବିଜ୍ଞାପନ ମାଧ୍ୟମରେ ଅଭିନୟ ଜଗତ ସହ ନିକଟତର ହୋଇପାରେ, କିନ୍ତୁ ଏହାଠାରୁ ଅଧିକ ଆଉ କିଛି ଆଶା ନାହିଁ।
ସୂଚନାଯୋଗ୍ୟ ଯେ, ଏମ୍ଏସ୍ ଧୋନିଙ୍କ ବାୟୋପିକ୍ 'ଏମ୍ ଏସ୍ ଧୋନି- ଦ ଅନଟୋଲ୍ଡ ଷ୍ଟୋରୀ' ବକ୍ସ ଅଫିସରେ ବେଶ୍ ହିଟ୍ ହୋଇଥିଲା। ଏହି ଫିଲ୍ମରେ ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତ ଧୋନିଙ୍କ ଚରିତ୍ରରେ ନଜର ଆସିଥିଲେ। ୨୦୧୬ରେ ରିଲିଜ ହୋଇଥିବା ଏହି ଫିଲ୍ମର ପ୍ରମୋଶନରେ ଧୋନି ନଜର ଆସିଥିଲେ।
ନିକଟରେ ଅଫ୍ ସ୍ପନିର ବୟ ହରଭଜନ ସିଂହ ତାମିଲ ଫିଲ୍ମ 'ଫ୍ରେଣ୍ଡସିପ୍'ରୁ ନିଜ ଅଭିନୟ କ୍ୟାରିଅର ଆରମ୍ଭ କରିଥିଲେ। ସେହିପରି ବ୍ରେଟ୍ ଲି, ଅଜୟ ଜାଡେଜା, ବିନୋଦ କାମ୍ବଲି ଭଳି କ୍ରିକେଟର ମଧ୍ୟ ଅତୀତରେ ଅଭିନୟ ଦୁନିଆରେ ନିଜ ଭାଗ୍ୟ ପରୀକ୍ଷା କରିସାରିଛନ୍ତି।
ଧୋନି ୨୦୨୦ ଅଗଷ୍ଟ ୧୫ରେ ଅନ୍ତରାଷ୍ଟ୍ରୀୟ କ୍ରିକେଟ ଜଗତରୁ ସନ୍ୟାସ ନେବା ପାଇଁ ଘୋଷଣା କରିଥିଲେ। ଭାରତ ପାଇଁ ୩୫୦ଟି ୱାନ୍-ଡେ, ୯୮ଟି ଟି-୨୦ ଇଣ୍ଟରନ୍ୟାସନାଲ ଏବଂ ୯୦ଟି ଟେଷ୍ଟ ମ୍ୟାଚ୍ ଖେଳି ୧୭୨୬୬ ରନ୍ କରିଛନ୍ତି ଧୋନି। ଏହି ସମୟରେ ଧୋନି ୧୦୮ଟି ହାଫ ସେଞ୍ଚୁରୀ ଏବଂ ୧୬ଟି ସେଞ୍ଚୁରୀ ମାରିଛନ୍ତି। ଧୋନି ଅଧିନାୟକ ଥିବା ବେଳେ ଟିମ୍ ଇଣ୍ଡିଆ ତିନୋଟି ଆଇସିସି ଟାଇଟଲ ଜିତିବାରେ ସଫଳ ମଧ୍ୟ ହୋଇଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
