ଲଣ୍ଡନ: ଭାରତ ଓ ଇଂଲଣ୍ଡ ମଧ୍ୟରେ ଲର୍ଡ୍ସରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ସଂକଟରୁ ରକ୍ଷା କରିଛନ୍ତି ଦୁଇ ଅଭିଜ୍ଞ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା ଓ ଆଜିଙ୍କ୍ୟ ରାହାଣେ। ଦୁହେଁ ଚତୁର୍ଥ ୱିକେଟ୍ ପାଇଁ ଶତକୀୟ ଭାଗିଦାରୀ କରି ଭାରତକୁ ମ୍ୟାଚରେ ଜବରଦସ୍ତ କମବ୍ୟାକ୍ କରାଇଛନ୍ତି। ଏକ ସମୟରେ ଭାରତର ସ୍କୋର ୩ ୱିକେଟରେ ୫୫ ରନ୍ ଥିଲା। ଏହି ସମୟରେ ପୂଜାରା ଓ ରାହାଣେ ଧୈର୍ଯ୍ୟର ବ୍ୟାଟିଂ କରି ଭାରତ ପାଇଁ ଆଶା ଉଜ୍ଜୀବିତ କରିଛନ୍ତି। ତେବେ ପୂଜାରା ୪୫ ରନ୍ କରି ଆଉଟ୍ ହୋଇଯାଇଛନ୍ତି।
ଶେଷ ରିପୋର୍ଟ ଲେଖା ହେଲା ବେଳକୁ ଭାରତ ୪ ୱିକେଟ୍ ହରାଇ ୧୬୩ ରନ୍ କରିଛି। ରାହାଣେ ୫୮ ଓ ଋଷଭ ପନ୍ତ ୮ ରନରେ ବ୍ୟାଟିଂ କରୁଥିଲେ। ଏଥିସହ ଭାରତ ୧୩୬ ରନର ଲିଡ୍ ହାସଲ କରିନେଇଛି। ଇଂଲଣ୍ଡ ପକ୍ଷରୁ ମାର୍କ ଉଡ୍ ୨ଟି ଓ ସାମ୍ କୁରାନ୍ ଗୋଟିଏ ୱିକେଟ୍ ନେଇଥିବା ବେଳେ ଅଭିଜ୍ଞ ପେସ୍ ବୋଲର ଜେମ୍ସ ଆଣ୍ଡରସନଙ୍କୁ କୌଣସି ସଫଳତା ମିଳିନାହିଁ।
ତୃତୀୟ ଦିବସ ଶେଷ ସୁଦ୍ଧା ଇଂଲଣ୍ଡ ପ୍ରଥମ ଇନିଂସରେ ୩୯୧ ରନ୍ କରି ଅଲଆଉଟ୍ ହୋଇଥିଲା। ପ୍ରଥମ ଇନିଂସରେ ୨୭ ରନରେ ପଛୁଆ ଥିବା ଭାରତ ଚତୁର୍ଥ ଦିବସରେ ଆରମ୍ଭରୁ ଲଗାତର ୱିକେଟ୍ ହରାଇଥିଲା। ପ୍ରଥମ ପାଳିରେ ଦମଦାର ଶତକ ମାରିଥିବା ଲୋକେଶ ରାହୁଲ୍ ମାତ୍ର ୫ ରନ୍ କରି ମାର୍କ ଉଡଙ୍କ ଶିକାର ହୋଇଥିଲେ। ଅନ୍ୟତମ ରୋହିତ୍ ଶର୍ମା ଭଲ ବ୍ୟାଟିଂ କରି ମାର୍କ ଉଡଙ୍କୁ ଛକା ମାରିବାର ପରବର୍ତ୍ତୀ ବଲରେ ପ୍ୟାଭିଲିୟନ୍ ଫେରିଥିଲେ। ରୋହିତ୍ ୩୬ ବଲରେ ୨ ଚୌକା ଓ ୧ ଛକା ସହ ୨୧ ରନ୍ କରି ଆଉଟ୍ ହୋଇଥିଲେ।
କ୍ୟାପଟେନ୍ ବିରାଟ୍ କୋହଲି ସକାରାତ୍ମକ ଆଭିମୁଖ୍ୟ ନେଇ ବ୍ୟାଟିଂ କରିଥିଲେ। କିନ୍ତୁ ତାଙ୍କୁ ଆଉଟ୍ କରିବାରେ ସଫଳ ହୋଇଥିଲେ ସାନ୍ କୁରାନ୍। କୁରାନଙ୍କ ବାହାରେ ଯାଉଥିବା ବଲକୁ ମାରିବାକୁ ଯାଇ କୋହଲି ୱିକେଟ୍ କିପର ଜୋସ୍ ବଟଲରଙ୍କୁ କ୍ୟାଚ୍ ଦେଇ ବସିଥିଲେ। କୋହଲି ୩୧ ବଲରେ ୪ ଚୌକା ସହ ୨୦ ରନ୍ କରିଥିଲେ।
ଏହା ପରେ ପୂଜାରା ଓ ରାହାଣେ କ୍ରିଜରେ ଜମି ଯାଇଥିଲେ। ବିଶେଷକରି ପୂଜାରା ଧିମା ବ୍ୟାଟିଂ କରି ଇଂଲଣ୍ଡ ବୋଲରଙ୍କ ପରୀକ୍ଷା ନେଇଥିଲେ। ଅନ୍ୟପଟେ ରାହାଣେ ରନ୍ କରିବା ସହ ପୂଜାରାଙ୍କ ସହ ମିଶି ଭଲ ପାର୍ଟନରଶିପ୍ ଗଢ଼ିଥିଲେ। ତେବେ ପୂଜାରା ବ୍ୟକ୍ତିଗତ ୪୫ ରନ୍ କରିଥିବା ବେଳେ ଉଡଙ୍କ ବଲରେ ଆଉଟ୍ ହୋଇଥିଲେ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।