ଅଧାରୁ ଆଇପିଏଲ୍ ଛାଡ଼ିଲେ ଗେଲ୍

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଆଇପିଏଲରୁ ଓହରି ଯାଇଛନ୍ତି। ସେ ବାୟୋ-ବବଲ୍ କାରଣ ଦର୍ଶାଇ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଗେଲ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍) ଖେଳିବା ପରେ ସିଧା ଆଇପିଏଲରେ ଭାଗ ନେବା ପାଇଁ ୟୁଏଇରେ ପହଞ୍ଚିଥିଲେ। ଆଇପିଏଲ୍ ଛାଡ଼ିବା ପରେ ଗେଲ୍ କହିଛନ୍ତି ଯେ ସେ ଟି-୨୦ ବିଶ୍ୱକପ୍ ପୂର୍ବରୁ ନିଜକୁ ମାନସିକ ଭାବେ ପ୍ରସ୍ତୁତ ରଖିବାକୁ ଚାହାନ୍ତି। ଗେଲ୍ […]

GAYLE

Ranjit Kumar Jena
  • Published: Friday, 01 October 2021
  • , Updated: 01 October 2021, 06:22 PM IST

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସକୁ ବଡ଼ ଝଟକା ଲାଗିଛି। ଟିମର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ କ୍ରିସ୍ ଗେଲ୍ ଆଇପିଏଲରୁ ଓହରି ଯାଇଛନ୍ତି। ସେ ବାୟୋ-ବବଲ୍ କାରଣ ଦର୍ଶାଇ ଆଇପିଏଲରୁ ହଟିବାକୁ ନିଷ୍ପତ୍ତି ନେଇଛନ୍ତି। ଗେଲ୍ କ୍ୟାରିବିୟାନ୍ ପ୍ରିମିୟର୍ ଲିଗ୍ (ସିପିଏଲ୍) ଖେଳିବା ପରେ ସିଧା ଆଇପିଏଲରେ ଭାଗ ନେବା ପାଇଁ ୟୁଏଇରେ ପହଞ୍ଚିଥିଲେ।

ଆଇପିଏଲ୍ ଛାଡ଼ିବା ପରେ ଗେଲ୍ କହିଛନ୍ତି ଯେ ସେ ଟି-୨୦ ବିଶ୍ୱକପ୍ ପୂର୍ବରୁ ନିଜକୁ ମାନସିକ ଭାବେ ପ୍ରସ୍ତୁତ ରଖିବାକୁ ଚାହାନ୍ତି। ଗେଲ୍ ଚଳିତ ବର୍ଷ ଜୁନ୍ ମାସରୁ ବାୟୋ-ବବଲ୍ ପରିବେଶରେ ଥିଲେ। ପ୍ରଥମେ ଘରୋଇ ସିରିଜ୍ (ଅଷ୍ଟ୍ରେଲିଆ, ଦକ୍ଷିଣ ଆଫ୍ରିକା ଓ ପାକିସ୍ତାନ ବିପକ୍ଷ ୧୪ ଟି-୨୦ ମ୍ୟାଚ୍) ଓ ପରେ ସିପିଏଲ୍ ଏବଂ ଏବେ ଆଇପିଏଲରେ ଖେଳୁଥିଲେ। ଆଜି ପଞ୍ଜାବ କିଙ୍ଗସ୍ କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷ ମ୍ୟାଚ୍ ଖେଳିବ।

ଗେଲ୍ ଏକ ବିବୃତ୍ତିରେ କହିଛନ୍ତି, ଗତ କିଛି ମାସ ଧରି ମୁଁ ୱେଷ୍ଟଇଣ୍ଡିଜ୍, ସିପିଏଲ୍ ଓ ଆଇପିଏଲର ବାୟୋ-ବବଲରେ ରହି ଆସିଛି। ଆଗକୁ ଟି-୨୦ ବିଶ୍ୱକପ୍ ଥିବାରୁ ମୁଁ ନିଜକୁ ମାନସିକ ଭାବେ ମଜଭୁତ୍ ରଖିବାକୁ ଚାହେଁ। ଟି-୨୦ ବିଶ୍ୱକପରେ ମୁଁ ୱେଷ୍ଟଇଣ୍ଡିଜକୁ ନିଜର ଶତପ୍ରତିଶତ ଯୋଗଦାନ ଦେବାକୁ ଚାହୁଁଛି। ଏଥିପାଇଁ ଦୁବାଇରେ ମୁଁ ଏକ ବ୍ରେକ୍ ନେବାକୁ ଚାହେଁ। ମୋତେ ସମୟ ଦେଇଥିବାରୁ ପଞ୍ଜାବ କିଙ୍ଗସକୁ ଧନ୍ୟବାଦ। ଟିମ୍ ପ୍ରତି ମୋର ଇଚ୍ଛା ଓ ଆଶା ସର୍ବଦା ରହିଛି। ଟିମର ପରବର୍ତ୍ତୀ ମ୍ୟାଚ୍ ପାଇଁ ଶୁଭକାମନା।

ଗେଲ୍ ଚଳିତ ବର୍ଷ ୩୭ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ଗେଲଙ୍କ ବ୍ୟତୀତ କେବଳ ୬ ଜଣ ଖେଳାଳି ଚଳିତ ବର୍ଷ ୩୭ରୁ ଅଧିକ ମ୍ୟାଚ୍ ଖେଳିଛନ୍ତି। ଗେଲ୍ ଏହି ସିଜନରେ ଚାରୋଟି ଟିମ୍ ଯଥା ୱେଷ୍ଟଇଣ୍ଡିଜ୍, ସେଣ୍ଟ କିଟ୍ସ ଆଣ୍ଡ ନେଭିସ୍ ପ୍ୟାଟ୍ରିଅଟ୍ସ, କ୍ୱେଟା ଗ୍ଲାଡିଏଟର୍ସ ଓ ପଞ୍ଜାବ ପକ୍ଷରୁ ଖେଳିସାରିଛନ୍ତି। ୟୁଏଇରେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ୪୨ ବର୍ଷୀୟ ଗେଲ୍ ପଞ୍ଜାବ ପକ୍ଷରୁ ୨ଟି ମ୍ୟାଚ୍ ଖେଳିଛନ୍ତି। ଗେଲଙ୍କ ଅନୁପସ୍ଥିତି ଟିମ୍ ପାଇଁ ବଡ଼ କ୍ଷତି ହୋଇପାରେ।

Related story