Advertisment

ପ୍ରଥମ ଟେଷ୍ଟ ପରେ ହିଁ ଅବସର ନେବାକୁ ଚାହୁଁଥିଲେ ଅଶ୍ୱିନ, ହେଲେ... : ରୋହିତ କଲେ ବଡ଼ ଖୁଲାସା

ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା।

author-image
Hemant Lenka
Rohit

Rohit

ଟିମ ଇଣ୍ଡିଆର ଅନ୍ୟତମ ଶ୍ରେଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଆଜି ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗାବାରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଟେଷ୍ଟ ଶେଷ ହେବା କ୍ଷଣି ଅଶ୍ୱିନ ନିଜର ଅବସର ସମ୍ପର୍କରେ ସମସ୍ତଙ୍କୁ ସୂଚନା ଦେଇଛନ୍ତି।

Advertisment

ଏହା ଭାରତୀୟ କ୍ରିକେଟ ପ୍ରେମୀଙ୍କ ପାଇଁ ଏକ ଅପ୍ରତ୍ୟାଶିତ ଘଟଣା। ହେଲେ ଭାରତୀୟ ଟିମ ଓ ଏହାର ସଦସ୍ୟଙ୍କ ପାଇଁ ଅଶ୍ୱିନଙ୍କ ଅବସର ଆଦୌ ଅପ୍ରତ୍ୟାଶିତ ନଥିଲା। କାରଣ ଅଶ୍ୱିନ ବର୍ଡର-ଗାଭାସ୍କର ଟ୍ରଫିର ପର୍ଥ ଟେଷ୍ଟ ବା ପ୍ରଥମ ଟେଷ୍ଟ ପରେ ହିଁ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ନିଷ୍ପତ୍ତି ନେଇ ସାରିଥିଲେ।

ପର୍ଥରେ ଭାରତ ବିଜୟୀ ହୋଇଥିବା ବେଳେ ଚୂଡ଼ାନ୍ତ ଏକାଦଶରେ ଅଶ୍ୱିନଙ୍କୁ ସ୍ଥାନ ମିଳି ନଥିଲା। ତାଙ୍କ ବଦଳରେ ୱାଶିଂଟନ ସୁନ୍ଦର ଚୂଡ଼ାନ୍ତ ଏକାଦଶରେ ରହିଥିଲେ। ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବା ପରେ ଟିମରେ ତାଙ୍କର ଆବଶ୍ୟକ ଆଉ ନଥିବା ଅନୁଭବ କରି ଅଶ୍ୱିନ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବାକୁ ଚାହିଁଥିଲେ।

Advertisment

ହେଲେ ତାଙ୍କୁ ଅବସର ନ ନେବାକୁ ପରାମର୍ଶ ଦେଇଥିଲେ ଅଧିନାୟକ ରୋହିତ ଶର୍ମା। ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ ବଲ ଟେଷ୍ଟ ପାଇଁ ନିଜର ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ଅଶ୍ୱିନଙ୍କୁ ସେ କହିଥିଲେ ବୋଲି ନିଜେ ରୋହିତ ଶର୍ମା ଖୁଲାସା କରିଛନ୍ତି।

ଅଶ୍ୱିନ ଅଷ୍ଟ୍ରେଲିଆ ବିପକ୍ଷ ପିଙ୍କ ବଲ ଟେଷ୍ଟ ଖେଳିଥିଲେ ହେଁ କେବଳ ଗୋଟିଏ ୱିକେଟ ପାଇଥିଲେ। ଏଥିପାଇଁ ତାଙ୍କୁ ଗାବା ଟେଷ୍ଟରୁ ବାଦ ଦିଆଯାଇଥିଲା। ତାଙ୍କ ସ୍ଥାନରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିଥିଲା। ହେଲେ ଗାବା ଟେଷ୍ଟ ପରେ ଅଶ୍ୱିନ ଅଧିନାୟକ ରୋହିତ ଶର୍ମାଙ୍କ ପାଖରେ ବସି ସାମ୍ବାଦିକ ସମ୍ମିଳନୀ କରିବା ସହ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିଛନ୍ତି।

ରୋହିତ କହିଛନ୍ତି, “ମୁଁ ପର୍ଥକୁ ଆସିବା ପରେ ଆର ଅଶ୍ୱିନଙ୍କ ଅବସର ସମ୍ପର୍କରେ ଶୁଣିଥିଲି। ଉକ୍ତ ଟେଷ୍ଟର କିଛି ଦିନ ମୁଁ ଟିମ ସହ ନଥିଲି। ପ୍ରଥମ ଟେଷ୍ଟରୁ ଅଶ୍ୱିନଙ୍କ ମୁଣ୍ଡରେ ଅବସର କଥା ଚାଲିଥିଲା। ନିଶ୍ଚିତ ଭାବେ ଏହା ପଛରେ ଅନେକ କିଛି କାରଣ ରହିଥାଏ ପାରେ। ଅଶ୍ୱିନ ନିଜେ ସେସବୁର ଉତ୍ତର ଦେଇ ପାରିବେ।

ଆମେ କେମିତି ପ୍ରକାରର ଟିମ କମ୍ବିନେସନ କଥା ଭାବୁଛୁ, ସେ ଭଲ ଭାବେ ଜାଣିଛନ୍ତି। ଆମେ ଯେତେବେଳେ ଏଠାକୁ ଆସିଲୁ ସେତେବେଳେ କେଉଁ ସ୍ପିନର ଖେଳିବେ, ସେକଥା ଆମକୁ ଜଣା ନଥିଲା। ଆମେ ସ୍ଥିତିକୁ ଦେଖି ନିଷ୍ପତ୍ତି ନେଇଥିଲୁ।

କିନ୍ତୁ ହଁ ମୁଁ ପର୍ଥକୁ ଆସିବା ପରେ ଅଶ୍ୱିନଙ୍କ ସହ ଅବସର ସମ୍ପର୍କରେ କଥା ହୋଇଥିଲି। ତାଙ୍କୁ ପିଙ୍କ ବଲ ଟେଷ୍ଟ ଯାଏ ରହିବାକୁ ବୁଝାଇଥିଲି। ସେ ମଧ୍ୟ ରହିଥିଲେ।”

Rohit Sharma Ravichandran Ashwin Test Cricket Test Match