କମବ୍ୟାକ ମ୍ୟାଚ୍ରେ ଟ୍ରାଭିସ ହେଡଙ୍କ ବିସ୍ଫୋରକ ୧୦୯ ଓ ଇନଫର୍ମ ଡାଭିଡ ୱାର୍ଣ୍ଣରଙ୍କ ୮୧ ରନ ବଳରେ ଅଷ୍ଟ୍ରେଲିଆ ଚଳିତ ବିଶ୍ୱକପରେ କ୍ରମାଗତ ୩୫୦ରୁ ଅଧିକ ରନ କରିବାକୁ ସକ୍ଷମ ହୋଇଛି। ଆଜି ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆ ୪୯.୨ ଓଭରରେ ସମସ୍ତ ୱିକେଟ ହରାଇ ୩୮୮ ରନ କରିଛି। ଅଷ୍ଟ୍ରେଲିଆର ଖେଳାଳିମାନଙ୍କ ବ୍ୟାଟରୁ ଆଜି ୨୦ଟି ଛକା ମଧ୍ୟ ଦେଖିବାକୁ ମିଳିଛି।
ତେବେ ୩୮୯ ରନର ଟାର୍ଗେଟ ପାଇଥିବା ନ୍ୟୁଜିଲ୍ୟାଣ୍ଡ ମଧ୍ୟ ବିସ୍ଫୋରକ ଆରମ୍ଭ କରିଛି। ଦଳର ଦୁଇ ଓପନର ଡେଭନ କନୱେ ଓ ୱିଲ ୟଙ୍ଗ ବଡ଼ବଡ଼ ଶଟ ଖେଳିବାରେ ଲାଗିଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ନ୍ୟୁଜିଲ୍ୟାଣ୍ଡ ୬ ଓଭର୍ରେ ବିନା କୌଣସି ୱିକେଟ ହରାଇ ୫୫ ରନ କରି ନେଇଛି। କନୱେ ୨୬ ଓ ୟଙ୍ଗ ୧୯ ରନରେ ବ୍ୟାଟିଂ କରୁଛନ୍ତି।
ଧର୍ମଶାଲାରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଅଷ୍ଟ୍ରେଲିଆ ପାଇଁ ହେଡ ଓ ୱାର୍ଣ୍ଣର ବିସ୍ଫୋରକ ଆରମ୍ଭ କରିଥିଲେ। ଆହତ ଯୋଗୁ ଏଯାଏ ବିଶ୍ୱକପରେ ଅଷ୍ଟ୍ରେଲିଆ ପାଇଁ ମ୍ୟାଚ ଖେଳିବାକୁ ସକ୍ଷମ ହୋଇ ନଥିବା ହେଡ୍ ଆଜି ଦଳକୁ କମବ୍ୟାକ କରିଛନ୍ତି। କମବ୍ୟାକ ମ୍ୟାଚ୍ରେ ହିଁ ସେ ବିସ୍ଫୋରକ ବ୍ୟାଟିଂ କରିଛନ୍ତି। ୱାର୍ଣ୍ଣର ମଧ୍ୟ ନିଜର ଜଲୱା ଦେଖାଇବାକୁ ଆଦୌ ପଛାଇ ନଥିଲେ।
ଦୁଇ ଜଣ ଯାକ ଅର୍ଦ୍ଧଶତକ ହାସଲ କରିବା ସହ ପ୍ରଥମ ୧୦ ଓଭର୍ରେ ବିନା କୌଣସି କ୍ଷତି ଘଟାଇ ୧୧୮ ରନ କରି ନେଇଥିଲେ। ଏହା ବିଶ୍ୱକପରେ ଦ୍ୱିତୀୟ ସର୍ବାଧିକ ପାୱାର ପ୍ଲେ ରନ। ପାୱାର ପ୍ଲେରେ ସର୍ବାଧିକ ରନ ହାସଲ କରିବାର ରେକର୍ଡ ୱେଷ୍ଟଇଣ୍ଡିଜ ନାଁରେ ରହିଛି। ୨୦୦୩ ବିଶ୍ୱକପରେ ଇଣ୍ଡିଜ୍ ଟିମ କାନାଡା ବିପକ୍ଷରେ ବିସ୍ଫୋରକ ବ୍ୟାଟିଂ କରି ପ୍ରଥମ ୧୦ ଓଭର୍ରେ ଗୋଟିଏ ୱିକେଟ ହରାଇ ୧୧୯ ରନ କରିଥିଲା।
ଆଜି ୱାର୍ଣ୍ଣର ଓ ହେଡ ୧୧୮ ରନ କରିଛନ୍ତି। ୧୯ ଓଭର ସୁଦ୍ଧା ଅଷ୍ଟ୍ରେଲିଆ ବିନା କୌଣସି ୱିକେଟ ହରାଇ ୧୭୫ ରନ କରି ନେଇଥିଲା। ଲାଗୁଥିଲା ୱାର୍ଣ୍ଣର ଚଳିତ ବିଶ୍ୱକପରେ କ୍ରମାଗତ ତୃତୀୟ ଶତକ ହାସଲ କରିବେ।
କିନ୍ତୁ କ୍ୱିୱି ଟିମର ପାର୍ଟଟାଇମ ସ୍ପିନର ଗ୍ଲେନ ଫିଲିପ୍ସ ୨୦ତମ ଓଭରର ପ୍ରଥମ ବଲରେ ୮୧ ରନ କରିଥିବା ୱାର୍ଣ୍ଣରଙ୍କୁ ଆଉଟ କରି ଦେଇଥିଲେ। ୱାର୍ଣ୍ଣର ଆଜି ୭୭ ବଲରେ ୫ଟି ଚୌକା ଓ ୬ଟି ଛକା ବଳରେ ୮୧ ରନ କରିଛନ୍ତି।
ୱାର୍ଣ୍ଣର ଆଉଟ ହୋଇଥିଲେ ହେଁ ହେଡ ଆଦୌ ଅଟକି ନଥିଲେ। ସେ ନିଜର କମବ୍ୟାକ ମ୍ୟାଚ୍ରେ ଶତକ ହାସଲ କରି ସମସ୍ତଙ୍କୁ ନିଜ ଦକ୍ଷତାର ପରିଚୟ ଦେଇଥିଲେ। ଶେଷରେ ୧୦୯ ରନ କରିଥିବା ହେଡଙ୍କୁ ଆଉଟ କରି ଫିଲିପ୍ସ ଅଷ୍ଟ୍ରେଲିଆକୁ ଦ୍ୱିତୀୟ ଝଟକା ଦେଇଥିଲେ। ଷ୍ଟିଭ ସ୍ମିଥ(୧୮) ଫିଲିପ୍ସଙ୍କ ତୃତୀୟ ଶିକାର ବନିଥିଲେ।
୨୨୮ ରନରେ ତୃତୀୟ ୱିକେଟ ହରାଇଥିବା ଅଷ୍ଟ୍ରେଲିଆ ପାଇଁ ମିଚେଲ ମାର୍ଶ ଦ୍ରୁତ ୩୬ ରନ ଯୋଡ଼ିଥିଲେ। ତାଙ୍କ ୱିକେଟ ନିଜର ୧୦୦ତମ ଦିନିକିଆ ମ୍ୟାଚ୍ ଖେଳୁଥିବା ମିଚେଲ ସାଣ୍ଟନରଙ୍କ ଖାତାକୁ ଯାଇଥିଲା। ପରବର୍ତ୍ତୀ ଓଭର୍ରେ ମାର୍ନସ ଲାବୁଶାନେ(୧୮) ସାଣ୍ଟନରଙ୍କ ଦ୍ୱିତୀୟ ଶିକାର ବନିଥିଲେ।
ନେଦରଲ୍ୟାଣ୍ଡ୍ସ ବିପକ୍ଷରେ ରେକର୍ଡ ଶତକ ହାସଲ କରିଥିବା ଗ୍ଲେନ ମ୍ୟାକ୍ସୱେଲ ଆଜି ବି କିଛି ବଡ଼ ଶଟ ଖେଳିଥିଲେ। କିନ୍ତୁ ସେ ୨୪ ବଲରେ ୪୧ ରନ କରି ଜିମ୍ମି ନୀଶମଙ୍କ ବଲରେ ଆଉଟ ହୋଇଯାଇଥିଲେ। ଶେଷ ଭାଗରେ ଜୋଶ ଇଙ୍ଗଲିସ ୨୮ ବଲରେ ୩୮ ଓ ଅଧିନାୟକ ପାଟ କମିନ୍ସ ୧୪ ବଲରେ ୩୭ ରନ କରିବାରୁ ଅଷ୍ଟ୍ରେଲିଆ ୩୮୮ ରନରେ ପହଞ୍ଚି ଯାଇଥିଲା।
ତେବେ ମିଚେଲ ଷ୍ଟାର୍କ ୧ ଓ ଆଡାମ ଜାମ୍ପା ପ୍ରଥମ ବଲରେ ଆଉଟ ହେବାରୁ ଅଷ୍ଟ୍ରେଲିଆ ପୂରା ୫୦ ଓଭର ଖେଳିବାକୁ ସକ୍ଷମ ହୋଇ ନଥିଲା। ଶେଷରେ ଦଳ ୪୯.୨ ଓଭରରେ ସମସ୍ତ ୱିକେଟ ହରାଇ ୩୮୮ ରନରେ ଅଟକି ଯାଇଥିଲା।
ନ୍ୟୁଜିଲ୍ୟାଣ୍ଡ ପକ୍ଷରୁ ଫିଲିପ୍ସ ଓ ଟ୍ରେଣ୍ଟ ବୋଲ୍ଟ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ସାଣ୍ଟନରଙ୍କୁ ୨ଟି, ମ୍ୟାଟ ହେନରୀ ଓ ନୀଶମଙ୍କୁ ଗୋଟିଏ ଲେଖାଏ ସଫଳତା ମିଳିଛି।