Advertisment

କ୍ରିକେଟ ଅଷ୍ଟ୍ରେଲିଆ ବାଛିଲା ବିଶ୍ୱକପ ଶ୍ରେଷ୍ଠ ଏକାଦଶ, ରୋହିତଙ୍କ ନେତୃତ୍ୱକୁ ଅଣଦେଖା

ମହାମୁକାବିଲା ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପର ପ୍ରଦର୍ଶନକୁ ନେଇ, ତା’ର ଶ୍ରେଷ୍ଠ ଏକାଦଶ ଚୟନ କରିଛି। ଏଥିରେ ସୁପର ୮କୁ ଯାଇଥିବା ଅଧିକାଂଶ ଟିମର ଖେଳାଳି ରହିଛନ୍ତି।

author-image
Hemant Lenka
Rohit

Rohit

ଭାରତ-ଦକ୍ଷିଣ ଆଫ୍ରିକା ଆଉ କିଛି ଘଣ୍ଟା ପରେ ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ। ଭାରତ ଗୋଟିଏ ଦଶନ୍ଧି ହେଲା ଟ୍ରଫି ଅପେକ୍ଷାରେ ରହିଥିବା ବେଳେ ଦକ୍ଷିଣ କୌଣସି ବିଶ୍ୱକପରେ ପ୍ରଥମଥର ପାଇଁ ଫାଇନାଲରେ ପ୍ରବେଶ କରିଛି।

Advertisment

ଏହି ମହାମୁକାବିଲା ପୂର୍ବରୁ କ୍ରିକେଟ ଅଷ୍ଟ୍ରେଲିଆ ବିଶ୍ୱକପର ପ୍ରଦର୍ଶନକୁ ନେଇ, ତା’ର ଶ୍ରେଷ୍ଠ ଏକାଦଶ ଚୟନ କରିଛି। ଏଥିରେ ସୁପର ୮କୁ ଯାଇଥିବା ଅଧିକାଂଶ ଟିମର ଖେଳାଳି ରହିଛନ୍ତି। ହେଲେ ସେମି ଫାଇନାଲରେ ଭାରତ ଠାରୁ ହାରିଥିବା ଇଂଲଣ୍ଡର କୌଣସି ଖେଳାଳିଙ୍କୁ କ୍ରିକେଟ ଅଷ୍ଟ୍ରେଲିଆ ତା’ର ଶ୍ରେଷ୍ଠ ଏକାଦଶ ମଧ୍ୟରେ ରଖି ନାହିଁ। 

ସେହିପରି କ୍ରିକେଟ ଅଷ୍ଟ୍ରେଲିଆ ରୋହିତ ଶର୍ମାଙ୍କ କ୍ୟାପ୍ଟେନ୍ସିକୁ ଅଣଦେଖା କରିଛି। ରୋହିତଙ୍କ ନେତୃତ୍ୱରେ ଭାରତ ବିଶ୍ୱକପ ଫାଇନାଲ ଖେଳିବାକୁ ଯାଉଛି। ରୋହିତ ମଧ୍ୟ ନିଜ ବ୍ୟାଟିଂ ଓ କ୍ୟାପ୍ଟେନ୍ସି ଦ୍ୱାରା ସମସ୍ତଙ୍କୁ ପ୍ରଭାବିତ କରିଛନ୍ତି। ତଥାପି କ୍ରିକେଟ ଅଷ୍ଟ୍ରେଲିଆ ତାଙ୍କୁ ବିଶ୍ୱକପ ଶ୍ରେଷ୍ଠ ଏକାଦଶର ଅଧିନାୟକ କରି ନାହିଁ।

Advertisment

ରୋହିତଙ୍କ ବଦଳରେ ଆଫଗାନିସ୍ତାନର ରାଶିଦ ଖାନଙ୍କୁ ବିଶ୍ୱକପର ଶ୍ରେଷ୍ଠ ଏକାଦଶର ଅଧିନାୟକ କରାଯାଇଛି। ରାଶିଦଙ୍କ ନେତୃତ୍ୱରେ ଆଫଗାନିସ୍ତାନ ପ୍ରଥମଥର ପାଇଁ କୌଣସି ବଡ଼ ଟୁର୍ଣ୍ଣାମେଣ୍ଟର ସେମି ଫାଇନାଲରେ ପ୍ରବେଶ କରିଥିଲା।

ସେହିପରି ଦଳ ନ୍ୟୁଜିଲ୍ୟାଣ୍ଡ ଓ ଅଷ୍ଟ୍ରେଲିଆ ଭଳି ଦଳକୁ ଚଳିତ ବିଶ୍ୱକପରେ ପରାସ୍ତ କରିବାର ରେକର୍ଡ କରିଛି। ତେଣୁ କ୍ରିକେଟ ଅଷ୍ଟ୍ରେଲିଆ ରାଶିଦ ଖାନଙ୍କୁ କ୍ୟାପ୍ଟେନ କରିଛି।

ଟି-୨୦ ବିଶ୍ୱକପର ଶ୍ରେଷ୍ଠ ଏକାଦଶରେ ଭାରତର ସର୍ବାଧିକ ୩ ଜଣ ଖେଳାଳି ଥିବା ବେଳେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନର ୨ ଜଣ ଲେଖାଏ ଷ୍ଟାର ରହିଛନ୍ତି। ୱେଷ୍ଟଇଣ୍ଡିଜ, ଆମେରିକା, ବାଂଲାଦେଶ ଓ ଦକ୍ଷିଣ ଆଫ୍ରିକାର ଜଣେ ଲେଖାଏ ଖେଳାଳିଙ୍କୁ ଚୂଡ଼ାନ୍ତ ଏକାଦଶ ସୁଯୋଗ ମିଳିଛି।

ଦଳର ଓପନର ଭାବେ ରୋହିତ ଶର୍ମାଙ୍କ ସହ ଅଷ୍ଟ୍ରେଲିଆର ଟ୍ରାଭିସ ହେଡଙ୍କୁ ଚୟନ କରାଯାଇଛି। କିନ୍ତୁ ରୋହିଙ୍କୁ ଦଳର ଅଧିନାୟକ କରାଯାଇ ନାହିଁ। ୱେଷ୍ଟଇଣ୍ଡିଜର ନିକୋଲସ ପୂରନ, ଆମେରିକାର ଆରୋନ ଜୋନ୍ସ, ଅଷ୍ଟ୍ରେଲିଆର ଷ୍ଟାର ଅଲରାଉଣ୍ଡର ମାର୍କସ ଷ୍ଟୋଇନିସ ଓ ଭାରତର ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟକ୍ରମରେ ରହିଛନ୍ତି।

ସ୍ପିନର ଭାବେ ଦଳରେ ଅଧିନାୟକ ରାଶିଦ ଖାନଙ୍କ ବ୍ୟତୀତ ବାଂଲାଦେଶର ରିଶାଦ ହୁସେନ ରହିଛନ୍ତି। ସେ ବିଶ୍ୱକପର ୭ ମ୍ୟାଚରେ ୧୪ଟି ୱିକେଟ ନେଇଛନ୍ତି।

ଦ୍ରୁତ ବୋଲର ଭାବେ ଭାରତର ଯଶପ୍ରୀତ ବୁମ୍ରାଙ୍କ ସହ ଦକ୍ଷିଣ ଆଫ୍ରିକାର ଅନରିଚ ନୋର୍ଖିୟା ଓ ଆଫଗାନିସ୍ତାନର ଫଜଲହକ ଫାରୁକି ରହିଛନ୍ତି। ଫାରୁକି ବିଶ୍ୱକପରେ ୧୭ଟି ୱିକେଟ ଦଖଲ କରିଛନ୍ତି।

କ୍ରିକେଟ ଅଷ୍ଟ୍ରେଲିଆର ଟି-୨୦ ବିଶ୍ୱକପ ଏକାଦଶ: ରୋହିତ ଶର୍ମା, ଟ୍ରାଭିସ ହେଡ, ନିକୋଲସ ପୂରନ, ଆରୋନ ଜୋନ୍ସ, ମାର୍କସ ଷ୍ଟୋଇନିସ, ହାର୍ଦ୍ଦିକ ପାଣ୍ଡ୍ୟା, ରାଶିଦ ଖାନ(ଅଧିନାୟକ), ରିଶାଦ ହୁସେନ, ଅନରିଚ ନୋର୍ଖିୟା, ଯଶପ୍ରୀତ ବୁମ୍ରା ଓ ଫଜଲହକ ଫାରୁକି।

Indian Cricket Team Cricket Rohit Sharma ICC Australia