/odisha-reporter/media/post_attachments/uploads/2021/10/avi.jpg)
avi
ନୂଆଦିଲ୍ଲୀ: ଭାରତ ପାଇଁ ଖେଳିବାକୁ ଲକ୍ଷ୍ୟ ରଖିଥିବା ଜଣେ ଯୁବ କ୍ରିକେଟରଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁ ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ଣ୍ଣାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଦେହାନ୍ତ ହୋଇଛି। ସେ ଏକଦା ୧୯ ବର୍ଷରୁ କମ ଭାରତୀୟ ଟିମ୍ର କ୍ୟାପ୍ଟେନ ପଦରେ ରହିଥିଲେ। ହେଲେ ଭାରତର ସିନିୟର ଟିମ୍ରେ ଖେଳିବା ପୂର୍ବରୁ ତାଙ୍କର ଜୀବନ ଦୀପ ଲିଭିଯାଇଛି।
ଅଭିଙ୍କ ମୃତ୍ୟୁ ସମ୍ପର୍କରେ ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସୂଚନା ଦେଇଛି। ଅଭିଙ୍କ ଅକାଳ ବିୟୋଗରେ ପୂରା ସୌରାଷ୍ଟ୍ର କ୍ରିକେଟ ଆସୋସିଏସନ ସ୍ତବ୍ଧ ହୋଇ ଯାଇଛି। ହୃଦଘାତ ଯୋଗୁ ଅକ୍ଟୋବର ୧୫ ତାରିଖ ସନ୍ଧ୍ୟାରେ ତାଙ୍କର ମୃତ୍ୟୁ ଘଟିଛି। ହୃଦଘାତ ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। କିନ୍ତୁ ସେଠାରେ ତାଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ।
ଡାହାଣହାତୀ ବ୍ୟାଟସମ୍ୟାନ ଅଭି ବେଳେବେଳେ ଅଫ ବ୍ରେକ୍ ବୋଲିଂ ମଧ୍ୟ କରନ୍ତି। ସେ ୩୮ଟି ପ୍ରଥମ ଶ୍ରେଣୀ, ୩୮ଟି ଲିଷ୍ଟ-ଏ ଓ ୨୦ଟି ଘରୋଇ ଟି-୨୦ ମ୍ୟାଚ୍ ଖେଳିଛନ୍ତି। ସେ ଜଣେ ୱିକେଟ କିପର ବ୍ୟାଟସମ୍ୟାନ ଯିଏ ପ୍ରଥମ ଶ୍ରେଣୀରେ ୧୫୪୭ ରନ, ଲିଷ୍ଟ-ଏରେ ୧୦୩୦ ରନ ଓ ଟି-୨୦ରେ ୭୧୭ ରନ୍ କରିଥିଲେ।
ବେଙ୍ଗଲକୁ ପରାସ୍ତ କରି ସୌରାଷ୍ଟ୍ର ରଣଜୀ ଟ୍ରଫି ଜିତିବା ବେଳେ ଅଭି ଦଳର ସଦସ୍ୟ ରହିଥିଲେ। ସୌରାଷ୍ଟ୍ର ପାଇଁ ସେ ୧୭ଟି ରଣଜୀ, ୧୭ଟି ଲିଷ୍ଟ-ଏ ଓ ୧୧ଟି ଘରୋଇ ଟି-୨୦ ମ୍ୟାଚ୍ ଖେଳିଥିଲେ।
୨୦୧୧ରେ ସେ ଭାରତର ଅଣ୍ଡର ୧୯ ଟିମ୍ର କ୍ୟାପ୍ଟେନ ରହିଥିଲେ। ନିକଟରେ ଶେଷ ହୋଇଥିବା ସୟିଦ ମୁସ୍ତାକ ଅଲୀ ଟ୍ରଫିରେ ଅଭି ୫୩ ବଲ୍ରେ ବିସ୍ଫୋରକ ୧୨୨ ରନ୍ର ଇନିଂସ ଖେଳି ସମସ୍ତଙ୍କୁ ନିଜର ଜଲୱା ଦେଖାଇଥିଲେ। ତାଙ୍କ ଅକାଳ ବିୟୋଗରେ ଅନେକ ବିଶିଷ୍ଟ କ୍ରିକେଟର ଶୋକ ପ୍ରକାଶ କରିଛନ୍ତି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
