/odisha-reporter/media/media_files/2026/01/15/cricket-2026-01-15-15-23-16.jpg)
ବାଂଲାଦେଶ କ୍ରିକେଟ ଟିମ
ଭୟଙ୍କର ସଙ୍କଟର ସମ୍ମୁଖୀନ ହେବାରେ ଲାଗିଛି ବାଂଲାଦେଶ କ୍ରିକେଟ ବୋର୍ଡ ବିସିବି। ନିଜ ଦେଶର କ୍ରିକେଟ ଖେଳାଳିମାନେ ବୟକଟ ଆହ୍ୱାନ ଦେବା ପରେ ଘରୋଇ କ୍ରିକେଟ(Bangladesh cricket controversy) ଏକ ପ୍ରକାରର ଠପ ହୋଇଯାଇଛି।
ଖେଳାଳିଙ୍କୁ ବୁଝାସୁଝା କରିବାକୁ ବିସିବି ଉଦ୍ୟମ କରିବା ସହ ନିର୍ଦ୍ଦେଶକ ମହମ୍ମଦ ନଜମୁଲ ଇସଲାମଙ୍କୁ ନିଜର ବୟାନ ପାଇଁ ବିସିବି କାରଣ ଦର୍ଶାଅ ନୋଟିସ କରିଛି। ତଥାପି ସ୍ଥିତିରେ ସୁଧାର ଆସି ନାହିଁ। ଏଥିପାଇଁ ବାଂଲାଦେଶରେ ଆଇପିଏଲ ଢାଞ୍ଚାରେ ଚାଲିଥିବା ବିପିଏଲ ଉପରେ ଅସ୍ଥାୟୀ ରୂପେ ରୋକ ଲଗାଇ ଦିଆଯାଇଛି।
ବାଂଲାଦେଶ ଜାତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟ ତାମିମ ଇକବାଲଙ୍କୁ କିଛି ଦିନ ତଳେ ନଜମୁଲ ଭାରତୀୟ ଏଜେଣ୍ଟ କହି ସମାଲୋଚନା କରିଥିଲେ। ଜଣେ ଷ୍ଟାର ଖେଳାଳିଙ୍କ ପ୍ରତି ବିସିବି ନିର୍ଦ୍ଦେଶକଙ୍କ ଏପରି ବୟାନକୁ କ୍ରିକେଟର୍ସ ୱେଲଫେୟାର ଆସୋସିଏସନ ଅଫ ବାଂଲାଦେଶ ଜୋରଦାର ବିରୋଧ କରିଛି।
ବିବାଦର ସମାଧାନ ପାଇଁ ବୁଧବାର ରାତିରେ ଢାକା ସ୍ଥିତ ଗୋଟିଏ ହୋଟେଲରେ ଆସୋସିଏସନର ବରିଷ୍ଠ କର୍ମକର୍ତ୍ତା ଓ ବିସିବି ଅଧିକାରୀଙ୍କ ମଧ୍ୟରେ ବୈଠକ ହୋଇଥିଲା। ହେଲେ ଏଥିରେ ସମାଧାନର ରାସ୍ତା ବାହାରି ପାରିନାହିଁ।
ବୋର୍ଡ ପକ୍ଷରୁ ବୈଠକରେ ଅନ୍ୟତମ ନିର୍ଦ୍ଦେଶକ ଇଫତଖର ରହମନ ମିଥୁନ ଯୋଗ ଦେଇଥିଲେ। ସେହିପରି ଆସୋସିଏସନ ପକ୍ଷରୁ ସଭାପତି ମହମ୍ମଦ ମିଥୁନ, ଜାତୀୟ ଟିମର ଅଧିନାୟକ ନଜମୁଲ ହୁସେନ ସାଣ୍ଟୋ ଓ ନୁରୁଲ ହାସନ ସୋହନ ବୈଠକରେ ଯୋଗ ଦେଇଥିଲେ।
ଆସୋସିଏସନ ପକ୍ଷରୁ ନଜମୁଲଙ୍କ ବହିଷ୍କାର ଦାବି କରାଯାଇଛି। ତାଙ୍କୁ ଆର୍ଥିକ କମିଟିର ଅଧ୍ୟକ୍ଷ ପଦରୁ ତୁରନ୍ତ ବିଦା କରିବାକୁ ବୋର୍ଡ ରାଜି ଥିବା କହିଥିଲେ ହେଁ ଏହାକୁ ଆସୋସିଏସନ ଅଗ୍ରାହ୍ୟ କରି ଦେଇଛି। ବୋର୍ଡର ଅଫ ଡିରେକ୍ଟର୍ସରୁ ନଜମୁଲଙ୍କୁ ହଟାଇବାକୁ ଆସୋସିଏସନ ନିଜ ଜିଦରେ ଅଟଳ ରହିଛି। ହେଲେ ବିସିବିର କହିବା କଥା ପ୍ରଚଳିତ ଆଇନ ଅନୁସାରେ ବୋର୍ଡ ଅଫ ଡିରେକ୍ଟର୍ସକୁ ବଳପୂର୍ବକ ହଟା ଯାଇ ପାରିବ ନାହିଁ।
ସେ ନିଜ ଆଡ଼ୁ ହିଁ ଇସ୍ତଫା ଦେଇ ପାରିବେ। ଏପରି ସ୍ଥିତିରେ ଏବେ ସବୁ କିଛି ନଜମୁଲଙ୍କ ଉପରେ ନିର୍ଭର କରୁଛି। ଯଦି ସେ ଇସ୍ତଫା ନ ଦେବେ, ତା’ହେଲେ ଖେଳାଳିମାନେ ନିଜ ବୟକଟ ନିଷ୍ପତ୍ତିରେ କାଏମ ରହିବେ।
ନଜମୁଲଙ୍କୁ ନେଇ ବିବାହ ଲାଗି ରହିଥିବାରୁ ବିପିଏଲରେ ଭାଗ ନେଇଥିବା ଖେଳାଳିମାନେ ପୂର୍ବ ଭଳି ନିଜ ନିଜର ହୋଟେଲ ଟିମରେ ରହିଛନ୍ତି। ତେଣୁ ଆଜି ବିପିଏଲରେ ମ୍ୟାଚ୍ ହେବା ସମ୍ଭାବନା କ୍ଷୀଣ ହୋଇଯାଇଛି। ଏ ସମ୍ପର୍କରେ ଖେଳାଳି କଲ୍ୟାଣ ଆସୋସିଏସନ ପ୍ରେସ କନଫରେନ୍ସ କରିବ ବୋଲି ମଧ୍ୟ ଜଣାପଡ଼ିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
