ଚେନ୍ନାଇ ଟିମରେ ସାମିଲ ହୋଇଥିବା ୧୭ ବର୍ଷୀୟ ଖେଳାଳି ଜଣଙ୍କ କିଏ?

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆୟୁଷଙ୍କୁ ପ୍ରଥମେ ଚେନ୍ନାଇ ପକ୍ଷରୁ ଟ୍ରାଏଲ ପାଇଁ ଡକା ଯାଇଥିଲେ। ଟ୍ରାଏଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ।

Ayush

ଆୟୁଷ

Hemant Lenka
  • Published: Monday, 14 April 2025
  • , Updated: 14 April 2025, 04:50 PM IST

ଆଇପିଏଲ ପ୍ରାଞ୍ଚାଇଜ ଚେନ୍ନାଇ ସୁପର କିଙ୍ଗସ ଅଧିନାୟକ ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳିଙ୍କୁ ଚୟନ କରିଛି। କହୁଣୀ ଜନିତ ଆହତ ସମସ୍ୟା ଯୋଗୁ ଗାଏକ୍ୱାଡ ୨୦୨୫ ଆଇପିଏଲରେ ଆଉ ନଜର ଆସିବେ ନାହିଁ। ତେଣୁ ଚେନ୍ନାଇ ତାଙ୍କ ବଦଳରେ ୧୭ ବର୍ଷୀୟ ମୁମ୍ବାଇ ବ୍ୟାଟର ଆୟୁଷ ମହାତ୍ରେଙ୍କ ସହ ଚୁକ୍ତି କରିଛି। ଏପ୍ରିଲ ୨୦ରେ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ଆୟୁଷ ଚେନ୍ନାଇ ଟିମରେ ସାମିଲ ହେବେ ବୋଲି ଜଣାପଡ଼ିଛି।

ଘରୋଇ କ୍ରିକେଟରେ ଦମଦାର ପ୍ରଦର୍ଶନ କରିଥିବା ଆୟୁଷଙ୍କୁ ପ୍ରଥମେ ଚେନ୍ନାଇ ପକ୍ଷରୁ ଟ୍ରାଏଲ ପାଇଁ ଡକା ଯାଇଥିଲେ। ଟ୍ରାଏଲରେ ସେ ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏଥିଯୋଗୁ ଚେନ୍ନାଇ ୨୦୨୫ ଆଇପିଏଲ ପାଇଁ ତାଙ୍କ ସହ ଚୁକ୍ତି କରିଛି। ଏପ୍ରିଲ ୧୦ରେ ଗାଏକ୍ୱାଡ ଆହତ ସମସ୍ୟା ଯୋଗୁ ଆଇପିଏଲ ୨୦୨୫ରୁ ବାଦ ପଡ଼ିଥିଲେ। ଏହାପରେ ମହେନ୍ଦ୍ର ସିଂହ ଧୋନି ଗୋଟିଏ ବର୍ଷର ବ୍ୟବଧାନ ପରେ ପୁଣି ଚେନ୍ନାଇର ଅଧିନାୟକ ହୋଇଛନ୍ତି।

କିନ୍ତୁ ଧୋନିଙ୍କ ନେତୃତ୍ୱରେ ଚେନ୍ନାଇ ଚଳିତ ଆଇପିଏଲରେ ଖେଳୁଥିବା ନିଜ ପ୍ରଥମ ମ୍ୟାଚ୍‌ରେ କୋଲକାତା ଠାରୁ ପରାସ୍ତ ହୋଇଛି। ସୋମବାର ଦଳ ଲକ୍ଷ୍ନୌ ସୁପର ଜାଏଣ୍ଟସକୁ ଭେଟିବାକୁ ଯାଉଛି। ତେବେ ଆୟୁଷ ନିଜ ହୋମ ଟାଉନରେ ଆର୍ଥାତ ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ମ୍ୟାଚ୍‌ ବେଳକୁ ଚେନ୍ନାଇ ଟିମରେ ଯୋଗ ଦେବେ। ସୋମବାର ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ ପରେ ଚେନ୍ନାଇ ଟିମ ମୁମ୍ବାଇ ଗସ୍ତ କରିବ। ଏହି ସମୟରେ ଆୟୁଷ ସେଠାରେ ଟିମ ସହ ସାମିଲ ହେବେ।

ଚେନ୍ନାଇ ପକ୍ଷରୁ ଗୁଜରାଟର ଉର୍ଭିଲ ପଟେଲ ଓ କେରଳର ସଲମାନ ନିଜାରଙ୍କୁ ମଧ୍ୟ ଟ୍ରାଏଲ ପାଇଁ ଡକାଯାଇଥିଲା। କିନ୍ତୁ ଆୟୁଷ ଟ୍ରାଏଲରେ ବାଜି ମାରିଛନ୍ତି। ଆୟୁଷଙ୍କ ପସନ୍ଦର କ୍ରିକେଟର ହେଉଛନ୍ତି ରୋହିତ ଶର୍ମା। ଆୟୁଷଙ୍କ ବ୍ୟାଟିଂରେ ମଧ୍ୟ ରୋହିତଙ୍କ ଷ୍ଟାଇଲ ଦେଖିବାକୁ ମିଳେ।

ଆୟୁଷ ମହାତ୍ରେ କିଏ?

ମହେନ୍ଦ୍ର ସିଂହ ଧୋନିଙ୍କ ନେତୃତ୍ୱରେ ଭାରତ ପ୍ରଥମ ଟି-୨୦ ବିଶ୍ୱକପ ଜିତିବାର କିଛି ମାସ ପୂର୍ବରୁ ଅର୍ଥାତ ୨୦୦୭ ମସିହା ଜୁଲାଇ ମାସରେ ଆୟୁଷ ମହାତ୍ରେ ଜନ୍ମ ଗ୍ରହଣ କରିଥିଲେ। ମୁମ୍ବାଇ ଉପକଣ୍ଠରେ ଥିବା ବିରାରରେ ଆୟୁଷଙ୍କ ଜନ୍ମ ହୋଇଥିଲା। ସେ ଦୀର୍ଘ ୮୦ କିମି ବାଟ ଯାତ୍ରା କରି କ୍ରିକେଟର ତାଲିମ ନେଉଥିଲେ। ଆୟୁଷଙ୍କ କ୍ରିକେଟ ଯାତ୍ରାରେ ତାଙ୍କ ଜେଜେ ଲକ୍ଷ୍ମୀକାନ୍ତ ନାଏକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି।

ପ୍ରତିଦିନ ସକାଳୁ ସେ ଆୟୁଷଙ୍କୁ ଉଠାଇବା ସହ ତାଙ୍କୁ ସାଥୀରେ ଧରି କ୍ରିକେଟ କୋଚିଂ ଓ ସ୍କୁଲକୁ ନିଅନ୍ତି। ଆୟୁଷ କହିଛନ୍ତି, “ପରିବାର ଲୋକ ସବୁବେଳେ ଜେଜେଙ୍କୁ ମୋ ନିଦ ଖରାପ ନ କରିବାକୁ କୁହନ୍ତି। କିନ୍ତୁ ଏବେ ସେମାନେ ଅନୁଭବ ମୋ କଷ୍ଟର ମହତ୍ତ୍ୱ ବୁଝିପାରିଛନ୍ତି। କ୍ରିକେଟ ସ୍ୱପ୍ନ କରିବା ପାଇଁ ବାପା ଆର୍ଥିକ ସଙ୍କଟ ମଧ୍ୟରେ ବି ମୋର ସବୁ ଆବଶ୍ୟକତା ପୂରଣ କରୁଥିଲେ।”

୬ ବର୍ଷ ବୟସରୁ ଆୟୁଷ କ୍ରିକେଟ ଖେଳିବା ଆରମ୍ଭ କରିଥିଲେ। କିନ୍ତୁ ତାଙ୍କୁ ୧୫ ବର୍ଷ ନ ହେବା ଯାଏ ସେ କ୍ରିକେଟକୁ କ୍ୟାରିୟର କରିବେ ବୋଲି ଭାବି ନଥିଲେ। ୨୦୨୩ ଡିସେମ୍ବର ମାସରେ ୧୭ ବର୍ଷୀୟ ଆୟୁଷ ମୁମ୍ବାଇକୁ ଅଣ୍ଡର ୨୩ ବର୍ଗରେ ପ୍ରଥମଥର ପ୍ରତିନିଧିତ୍ୱ କରିଥିଲେ। ଏହାର ୧୦ ମାସ ମଧ୍ୟରେ ସେ ମୁମ୍ବାଇର ସିନିୟର ଟିମ ପାଇଁ ଖେଳିଥିଲେ। ବର୍ତ୍ତମାନ ସୁଦ୍ଧା ଆୟୁଷ ୧୦ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୫୦୪ ରନ କରିଛନ୍ତି। ରଣଜୀ ଟ୍ରଫିରେ ସେ ୨ଟି ଶତକ ମାରିଛନ୍ତି।

ମୁମ୍ବାଇ ପାଇଁ ସେ ୭ଟି ୫୦ ଓଭର ଫର୍ମାଟ ମ୍ୟାଚ୍‌ରେ ୪୫୮ ରନ କରିଛନ୍ତି। ଏହି ଫର୍ମାଟରେ ବି ସେ ୨ଟଚ ଶତକ ମାରିଛନ୍ତି। ତାଙ୍କ ଷ୍ଟ୍ରାଇକ ରେଟ ୧୩୫.୫୦ ରହିଥିବା ବେଳେ ଆଭରେଜ ୬୫.୪୨। ୨୦୨୪ ଡିସେମ୍ବର ମାସରେ ଆୟୁଷ ୧୧୭ ବଲରେ ୧୮୧ ରନର ଇନିଂସ ଖେଳି ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାଗାଲାଣ୍ଡ ବିପକ୍ଷ ବିଜୟ ହଜାରେ ଟ୍ରଫିରେ ସେ ଏପରି ରେକର୍ଡ କରିଥିଲା।

ଲିଷ୍ଟ ଏ ମ୍ୟାଚ୍‌ରେ ୧୫୦ କିମ୍ବା ତା’ଠାରୁ ଅଧିକ ରନ କରିବାରେ ଆୟୁଷ ବିଶ୍ୱର ପ୍ରଥମ କ୍ରିକେଟର ବନି ଯାଇଥିଲେ। ଅଣ୍ଡର ୧୯ ଏସିଆ କପରେ ସେ ଭାରତର ପ୍ରତିନିଧିତ୍ୱ କରି ୫ ମ୍ୟାଚ୍‌ରେ ୧୭୬ ରନ କରିଛନ୍ତି।

ଚଳିତ ବର୍ଷ ଆୟୁଷ ମହାତ୍ରେ ଜମ୍ମୁ-କଶ୍ମୀର ବିପକ୍ଷ ରଣଜୀ ମ୍ୟାଚ୍‌ ବେଳେ ତାଙ୍କ ଆଦର୍ଶ ରୋହିତ ଶର୍ମାଙ୍କ ସହ ଡ୍ରେସିଂ ରୁମ ଶେୟାର କରି ବେଶ ଖୁସି ହୋଇଯାଇଥିଲେ। ଏପରି କି ସେ ରୋହିତଙ୍କୁ ପାଖରେ ପାଇ ଫଟୋ ବି ଉଠାଇଥିଲେ।

Related story