Advertisment

କ୍ୱାଲିଫାୟାର୍-୧: ଫାଇନାଲ ଟିକେଟ ପାଇଁ କେକେଆରକୁ ଦରକାର ୧୬୦ ରନ

ଚଳିତ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ ଆଜି ନିଜର ଦମ ଦେଖାଇବା ସହ ୪ ଓଭରରେ ମାତ୍ର ୩୪ ରନ ଦେଇ ହାଇଦ୍ରାବାଦର ୩ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

author-image
Hemant Lenka
KKR

KKR

ବ୍ୟାଟିଂ ପାୱାର ହାଉସ ଭାବେ ପରିଚିତ ସନ ରାଇଜର୍ସ ହାଇଦ୍ରାବାଦ ଆଜି କ୍ୱାଲିଫାୟାର ୧ରେ ଫେଲ ମାରିଛି। ଏପରି କି ଦଳ ପୂରା ୨୦ ଓଭର ମଧ୍ୟ ଖେଳି ପାରି ନାହିଁ। ଦଳ ପାଇଁ କେବଳ ରାହୁଲ ତ୍ରିପାଠୀ ଲଢ଼େଇ କରି ଅର୍ଦ୍ଧଶତକ ହାସଲ କରିଛନ୍ତି।

Advertisment

ତ୍ରିପାଠୀଙ୍କ ୫୫ ରନ ବଳରେ ହାଇଦ୍ରାବାଦ ସମସ୍ତ ୱିକେଟ ହରାଇ ୧୫୯ ରନ କରିଛି। ଏବେ ମ୍ୟାଚ ଜିତି ୨୦୨୪ ଆଇପିଏଲ ଫାଇନାଲରେ ପ୍ରବେଶ କରିବା ପାଇଁ କୋଲକାତା ନାଇଟ ରାଇଡର୍ସ(କେକେଆର)କୁ ୧୬୦ ରନ ଦରକାର।

ଚଳିତ ଆଇପିଏଲର ସବୁଠାରୁ ମହଙ୍ଗା ଖେଳାଳି ମିଚେଲ ଷ୍ଟାର୍କ ଆଜି ନିଜର ଦମ ଦେଖାଇବା ସହ ୪ ଓଭରରେ ମାତ୍ର ୩୪ ରନ ଦେଇ ହାଇଦ୍ରାବାଦର ୩ ବ୍ୟାଟରଙ୍କୁ ଆଉଟ କରିଛନ୍ତି।

Advertisment

ଅହମଦାବାଦର ନିରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳା ଯାଉଥିବା ମ୍ୟାଚରେ ହାଇଦ୍ରାବାଦ ଅଧିନାୟକ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। କିନ୍ତୁ ଇନଫର୍ମ ଟ୍ରାଭିସ ହେଡ ପ୍ରଥମ ଓଭରରେ ହିଁ ଖାତା ଖୋଲିବା ପୂର୍ବରୁ ଆଉଟ ହୋଇଥିଲେ। ତାଙ୍କୁ ଷ୍ଟାର୍କ ଆଉଟ କରିଥିଲେ। ଦ୍ୱିତୀୟ ଓଭରରେ ଅଭିଷେକ ଶର୍ମା(୩) ବୈଭବ ଅରୋରାଙ୍କ ଶିକାର ବନିଥିଲେ।

ନୀତୀଶ ରେଡ୍ଡୀ ୯ ରନ କରିଥିବା ବେଳେ ତାଙ୍କୁ ଷ୍ଟାର୍କ ପ୍ୟାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ବଲରେ ଶହବାଜ ଅହମଦ(୦) ଷ୍ଟାର୍କଙ୍କ ତୃତୀୟ ଶିକାର ବନିଥିଲେ। ୩୯ ରନରେ ଦଳ ୪ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଏତିକି ବେଳେ ରାହୁଲ ଓ ହେନରିଚ କ୍ଲାସେନ ସ୍ଥିତି ସମ୍ଭାଳିଥିଲେ। ଉଭୟ କାଉଣ୍ଟର ଆଟାକ କରି ଦଳୀୟ ସ୍କୋରକୁ ୧୦୦ ପାର କରାଇଥିଲେ। ରାହୁଲ ମଧ୍ୟ ନିଜର ଅର୍ଦ୍ଧଶତକ ହାସଲ କରିଥିଲେ। କିନ୍ତୁ ଦଳୀୟ ସ୍କୋର ୧୦୧ ରନ ଥିବା ବେଳେ ବରୁଣ ଚକ୍ରବର୍ତ୍ତୀଙ୍କୁ ବଡ଼ ଶଟ ମାରିବାକୁ ଯାଇ କ୍ଲାସେନ(୩୨) ବାଉଣ୍ଡରୀ ପାଖରେ ଧରା ପଡ଼ି ଯାଇଥିଲେ।

ଅବଦୁଲ ସମଦଙ୍କ ସହ ତାଳ ମେଳ ଅଭାବରୁ ରାହୁଲ ତ୍ରିପାଠୀ ରନ ଆଉଟ ହୋଇ ଯାଇଥିଲେ। ସେ ଆଉଟ ହେବା ପୂର୍ବରୁ ୩୫ ବଲରେ ୫୫ ରନର ଇନିଂସ ଖେଳିଥିଲେ। ଏହି ଇନିଂସରେ ୭ଟି ଚୌକା ଓ ଗୋଟିଏ ଛକା ମାରିଛନ୍ତି। ରାହୁଲଙ୍କ ପରେ ଇମ୍ପାକ୍ଟ ଖେଳାଳି ଭାବେ ସନବୀର ସିଂହ ବ୍ୟାଟିଂ କରିବାକୁ ଆସିଥିଲେ।

କିନ୍ତୁ ସେ ପ୍ରଥମ ବଲରେ ସୁନୀଲ ନାରିନଙ୍କ ବଲରେ ବୋଲ୍ଡ ହୋଇ ଯାଇଥିଲେ। ସମଦ ମଧ୍ୟ ଦଳୀୟ ସ୍କୋର ୧୨୫ ଥିବା ବେଳେ ପ୍ୟାଭିଲିୟନ ଫେରିଥିଲେ। ତାଙ୍କୁ ହର୍ଷିତ ରାଣା ଆଉଟ କରିଥିଲେ। ଭୁବନେଶ୍ୱର କୁମାର ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ।

ହାଇଦ୍ରାବାଦ ୧୨୬ ରନରେ ୯ଟି ୱିକେଟ ହରାଇଥିଲା। ତେବେ ଶେଷ ଭାଗରେ ଅଧିନାୟକ ପାଟ କମିନ୍ସ ଲଢ଼େଇ କରିଥିଲେ। ତାଙ୍କୁ ବିଜୟକାନ୍ତ ବୈଶକାନ୍ତ ସାଥ ଦେଇଥିଲେ।

କମିନ୍ସ ୨୪ ବଲରେ ୩୦ ରନ କରିବାରୁ ହାଇଦ୍ରାବାଦର ସ୍କୋର ୧୫୯ରେ ପହଞ୍ଚି ପାରିଥିଲେ। ଶେଷରେ ୧୯.୩ ଓଭରରେ ଆନ୍ଦ୍ରେ ରସେଲଙ୍କୁ ବଡ଼ ଶଟ ମାରିବାକୁ ଯାଇ କମିନ୍ସ ଆଉଟ ହୋଇଥିଲେ। ଏଥିସହ ହାଇଦ୍ରାବାଦ ଇନିଂସରେ ମଧ୍ୟ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ବିଜୟକାନ୍ତ ଶେଷ ଯାଏ ୭ ରନ କରି ଅପରାଜିତ ରହିଥିଲା।

କେକେଆର ପାଇଁ ଷ୍ଟାର୍କ ୩ଟି ୱିକେଟ ନେଇଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ୨ଟି, ହର୍ଷିତ ରାଣା, ବୈଭବ ଅରୋରା, ସୁନୀଲ ନାରିନ ଓ ରସେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି। 

IPL IPL 2024 KKR SRH