Advertisment

ମିଲରଙ୍କ ୧୦୧, କ୍ଲାସେନଙ୍କ ୪୭: କିନ୍ତୁ ଦକ୍ଷିଣ ଆଫ୍ରିକାର ୨୧୨ରେ ଅଲଆଉଟ

ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଓ ଷ୍ଟାର୍କ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ହେଜେଲଉଡ ଓ ହେଡ୍‌ ୨ଟି ଲେଖାଏ ସଫଳତା ପାଇଛନ୍ତି।

Miller

Miller

Advertisment

ବିଶ୍ୱକପର ସେମି ଫାଇନାଲକୁ ଆସି ପୁଣିଥରେ ଫସିଛି ଦକ୍ଷିଣ ‌ଆଫ୍ରିକା। ଗୁରୁତ୍ୱପୂର୍ଣ୍ଣ ସେମି ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ମାତ୍ର ୨୧୨ ରନ କରି ଅଲଆଉଟ ହୋଇଯାଇଛି। ପ୍ରାରମ୍ଭିକ ବିପର୍ଯ୍ୟୟ ସତ୍ତ୍ୱେ ଡାଭିଡ ମିଲର ଲଢ଼େଇ କରିବା ସହ ୧୦୧ ରନର ଇନିଂସ ଖେଳିଛନ୍ତି। ତାଙ୍କୁ ହେନରିଚ୍‌ କ୍ଲାସେନ ସାଥ ଦେବା ସହ ୪୭ ରନ କରିଥିଲେ।

Advertisment

ହେଲେ ଦକ୍ଷିଣ ଆଫ୍ରିକାର ଆଉ କୌଣସି ବ୍ୟାଟର ଆଖି ଦୃଶିଆ ପ୍ରଦର୍ଶନ କରିପାରି ନାହାନ୍ତି। ଏହି ଦୁଇ ବ୍ୟାଟର ମିଳିତ ଭାବେ ୧୪୮ ରନ କରିଥିବା ବେଳେ ଦଳକୁ ଅତିରିକ୍ତ ଭାବେ ୧୧ ରନ ମିଳିଛି। ଏହା ସତ୍ତ୍ୱେ ପୂରା ଟିମ ୪୯.୪ ଓଭର୍‌ରେ ସମସ୍ତ ୱିକେଟ ହରାଇ ୨୧୨ ରନ କରିଛି।

ଏବେ ଅଷ୍ଟ୍ରେଲିଆକୁ ୭ମ ଥର ବିଶ୍ୱକପ ଫାଇନାଲରେ ପ୍ରବେଶ ପାଇଁ ୨୧୩ ରନ କରିବାକୁ ପଡ଼ିବ। ୧୯୯୯ ଓ ୨୦୦୭ରେ ଦକ୍ଷିଣ ଆଫ୍ରିକା ସେମି ଫାଇନାଲରେ ଅଷ୍ଟ୍ରେଲିଆ ଠାରୁ ହାରିଥିଲା। ଏବେ ତୃତୀୟ ଥର ପାଇଁ ଦୁଇ ଦଳ ମୁହାଁମୁହିଁ ହେଉଛନ୍ତି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ ପରେ ସାମାନ୍ୟ ଆଗରେ ରହିଛି। ଦକ୍ଷିଣ ‌ଆଫ୍ରିକାକୁ ଇତିହାସ ରଚିବାକୁ ହେଲେ ଆଜି କିଛି ଚମତ୍କାରିତା କରିବାକୁ ପଡ଼ିବ।

Advertisment

କୋଲକାତାର ଇଡେନ ଗାର୍ଡେନ୍ସରେ ଖେଳା ଯାଉଥିବା ଆଜିର ସେମି ଫାଇନାଲ ମ୍ୟାଚ୍‌ରେ ଟସ୍‌ ଜିତି ଦକ୍ଷିଣ ଆଫ୍ରିକା ଅଧିନାୟକ ତେମ୍ବା ବଭୂମା ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ତେବେ ଅଷ୍ଟ୍ରେଲିଆର ଦୁଇ ଦ୍ରୁତ ବୋଲର ଓଭରକାଷ୍ଟ କଣ୍ଡିସନର ଫାଇଦା ଉଠାଇ ଆରମ୍ଭରୁ ଦକ୍ଷିଣ ଆଫ୍ରିକାକୁ ଘାଇଲା କରିଥିଲେ। ପ୍ରଥମ ଓଭର୍‌ରେ ମିଚେଲ ଷ୍ଟାର୍କ ଖାତା ଖୋଲିବା ପୂର୍ବରୁ ତେମ୍ବା ବଭୂମାଙ୍କୁ ପ୍ୟାଭିଲିୟନ ପଠାଇଥିଲେ।

ଏହାପରେ କ୍ୱିଣ୍ଟନ ଡି’କକ (୩) ବଡ଼ ଶଟ ଖେଳିବାକୁ ଯାଇ ଜୋଶ ହେଜେଲଉଡଙ୍କ ବଲରେ ଅଉଟ ହୋଇଥିଲେ। ୧୦ ଓଭର ସୁଦ୍ଧା ଦକ୍ଷିଣ ଆଫ୍ରିକା ୨ ୱିକେଟ ହରାଇ ୧୮ ରନ କରିଥିଲା। ୧୧ତମ ଓଭର୍‌ର ୫ମ ବଲରେ ଷ୍ଟାର୍କ ୧୦ ରନ କରିଥିବା ଏଡେନ ମାର୍କରମଙ୍କୁ ପ୍ୟାଭିଲିୟନ ପଠାଇଥିଲେ। ପରବର୍ତ୍ତୀ ଓଭରରେ ହେଜେଲଉଡଙ୍କ ବଲରେ ଡୁସେନ ଆଉଟ ହୋଇଥିଲେ। ସେ ୩୧ ବଲରେ ମାତ୍ର ୬ ରନ କରିଥିଲେ। ଦକ୍ଷିଣ ଆଫ୍ରିକା ୨୪ ରନରେ ୪ର୍ଥ ୱିକେଟ ହରାଥିଲା। ଏହାପରେ ଡାଭିଡ ମିଲର ଓ ହେନରିଚ୍‌ କ୍ଲାସେନ ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରିଥିଲେ। ଦକ୍ଷିଣ ଆଫ୍ରିକା ୧୪ ଓଭର୍‌ରେ ୪୪ ରନ କରିଥିବା ବେଳେ ବର୍ଷା ଯୋଗୁ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିଲା।

ବର୍ଷା ଛାଡ଼ିବା ପରେ ଦଳ ୪୪/୪ରୁ ଖେଳ ଆଗକୁ ବଢ଼ିଥିଲା। ମିଲର ଓ କ୍ଲାସେନ ସୁଯୋଗ ଦେଖି ଅଷ୍ଟ୍ରେଲିଆକୁ କାଉଣ୍ଟର ଆଟାକ କରିଥିଲେ। ଦଳୀୟ ସ୍କୋରକୁ ୨୪ରୁ ନେଇ ଉଭୟ ୧୧୯ ରନରେ ପହଞ୍ଚାଇ ଦେଇଥିଲେ। ଲାଗୁଥିଲା ଉଭୟଙ୍କ ବ୍ୟାଟରୁ ଅର୍ଦ୍ଧଶତକ ବାହାରିବ। କିନ୍ତୁ ହଠାତ୍‌ ଟ୍ରାଭିସ ହେଡ୍‌ ସବୁ କିଛି ଓଲଟପାଲଟ କରି ଦେଇଥିଲେ।

ସେ ପ୍ରଥମେ ୪୭ ରନ କରିଥିବା କ୍ଲାସେନଙ୍କୁ କ୍ଲିନବୋଲ୍ଡ କରିଥିଲେ। ଏହାର ପରବର୍ତ୍ତୀ ବଲରେ ମାର୍କୋ ୟାନସେନ ମଧ୍ୟ ତାଙ୍କ ଶିକାର ବନିଥିଲେ। ଦୁଇଟି ବଲରେ ଦୁଇଟି ୱିକେଟ ଯାଇଥିଲେ ମଧ୍ୟ ମିଲର ଲଢ଼ିବା ବନ୍ଦ କରି ନେଇଥିଲେ। ସେ ପ୍ରଥମେ ଅର୍ଦ୍ଧଶତକ ହାସଲ କରିଥିଲେ। ଏହାପରେ ସେ ବଡ଼ ବଡ଼ ଶଟ ଖେଳି ଦଳୀୟ ସ୍କୋରକୁ ଆଗକୁ ନେଇଥିଲେ।

ତାଙ୍କୁ ଗେରାଲ୍ଡ କୋଏଜେ କିଛି ସମୟ ପାଇଁ ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୧୭୨ ଥିବା ବେଳେ ୧୯ ରନ କରି କୋଏଜେ ପାଟ କମିନ୍ସଙ୍କ ବଲରେ ଆଉଟ ହୋଇଥିଲେ। କେଶବ ମହାରାଜ(୪) ମଧ୍ୟ ବେଶୀ କିଛି କରି ପାରି ନଥିଲେ। ତଥାପି ଡାଭିଡ ମିଲର ଦଳୀୟ ସ୍କୋରକୁ ୨୦୦ ପାର କରାଇଥିଲେ।

ଏଥିସହ ୪୮ତମ ଓଭରର ପ୍ରଥମ ବଲରେ ସେ କମିନ୍ସଙ୍କୁ ଛକା ମାରି ନିଜର ଶତକ ହାସଲ କରିଥିଲେ। ହେଲେ ପରବର୍ତ୍ତୀ ବଲରେ ସେ ବଡ଼ ଶଟ ମାରିବାକୁ ଯାଇ କମିନ୍ସଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ।

ମିଲର ଆଜି ୧୧୬ ବଲରେ ଲଢ଼ୁଆ ୧୦୧ ରନର ଇନିଂସ ଖେଳିଛନ୍ତି। ଏଥିରେ ୮ଟି ଚୌକା ଓ ୫ଟି ଛକା ରହିଛି। ମିଲର ଆଉଟ ହେବା ସହ ଦକ୍ଷିଣ ଆଫ୍ରିକାକୁ ୯ମ ଝଟକା ଲାଗିଥିଲା। କାଗିସୋ ରବାଡା ଗୋଟିଏ ଛକା ସହ ୧୦ ରନ କରିବାରୁ ଦକ୍ଷିଣ ଆଫ୍ରିକା ୨୧୨ ରନରେ ପହଞ୍ଚିଥିଲା। ତାଙ୍କୁ ଇନିଂସ ଶେଷ ଓଭର ବୋଲିଂ କରୁଥିବା କମିନ୍ସ ଆଉଟ କରି ଦକ୍ଷିଣ ଆଫ୍ରିକା ଇନିଂସର ପୂର୍ଣ୍ଣଚ୍ଛେଦ ଟାଣିଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ କମିନ୍ସ ଓ ଷ୍ଟାର୍କ ୩ଟି ଲେଖାଏ ୱିକେଟ ନେଇଥିବା ବେଳେ ହେଜେଲଉଡ ଓ ହେଡ୍‌ ୨ଟି ଲେଖାଏ ସଫଳତା ପାଇଛନ୍ତି।

ICC ICC Men’s Cricket World Cup 2023 ICC World Cup 2023 David Miller
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe