Advertisment

ଦୃଢ଼ ସ୍ଥିତିରେ ଭାରତୀୟ ମହିଳା ଟିମ, ପ୍ରଥମ ଇନିଂସରେ ଇଂଲଣ୍ଡ ୧୩୬ରେ ସଫା

ଦୀପ୍ତି ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୫ ୱିକେଟ ଦଖଲ କରି ଇଂଲଣ୍ଡର ପ୍ରଥମ ଇନିଂସକୁ ୧୩୬ ରନରେ ଶେଷ କରି ଦେଇଛନ୍ତି।

Deepti Sharma

Deepti Sharma

Advertisment

ଇଂଲଣ୍ଡ ବିପକ୍ଷ ଏକମାତ୍ର ଟେଷ୍ଟରେ ଭାରତୀୟ ମହିଳା ଟିମର ଦବଦବା ଦେଖିବାକୁ ମିଳିଛି। ପ୍ରଥମ ଇନିଂସରେ ଦମଦାର ବ୍ୟାଟିଂ କରିଥିବା ହରମନପ୍ରୀତ କୌର ଆଣ୍ଡ କୋ ବୋଲିଂରେ ମଧ୍ୟ କମାଲ କରିଛନ୍ତି। ପୁଣେରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଭାରତୀୟ ମହିଳା ଦଳ ତା’ର ପ୍ରଥମ ଇନିଂସରେ ୪୨୮ ରନ କରି ଅଲଆଉଟ ହୋଇଯାଇଥିଲା।

Advertisment

ଦ୍ୱିତୀୟ ଦିନର ପ୍ରଥମ ଘଣ୍ଟାରେ ଭାରତୀୟ ଇନିଂସରେ ପୂର୍ଣ୍ଣଚ୍ଛେଦ ପଡ଼ିଥିଲା। ଏହାପରେ ଇଂଲଣ୍ଡ ତା’ର ପ୍ରଥମ ଇନିଂସ ଆରମ୍ଭ କରିଥିଲା। ହେଲେ ଭାରତୀୟ ବୋଲରଙ୍କ ଆଗରେ ଇଂଲଣ୍ଡ ବ୍ୟାଟରମାନେ ବେଶୀ ସମୟ ତିଷ୍ଠି ପାରି ନଥିଲେ।

ନାଟ ସ୍କିଭର ବ୍ରଣ୍ଟ ୫୯ ରନର ଇନିଂସ ଖେଳିଥିଲେ ହେଁ ଆଉ କୌଣସି ବ୍ୟାଟର ତାଙ୍କ ସାଥ ଦେଇ ନଥିଲେ। ବିଶେଷ କରି ଅପ ସ୍ପିନର ଦୀପ୍ତି ଶର୍ମାଙ୍କୁ ଇଂଲଣ୍ଡର କୌଣସି ବ୍ୟାଟର ସାମ୍ନା କରି ପାରି ନଥିଲେ। ସେ ପ୍ରଥମଥର ପାଇଁ ଟେଷ୍ଟ କ୍ରିକେଟରେ ୫ ୱିକେଟ ଦଖଲ କରି ଇଂଲଣ୍ଡର ପ୍ରଥମ ଇନିଂସକୁ ୧୩୬ ରନରେ ଶେଷ କରି ଦେଇଛନ୍ତି।

Advertisment

ସେ ବ୍ୟାଟିଂରେ ମଧ୍ୟ କମାଲ କରିଥିଲେ। ସେ ୬୭ ରନର ଇନିଂସ ଖେଳି ଭାରତର ସ୍କୋରକୁ ୪୨୮ରେ ପହଞ୍ଚାଇଥିଲେ। ବୋଲିଂରେ ଦୀପ୍ତିଙ୍କ ବ୍ୟତୀତ ସ୍ନେହ ରାଣା ୨ଟି, ରେଣୁକା ସିଂହ ଠାକୁର, ପୂଜା ବସ୍ତ୍ରକର ମଧ୍ୟ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଇଂଲଣ୍ଡ ୧୩୬ ରନରେ ଅଲଆଉଟ ହୋଇଯିବାରୁ ଭାରତୀୟ ମହିଳା ଦଳକୁ ପ୍ରଥମ ଇନିଂସରେ ୨୯୨ ରନର ଅଗ୍ରଣୀ ମିଳିଛି। ଆଜି ମ୍ୟାଚ୍‌ର ଦ୍ୱିତୀୟ ଦିନ ହୋଇଥିବା ବେଳେ ଭାରତ ନିଜର ଦ୍ୱିତୀୟ ଇନିଂସ ମଧ୍ୟ ଆରମ୍ଭ କରିଛି। ଦଳର ଦୁଇ ଓପନର ଶେଫାଳି ବର୍ମା ଓ ସ୍ମିତ ମନ୍ଧାନା ଦମଦାର ବ୍ୟାଟିଂ କରି ଦଳୀୟ ସ୍କୋରକୁ ଆଗକୁ ମଧ୍ୟ ନେଇଥିଲେ।

ଉଭୟ ପ୍ରଥମ ୱିକେଟ ପାଇଁ ୬୧ ରନ ଯୋଡ଼ିଥିଲେ। ଦଳୀୟ ସ୍କୋର ୬୧ ଥିବା ବେଳେ ମନ୍ଧାନା ୨୬ ରନ କରି ସୋଫି ଏସଲେଷ୍ଟୋନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହାପରେ ଶେଫାଳି ବର୍ମା ୩୩ ରନ କରି ଚାର୍ଲି ଡିନଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ପ୍ରଥମ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ୟାସ୍ତିକା ଭାଟିଆ ଦ୍ୱିତୀୟ ଇନିଂସରେ ୩ନଂରେ ବ୍ୟାଟିଂ କରିବାକୁ ଆସିଥିଲେ।

କିନ୍ତୁ ସେ ୯ ରନ କରି ଏସଲେଷ୍ଟୋନଙ୍କ ବଲରେ ଆଉଟ ହୋଇଯାଇଥିଲେ। ଭାରତ ୭୭ ରନରେ ୩ୟ ୱିକେଟ ହରାଇଥିଲା। ଏହାପରେ ଜେମିମା ରୋଡ୍ରିଗ୍ସ ଓ ଅଧିନାୟକ କୌର ସ୍ଥିତି ସମ୍ଭାଳିବାକୁ ଚେଷ୍ଟା କରୁଛନ୍ତି। ରିପୋର୍ଟ ଲେଖା ହେବା ବେଳକୁ ଭାରତ ଦ୍ୱିତୀୟ ଇନିଂସରେ ୩ ୱିକେଟ ହରାଇ ୯୨ ରନ କରି ନେଇଛି। ଏଥିସହ ମ୍ୟାଚ୍‌ରେ ୩୮୪ ରନର ଲିଡ୍‌ ଭାରତ ନିଜ ପାଖରେ ରଖିବାକୁ ସକ୍ଷମ ହୋଇଛି। 

India Vs England Test Match Deepti Sharma
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe