୨୦୨୨ରେ ଟି-୨୦ ବିଶ୍ୱକପ ଜିତିଥିବା ଡିଫେଣ୍ଡିଂ ଚାମ୍ପିୟନ ଇଂଲଣ୍ଡ ଆଗମୀ ବିଶ୍ୱକପ ପାଇଁ ଆଜି ସ୍କ୍ୱାଡ ଘୋଷଣା କରିଛି। ୨୦୨୨ ଭଳି ୨୦୨୪ରେ ମଧ୍ୟ ଇଂଲଣ୍ଡ ଅଭିଜ୍ଞ ଜୋଶ ବଟଲରଙ୍କ ନେତୃତ୍ୱରେ ଟ୍ରଫି ପାଇଁ ଟକ୍କର କରିବ। ସେହିପରି ଦୀର୍ଘ ୧୨ ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ କମବ୍ୟାକ କରିଛନ୍ତି ଦ୍ରୁତ ବୋଲର ଜୋଫ୍ରା ଆର୍ଚର।
ତାଙ୍କୁ ଇଂଲଣ୍ଡ କ୍ରିକେଟ ବୋର୍ଡ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରିଛି। ଜୋଫ୍ରା ଶେଷଥର ପାଇଁ ୨୦୨୩ ମାର୍ଚ୍ଚରେ ଇଂଲଣ୍ଡ ପାଇଁ ଖେଳିଥିଲେ। ଏହାପରେ ସେ କହୁଣୀ ସମସ୍ୟା ପାଇଁ ବର୍ଷେ ହେଲା ଦଳ ଓ କ୍ରିକେଟରୁ ଦୂରେଇ ରହିଥିଲେ।
୨୦୨୧ରୁ ହିଁ ଆର୍ଚର ଆହତ ହୋଇ ଚାଲିଛନ୍ତି। ଦୁର୍ଘଟଣା ଠାରୁ ଆରମ୍ଭ କରି କହୁଣୀ ସମସ୍ୟା ଯୋଗୁ ସେ ଦଳରୁ ବାଦ ପଡ଼ିବାକୁ ଲାଗିଥିଲେ। ଏବେ କିନ୍ତୁ ସେ ଠିକ ଟି-୨୦ ବିଶ୍ୱକପ ପୂର୍ବରୁ ଫିଟ ହୋଇଛନ୍ତି। ସେ ମ୍ୟାଚ୍ ଖେଳିବାକୁ ପ୍ରସ୍ତୁତ ଥିବାରୁ ତାଙ୍କୁ ଟି-୨୦ ବିଶ୍ୱକପ ସ୍କ୍ୱାଡରେ ସାମିଲ କରାଯାଇଛି।
ସେହିପରି ଇଂଲଣ୍ଡ ଦଳରୁ ନିୟମିତ ବାଦ ପଡ଼ିଥିବା ଅଭିଜ୍ଞ ଅଲରାଉଣ୍ଡର କ୍ରିସ ଜୋର୍ଡାନଙ୍କୁ ମଧ୍ୟ ଟି-୨୦ ବିଶ୍ୱକପ ଟିକେଟ ମିଳିଛି। ସେ ୨୦୨୩ ସେପ୍ଟେମ୍ବର ମାସରୁ ଇଂଲଣ୍ଡ ପାଇଁ ଅନ୍ତର୍ଜାତୀୟ ମ୍ୟାଚ ଖେଳି ନାହାନ୍ତି।
ବଟଲରଙ୍କ ନେତୃତ୍ୱରେ ଘୋଷଣା ହୋଇଥିବା ୧୫ ଜଣିଆ ସ୍କ୍ୱାଡରେ ବ୍ୟାଟର ଭାବେ ୱିଲ ଜ୍ୟାକ୍ସ, ଫିଲ ସଲ୍ଟ ଓ ଜନ୍ନି ବେୟାରଷ୍ଟୋ ରହିଛନ୍ତି। ଏହାମାନେ ଦଳର ଟପ ଅର୍ଡର ସମ୍ଭାଳିବେ। ବେନ ଡକେଟ ସ୍କ୍ୱାଡରେ ରହିଥିବା ବେଳେ ଅଲରାଉଣ୍ଡର ମୋଇନ ଅଲୀ ମଧ୍ୟ ସୁଯୋଗ ପାଇଛନ୍ତି।
Our ICC Men's T20 World Cup squad looking 🔥🔥🔥
— England Cricket (@englandcricket) April 30, 2024
Who are you most looking forward to seeing? 👇#EnglandCricket | @T20WorldCup pic.twitter.com/48Q6pO2CzE
ଏମାନଙ୍କ ବ୍ୟତୀତ ହ୍ୟାରୀ ବ୍ରୁକ, ଲିଆମ ଲିଭଙ୍ଗଷ୍ଟୋନ ଓ ସାମ କରାନ ରହିଛନ୍ତି। ସ୍ପିନର ବୋଲିଂ ଦାୟିତ୍ୱ ଆଦିଲ ରଶିଦ ଓ ଟମ ହାର୍ଟଲୀ ନେବେ। ଆର୍ଚର, କରାନ ଓ ଜୋର୍ଡାନଙ୍କ ବ୍ୟତୀତ ଦ୍ରୁତ ବୋଲର ଭାବେ ସ୍କ୍ୱାଡରେ ରେସ ଟପଲୀ ଓ ମାର୍କ ଉଡ୍ ରହିଛନ୍ତି।
ଇଂଲଣ୍ଡର ବିଶ୍ୱକପ ସ୍କ୍ୱାଡ: ଜୋଶ ବଟଲର(ଅଧିନାୟକ), ମୋଇନ ଅଲୀ, ଜୋଫ୍ରା ଆର୍ଚର, ଜନ୍ନି ବେୟାରଷ୍ଟୋ, ହ୍ୟାରୀ ବ୍ରୁକ, ସାମ କରାନ, ବେନ ଡକେଟ, ଟମ ହାର୍ଟଲୀ, ୱିଲ ଜ୍ୟାକ୍ସ, କ୍ରିସ ଜୋର୍ଡାନ, ଲିଆମ ଲିଭଙ୍ଗଷ୍ଟୋନ, ଆଦିଲ ରଶିଦ, ଫିଲ ସଲ୍ଟ, ରେସ ଟପଲୀ ଓ ମାର୍କ ଉଡ୍।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।