ଅକ୍ଷର ପଟେଲ ଯୁଗରେ ଦିଲ୍ଲୀ କ୍ୟାପିଟାଲ୍ସ: ଟାଇଟଲ ମରୁଡ଼ି ଶେଷ ହେବ କି?

ଦିଲ୍ଲୀର ନେତୃତ୍ୱ ଗଲା ୩ ବର୍ଷ ପରେ ମଧ୍ୟରେ ଋଷଭ ପନ୍ତ ଓ ଡାଭିଡ ୱାର୍ଣ୍ଣରଙ୍କ ହାତରେ ରହିଥିଲା। ହେଲେ ଉଭୟ ଦଳର ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି।

axar patel

ଅକ୍ଷର ପଟେଲ

Hemant Lenka
  • Published: Monday, 17 March 2025
  • , Updated: 17 March 2025, 05:11 PM IST

ମାର୍ଚ୍ଚ ୨୨ରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲର ୧୮ତମ ସଂସ୍କରଣ। ଆଜି ଆଇପିଏଲ ରିଭ୍ୟୁରେ ଆମେ ଦିଲ୍ଲୀ କ୍ୟାପିଟାଲ୍ସ ସମ୍ପର୍କରେ ଚର୍ଚ୍ଚା କରିବା। ଦିଲ୍ଲୀ କ୍ୟାପିଟାଲ୍ସର ପ୍ରଦର୍ଶନ ଗତ ୩ଟି ଯାକ ଆଇପିଏଲରେ ଆଦୌ ଭଲ ନଥିଲା। ୨୦୨୦ରେ ଦିଲ୍ଲୀ କ୍ୟାପିଟାଲ୍ସ ତା’ର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲା। ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଦଳ ଆଇପିଏଲ ଫାଇନାଲ ଦୁବାଇରେ ଖେଳି ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଠାରୁ ହାରିଥିଲା। ସେବେଠାରୁ ଦିଲ୍ଲୀର ପ୍ରଦର୍ଶନ ନିମ୍ନଗାମୀ ହେବାରେ ଲାଗିଛି। 

ଦିଲ୍ଲୀର ନେତୃତ୍ୱ ଗଲା ୩ ବର୍ଷ ପରେ ମଧ୍ୟରେ ଋଷଭ ପନ୍ତ ଓ ଡାଭିଡ ୱାର୍ଣ୍ଣରଙ୍କ ହାତରେ ରହିଥିଲା। ହେଲେ ଉଭୟ ଦଳର ଫ୍ୟାନ୍ସଙ୍କୁ ନିରାଶ କରିଛନ୍ତି। ୨୦୨୫ ଆଇପିଏଲ ପୂର୍ବରୁ ପନ୍ତ ରେକର୍ଡ ୨୭ କୋଟିରେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଖକୁ ଚାଲି ଯାଇଛନ୍ତି। ସେହିପରି ୱାର୍ଣ୍ଣରଙ୍କୁ ଅକ୍ସନରେ କେହି ବି କିଣି ନାହାନ୍ତି। କ୍ରମାଗତ ୩ଟି ନୈରାଶ୍ୟଜନକ ପ୍ରଦର୍ଶନ ପରେ ଏବେ ଦିଲ୍ଲୀ କ୍ୟାପିଟାଲ୍ସ ନୂଆ ରଙ୍ଗ ଓ ରଣନୀତି ସହ ୨୦୨୫ ଆଇପିଏଲକୁ ଓହ୍ଲାଇବ। ଦଳ ତା’ର ପ୍ରଥମ ମ୍ୟାଚ ମାର୍ଚ୍ଚ ୨୪ ତାରିଖ ଲକ୍ଷ୍ନୌ ବିପକ୍ଷରେ ଖେଳିବ।

ଅକ୍ଷର ପଟେଲଙ୍କ ନୂଆ ଯାତ୍ରା

ଆଇପିଏଲର ୧୮ତମ ସଂସ୍କରଣରେ ସମସ୍ତ ଫୋକସରେ ଜଣେ ଖେଳାଳି ରହିବେ। ସେ ହେଲେ ଅଲରାଉଣ୍ଡର ଅକ୍ଷର ପଟେଲ। ୩୧ ବର୍ଷୀୟ ଅକ୍ଷର ପଟେଲଙ୍କୁ କ୍ୟାପିଟାଲ୍ସର ଅଧିନାୟକ ଭାବେ ନିଯୁକ୍ତି ମିଳିଛି। ୨୦୧୯ରୁ ଅକ୍ଷର ଦିଲ୍ଲୀ କ୍ୟାପିଟାଲ୍ସରୁ ଦଳ ସହ ଯୋଡ଼ି ହୋଇ ରହିଛନ୍ତି। ଟି-୨୦ ଫର୍ମାଟରେ ଅଧିନାୟିକତ୍ୱ କରିବା ଅକ୍ଷରଙ୍କ ପାଇଁ ନୂଆ କଥା ନୁହେଁ। କାରଣ ସେ ୨୦୧୮ରୁ ୨୦୨୪ ଯାଏ ୧୬ଟି ଟି-୨୦ରେ ବରୋଦାର କମାଣ ସମ୍ଭାଳିଥିଲେ।

ଏହି ୧୬ଟି ମ୍ୟାଚ୍‌ରୁ ବରୋଦା ୧୦ଟିରେ ଜିତିଥିଲା। ୨୦୨୪ ମେ’ ୧୨ରେ ଅକ୍ଷର ଗୋଟିଏ ଥର ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷ ମ୍ୟାଚ୍‌ରେ ଦିଲ୍ଲୀର ନେତୃତ୍ୱ ନେଇଥିଲେ। କିନ୍ତୁ ଦିଲ୍ଲୀ କ୍ୟାପିଟାଲ୍ସ ଉକ୍ତ ମ୍ୟାଚ୍‌କୁ ୪୭ ରନରେ ହାରି ଯାଇଥିଲା। ଟି-୨୦ ଅଧିନାୟକ ଭାବେ ଅକ୍ଷର ୩୬.୪୦ ହାରରେ ୩୬୪ ରନ କରିଛନ୍ତି। ତାଙ୍କ ବ୍ୟକ୍ତିଗତ ସର୍ବାଧିକ ସ୍କୋର ହେଉଛି ୫୭। ସେ ଗତବର୍ଷ ଆରିସିବି ବିପକ୍ଷ ମ୍ୟାଚରେ ୫୭ ରନର ଇନିଂସ ଖେଳିଥିଲା। ବୋଲିଂ କଥା ଦେଖିଲେ ସେ ୨୯.୦୭ ହାରରେ ୧୩ଟି ୱିକେଟ ନେଇଛନ୍ତି।

୨୦୨୪ ମେଗା ଅକ୍ସନ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ଅକ୍ଷରଙ୍କୁ ରିଲିଜ କରି ନଥିଲା। ତାଙ୍କୁ ୧୬.୫୦ କୋଟି ଟଙ୍କା ବଳରେ ରିଟେନ କରିଥିଲା। ୩୧ ବର୍ଷୀୟ ଅକ୍ଷର ଦଳର ସବୁଠାରୁ ପୁରୁଣା ଓ ଦାମୀ ଖେଳାଳି ହୋଇଥିବାରୁ ତାଙ୍କ ଉପରେ ପ୍ରାଞ୍ଚାଇଜ ଭରସା ଦେଖାଇଛି। ଦିଲ୍ଲୀ ପାଇଁ ଆଇପିଏଲର ୬ଟି ସଂସ୍କରଣରେ ଅକ୍ଷର ୮୨ଟି ମ୍ୟାଚ୍‌ ଖେଳିଛନ୍ତି। ଗତବର୍ଷ ୩୦ ହାରରେ ସେ ୨୩୫ ରନ କରିବା ସହ ୧୧ଟି ୱିକେଟ ନେଇଥିଲେ।

କ’ଣ ଅକ୍ଷରଙ୍କ ଯୁଗରେ ଦିଲ୍ଲୀର ଟ୍ରଫି ମରୁଡ଼ି ଶେଷ ହେବ?

ଆଇପିଏଲ ପ୍ରଥମେ ୮ଟି ଟିମକୁ ନେଇ ଆରମ୍ଭ ହୋଇଥିଲା। ଏହା ମଧ୍ୟରେ ଦିଲ୍ଲୀ ରହିଥିଲା। ପୁରୁଣା ୮ଟି ଟିମ ମଧ୍ୟରୁ ଦିଲ୍ଲୀ ସହ ପଞ୍ଜାବ କିଙ୍ଗସ ଓ ଆରସିବି କେବେ ହେଲେ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହାନ୍ତି। ଆଇପିଏଲର ୧୮ତମ ସଂସ୍କରଣରେ ଦିଲ୍ଲୀ ତା’ର ଭାଗ୍ୟ ବଦଳାଇବା ଲକ୍ଷ୍ୟରେ ରହିବ।

୨୦୨୪ ସଂସ୍କରଣରେ ଦିଲ୍ଲୀର ୬ଷ୍ଠ ସ୍ଥାନରେ ତା’ର ଅଭିଯାନ ଶେଷ କରିଥିଲା। ଦଳ ୭ଟି ମ୍ୟାଚ୍‌ ଜିତିଥିଲା ଓ ୭ଟିରେ ହାରିଥିଲା। ଚଳିତ ବର୍ଷ ଅକ୍ଷର ନୂଆ ଟିମ ମ୍ୟାନେଜମେଣ୍ଟ ସହ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ କାମ କରିବେ। ଦିଲ୍ଲୀ ପୂର୍ବତନ ଖେଳାଳି ହେମାଙ୍ଗ ବଦାନିଙ୍କୁ ମୁଖ୍ୟ କୋଚ କରିଥିବା ବେଳେ ଭେନୁଗୋପାଲ ରାଓଙ୍କୁ ଡାଇରେକ୍ଟର ଅଫ କ୍ରିକେଟ ଓ ମାଥ୍ୟୁ ମୋଟ୍ଟଙ୍କୁ ଅତିରିକ୍ତ କୋଚ ଭାବେ ନିଯୁକ୍ତ କରିଛି।

ଦିଲ୍ଲୀ ପାଇଁ ଏକଦା ବୀରେନ୍ଦ୍ର ସେହୱାଗ, ଗୌତମ ଗମ୍ଭୀର ଓ ଗ୍ଲେନ ମ୍ୟାକ୍ସୱେଲଙ୍କ ଭଳି ଖେଳାଳି ଖେଳୁଥିଲେ। କିନ୍ତୁ କେହି ବି ଦଳ ପାଇଁ ଟ୍ରଫି ଜିତିବାକୁ ସକ୍ଷମ ହୋଇନାହାନ୍ତି। ଏବେ ଅକ୍ଷରଙ୍କ ଉପରେ ସବୁ ଦାୟିତ୍ୱ ରହିଛି। ୧୭ଟି ସଂସ୍କରଣରେ ଦିଲ୍ଲୀ ଯାହା କରି ପାରି ନଥିଲା, ସେଇଟା ଅକ୍ଷର ପଟେଲଙ୍କ ନେତୃତ୍ୱରେ ହେବ ବୋଲି ଫ୍ୟାନ୍ସ ଆଶା ରଖିଛନ୍ତି।

ଆଇପିଏଲ ୨୦୨୫ ପାଇଁ ଦିଲ୍ଲୀର ସ୍କ୍ୱାଡ

ଅକ୍ଷର ପଟେଲ, କୁଲଦୀପ ଯାଦବ, ଟ୍ରିଷ୍ଟାନ ଷ୍ଟବ୍ସ, ଅଭିଷେକ ପୋରେଲ, ମିଚେଲ ଷ୍ଟାର୍କ, କେଏଲ ରାହୁଲ, ଜ୍ୟାକ ଫଜେର ମ୍ୟାକଗୁର୍କ, ଟି ନଟରାଜନ, କରୁନ ନାଏର, ସମୀର ରିଜଭୀ, ଆଶୁତୋଷ ଶର୍ମା, ମୋହିତ ଶର୍ମା, ଫାଫ ଡୁପ୍ଲେସିସ, ମୁକେଶ କୁମାର, ଦର୍ଶନ ନଲକାଣ୍ଡେ, ବିପ୍ରଜ ନିଗମ, ଦୁଷ୍ମନ୍ତ ଚାମୀରା, ଡୋନୋଭାନ ଫେରିଆର, ଅଜୟ ମଣ୍ଡଲ, ମାନବନ୍ଥ କୁମାର, ତ୍ରିପୁରାନ ବିଜୟ ଓ ମାଧବ ତିୱାରୀ।

ଖେଳିବେନି ହ୍ୟାରୀ ବ୍ରୁକ

ଦିଲ୍ଲୀ କ୍ୟାପିଟାଲ୍ସକୁ ୨୦୨୫ ଆଇପିଏଲରେ ଇଂଲଣ୍ଡ ବ୍ୟାଟର ହ୍ୟାରୀ ବ୍ରୁକଙ୍କ ସେବା ମିଳିବ ନାହିଁ। ଅକ୍ସନ ବେଳେ ଦିଲ୍ଲୀ ତାଙ୍କୁ କିଣିଥିଲା। କିନ୍ତୁ ସେ ହଠାତ୍‌ ଆଇପିଏଲରୁ ନିଜ ନାଁ ପ୍ରତ୍ୟାହାର କରି ନେଇଛନ୍ତି। ଏଥିଯୋଗୁ ଆଇପିଏଲରେ ତାଙ୍କୁ ୨ ବର୍ଷ ପାଇଁ ବ୍ୟାନ କରାଯାଇଛି। ନୂଆ ନିୟମ ଅନୁସାରେ ଏପରି ପଦକ୍ଷେପ ନିଆଯାଇଛି। ହ୍ୟାରୀ ବ୍ରୁକଙ୍କ ବଦଳ ଖେଳାଳିଙ୍କ ନାଁ କ୍ୟାପିଟାଲ୍ସ ଏଯାଏ ଘୋଷଣା କରିନି।

କେଉଁ ଦିଲ୍ଲୀ ଖେଳାଳିଙ୍କ ଉପରେ ରହିବ ନଜର?

ଜ୍ୟାକ ଫଜେର ମ୍ୟାକଗୁର୍କ: ୨୦୨୪ ଆଇପିଏଲରେ ଏହି ଯୁବ ଅଷ୍ଟ୍ରେଲୀୟ ବ୍ୟାଟର ଜଣଙ୍କ ଦମଦାର ବ୍ୟାଟିଂ କରିଥିଲେ। ସେ ୨୩୪.୦୪ ଷ୍ଟ୍ରାଇକ ରେଟରେ ୩୩୦ ରନ ମାରିଥିଲେ। ଯଦି ଆରମ୍ଭରୁ ମ୍ୟାକଗୁର୍କ ବିସ୍ଫୋରକ ବ୍ୟାଟିଂ କରିବାକୁ ସକ୍ଷମ ହେବେ, ତା’ହେଲେ ପ୍ରତିପକ୍ଷ ଟିମର ହୋଶ ଉଡ଼ିଯିବା ଥୟ।

ମିଚେଲ ଷ୍ଟାର୍କ: ୨୦୨୪ ଆଇପିଏଲ କାହିଁକି କୋଲକାତା ଜିତିଲା, ତା’ର ମୁଖ୍ୟ କାରଣ ହେଉଛି ମିଚେଲ ଷ୍ଟାର୍କଙ୍କ ଘାତକ ବୋଲିଂ। କ୍ୱାଲିଫାୟର ୧ ଓ ଫାଇନାଲରେ ଷ୍ଟାର୍କ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ୨୦୨୫ରେ ଷ୍ଟାର୍କଙ୍କ ଠାରୁ ଦିଲ୍ଲୀ ସେମିତି କିଛି ଚମତ୍କାର ପ୍ରଦର୍ଶନର ଆଶା ରଖିଛି।

କେଏଲ ରାହୁଲ: ଆଇପିଏଲରେ ସ୍ଥିର ପ୍ରଦର୍ଶନ କରୁଥିବା ବ୍ୟାଟରଙ୍କ ମଧ୍ୟରୁ ଜଣେ ହେଲେ କେଏଲ ରାହୁଲ। ୨୦୨୪ରେ ସେ ଲକ୍ଷ୍ନୌର ନେତୃତ୍ୱ ନେଉଥିଲେ। କିନ୍ତୁ ଏଥର ତାଙ୍କୁ ଦିଲ୍ଲୀ ନିଜ ପାଖକୁ ଆଣିଛି। ସେ ବଡ଼ ଇନିଂସ ଖେଳିବେ ବୋଲି ସମସ୍ତେ ଆଶା ରଖିଛନ୍ତି। 

କୁଲଦୀପ ଯାଦବ: ଦକ୍ଷ ରିଷ୍ଟ ସ୍ପିନର କୁଲଦୀପ ଯାଦବ ଦିଲ୍ଲୀ ପାଇଁ ୨୦୨୪ ସଂସ୍କରଣର ୧୧ଟି ମ୍ୟାଚରେ ୧୬ଟି ୱିକେଟ ନେଇଥିଲେ। ଭାରତର ଚାମ୍ପିୟନ୍ସ ଟ୍ରଫି ବିଜୟରେ ମଧ୍ୟ ସେ ଦମଦାର ପ୍ରଦର୍ଶନ କରିଥିଲେ।

ଫାଫ ଡୁପ୍ଲେସିସ: ୨୦୨୪ରେ ଆରସିବିର କମାଣ ସମ୍ଭାଳିଥିବା ଡୁପ୍ଲେସିସ ଏଥର ଦିଲ୍ଲୀ ପାଇଁ ଖେଳିବେ। ଆଇପିଏଲରେ ୪୫୦୦ରୁ ଅଧିକ ରନ କରି ସାରିଥିବା ଡୁପ୍ଲେସିସଙ୍କ ଅଭିଜ୍ଞତାର ଉପଯୋଗ ଦିଲ୍ଲୀ ୧୮ତମ ସଂସ୍କରଣରେ କରିବାକୁ ଚାହୁଁଛି।

ଦିଲ୍ଲୀର ସମ୍ଭାବ୍ୟ ଏକାଦଶ

ଚୂଡ଼ାନ୍ତ ଏକାଦଶ ଚୟନ କରିବା ପୂର୍ବରୁ କ୍ୟାପ୍ଟେନ ଅକ୍ଷର ପଟେଲଙ୍କୁ ୪ ବିଦେଶୀ ଖେଳାଳିଙ୍କୁ ବେଶ ସତର୍କତାର ସହ ବାଛିବାକୁ ପଡ଼ିବ। କାରଣ ସ୍କ୍ୱାଡରେ ଏକାଧିକ ବିଦେଶୀ ଖେଳାଳି ରହିଛନ୍ତି। ୨୦୨୪ରେ ଆଶୁତୋଷ ଶର୍ମା ପଞ୍ଜାବ କିଙ୍ଗସ ପାଇଁ ଏକାଧିକ ବଡ଼ ଇନିଂସ ଖେଳିଥିଲେ। ନିମ୍ନକ୍ରମରେ ସେ ଦିଲ୍ଲୀ ପାଇଁ ଗେମ ଚେଞ୍ଜର ସାବ୍ୟସ୍ତ ହୋଇପାରନ୍ତି। ବିଶ୍ୱର ଦୁଇ ଶ୍ରେଷ୍ଠ ଦ୍ରୁତ ବୋଲର ଷ୍ଟାର୍କ ଓ ଚାମୀରା ଦିଲ୍ଲୀ ପାଖରେ ରହିଛନ୍ତି।

ବିକଳ୍ପ ୧ : ଜ୍ୟାକ ଫେଜର ମ୍ୟାକଗୁର୍କ, କେଏଲ ରାହୁଲ, ଫାଫ ଡୁପ୍ଲେସିସ, ଅଭିଷେକ ପୋରେଲ(ୱିକେଟ କିପର), ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୁକେଶ କୁମାର, ମୋହିତ ଶର୍ମା ଓ ଟି ନଟରାଜନ।

ଇମ୍ପାକ୍ଟ ଖେଳାଳି: ଆଶୁତୋଷ ଶର୍ମା, ସମୀର ରିଜଭୀ

ବିକଳ୍ପ ୨: ଜ୍ୟାକ ଫେଜର ମ୍ୟାକଗୁର୍କ, କେଏଲ ରାହୁଲ, ଅଭିଷେକ ପୋରେଲ(ୱିକେଟ କିପର), ଅକ୍ଷର ପଟେଲ(ଅଧିନାୟକ), ଟ୍ରିଷ୍ଟାନ ଷ୍ଟବ୍ସ, ଆଶୁତୋଷ ଶର୍ମା, ଦୁଷ୍ମନ୍ତ ଚାମୀରା, ମିଚେଲ ଷ୍ଟାର୍କ, କୁଲଦୀପ ଯାଦବ, ମୁକେଶ କୁମାର ଓ ଟି ନଟରାଜନ।

ଇମ୍ପାକ୍ଟ ଖେଳାଳି: ଦର୍ଶନ ନଲକାଣ୍ଡେ, ମୋହିତ ଶର୍ମା

Related story