Advertisment

ଦିଲ୍ଲୀର କ୍ରମାଗତ ୫ମ ପରାଜୟ, ଜିତିଲା ଆରସିବି

ଏହା ଦିଲ୍ଲୀର କ୍ରମାଗତ ୫ମ ପରାଜୟ। ସେହିପରି ରୟାଲ ଆରସିବି ୪ଟି ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରିଛି।

RCB

RCB

Advertisment

ଚଳିତ ଆଇପିଏଲରେ ଦିଲ୍ଲୀ କ୍ୟାପିଟାଲ୍ସର ପରାଜୟଧାରା ଜାରି ରହିଛି। ଆଜି ଦଳ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଠାରୁ ୨୩ ରନରେ ପରାସ୍ତ ହୋଇଛି। ଏହା ଦିଲ୍ଲୀର କ୍ରମାଗତ ୫ମ ପରାଜୟ। ସେହିପରି ରୟାଲ ଆରସିବି ୪ଟି ମ୍ୟାଚ୍‌ରୁ ଦ୍ୱିତୀୟ ବିଜୟ ହାସଲ କରିଛି। ପଏଣ୍ଟ ଟେବୁଲର ସବୁଠାରୁ ଶେଷରେ ଦିଲ୍ଲୀ ରହିଥିବା ବେଳେ ୪ ପଏଣ୍ଟ ସହ ଆରସିବି ୭ମ ସ୍ଥାନକୁ ଉଠିଛି।

Advertisment

ବେଙ୍ଗାଲୁରୁରେ ଖେଳା ଯାଉଥିବା ଆଜିର ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରୁଥିବା ଆରସିବି ବିରାଟ କୋହଲିଙ୍କ ୫୦, ଫାଫ ଡୁପ୍ଲେସିସଙ୍କ ୨୨, ମହିପାଲ ଲୋମରୋରଙ୍କ ୨୬, ଗ୍ଲେନ ମ୍ୟାକ୍ସୱେଲଙ୍କ ୨୪ ଓ ଶେଷ ଭାଗରେ ଶାହବାଜ ଅହମଦଙ୍କ ୧୨ ବଲରେ ଅପରାଜିତ ୨୦ ରନ ବଳରେ ୬ ୱିକେଟ ହରାଇ ୧୭୪ ରନ କରିଥିଲା।

ଦିଲ୍ଲୀ ପକ୍ଷରୁ କୁଲଦୀପ ଯାଦବ ଓ ମିଚେଲ ମାର୍ଶ ୨ଟି ଲେଖାଏ ୱିକେଟ ନେଇଥିବା ବେଳେ ଅକ୍ଷର ପଟେଲ ଓ ଲଳିତ ଯାଦବ ଗୋଟିଏ ଲେଖାଏ ସଫଳତା ପାଇଥିଲେ।

Advertisment

୧୭୭ ରନର ଟାର୍ଗେଟ ପାଇଥିବା ଦିଲ୍ଲୀ ପ୍ରଥମ ଓଭର୍‌ରେ ହିଁ ପୃଥ୍ୱୀ ଶ’(୦)ଙ୍କୁ ହରାଇଥିଲା। ମିଚେଲ ମାର୍ଶ ମଧ୍ୟ ଖାତା ଖୋଲିବାକୁ ସକ୍ଷମ ହୋଇ ନଥିଲେ। ୟଶ ଧୂଲ ୪ନଂରେ ବ୍ୟାଟିଂ କରିଥିଲେ ମଧ୍ୟ କେବଳ ୧ ରନ କରି ମହମ୍ମଦ ସିରାଜଙ୍କ ବଲରେ ପ୍ୟାଭିଲିୟନ ଫେରିଥିଲେ। ୨ ରନରେ ଦଳ ୩ ୱିକେଟ ହରାଇ ସଙ୍କଟରେ ପଡ଼ିଥିଲା।

ଅଧିନାୟକ ଡାଭିଡ ୱାର୍ଣ୍ଣର କିଛି ସମୟ ପାଇଁ ଲଢ଼େଇ କରିଥିଲେ ହେଁ କେବଳ ୧୯ ରନ କରିବାକୁ ସକ୍ଷମ ହୋଇଥିଲେ। ଦଳୀୟ ସ୍କୋର ୩୦ ଥିବା ବେଳେ ୱାର୍ଣ୍ଣର ଆଉଟ ହୋଇଥିଲେ। ଯୁବ ବ୍ୟାଟର ଅଭିଷେକ ପୋରେଲ କେବଳ ୫ ରନ କରିଥିଲେ। ଗୋଟିଏ ପଟେ ୱିକେଟ ଯାଉଥିବା ବେଳେ ମନୀଷ ପାଣ୍ଡେ କିଛି ସମୟ ପାଇଁ ସ୍ଥିତି ସମ୍ଭାଳିଥିଲେ।

ତାଙ୍କୁ ଅକ୍ଷର ପଟେଲ(୨୧) ଭରପୂର ସାଥ ଦେଇଥିଲେ। କିନ୍ତୁ ଦଳୀୟ ସ୍କୋର ୮୦ ଥିବା ବେଳେ ଅକ୍ଷର ଓ ୯୮ ଥିବା ବେଳେ ମନୀଷ ପାଣ୍ଡେ ୫୦ ରନ କରି ଆଉଟ ହୋଇଯାଇଥିଲେ। ପାଣ୍ଡେ ଆଉଟ ହେବା ପରେ ଦିଲ୍ଲୀର ପରାଜୟ ଏକ ପ୍ରକାରର ସୁନିଶ୍ଚିତ ହୋଇ ସାରିଥିଲା। କେବଳ ଔପଚାରିକତା ବାକି ରହିଥିଲା।

ଅନ୍ୟମାନଙ୍କ ମଧ୍ୟରେ ଲଳିତ ଯାଦବ ୪, ଅମନ ଖାନ ୨୧,ଶେଷ ଭାଗରେ ଅନରିଚ ନୋର୍ଖିୟା ୧୪ ବଲରେ ଅପରାଜିତ ୨୩ ଓ କୁଲଦୀପ ଯାଦବ ଅପରାଜିତ ୭ ରନ କରିବାରୁ ଦିଲ୍ଲୀ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ ହରାଇ ୧୫୧ ରନ କରିବାକୁ ସକ୍ଷମ ହୋଇଥିଲା।

ଆରସିବି ପକ୍ଷରୁ ଡେବ୍ୟୁଟାଣ୍ଟ ବିଜୟକୁମାର ବୈଶାଖ ସର୍ବାଧିକ ୩ଟି ୱିକେଟ ନେଇଥିବା ବେଳେ ମହମ୍ମଦ ସିରାଜ ୨ଟି, ୱେନ ପାର୍ନେଲ, ୱାନିନ୍ଦୁ ହସରଙ୍ଗା, ଓ ହର୍ଷଲ ପଟେଲ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

ଅର୍ଦ୍ଧଶତକ ହାସଲ କରିଥିବା ଆରସିବିର ବିରାଟ କୋହଲିଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।

Cricket IPL
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe