Advertisment

ଟି-୨୦ ମହିଳା ବିଶ୍ୱକପ: ଭାରତକୁ ୧୬୧ ରନର ଟାର୍ଗେଟ ଦେଲା ନ୍ୟୁଜିଲ୍ୟାଣ୍ଡ

ଦୁବାଇରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶୋଫି ଡିଭାଇନଙ୍କ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୦ ରନ କରିଛି। ଅଧିନାୟକ ଡିଭାଇନ ଅପରାଜିତ ୫୭ ରନର ଇନିଂସ ଖେଳିଛନ୍ତି।

author-image
Hemant Lenka
Sophie Devine

Sophie Devine

ୟୁଏଇରେ ଚାଲିଥିବା ଟି-୨୦ ମହିଳା ବିଶ୍ୱକପରେ ଭାରତ ଆଜି ଠାରୁ ତା’ର ଅଭିଯାନ ଆରମ୍ଭ କରିଛି। ଗ୍ରୁପ ଏ’ରେ ଥିବା ଭାରତୀୟ ମହିଳା ଦଳ ପ୍ରଥମ ମ୍ୟାଚ୍‌ରେ ଶକ୍ତିଶାଳୀ ନ୍ୟୁଜିଲ୍ୟାଣ୍ଡର ସାମ୍ନାକୁ କରୁଛି।

Advertisment

ଦୁବାଇରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ଶୋଫି ଡିଭାଇନଙ୍କ ନ୍ୟୁଜିଲ୍ୟାଣ୍ଡ ନିର୍ଦ୍ଧାରିତ ୨୦ ଓଭରରେ ୪ ୱିକେଟ ହରାଇ ୧୬୦ ରନ କରିଛି। ଅଧିନାୟକ ଡିଭାଇନ ଅପରାଜିତ ୫୭ ରନର ଇନିଂସ ଖେଳିଛନ୍ତି। ଫଳରେ ବିଶ୍ୱକପରେ ପ୍ରଥମ ମ୍ୟାଚ୍‌ ଜିତିବା ପାଇଁ ହରମନପ୍ରୀତ କୌରଙ୍କ ଭାରତୀୟ ଦଳକୁ ୧୬୧ ରନର ଟାର୍ଗେଟ ମିଳିଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରୁଥିବା ନ୍ୟୁଜିଲ୍ୟାଣ୍ତ ପାଇଁ ଦୁଇ ଓପନର ସୁଜି ବେଟ୍ସ ଓ ଜର୍ଜିଆ ପ୍ଲିମେର ଦମଦାର ଆରମ୍ଭ କରିଥିଲେ। ଉଭୟ ବଡ଼ବଡ଼ ଶଟ ଖେଳି ଭାରତୀୟ ବୋଲରଙ୍କୁ ସେଟ ହେବାକୁ ଦେଇ ନଥିଲେ। ପ୍ରଥମ ୬ ଓଭରରେ ଉଭୟ ୫୫ ରନ ଯୋଡ଼ି ଦୃଢ଼ ମୂଳଦୁଆ ପକାଇଥିଲେ। ତେବେ ୮ମ ଓଭରରେ ଭାରତକୁ ମିଳିଥିଲା ସଫଳତା।

Advertisment

୨୪ ବଲରେ ୨୭ ରନ କରିଥିବା ବେଟ୍ସଙ୍କୁ ଅରୁନ୍ଧତି ରେଡ୍ଡୀ ଆଉଟ କରି ଦେଇଥିଲେ। ପରବର୍ତ୍ତୀ ଓଭରରେ ଆଶା ଶୋଭନା ୨୩ ବଲରେ ୩୪ ରନ କରିଥିବା ଜର୍ଜିଆଙ୍କ ୱିକେଟ ଦଖଲ କରିଥିଲେ। ୬୭ ରନରେ ଦଳ ଦୁଇଟି ୱିକେଟ ହରାଇଥିଲା।

ଏହାପରେ ଅଧିନାୟକ ଶୋଫି ଡିଭାଇନ ଓ ଅଲରାଉଣ୍ଡର ଆମେଲି କେର ସ୍ଥିତି ସମ୍ଭାଳି ଦଳୀୟ ସ୍କୋରକୁ ୯୯ ରନରେ ପହଞ୍ଚାଇ ଦେଇଥିଲେ। ତେବେ ୧୫ତମ ଓଭର ବୋଲିଂ କରିବାକୁ ଆସିଥିବା ରେଣୁକା ସିଂହ ଠାକୁର ୧୩ ରନ କରିଥିବା କେରଙ୍କୁ ଆଉଟ କରି ଦେଇଥିଲେ।

ଲାଗୁଥିଲା ଭାରତ ଏବେ ଚାପ ପକାଇବାକୁ ସକ୍ଷମ ହେବ। କିନ୍ତୁ ଡିଭାଇନ କାଉଣ୍ଟର ଆଟାକ ଆରମ୍ଭ କରି ଦେଇଥିଲେ। ତାଙ୍କୁ ବ୍ରୁକେ ହାଲ୍ଲିଡେ ଭରପୂର ସାଥ ଦେଇଥିଲେ। ଉଭୟ ୪ର୍ଥ ୱିକେଟ ପାଇଁ ଦ୍ରୁତ ୪୪ ରନ ଯୋଡିଥିଲେ।

୧୯ତମ ଓଭରେ ବ୍ରୁକେ(୧୬)ଙ୍କୁ ରେଣୁକା ଆଉଟ କରି ନ୍ୟୁଜିଲ୍ୟାଣ୍ଡକୁ ୪ର୍ଥ ଝଟକା ଦେଇଥିଲେ। କିନ୍ତୁ ୧୯ ଓଭର ଶେଷ ସୁଦ୍ଧା ନ୍ୟୁଜିଲ୍ୟାଣ୍ଡର ସ୍କୋର ୧୫୦ ରନ ଛୁଇଁ ସାରିଥିଲା। ଡିଭାଇନ ୩୧ ବଲରେ ୪୭ ଓ ମ୍ୟାଡୀ ଗ୍ରୀନ ୪ ରନ କରିଥିଲେ।

ଶେଷ ଓଭର ନେଇ ଆସିଥିଲେ ଶ୍ରୀୟଙ୍କା ପାଟିଲ। ପ୍ରଥମ ବଲରେ ଡିଭାଇ କେବଳ ୧ ରନ ଆଦାୟ କରିଥିଲେ। ଦ୍ୱିତୀୟ ବଲରେ ଗ୍ରୀନ ମଧ୍ୟ ୧ ରନ କରିଥିଲେ। ତୃତୀୟ ବଲରେ ଡିଭାଇନ ଚୌକା ମାରି ଚଳିତ ବିଶ୍ୱକପରେ ନିଜର ପ୍ରଥମ ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ତାଙ୍କ ଟି-୨୦ କ୍ୟାରିୟରର ୨୧ତମ ଅର୍ଦ୍ଧଶତକ। ସେ ୨୩ ବଲରେ ଆଜି ଅର୍ଦ୍ଧଶତକ ହାସଲ କରିଛନ୍ତି।

୪ର୍ଥ ବଲରେ ସେ ପୁଣି ୨ ରନ ନେଇ ନିଜ ପାଖରେ ଷ୍ଟ୍ରାଇକ ରଖିଥିଲେ। ୫ମ ବଲରେ ପୁଣି ୨ ରନ ମିଳିଥିଲା। ଶେଷ ବଲରେ ଡିଭାଇନ ୧ ରନ କରିବାରୁ ନ୍ୟୁଜିଲ୍ୟାଣ୍ଡ ୨୦ ଓଭରରେ ୪ ୱିକେଟ ହରାଇ ୧୬୦ କରିଥିଲା।

ଡିଭାଇନ ଶେଷ ଯାଏ ୩୬ ବଲରେ ୫୭ ରନ କରି ଅପରାଜିତ ରହିଥିଲେ। ସେ ଏହି ଇନିଂସରେ ୭ଟି ଚୌକା ମାରିଛନ୍ତି। ଭାରତ ପକ୍ଷରୁ ରେଣୁକା ସିଂହ ଠାକୁର ୨ଟି ୱିକେଟ ନେଇଥିବା ବେଳେ ଆଶା ଓ ରେଡ୍ଡୀ ଗୋଟିଏ ଲେଖାଏ ସଫଳତା ପାଇଛନ୍ତି।

T20 World Cup T20 Cricket Womens T20 World Cup Sophie Devine