Advertisment

୮୦୦ ଟଙ୍କା ଋଣ କରି ବାପା କିଣିଥିଲେ ବ୍ୟାଟ: ଭାରତୀୟ ଟିମରେ ସ୍ଥାନ ପାଇଲେ ଧ୍ରୁବ ଜୁରେଲ

ଆହତ ସମସ୍ୟା ଯୋଗୁ ମହମ୍ମଦ ଶାମି ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି।

author-image
Hemant Lenka
dhruv jurel

dhruv jurel

ଇଂଲଣ୍ଡ ବିପକ୍ଷ ୫ ଟିକିଆ ଟେଷ୍ଟ ସିରିଜର ପ୍ରଥମ ଦୁଇ ମ୍ୟାଚ୍‌ ପାଇଁ ବିସିସିଆଇ ୧୬ ଜଣିଆ ସ୍କ୍ୱାଡ ଘୋଷଣା କରିଛି। ଚଳିତ ମାସ ଶେଷ ଭାଗରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଟେଷ୍ଟ ସିରିଜ ଆରମ୍ଭ ହେବ।

Advertisment

ଆହତ ସମସ୍ୟା ଯୋଗୁ ମହମ୍ମଦ ଶାମି ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇ ନାହାନ୍ତି। ସେହିପରି ଦକ୍ଷିଣ ଆଫ୍ରିକା ବିପକ୍ଷ ସିରିଜ ଅଧାରୁ ଛୁଟି ନେଇ ଦୁବାଇରେ ପାର୍ଟି କରୁଥିବା ଈଶାନ କିଶନଙ୍କୁ ସ୍କ୍ୱାଡରେ ସ୍ଥାନ ମିଳିନାହିଁ। ସ୍କ୍ୱାଡରେ ନୂଆ ମୁହଁ ଭାବେ ଉତ୍ତର ପ୍ରଦେଶର ଯୁବ ତାରକା ଧ୍ରୁବ ଜୁରେଲ ସ୍ଥାନ ପାଇଛନ୍ତି।

୨୨ ବର୍ଷୀୟ ଜୁରେଲ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ୨ଟି ମ୍ୟାଚ ଡିସେମ୍ବର ମାସରେ ଖେଳିଥିଲେ। ଇଣ୍ଡିଆ ଏ ପାଇଁ ଖେଳୁଥିବା ଜୁରେଲ ଦ୍ୱିତୀୟ ମ୍ୟାଚ୍‌ରେ ୬୯ ରନ କରିଥିଲେ। ନିକଟରେ କେରଳ ବିପକ୍ଷ ମ୍ୟାଚ୍‌ରେ ୟୁପି ପାଇଁ ସେ ୬୩ ରନ କରିଥିଲେ।

Advertisment

ଏବେ ସେ ଭାରତୀୟ ଟେଷ୍ଟ ଟିମରେ ତୃତୀୟ ୱିକେଟ କିପର ଭାବେ ସ୍ଥାନ ପାଇଛନ୍ତି। ଦଳରେ କେଏଲ ରାହୁଲ ଓ କେଏସ ଭରତ ମଧ୍ୟ ରହିଛନ୍ତି। ଜୁରେଲ ଗତବର୍ଷ ବିର୍ଦ୍ଦଭା ବିପକ୍ଷ ମ୍ୟାଚ୍‌ରେ ନିଜର ପ୍ରଥମ ଶ୍ରେଣୀ ଡେବ୍ୟୁ କରିଥିଲେ। ଏଯାଏ ସେ ୧୫ଟି ମ୍ୟାଚ୍‌ ଖେଳି ୭୯୦ ରନ କରିଛନ୍ତି। ୪୬ ହାରରେ ରନ ସଂଗ୍ରହ କରିଥିବା ଜୁରେଲ ଗୋଟିଏ ଶତକ ଓ ୫ଟି ଅର୍ଦ୍ଧଶତକ ମାରିଛନ୍ତି।

ଗୋଟିଏ ସାଧାରଣ ପରିବାରରୁ ଆସିଥିବା ଜୁରେଲ ଅତ୍ୟନ୍ତ ସଂଘର୍ଷ କରି ଭାରତୀୟ ସ୍କ୍ୱାଡରେ ସ୍ଥାନ ପାଇଛି। ବ୍ୟାଟ କିଣିବା ପାଇଁ ଜୁରେଲଙ୍କ ବାପା ୮୦୦ ଟଙ୍କା ଧାର କରିଥିଲେ। ସେହିପରି କ୍ରିକେଟ କିଟ୍‌ ପାଇଁ ତାଙ୍କ ମା’ ନିଜର ସୁନା ଚେନ ମଧ୍ୟ ବିକ୍ରି କରି ଦେଇଥିଲେ। ଆର୍ଥିକ ଅନଟନ ସତ୍ତ୍ୱେ ଜୁରେଲ ହାର ମାନି ନଥିଲେ। ଦୀର୍ଘ ବର୍ଷର ପରିଶ୍ରମ ପରେ ଏବେ ସେ ଭାରତୀୟ ଟେଷ୍ଟ ସ୍କ୍ୱାଡରେ ସ୍ଥାନ ପାଇଛନ୍ତି।

ନିଜ ସଂଘର୍ଷ ସମ୍ପର୍କରେ ଧ୍ରୁବ ଜୁରେଲ କହିଛନ୍ତି, “ମୁଁ ଆର୍ମି ସ୍କୁଲରେ ପଢ଼େ। ଛୁଟି ସମୟରେ ମୁଁ ଆଗ୍ରାର ଏକଲବ୍ୟ ଷ୍ଟାଡିମୟରେ ଚାଲିଥିବା କ୍ରିକେଟ କ୍ୟାମରେ ଯୋଗ ଦେଇଥିଲି। ମୁଁ ଏଥିପାଇଁ ଫର୍ମ ଫିଲପ କରିଥିଲେ ହେଁ ବାପାଙ୍କୁ କହିନଥିଲି। ସେ ଜାଣିବା ପରେ ମୋତେ ଗାଳ କରିଥିଲେ। କିନ୍ତୁ ପରବର୍ତ୍ତୀ ଅବସ୍ଥାରେ ସେ ୮୦୦ ଟଙ୍କା ଧାର କରି ମୋ ପାଇଁ ବ୍ୟାଟ କିଣିଥିଲେ।

ମୁଁ ଯେତେବେଳେ କ୍ରିକେଟ କିଟ କଥା କହିଲି ସେ କେତେ ଟଙ୍କା ପଡ଼ିବ ବୋଲି ମୋତେ ପଚାରିଥିଲେ। ମୁଁ ୬ ରୁ ୭ ହଜାର ଟଙ୍କା ପଡ଼ିବ କହିଥିଲି। ଏକଥା ଶୁଣି ସେ ମୋତେ କ୍ରିକେଟ ଖେଳିବା ଦରକାର ନାହିଁ ବୋଲି କହିଥିଲେ। ମୁଁ ରାଗରେ ବାଥରୁମରେ ପଶି ନିଜକୁ ଲକ କରି ଦେଇଥିଲି। କିଛି ସମୟ ପରେ ମୋ ମା’ ତାଙ୍କ ସୁନା ଚେନ ବିକ୍ରି କରି ମୋ ପାଇଁ କିଟ୍‌ କିଣିଥିଲେ।”

ସେ ଆହୁରି କହିଛନ୍ତି, “ମୋ ସାଙ୍ଗମାନେ ମୋତେ ଭାରତୀୟ ଟିମରେ ଚୟନ ହୋଇଛି ବୋଲି କହିଥିଲେ। ମୁଁ ବି ସେମାନଙ୍କୁ କହିଥିଲି ଯେ ଭାରତୀୟ ଟିମରେ ସୁଯୋଗ ମିଳିଛି। ସେମାନେ ପଚାରିଥିଲେ କେଉଁ ଭାରତୀୟ ଟିମରେ ମୋର ଚୟନ ହୋଇଛି? ମୁଁ ସେମାନଙ୍କୁ କହିଥିଲି ଯେ ରୋହିତ ଭାଇ ଓ ବିରାଟ ଭାଇଙ୍କ ଟିମ ଇଣ୍ଡିଆରେ ସ୍ଥାନ ମିଳିଛି। ଏକଥା ଶୁଣି ପୂରା ପରିବାର ବେଶ ଭାବବିହ୍ୱଳ ହୋଇଯାଇଛନ୍ତି।”

ଅନ୍ୟପକ୍ଷରେ ଆବେଶନ ଖାନଙ୍କୁ ମଧ୍ୟ ଟେଷ୍ଟ ସ୍କ୍ୱାଡରେ ସୁଯୋଗ ମିଳିଛି। ସେ ଉପ ଅଧିନାୟକ ଯଶପ୍ରୀତ ବୁମ୍ରା, ମହମ୍ମଦ ସିରାଜ ଓ ମୁକେଶ କୁମାରଙ୍କ ସହ ପେସ ବୋଲିଂ ମଙ୍ଗ ସମ୍ଭାଳିବେ। ସ୍ପିନ ବାହିନୀରେ ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, କୁଲଦୀପ ଯାଦବ ଓ ଅକ୍ଷର ପଟେଲ ରହିଛନ୍ତି। ଆଫଗାନିସ୍ତାନ ବିପକ୍ଷ ଟି-୨୦ ସିରିଜରୁ ବାଦ ପଡ଼ିଥିବା ଶ୍ରେୟସ ଆୟର ମଧ୍ୟ ୧୬ ଜଣିଆ ସ୍କ୍ୱାଡରେ ଅଛନ୍ତି।

ଭାରତୀୟ ସ୍କ୍ୱାଡ: ରୋହିତ ଶର୍ମା(ଅଧିନାୟକ), ଶୁବମନ ଗିଲ, ଯଶସ୍ୱୀ ଜୈସୱାଲ, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ ରାହୁଲ, କେଏସ ଭରତ, ଧ୍ରୁବ ଜୁରେଲ, ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ, କୁଲଦୀପ ଯାଦବ, ମହମ୍ମଦ ସିରାଜ, ମୁକେଶ କୁମାର, ଯଶପ୍ରୀତ ବୁମ୍ରା(ଉପ ଅଧିନାୟକ) ଓ ଆବେଶନ ଖାନ।

Bcci ICC Test Cricket Test Match Dhruv Jurel