/odisha-reporter/media/media_files/2025/12/12/sky-2025-12-12-17-45-35.jpg)
ସୂର୍ଯ୍ୟ କୁମାର ଯାଦବ
ଟାର୍ଗେଟ ଥିଲା ୨୧୪। ପ୍ରଥମ ଓଭରରେ ଶୁବମନ ଗିଲ ପୁଣି ସମସ୍ତଙ୍କୁ ନିରାଶ କଲେ। ଏତେ ବଡ଼ ଟାର୍ଗେଟ ସତ୍ତ୍ୱେ ଅଧିନାୟକ ସୂର୍ଯ୍ୟ କୁମାର ଯାଦବଙ୍କ ବଦଳରେ ୩ନଂରେ ବ୍ୟାଟିଂ କରିବାକୁ ଆସିଲେ ଅକ୍ଷର ପଟେଲ। ସେ ମାତ୍ର ୨୧ ବଲରେ ୨୧ ରନ କଲେ।
ସୂର୍ଯ୍ୟ କୁମାର ଯାଦବ କେବଳ ୫ ରନ କରିବାକୁ ସକ୍ଷମ ହେଲେ। ଶେଷରେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟି-୨୦କୁ ଭାରତ ୫୧ ରନରେ ହାରିଗଲା। କଟକର ପରାକ୍ରମ ନ୍ୟୁ ଚଣ୍ଡିଗଡ଼ର ମୁଲ୍ଲାନପୁର ଷ୍ଟାଡିୟମରେ ଫେଲ ମାରିଲା। ଏବେ ୫ ଟିକିଆ ଟି-୨୦ ସିରିଜ ୧-୧ରେ ବରାବର ସ୍ଥିତିରେ ରହିଛି।
ସମ୍ଭବତଃ ଭାରତୀୟ କ୍ରିକେଟ ଟିମ ଅଧିନାୟକ ସୂର୍ଯ୍ୟ କୁମାରଙ୍କ କ୍ରମାଗତ ବିଫଳତାକୁ ଲୁଚାଇବାକୁ ୩ନଂରେ ଅକ୍ଷର ପଟେଲଙ୍କୁ ପଠାଇଥିବା କୁହାଯାଉଛି। କାରଣ ଏବେ ସୂର୍ଯ୍ୟ କୁମାର ତାଙ୍କ ଟି-୨୦ କ୍ୟାରିୟରର ସବୁଠାରୁ ଖରାପ ସମୟ ଦେଇ ଗତି କରୁଛନ୍ତି। ୨୧୪ ରନର ପିଛା ଭାରତ କରୁଥିଲେ ହେଁ ଟିମ ମ୍ୟାନେଜମେଣ୍ଟ ଅକ୍ଷର ପଟେଲଙ୍କୁ ୩ନଂରେ ଛାଡ଼ିଥିଲା। ଏହି ପଦକ୍ଷେପ ଶେଷରେ ବୁମେରାଂ ହୋଇଛି। ଏହାପରେ ଆସିଥିବା ସୂର୍ଯ୍ୟ କୁମାର ଯାଦବ ମଧ୍ୟ ଫେଲ ମାରିଛନ୍ତି।
ଏହାକୁ ମିଶାଇ ସୂର୍ଯ୍ୟ କୁମାର ଶେଷ ୧୯ଟି ଟି-୨୦ରେ କେବଳ ୨୦୧ ରନ କରିପାରିଛନ୍ତି। ତାଙ୍କ ବ୍ୟାଟିଂ ହାର ୧୪.୩୫ ରହିଥିବା ବେଳେ ଷ୍ଟ୍ରାଇକ ରେଟ କେବଳ ୧୨୬.୪୧ ରହିଛି। ଟିମ ମ୍ୟାନେଜମେଣ୍ଟ(Team India) ନିଜ ଅଧିନାୟକଙ୍କ ସମ୍ମାନ ରକ୍ଷା କରିବା ପାଇଁ ଅକ୍ଷର ପଟେଲଙ୍କୁ ସାମ୍ନାରେ ରଖିବାକୁ ଚେଷ୍ଟା କରିଥିଲା। ସେହିପରି ସୂର୍ଯ୍ୟ କୁମାରଙ୍କ ବ୍ୟାଟିଂ ଅର୍ଡର ଫ୍ଲେକ୍ସିବଲ ନୀତିକୁ ମଧ୍ୟ ବିଭିନ୍ନ ମହଲରେ ସମାଲୋଚନା କରାଯାଇଛି।
ବିଶେଷଜ୍ଞଙ୍କ ମତରେ ଟିମର ପ୍ରମୁଖ ଖେଳାଳିଙ୍କ ଭୂମିକାକୁ କୋଚ ଗୌତମ ଗମ୍ଭୀର ଓ ମ୍ୟାନେଜମେଣ୍ଟ ଧାର୍ଯ୍ୟ କରିବା କଥା। ବିଶେଷ କରି ହାଇ ସ୍କୋରିଂ ଚେଜ ବେଳେ ଏହା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ପ୍ରମୁଖ ବ୍ୟାଟରମାନେ ବଡ଼ ସ୍କୋରକୁ ପିଛା କରିବା ବେଳେ ଆଗୁଆ ଆସିବା କଥା।
ଯଦି ଆପଣ ଜଣେ ପିଞ୍ଚ ହିଟରଙ୍କୁ ପଠାଉଛନ୍ତି, ତା’ହେଲେ ସେ ସେହି ଅନୁସାରେ ଖେଳିବା ଦରକାର। ଯଦି ଅକ୍ଷର ମୁଲ୍ଲାନପୁର ଟି-୨୦ରେ ପିଞ୍ଚ ହିଟର ଭାବେ ୩ନଂରେ ଆସିଥିଲେ, ତା’ହେଲେ ସେ କେବେ ହେଲେ ୨୧ ବଲରେ ୨୧ ରନ କରିବାର ନଥିଲା। ଏହାକୁ ସେ ୪୦ରୁ ୫୦ ରନରେ ପରିଣତ କରିବାର ଥିଲା।
ସୂର୍ଯ୍ୟ କୁମାରଙ୍କ ରେକର୍ଡକୁ ଦେଖିଲେ ଭାରତ ପିଛା କରୁଥିବା ୩୬ଟି ମ୍ୟାଚ୍ରେ ସେ ୧୦୧୯ ରନ କରିଛନ୍ତି। ତାଙ୍କ ବ୍ୟାଟିଂ ହାର ୩୯.୧୯ ରହିଥିବା ବେଳେ ଷ୍ଟ୍ରାଇକ ରେଟ୍ ୧୫୪.୧୬ ରହିଛି।
ସେ ଦୀର୍ଘ ସମୟ ଧରି ଟି-୨୦(T20) ଫର୍ମାଟରେ ବିଶ୍ୱର ୧ନଂ ବ୍ୟାଟର ମଧ୍ୟ ରହିଥିଲେ। ଏପରି ସ୍ଥିତିରେ ସେ ଦ୍ୱିତୀୟ ଟି-୨୦ରେ ୩ନଂରେ ନ ଆସିବା ସମସ୍ତଙ୍କୁ ଚକିତ କରିଛି। ଏହା ହିଁ ପରାଜୟର ଅନ୍ୟତମ କାରଣ ବୋଲି କୁହାଯାଇ ପାରେ।
ଚେଜ ବେଳେ ସୂର୍ଯ୍ୟ କୁମାର ହିଁ ଶ୍ରେଷ୍ଠ ବ୍ୟାଟର। ଏହା ସତ ଯେ ଅକ୍ଷର ପଟେଲ ବ୍ୟାଟିଂ କରିବାକୁ ସକ୍ଷମ। ସମସ୍ତେ ବ୍ୟାଟିଂ କରିପାରିବେ। କିନ୍ତୁ ବଡ଼ ସ୍କୋର ବେଳେ ପ୍ରମୁଖ ବ୍ୟାଟର ଆଗକୁ ଆସିବା କଥା।
ଯଦି ବାମ-ଡାହାଣ କମ୍ବିଂନେସନ ଉପରେ ଭାରତୀୟ ଟିମ ଗୁରୁତ୍ୱ ଦେଉଛି, ତା’ହେଲେ ଅଭିଷେକ ଶର୍ମା ଆଉଟ ହେବା ପରେ ଅକ୍ଷର ଆସିବା କଥା। ଗିଲ ପ୍ରଥମେ ଆଉଟ ହୋଇଥିଲେ। ତେଣୁ ସେହି ସ୍ଥାନରେ ସୂର୍ଯ୍ୟ କୁମାର ଯାଦବ ଆସିବାର ଥିଲା ବୋଲି କ୍ରୀଡ଼ା ବିଶେଷଜ୍ଞମାନେ ମତ ରଖିଛନ୍ତି।
ଭାରତ ଦ୍ୱିତୀୟ ଟି-୨୦ ହାରିବାରୁ ଏବେ ୫ ଟିକିଆ ସିରିଜ ୧-୧ରେ ବାରବର ହୋଇ ଯାଇଛି। ଡିସେମ୍ବର ୧୪ରେ ଧର୍ମଶାଳାରେ ତୃତୀୟ ଟି-୨୦ ଖେଳାଯିବ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
